STORYMIRROR

Paresh Kumar Sahoo

Others

3  

Paresh Kumar Sahoo

Others

ଶବ୍ଦବ୍ରହ୍ମ

ଶବ୍ଦବ୍ରହ୍ମ

1 min
13.3K


ହେ ଅନନ୍ତ ଆକାଶର ନିଗୂଢ଼ ରହସ୍ୟ,

ପାହାଡ଼ି ଝରଣାର କୁଳୁକୁଳୁ ଗୀତ,

ଘଣ୍ଟ ଘଣ୍ଟା ହୁଳହୁଳିରେ

ପ୍ରକମ୍ପିତ ପାବନ ପ୍ରତ୍ୟୁଷ,

କୋକିଳ କଣ୍ଠର ତୁମେ ପଞ୍ଚମ ରାଗିଣୀ,

ନିବିଡ଼ ଅରଣ୍ୟର ତୁମେ ସେହି

ସମବେତ ପକ୍ଷୀଙ୍କ ଆତ୍ମୀୟ କାକଳି,

ପବନର ଘୋ ଘୋ,

ବରଷାର ଟୁପ୍ ଟାପ୍ ଶବ୍ଦ...

ହେ ନିରକ୍ଷ ଅନ୍ତରୀକ୍ଷର ଅନିନ୍ଦ୍ୟ ସୁନ୍ଦର

ରଥାରୂଢ ପ୍ରବୁଦ୍ଧ ମାଧବ,

ସବୁଠି ତ ତୁମେ ବିଦ୍ୟମାନ

ସବୁଠାରେ ଶୁଭେ ତୁମ ମୃଦୁ ମୃଦୁ ସ୍ୱର...

ଖାଲି ଯାହା ଶୁଭେନାହିଁ ମୋ ପରି

ପକ୍ଷାଘାତ କପୋତିର ନୀରବ ଆରବ,

ଶହୀଦ ହେବାପରେ ଶୁଭେନାହିଁ ଯାହା

ପୁତ୍ରହରା ମାତୃତ୍ଵର କରୁଣ କ୍ରନ୍ଦନ,

ନିରନ୍ଧ୍ର ଅନ୍ଧାର ଭିତରେ ନୀରବି ଯାଏ

ବିବସନା ଦ୍ରୌପଦୀର ଆକୁଳ ଚିତ୍କାର,

ହେ ବିସୃମ୍ୟ ବ୍ରହ୍ମାଣ୍ଡର ପ୍ରଥମ ପୁରୁଷ

ଦୈବାୟତ ଭାଗ୍ୟ ନେଇ

ମୁଁ ବରଂ ଖୋଲିଥାଏ ଦୁଃଖର ବିପଣି,

ତୁମେ କର ତ୍ରିଲୋକ ବିଜୟ,

ଧୂମାୟିତ ଆରକ୍ତ ପ୍ରତୀଚୀ

ଆହୁରି ତିମିରିତ ହେଉ,

ମୁଁ ବରଂ ହୁଏ ନିଃସହାୟ

ତବ ଅବଲଗ୍ନେ ଉଇଁଆସୁ

ଧ୍ରୁବସତ୍ୟର ଧ୍ରୁବ ତାରା...

ତୁମେ ପରା ଶବ୍ଦମୟ ଶବ୍ଦବ୍ରହ୍ମ-

ଆରମ୍ଭ ଓ ଅନ୍ତିମ ନାଦର ନିନାଦ,

ଗର୍ଭକୋଷେ ଭରିଦିଅ

ଚିଦାନନ୍ଦ ଚେତନାର ଅମୃତମୟ ଶବ୍ଦ,

ସଭିଙ୍କ କାନରେ ଫୁଙ୍କିଦିଅ

ସତ୍ୟ, ଶାନ୍ତି ଓ ଅହିଂସାର ବୀଜମନ୍ତ୍ର...

ହେ ସକଳ ଶକ୍ତିର ଅକ୍ଷୟ ଆଧାର-

ଘେନାକର ମୋର କ୍ଷୁଦ୍ର ନିବେଦନ,

ସଞ୍ଚାରହେଉ ପରିବର୍ତ୍ତନର ନବ ଗୁଞ୍ଜରଣ...।


Rate this content
Log in