STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ବାପା

ବାପା

1 min
389


ଉପରେ ରାଗନ୍ତି  ଗାଳିବି ଦିଅନ୍ତି

     ଭିତରେ ପାଆନ୍ତି ଭଲ

ତାଙ୍କ ସ୍ନେହ ତାଙ୍କ  ଶ୍ରଦ୍ଧା ଆଶିର୍ବାଦ

     ମୋ ପାଇଁ ଅମୂଲ ମୂଲ

     ମୋ ବାପା

  ମୋ ଦିଅଁ ଦେବତାଙ୍କ ତୁଲ ।


ହାତ ଧରି ମୋତେ  ଚାଲି ଶିଖାଇଲେ

    ଦେଖାଇଲେ ଭଲ ବାଟ

ଭଲ ମଣିଷ ମୁଁ  ହେବାପାଇଁ ,ସିଏ

    ସହିଛନ୍ତି କେତେ କଷ୍ଟ

ତାଙ୍କ ପାଇଁ ମୋର ଏ ଜୀବନ ସଦା

     ଆଲୋକରେ ଝଲମଲ

   ମୋ ବାପା

 ମୋ ଦିଅଁ ଦେବତାଙ୍କ ତୁଲ ।


ତାଙ୍କ ପାଦ ଧୂଳି  ମଥାରେ ମୁଁ ବୋଳି

    ସବୁଠି ପାରୁଛି ଜିତି

ବାପା ଥିଲେ ପାଖେ  ଝଡ ତୋଫାନକୁ

   ନଥାଏ ମୋ ତିଳେ ଭିତି

ତାଙ୍କରି ଆଶିଷେ ଜଣାପଡେନାହିଁ

    ଚଲାପଥେ ଖମାଖାଲ

    ମୋ ବାପା

 ମୋ ଦିଅଁ ଦେବତାଙ୍କ ତୁଲ ।


 ବାୟୁ ହୋଇ ବାପା ନିଶ୍ୱାସରେ ମୋର

     ବିଶ୍ବାସ ଦିଅନ୍ତି ଭରି

 ପାଣି ହୋଇ ମୋର ଶିରା ପ୍ରଶିରାରେ

    ବୁହନ୍ତି ରକତ ପରି

 ମୋ ମଥାରେ ବାପା ହାତ ବୋଳିଦେଲେ

    କଣ୍ଟା ବି ପାଲଟେ ଫୁଲ

 ମୋ ବାପା

 ମୋ ଦିଅଁ ଦେବତାଙ୍କ ତୁଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children