ଭିଟାମାଟି ଆମବଇକୁଣ୍ଠ ଧାମ
ଭିଟାମାଟି ଆମବଇକୁଣ୍ଠ ଧାମ
ଓଡ଼ିଆରେ ଆମେ ଓଡ଼ିଆ
ଘର ହେଉପଛେ କୁଡିଆ
ଭିଟାମାଟି ଆମ ବଇକୁଣ୍ଠ ଧାମ
ଆମ ପାଇଁ ଭାରି ବଢିଆ
ଗରବ ଆମର ପୁରୀ କୋଣାରକ
ବାରବାଟୀ କିଲ୍ଲା ପଡିଆ
ଆମେ ଓଡ଼ିଆ ।
ଝାଟିମାଟି ତାଳତାଟି
ନଡାକୁଟା ଛପର
ମନଲୋଭା ଗାଁଗଣ୍ଡା
ମନଜିଣା ସହର
ଭଲଲାଗେ ମଠ ଆଉ ମନ୍ଦିର ରେ
ଘଣ୍ଟ ଘଣ୍ଟା ହେଲେ ବାଡିଆ
ଆମେ ଓଡ଼ିଆ ।
ଆମ ପିଠା ଆମ ମିଠା
କ୍ଷୀରି ପୁଳି କାକରା
ରସଗୋଲା ଡାଲମାତ
ସବୁଠାରୁ ନିଆରା
ବଢାଅନ୍ତି ହାତ ଆମ ଠାକୁରତ
ଭକତ ଜାଚିଲେ ନଡ଼ିଆ
ଆମେ ଓଡ଼ିଆ ।
ଆମ ପାଟ ଆମ ମଠା
ଝୋଟି ଚିତା ଚମକ
ତାରକସୀ କାମ ପାଇଁ
ଖ୍ୟାତ ଆମ କଟକ
ଆମ ନାଚ ଆମ ମନଛୁଆଁ ଗୀତ
ଦୁନିଆକୁ ଲାଗେ ବଢିଆ
ଆମେ ଓଡ଼ିଆ ।
ଭରା ନଈ ବେଳାଭୂଇଁ
ନଦନଦୀ ପ୍ରପାତ
ଘାଟ ଘାଟି କ୍ଷେତ ମାଟି
ବଣ ବିଲ ପର୍ବତ
ମନ କିଣିନିଏ ମେଘୁଆ ଆକାଶ
କଇଁଫୁଲେ ଭରା ଗଡିଆ
ଆମେ ଓଡ଼ିଆ ।