ବାଘୁଆ ଅନୁଭୂତି
ବାଘୁଆ ଅନୁଭୂତି
ଆମ ଗାଁ(ବଘାଡି) ଦେଇ ବହିଯାଇଥିବା ବାଘୁଆ ନଦୀ ବିଷୟରେ ମୁଁ ଏହି କବିତାଟି ଲେଖିଛି। ଆଜିକାଲି ଭାରତବର୍ଷର ସବୁ ନଦୀ ଅବସ୍ଥା ଅତି ଦୟନୀୟ। ଆଶା ଏହି କ୍ଷୁଦ୍ର କବିତାଟି ଏକ ଆହ୍ୱାନ ହୋଇ ନଦୀ ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ। ନଦୀ ରହିଲେ ହିଁ ମାନବ ଜାତି ବଞ୍ଚିରହିବ।
ବାଘୁଆ ଅନୁଭୂତି
ବଘାଡି ଗାଁଆର ପିଲାଟିଏ
ମୁମ୍ବାଇ ସହରେ ସିଏ ରୁହେ,
କର୍ମ କରି ପେଟ ପୋଷଇ ସେଇଠି
କର୍ମ ବିନା କଣ ଜିଇଁ ହୁଏ?
ବରଷକେ ଗାଁକୁ ଆସିଥାଏ
ମନେ ମନେ ଭାରି ଖୁସି ଥାଏ,
ବହୁ ଦିନ ପରେ ଗାଁଆ କୁ ଆସିଛି
ଗାଁଆ ମାଟି କଣ ଭୁଲି ହୁଏ?
ପିଠା ପଣା ପୁଣି ଯାତ ତାର
ଅଭୁଲା ସ୍ମୃତି ସେ ମନୋହର,
ବାଘୁଆ ନଦୀକୁ ଦେଖିଦେଲେ ଥରେ
ମନେ ଖେଳିଯାଏ ହସ ତାର।
କି ଦିବ୍ୟ ସୁନ୍ଦର ଏ ପ୍ରକୃତି
ଗାଁଆ ଭାଇ ପୁଣି ସାଙ୍ଗସାଥି,
ଦେଖିଦେଲେ ତାଙ୍କୁ ଆପଣା ପଣରେ
କୁଣ୍ଢେ ମୋଟ ହୋଇ ଯାଏ ଛାତି।
କିନ୍ତୁ ସେ ଦେଖଇ ଇଏ କଣ?
ବାଘୁଆ ଦିଶଇ ଶିରିହୀନ,
କଳ କଳ ନାଦ ଶୁଭୁନି ତାହାର
ଦିଶୁ ଅଛି କେଡେ ହୀନିମାନ।
ମନେ ପଡ଼ିଯାଏ ପିଲାଦିନ
ବାଘୁଆ ନଦୀର ସ୍ମୃତିମାନ,
ପିଲାଦିନେ କେତେ ଖେଳ ଖେଳୁଥିଲେ
ମଜା ମଜଲିସ କେତେ କ'ଣ ।
ଖୋଖୋ କବାଡି କିରିକେଟ
ଭଳିବଲ ପୁଣି ତାସପଟ,
ପିଲାମାନେ କେତେ ଖେଳ ଖେଳୁଥିଲେ
ବାଘୁଆର ସେହି ନଦୀତଟ।
ଯୌବନେ ଯୌବନା ଯେହ୍ନେ ନାରୀ
କି ସୁନ୍ଦର ଆଉ ମନୋହରୀ,
ସେମିତି ବାଘୁଆ ଦିଶୁଛି ସୁନ୍ଦର
ଲାଗୁଛି ସତେକି ଅପସରୀ।
କି ସୁନ୍ଦର ଦିଶେ ସେ ବାଘୁଆ
ସତେକି ରମଣୀ ରମଣୀୟା,
ଦିଶଇ ସତେକି ପରୀ ଅପସରୀ
ସତେ ସେ ଲାଗଇ ବିଭୁପ୍ରିୟା!
କେତେ ସ୍ନେହୀ ସତେ ସେ ବାଘୁଆ
ମମତାମୟୀ ସେ ସାଜି ମାଆ,
ଉଦ୍ଧତ ଉଦଭ୍ରାନ୍ତ ପିଲାମାନଙ୍କର
ସହିଛି କେତେ ସେ ଅଳି ଆହା!
ସ୍ନେହ ପ୍ରେମ ପୁଣି ତା କରୁଣା
କେବେ କରିନାହିଁ କା'କୁ ଉଣା,
ସଭିଙ୍କୁ ବାଘୁଆ କୋଳେଇ ନେଇଛି
ନାହିଁ ତାର କେବେ ବାଛବଣା।
ଧନୀ, ଗରିବ ଓ କେତେ ଜାତି
ସଭିଙ୍କୁ ଦେଇଛି ସିଏ ଶାନ୍ତି,
ବାଛ ବିଚାର ସେ କରିବ କେମିତି
ସିଏ ପରା ଗୋଟେ ମାଆ ଜାତି!
