ଏଇତ ଜୀବନ
ଏଇତ ଜୀବନ
ଜୀବନ
କେବେ ସୁଖର ଚାଙ୍ଗୁଡ଼ି, କେବେ ଦୁଃଖ ଭରା ପେଢି
ଭାରାକ୍ରାନ୍ତ ମନ
ଏଇତ ଜୀବନ!
ଜୀବନ
କେବେ ବାପାଙ୍କର ଗାଳି, କେବେ ମାଆ ପାଶେ ଅଳି
ସେହି ପିଲାଦିନ
ଏଇତ ଜୀବନ!
ଜୀବନ
କେବେ ଭାଇ ସାଙ୍ଗେ କଳି, କେବେ ଭଉଣୀର ଅଳି
ସେହି ସ୍ମୃତିମାନ
ଏଇତ ଜୀବନ!
ଜୀବନ
କେବେ ହୁଏ ମନାନ୍ତର, କେବେ ସ୍ନେହ ଆଦରର
ଶାନ୍ତି ନିକେତନ
ଏଇତ ଜୀବନ!
ଜୀବନ
କେବେ ଶିଶୁଟିର ମନ, କେବେ ଯଉବନପୂର୍ଣ୍ଣ
ଲାଗେ ବଳଵାନ
ଏଇତ ଜୀବନ!
ଜୀବନ
କେବେ କଳକଳ ନଦୀ, କେବେ ଅଶାନ୍ତ ବାରିଧି
ଅମାନିଆ ମନ
ଏଇତ ଜୀବନ!
ଜୀବନ
କେବେ ହୃଦେ ଭରେ ଡର, କେବେ ମନ ଯେ ଦୁର୍ବାର
ନ ମାନଇ ଆନ
ଏଇତ ଜୀବନ!
ଜୀବନ
କେବେ ଦେବତାର ମନ, କେବେ ହୁଏ ସଇତାନ
ସେ ପରିବର୍ତ୍ତନ
ଏଇତ ଜୀବନ!
ଜୀବନ
କେବେ କାମିନୀର ମୋହ, କେବେ ପରିବାର ସ୍ନେହ
ଦ୍ଵନ୍ଦ ସେହି କ୍ଷଣ
ଏଇତ ଜୀବନ!
ଜୀବନ
କେବେ ଧୋକାଦିଏ ପ୍ରେମୀ, କେବେ ଅଜଣା ତରୁଣୀ
ପାଲଟେ ଜୀବନ
ଏଇତ ଜୀବନ।
ଜୀବନ
କେବେ ହୃଦୟର ଛୁଆଁ, କେବେ କାମନାର ନିଆଁ
ଦେହେ ଶିହରଣ
ଏଇତ ଜୀବନ!
ଜୀବନ
କେବେ ଚନ୍ଦ୍ର ଶୀତଳତା, କେବେ ସୂର୍ଯ୍ୟ ପ୍ରବଳତା
ଦଗ୍ଧୀଭୁତ ପ୍ରାଣ
ଏଇତ ଜୀବନ!
ଜୀବନ
କେବେ ସମ୍ମାନର ସୁଅ, କେବେ ଅପମାନେ ଲୁହ
ଲାଗେ ହୀନିମାନ
ଏଇତ ଜୀବନ!
ଜୀବନ
କେବେ ସ୍ନେହେ ମିଳାମିଶା, କେବେ ପରେ ରାଗ ରୁଷା
ବିଷାଦିତ ମନ
ଏଇତ ଜୀବନ!
ଜୀବନ
କେବେ ପ୍ରେମରେ ବିଶ୍ୱାସ, କେବେ ସନ୍ଦେହେ ଉଛ୍ୱାସ
ଭାଙ୍ଗିଯାଏ ମନ
ଏଇତ ଜୀବନ!
ଜୀବନ
କେବେ ସବୁଜିମା କ୍ଷେତ, କେବେ ଟାଙ୍ଗରା ଭୁଇଁତ
ସମୟ ତ ଭିନ୍ନ
ଏଇତ ଜୀବନ!
