ଅନ୍ତର୍ଦାହ
ଅନ୍ତର୍ଦାହ


ନା କେବେ ଅଭିଯୋଗ କରିଛି
ନା କିଛି ଆପତ୍ତି
ନିଜର ନିରୁଧିଷ୍ଟ ହେବାର
ନା କାହା ପାଖେ ଗୁହାରି କରିଛି
ନା ହାତ ପତେଇଛି
ନିଜକୁ ଥରୁଟେ ହେଲେ
ଖୋଜି ଆଣିବାକୁ
ଜାଣେନା ମୁଁ କେଉଁ
ଇପ୍ସିତ ଉପାଧିର ମୋହରେ
ନା ନିଜ ଦେହରେ ନିଜେ ବୋଳିଥିବା
ପାରିବାପଣର ପଲସ୍ତରା
କ୍ଷୁର୍ଣ୍ଣ ହେବା ଭୟରେ
ମହଣ ମହଣ ମୋହକୁ
ପଣତରେ ବାନ୍ଧି
ନିଜକୁ ନିଜେ ହଜାଥାଏ
ଚୂଲୀରୁ ଉତୁରିଯାଉଥାଏ କ୍ଷୀର
ହେଲେ କୋହକୁ
ମୁଁ ଉତାରି ପାରେନା
ଅଗଣାରେ ଶୁଖାଲୁଗା ମୋର
ମନଭରି ବର୍ଷାରେ ଭିଜୁଥାଏ
ମୋ ମନ
କିନ୍ତୁ ଶୁଷ୍କ ସାହାରାରେ
ପରିଣତ ହେଉଥାଏ
ତଥାପି ବେଳେ ବେଳେ
ବିଭୋର ହୋଇଯାଏ
ମୋ ଅନୁସନ୍ଧାନ ରେ
କିଛି କାଟୁଥାଏ
କିଛି କଟିଯାଉଥାଏ
ଆଉ କିଛି କାଟିହେଉଥାଏ
କିଛି ସିଝୁଥାଏ
କିଛି ସିଝାଉଥାଏ
ଆଉ କିଛି ସିଝିଯାଉଥାଏ
କିଛି ଉଡୁଥାଏ
କିଛି ଯୋଡୁଥାଏ
କିଛି ହଜୁଥାଏ
କିଛି ପାଉଥାଏ
କାହା ଡାକରେ
କେଉଁ ଏକ ଶବ୍ଦରେ
କେଉଁ ଏକ ଗନ୍ଧରେ
ମୁଁ ଧ୍ୟାନଭଗ୍ନକରି
ପୁଣି ମୋହମଗ୍ନ ହୁଏ
ତଥାପି ମୁଁ ହୋଇପାରେନା
ଭାଗମାପ ଠିକ୍ ଥବା
ସ୍ୱାଦଅନୁସାରେ ଲୁଣ ପଡିଥିବା
ସମସ୍ତଙ୍କର ମନପସନ୍ଦର ବ୍ୟଞ୍ଜନ ଟିଏ