ଅଶାନ୍ତ ସମୁଦ୍ର, ଅମାନିଆ ପବନ
ଅଶାନ୍ତ ସମୁଦ୍ର, ଅମାନିଆ ପବନ
ଜଣାଥିଲା ତୁମେ ଆସିବ ବୋଲି
ଏମିତି ପବନର ପ୍ରକୋପ
ଅଶାନ୍ତ ସମୁଦ୍ରର ବିକଟାଳ ରୁପ
ଓ ଉଚ୍ଚ ଉଚ୍ଚ ଜୁଆରର ଭୟ ଦେଖାଇ
ଉଜାଡ଼ିବାକୁ ଜୀବନ ଜୀବିକା ଓ
ଲିଭାଇବାକୁ ସାଉଁଟା ସ୍ୱପ୍ନର ମିଞ୍ଜିମିଞ୍ଜି ସଳିତା।
ଆସି ନଥାନ୍ତ ବା କେମିତି
ନହେଲେ ଅପୂର୍ଣ ରହିଯାଇ ନଥାନ୍ତା
ତୁମ ବିଲ ବଣ ଘରଦ୍ୱାର ଜୀବନର ଭୋକ !
ସବୁସନ ପରି ତୁମେ ଆସିଛ ଠିକଣା ମୁହୂର୍ତ୍ତରେ
ହନ୍ତସନ୍ତ କରିବାକୁ ନିରୀହ ହୃଦୟ ସବୁକୁ
ଓ ଅସ୍ତବ୍ୟସ୍ତ କରିବାକୁ ବତୁରା ସଂସାର ସବୁକୁ।
କେଜାଣି କେଉଁ ଅସନ୍ତୋଷକୁ ସାଉଁଟି ଧରି
ତୁମେ ଆସ ଏକ ତାଣ୍ଡବର ଅହଙ୍କାର ନେଇ
କି ବା ଲାଭ ମିଳେ ସମୁଦ୍ରକୁ ଶିଖେଇ ଶିଖେଇ
ଶତ୍ରୁତାର ପାଠ ପଢ଼େଇବାରେ
ଓ ମେଘ ପବନକୁ ଅମାନିଆ କରି
ତୁମେ ଆସ ଏକ ଦୁର୍ଦ୍ଦିନର ଦୁଃସମ୍ବାଦ ନେଇ।
ମୋତେ ତ ଲାଗେ ତୁମେ ଏକ ଅସଫଳ ସୈନ୍ୟ
ଯିଏ ମହାସାଗର ସହ ସନ୍ଧି କରି
କୁଚକ୍ରାନ୍ତ କରିବସେ
ଆମ କଷ୍ଟ ଅର୍ଜିତ ସୁଖର ନଗରୀ ସହ
ଓ ଫେରିଗଲା ବେଳେ ବି ସାଥେ ନେଇଯାଅ
ମେଞ୍ଚା ମେଞ୍ଚା ବିଫଳ କାହାଣୀ।
କାରଣ ଏଠି ଭଙ୍ଗା ଚାଳିଆ ଭିତରୁ
ପୁଣି କଅଁଳି ଆସେ ଜୀବନ
ଉଜୁଡ଼ା ସଂସାର ଭିତରୁ ଦାନ୍ତ ନିକୁଟେଇ
ହସି ଉଠେ ନଇଁ ପଡିଥିବା ମେରୁଦଣ୍ଡ
ଓ ଏକ ଦୀର୍ଘଶ୍ଵାସ ନେଇ
ପୁନଶ୍ଚ ଆରମ୍ଭ ହୁଏ ଅର୍ଜିବାକୁ ବାକିଆ ବେତନ।
ତୁମେ ଏମିତି ଆସୁଥିବ
ଆମ ନିୟତିର ବାହାନାରେ
ଆମକୁ ପରାଜିତ ଆକାଂକ୍ଷା ସାଥିରେ
ଆମେ ଏମିତି ମୁଣ୍ଡ ଟେକି ଚାହିଁଥିବୁ
ତୁମ ଫେରିବା ବାଟକୁ
ଓ ହଜିଯିବୁ ନିଜ କର୍ମର ପରୀ କାହାଣୀରେ।