କବିତା - ଅଶ୍ରୁ ଅଞ୍ଜଳି
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୫-୨୦୨୫
ପୂର୍ଣ୍ଣମୀ ତିଥିରେ ଶୀତଳ ବିଥିରେ
ଜହ୍ନବୋଳା ରଜନୀରେ
କାଳିଆ ଠାକୁର ଶ୍ରୀମୁଖ ତୋହର
ଖୋଜୁଥିଲି ନିଶି ତୀରେ
ଆହେ ଦୟାମୟ ଆହେ ଲୀଳାମୟ
ଦରଶନ ଦିଅ ଥରେ
ରାସ ପୁନେଇ ରାତିରେ --- (୦)
ଅନ୍ଧାରୀ ପ୍ରହରେ ତିମିର ପର୍ବରେ
ଅମାବାସ୍ୟା ସର୍ବରୀରେ
ଦୁର୍ବଳ କବଳେ ଉୟର ଉତ୍ତାଳେ
ମନେ ମନେ ଡାକେ ସ୍ମରେ
ଆହେ ପ୍ରଭାମୟ ଆହେ ବାର୍ତ୍ତାବହ
ଦେଖା ଦିଅ ସପନରେ
ଘନଘୋର ରଜନୀରେ --(୧)
ପକ୍ଷୀର କାକଳୀ . ପୁଷ୍ପର ଅଞ୍ଜଳୀ
ସବୁଠାରେ ତୁମ ଆଭା
ସବୁଜ କ୍ଷେତରେ ସୁବର୍ଣ୍ଣ ଶସ୍ୟରେ
ତୁମରି କରୁଣା ପ୍ରଭା
ଆହେ ସର୍ବମୟ ଆହେ ଇଚ୍ଛାମୟ
ଆସି ଯାଅ ଗୋପନରେ
ଏଇ ସବୁଜିମା ଘେରେ - (୨)
ଶୀତଳ ସମୀର କାନନ କେଦାର
ତୁମ ଗାଥା କହେ ଧିରେ
ଝରଣା ସଂଗୀତ ଗାଈଆଳ ଗୀତ
ନୀରବ ଭଜନ ସୁରେ
ଆହେ ସର୍ବଛାୟା ଆହେ ସର୍ବକାୟା
ଭାବନାରେ ଆସ ଥରେ
ଏଇ ସ୍ଵର ସଙ୍ଗମରେ (୩)
ଜୀବନ ଜଞ୍ଜାଳ ବିଷ ହଳା ହଳ
ପିଉଛି ତୁମକୁ ଭାବି
ଦୁଃଖକୁ ଆବୋରୀ ଦାରିଦ୍ର୍ୟ ପ୍ରସାରି
ଦେଖୁଛି ତୁମର ଛବି
ଆହେ ବନ୍ଦନୀୟ ଆହେ ବନ୍ଧୁମୟ
ଚରଣେ ସରଣ ବାରେ
ଜୀବନ ତରଣୀ ଧରେ - (୪)
ମାଗୁନି ସଂପଦ ଉଚ୍ଚ ମାନ ପଦ
ସବୁତ ତୁମରି ଦୟା
ହୃଦେ ଥିବ କ୍ଷମା ଭକ୍ତି ଶକ୍ତି ଜମା
ବନ୍ଧୁ ମହାନ୍ତିର ମାୟା
ଆହେ ବରାଭୟ ଆହେ ଶାନ୍ତିମୟ
ଅଶ୍ରୁ ଅଞ୍ଜଳିରେ ଥରେ
କମଳ ଲୋଚନ ଝୁରେ -(୫)