ଜୀବନ
କେବେ ପୁଣ୍ୟର ସୁଖରେ, କେବେ ପାପର ଦୁଃଖରେ
ଲାଗେ ଅର୍ଥହୀନ
ଏଇତ ଜୀବନ!
ଜୀବନ
କେବେ ଆଲୁଅ ଆଶାର, କେବେ କଷଣ ନିଶାର
ଅନ୍ଧକାରାଚ୍ଛନ୍ନ
ଏଇତ ଜୀବନ!
ଜୀବନ
କେବେ ସ୍ମୃତି ଅପାସୋରା, କେବେ ଦୁର୍ଘଟଣା ଭରା
ଯାତନା କଷଣ
ଏଇତ ଜୀବନ!
ଜୀବନ
କେବେ କୋଳାହଳପୂର୍ଣ୍ଣ, କେବେ ନିର୍ଜନ ଅରଣ୍ୟ
ଲାଗେ ଶୁନ୍ୟ ଶୁନ୍ୟ
ଏଇତ ଜୀବନ!
ଜୀବନ
କେବେ ପରିବାରେ ମୋହ, କେବେ ବୃଦ୍ଧେ ଆସେ କୋହ
ଏକୁଟିଆପଣ
ଏଇତ ଜୀବନ!
ଜୀବନ
କେବେ ପାଖେ ସହଯାତ୍ରୀ, କେବେ ଏକୁଟିଆ ଯାତ୍ରୀ
ଅରଣ୍ୟରୋଦନ
ଏଇତ ଜୀବନ!
ଜୀବନ
କେବେ ଆତ୍ମୀୟର ଧୋକା, କେବେ ଈଶ୍ୱରଙ୍କ କୃପା
କେତେ ସେ ମହାନ
ଏଇତ ଜୀବନ!
ଜୀବନ
କେବେ ଅର୍ଥ ପଛେ ମନ, କେବେ ପରମାତ୍ମା ଧ୍ୟାନ
କି ଦିବ୍ୟ ଚେତନ
ଏଇତ ଜୀବନ!
ଜୀବନ
କେବେ କାମ-କ୍ରୋଧେ ଅଜ୍ଞ, କେବେ ସେହି ସ୍ଥିତପ୍ରଜ୍ଞ
ଉଦୟ ଯେ ଜ୍ଞାନ
ଏଇତ ଜୀବନ!
ଜୀବନ
କେବେ ପାପର ନରକ, କେବେ ମୁକ୍ତିର ଗୋଲକ
ନିତ୍ୟ ଚିରନ୍ତନ
ଏଇତ ଜୀବନ!
ଶବ୍ଦର ଅର୍ଥ
ନିକେତନ - ଘର
ବାରିଧି - ସମୁଦ୍ର
ଦୁର୍ବାର - ଯାହାକୁ ବାରଣ କରାଯାଇପାରେନା/ ଅଟକାଇ ହୁଏନା
ଦଗ୍ଧୀଭୁତ - ନିଆଁରେ ଜଳିବା
ଉଛ୍ୱାସ - ହତାଶାରେ ଦୀର୍ଘଶ୍ଵାସ ନେବା
ନିର୍ଜନ - ଜନହୀନ
ଅରଣ୍ୟ ରୋଦନ - ଏମିତି କାନ୍ଦିବା ଯାହା ଉପରେ କିଏ ଧ୍ୟାନ ଦେଇପାଇବନି
ସ୍ଥିତପ୍ରଜ୍ଞ - ଯେଉଁ ବ୍ୟକ୍ତି ସବୁ ପରିସ୍ଥିତିରେ ସମାନ ଥାଏ। ଯିଏ ପାପ-ପୁଣ୍ୟ, ଭଲ-ମନ୍ଦ, ଉଚ୍ଚ-ନୀଚ ସବୁ ସ୍ଥିତିରୁ ଉର୍ଦ୍ଧ୍ବରେ ଥାଏ।
