ଅଂଶୁଘାତ
ଅଂଶୁଘାତ
ଦୃତ ଶିଳ୍ପାୟନେ ଜଙ୍ଗଲ କ୍ଷୟରେ
ଅଙ୍ଗାରକାମ୍ଳର ବୃଦ୍ଧି
ବଢେ ସୂର୍ଯ୍ୟତାପ ପୃଥିବୀ ପୃଷ୍ଠରେ
ସହରୀକରଣ କୃତି ll
ରାସ୍ତା କୋଠାଘର କଂକ୍ରିଟ ନିର୍ମାଣେ
ପାଇଥାଏ ସବୁ ସୁଖ
ନିଜ ସ୍ଵାର୍ଥେଅନ୍ଧ ମଣିଷ ଜୀବନେ
ଆସିଥାଏ ନାନା ଦୁଃଖ ll
ନିଦାଘ ସମୟେ ତପନ ରଶ୍ମିରେ
ଜଳସ୍ତର ନିମ୍ନଗାମୀ
ବାୟୁର ଅଭାବେ ମଣିଷ ଶରୀରେ
ତାପମାତ୍ରା ଉର୍ଦ୍ଧ୍ଵଗାମୀ ll
ସବୁଜ କୋଠରୀ ପ୍ରଭାବ ପଡିକି
ଲୋକମାନେ ଭୟଭୀତ
ସହର ନଗରୀ ବଜାର ରାସ୍ତାକି
ସବୁଠାରେ ଅଂଶୁଘାତ ll
ଅଧିକ ଉତ୍ତାପେ ବାଟରେ ପଥିକ
ତଣ୍ଟିପାଟି ଶୁଖିଯାଏ
ଶରୀର ଦୁର୍ବଳ ନର୍ଭସ ହୋଇକି
ବାରମ୍ବାର ମୁର୍ଚ୍ଛାଯାଏ ll
ତାପେ ଗମ ଗମ ଝାଳ ଝର ଝର
ଆପାଦ ମସ୍ତିଷ୍କ ବୁହେ
କଷ୍ଟେ ଜୀବ ଜନ୍ତୁ ବୃକ୍ଷେ ନାରୀ ନର
ଦୁଃଖରେ ତ୍ରାହିମା କୁହେ ll
ଗ୍ରୀଷ୍ମର ପ୍ରଭାବେ ବୁଲିଲେ ବାହାରେ
ଅଂଶୁଘାତ ହୋଇଥାଏ
ଥଣ୍ଡାର ଚିକିତ୍ସା କରିଲେ ତାହାର
ଉପଶମ ପାଇଥାଏ ll
ଖରାବେଳେ ଘରୁ ପଦାକୁ ନଯାଇ
ଛାଇତଳ ରେ ରହିବା
ଶାରୀରିକ ଶ୍ରମ ସକାଳେ ସନ୍ଧ୍ୟାରେ
ଖରାବେଳେ ନ କରିବା ll
ମୁଣ୍ଡପରେ ଛତା ପାଦରେ ଚପଲ
ଥଣ୍ଡାରପାଣି ପିଇବା
ସଚେତନ ହୋଇ ନିୟମ ମାନିଲେ
ଅଂଶୁଘାତରୁ ବର୍ତ୍ତିବା ll
ଆହେ ଦୟାମୟ ଜଗତ ଈଶ୍ୱର
ମାନବେ ଦୟା କରନ୍ତୁ
ରଖି ସନ୍ତୁଳନ ପାଗରେ ଆମର
କଷ୍ଟରୁ ମୁକ୍ତି ଦିଅନ୍ତୁ ll
