ଅଶ୍ଳୀଳତାର ଆତ୍ମକଥା
ଅଶ୍ଳୀଳତାର ଆତ୍ମକଥା
ଅଶ୍ଳୀଳତା ;
ଦୃଷ୍ଟିରେ ଥାଏ ନା ଦୃଶ୍ୟରେ ?
ହଁ ନଗ୍ନତାର ରୂପରେଖ ଭିନ୍ନ-
ଏଠି କେବଳ ଅଶ୍ଳୀଳତାର କଥା...
ଯେଉଁଠି ବିନା ନିଆଁରେ ବି
ସୃଷ୍ଟିହୁଏ ଧୂଆଁ,
ଇନ୍ଦ୍ରଧନୁ ବି ବିବର୍ଣ୍ଣ ଦିଶେ
ଅଶ୍ଳୀଳତାର ସ୍ପର୍ଶରେ ।
ତର୍କ-ବିତର୍କର ଶିଆଳିଲତାରେ
ଢ଼େର୍ ଝୁଙ୍କି ହେଲାପରେ
ଏଯାବତ୍ ମିଳିଛି ଶୂନ୍ୟତା-
କେବଳ ଶୂନ୍ୟତା ।
ମୁଁ ଏବେ ଅରଣ୍ୟ ମୁହାଁ ;
ପଚାରିବି ପଥର ଫଟେଇ
ଆକାଶକୁ ଛୁଇଁଥିବା
ସେ ଉଲଗ୍ନ ଗଛ ମାନଙ୍କୁ,
ପଚାରିବି ନିର୍ମୂଳିଲତାକୁ-
ଯେ ଅନ୍ୟ ବୃକ୍ଷର ଦେହରେ
ନିଜର ଅସ୍ତିତ୍ୱକୁ ଉପଭୋଗ କରେ ।
ପଚାରିବି ମଣିଷର ଗନ୍ଧ ଶୁଙ୍ଘି ନଥିବା
ଅସଂଖ୍ୟ ଜୀବଜନ୍ତୁଙ୍କୁ,
ପଚାରିବି ସେ ସିନ୍ଦୁର ବୋଳା ପଥରକୁ
ଯେ ବିଶ୍ୱାସର ଦ୍ୱାହି ଦେଇ
ଦେବୀ ପାଲଟିଛି,
ଉନ୍ମୁକ୍ତ ପ୍ରକୃତି ଦେହରେ ଯଦି
ଅଶ୍ଳୀଳତା ବୋଲି କିଛି ନାହିଁ-
ସବୁ କିଛି ନିଜସ୍ୱ ସ୍ୱଭାବିକତା,
ତେବେ ନାରୀଟିର ପରିଚ୍ଛଦରୁ
କାହିଁକିଖୋଜାଯାଏ ଅଶ୍ଳୀଳତାର ଚିହ୍ନ ?
ଦେଖାହେଲେ ପଚାରିବି ଈଶ୍ୱରଙ୍କୁ
ହେ ଈଶ୍ୱର !
ସତରେ କଣ ଅଶ୍ଳୀଳତା ବୋଲି କିଛି
ସୃଷ୍ଟି କରିଥିଲ ?
ତୁମେ କ'ଣ ଏ ପ୍ରାତିଲୋମ୍ୟ
ନିଷ୍କର୍ଷର ରଚନାକାର ?
ନା' ଏସବୁ ବି ତୁମପରି ରହସ୍ୟମୟ ?
ଯାହାର ଅସ୍ତିତ୍ବ ଦୃଶ୍ୟରେ ନାହିଁ
ବରଂ ପରିବ୍ୟାପ୍ତ କେବଳ ଦୃଷ୍ଟିରେ ...