ପୁଣ୍ୟସ୍ରୋତା ସ୍ଵଛ ଜଳ ତାର
କଳ କଳ ରବେ ତାର ନୀର,
ବହି ଯାଉ ଥାଏ ଆନନ୍ଦ ମନରେ
ସତେକି ଗନ୍ତବ୍ୟ ସମୁଦର।
ସଭିଙ୍କ ତୃଷ୍ଣା ସେ ମେଣ୍ଟାଇଛି
ପ୍ରତିଦାନେ ମାଗିନାହିଁ କିଛି,
ପର ଉପକାରେ ଜୀବନ ତାହାର
ସେଥିରେ ଶାନ୍ତି ସେ ଲଭିଅଛି।
ବୃଦ୍ଧ ଯୁବ ପୁଣି ଶିଶୁ ବାଳେ
ସ୍ନାହାନ କରନ୍ତି ତାର ଜଳେ,
ନିଜ ଅବକାଶ ସମୟ ବିତାନ୍ତି
ଗପ ଖୁସି କରି ସାଙ୍ଗ ମେଳେ।
ପଛରୁ କିଏସେ ଡାକ ଦେଲା
କେବେ ତୁ ଆସିଲୁ ପଚାରିଲା,
କିଏସେ ଡାକୁଛି ଦେଖିବା ପାଇଁକି
ପ୍ରକୃତିସ୍ଥ ଏବେ ସିଏ ହେଲା।
ସାଙ୍ଗ ସାଥି ଚିହ୍ନା ପରିଚୟ
ଭଲ ମନ୍ଦ ଭାବ ବିନିମୟ,
ଦୀର୍ଘ ଦିନ ପରେ ମିଶିଛନ୍ତି ଦୁହେଁ
ଖୁସିକୁ ପାରୁନି କରି ଥୟ।
ହେଲେ ଏକି ହୁଏ ଛାତି ତାର
କୋରି ହୋଇଯାଏ ବାର ବାର,
ବାଘୁଆର ଏହି ଶ୍ରୀହୀନ ଦେଖିକି
ଚାରିଦିଗ ଦିଶେ ଅନ୍ଧକାର।
ନାରୀଟି ଯେପରି ବୃଦ୍ଧା କାଳେ
ଯୌବନ ଘଟିଛି କାଳ ବଳେ,
ନାହିଁ ତାର ସେହି ପୂର୍ବ ସୁନ୍ଦରତା
ଚିରଯୌବନା କେ ମହିତଳେ?
କିନ୍ତୁ ସେ ତ ନୁହେଁ ନାରୀ, ଜାୟା
ବାଘୁଆ ତ ଅଟେ ପୁଣ୍ୟତୋୟା,
କ୍ଷଣ ଭଙ୍ଗୁର କି ଜୀବନ ତାହାର
ସର୍ବ ଜୀବେ କରେ ଯିଏ ଦୟା!
କେତେ ପଶୁ ଆଉ କେତେ ପକ୍ଷୀ
କେତେ ବୃକ୍ଷ ଦ୍ରୁମ ଛନ୍ତି ସାକ୍ଷୀ,
ନିଃସ୍ୱାର୍ଥ ନିଃସର୍ତ ସେବା ସେ ଦେଇଛି
ସତେକି ଗୋଟାଏ ନିରୀମାଖୀ।
ଏତେ ସେବା ପରେ ଏ କି ଦଶା
କିଏ କଲା ତାକୁ ଲୋକହସା,
କେଡେ କୃତଘ୍ନ ଏ ମଣିଷ ଜାତିଟା
ଅର୍ଥ ଯେ ତାହାର ଶେଷ ନିଶା।
ପ୍ରାଚୀନ କାଳରେ ଭାଗିରଥ
ପାଇଁ ପିତୃଲୋକ ମୁକ୍ତିପଥ,
ବିଷ୍ଣୁ ନଖକୋଣୁ ଗଙ୍ଗାଙ୍କୁ ଆଣିଲେ
ପୂର୍ଣ୍ଣକଲେ ପିତୃ ମନୋରଥ।
ଆମେ ଭାଗିରଥ ଦାଇୟାଦ
ନକରି ଆମେରେ ଆଉ ଖେଦ,
ବାଘୁଆର ହୃତ ଗୌରବ ଫେରାଇ
ଜୀବନ କରିବା ସର୍ଵସିଦ୍ଧ।
ସର୍ବେ ମିଳିମିଶି ମନ ଦେଇ
ବାଘୁଆକୁ ଉଚ୍ଚ ସ୍ଥାନ ଦେଇ,
ଯତ୍ନ ତାହାର ନେବାରେ ଆମେରେ
ପର ଭବିଷ୍ୟତ ପିଢ଼ି ପାଇଁ।
ହେ ମଣିଷ ଆଜି ମେଳି ହୁଅ
ପିଲା ଦିନ କଥା ଭାଳି ହୁଅ,
ଶପଥ ନେବା ହେ ଆଜିର ଦିନରେ
ବାଘୁଆ କରିବା ପ୍ରାଣମୟ।
ବାଘୁଆ ଯେ ଆମ ମାଆ ପରି
ଶୁଝି ପାରିବାନି ଋଣ ତାରି,
ଆସ ହେ ସମସ୍ତେ ମିଳିମିଶି ହୋଇ
ସେବା କରିବା ତା ପ୍ରାଣ ଭରି।
ଓଡ଼ିଆ ସାହିତ୍ୟରେ ମୋର ଅଭିଜ୍ଞତା ବହୁତ କମ। କବିତା ଲେଖିବାର ଏହା ମୋର ପ୍ରଥମ ପ୍ରୟାସ। ତ୍ରୁଟି ଥିଲେ ବିଜ୍ଞପଣରେ କ୍ଷମା କରିବେ।
