ଅନ୍ତିମ ଯନ୍ତ୍ରଣା
ଅନ୍ତିମ ଯନ୍ତ୍ରଣା
ଦିନେ ନଭଜିଲୁ ପ୍ରଭୁଙ୍କର ନାମ
ସଂସାରେ ମଜିଲୁ ଛାଡି ପୁଣ୍ୟକର୍ମ ।
ଅଧର୍ମ ପଙ୍କରେ ହେଲୁ ନଟପଟ
ଅନ୍ତକାଳେ ହେବୁ କେତେ ଛଟପଟ ॥
ପଶୁ ପରି କରୁ ଜୀବନଯାପନ
ବୃଥା ଗପ ସପେ ହରିଲୁ ତୋ ଦିନ ।
ଆହାର,ନିଦ୍ରା,ମୈଥୁନେ ଦେଲୁ ମନ
ଦିନେ ନଖୋଜିଲୁ ଜୀବର ଜୀବନ ॥
କାହିଁପାଇଁ ଆସିଥିଲୁ ଏ ଧରାକୁ
କିଏ ଗଢିଥିଲା ତୋ ଆତ୍ମା ପାରାକୁ ।
ପାରା ଦିନେ ଉଡିଯିବ ଗଗନକୁ
ଭାବିଲୁନି ଥରେ ଏ ସାର କଥାକୁ ॥
ମାୟା ରଂଗମଞ୍ଚେ କଲୁ ଅଭିନୟ
ଅଭିନୟ ସାରି ଯିବୁ ଯମାଳୟ ।
ଯମପୁରେ କେତେ ପାଇବୁ ଯନ୍ତ୍ରଣା
ଏ ସମୟେ ସାହା କାଳିଆ କରୁଣା ॥
ବେଳ ଥାଉଥାଉ ବିବେକୀ ପୁରୁଷ
ପୁରୁଷୋତ୍ତମକୁ ବାରମ୍ବାର ଘୋଷ ।
ସେଇ ପ୍ରଭୁ ଏକା କରିବେ ଉଦ୍ଧାର
ଅନ୍ତିମ ଯନ୍ତ୍ରଣା ହରିବେ ଜୀବର ॥
ତେବେ ସିନା ଜୀବ ହୋଇବ ମୁକତି
ମୁକତି ପସରା ପ୍ରଭୁ ଲକ୍ଷ୍ମୀପତି ।
ତାଙ୍କ ପାଦେ ଢାଳି ଭକତି ପ୍ରଣତି
ଏ ଗୀତ ଶରତ କରୁଅଛି ଇତି ॥
ଶରତ ଚନ୍ଦ୍ର ଜାଲି
ତା:୭/୮/୧୮