ଭିନ୍ନ ମୋର ପରିଚୟ
ଭିନ୍ନ ମୋର ପରିଚୟ
ସମୟ ଛାତିରେ ଲେଖିଛି ମୋ ନାଆଁ
ଭାରତ ବୁକୁରେ ଘର
ଉତ୍କଳ କୋଳରେ ବଢୁଛି ମୋ,ଗାଆଁ
ଏଇ ମୋ,ସୁଖ ସଂସାର।
ତା,ପାଣି ପବନ ଅଟେ ମୋ,ଜୀବନ
ସାତ ଦରିଆର ଢେଉ
ଲୁଣା ନଈ କୂଳ ନଦୀବନ୍ଧ ତଳ
କୁଳୁକୁଳୁ ଗୀତ ଗାଉ।
ପରାଚୀ ତୁଠରେ ମାଆ ଭଗବତୀ
ଦୁଃଖରେ ସୁଖରେ ସାହା
ମୋ,ଗାଆଁ ଦକ୍ଷିଣେ ଶାନ୍ତିଧାମ ବିଜେ
ଅଭିରାମ ଚଉବାହା।
ପୁଣି ବଡଗୋଠ ଅନୁପମ ପୀଠ
ଅନନ୍ତ ଦର୍ଶନ ସତେ
ଚିଲିକା ସୁନ୍ଦରୀ ଭାଙ୍ଗଇ ଲହରୀ
କଳରବ ମଧୁଗୀତେ।
ବକ୍ସି ଜଗବନ୍ଧୁ କାଚପାଣି କେନ୍ଦୁ
ପଞ୍ଚୁ ପାଣ୍ଡବ ମଣ୍ଡନ
ଅଲାରନାଥଙ୍କ ମହିମା ପ୍ରସିଦ୍ଧ
ପଞ୍ଚକୋଷୀ ବୃନ୍ଦାବନ।
ଅତିବଡୀ ପୁତ୍ର ଜଗନ୍ନାଥ ଭକ୍ତ
ଦାଶ ଜଗନ୍ନାଥ ଗ୍ରାମ
ରଜା କପିଳେନ୍ଦ୍ର ଗ୍ରାମୀୟ ସନନ୍ଦ
&nbs
p; ଭାଗବତ ଗାଦୀବ୍ରହ୍ମ।
ସିପସରୁବାଲି ଝାଉଁବଣ ଝଳି
କୁଳୁକୁଳୁ ମନ୍ଦ୍ର ତାନ
ଐଶାନ୍ୟ ଦିଶାରେ ଲବଣ ଗଣ୍ଡରେ
ମାଝିପରିଡା ଆସ୍ଥାନ।
ଶୈବ ବଳୀୟାର କ୍ଷତ୍ରପତି ସାର
ସାରସ୍ବତ ସାରସୁଧା
ତା,ପାଖେ ଅଞ୍ଜନା ନନ୍ଦନ ବାଜେଣା
ଶିରୁଳୀ ମଉଳୀ ଶ୍ରଦ୍ଧା।
ଉତ୍ତରେ କଣାସ ବେନୁପଡାଗାଦୀ
ଜଗତେ ପ୍ରସିଦ୍ଧି ଥାଇ
ମହାମାରୀ ବେଳେ ପାଦୁକ ବିଭୋଳେ
ସର୍ବରେ ଶାନ୍ତି ଖେଳଇ।
ଗୋସାଇଁ ଗୋସାଇଁ ହୁରି ପଡୁଥାଇ
ଭୁରୀଭୁରୀ ଚତୁରାଇ
ସନାତନ ଧର୍ମ ଅଭିରାମ କର୍ମ
କର୍ମଫଳେ ସଞ୍ଚରଇ।
ଏଇ ମୋର ଗାଆଁ ହେଙ୍ଗୁଳାଇ ମାଆ
ମଝିରେ ଶ୍ରୀବୃନ୍ଦାବନ
ନାମ ସଂକୀର୍ତ୍ତନ ଗୀତା ଅଧ୍ୟୟନ
ଭାଗବତ ନିତ୍ୟାଧ୍ୟାନ।
ଏହି ପରିଚୟ ନୁହେଁ ଅପଚୟ
କ୍ଷତ୍ରୀୟ କୂଳେ ଜନମ
ସର୍ବହରା ହୋଇ ସାରସ୍ବତ ଧ୍ୟାୟୀ
ଭ୍ରମୁଅଛି ଏ ଭୂବନ।