ଆମ ପରିବେଶ
ଆମ ପରିବେଶ
କାନ୍ତ କମନୀୟା ଶାନ୍ତ ଶୋଭାମୟୀ
ମା’ ମୋ ଧରଣୀ ରାଣୀ,
ଆଧୁନିକତାର ଧ୍ବଂସମୟୀ ଲୀଳା
ତାକୁ ଧ୍ୱଂସ କରିଲାଣି ।
ଦୁଃଖିନୀ ସେ ହୋଇଲାଣି,
ସନ୍ତାନେ ତା ଶ୍ରେଷ୍ଠ ମଣିଷ-ସମାଜ
ତା ଶତ୍ରୁ ପଲଟିଲାଣି ।
ବ୍ରହ୍ମାଣ୍ଡ ମଧ୍ୟରେ ସୁନ୍ଦର ତରୁଣୀ
ସୁନ୍ଦର ତା ଗିରିବନ,
ସୁନ୍ଦର ସାଗର ସୁଶ୍ରୀ ସରୋବର
ନଦୀ ନାଳ ଶୋଭାବନ,
ସୁନ୍ଦର ତା ଫୁଲ ଫଳ
ସବୁଠୁ ସୁନ୍ଦର ଶସ୍ୟ କ୍ଷେତ୍ର ତାର
ଜୀବଜନ୍ତୁ କୀଟ-କୁଳ।
ପ୍ରକୃତି ସୁନ୍ଦରୀ ସରବଙ୍କ ପାଇଁ
ସାଇତି ରଖିଛି ଯା’କୁ ,
ଲୋଭ ମୋହ ଗ୍ରସ୍ତ ମାନବ ସମାଜ
ଉଜାଡ଼ି ଦେଉଛି ତାକୁ ।
ପୃଥ୍ୱୀ ଜୟ କରିବାକୁ
ଅନୀତି ଅଧର୍ମେ ହିଂସା ଦ୍ଵେଷ ଭାବେ
ସ୍ଵର୍ଗେ ଶିଡି ବାନ୍ଧିବାକୁ ।
ଯହିଁ ଦେଖେ ନେତ୍ର ପରିବେଶ ତାର,
ହେଉଅଛି ଭୀତତ୍ରସ୍ତ ,
ସବୁରି ମୂଳରେ ଜଳ,ବାୟୁ,ଶବ୍ଦ
ହୁଅଇଟି ପ୍ରଦୂଷିତ ।
ପ୍ରଦୂଷଣର କାରଣ
ଜନସଂଖ୍ୟା ବୃଦ୍ଧି, ଜଙ୍ଗଲର କ୍ଷୟ
ପୁଣି ଦ୍ରୁତ ଶିଳ୍ପାୟନ
ବିଶେଷତଃ ବିଶ୍ୱ ବୃକ୍ଷ-ହୀନ କରେ,
ମାନବ ବଡେଇ ପଣେ ,
ଭାବେନି ଯା’ ଫଳେ ପରିବେଶ ଆଜି
ହତଶୀରି ହୋଇପଡେ ।
ହୁଏନା ସଠିକେ ବର୍ଷା
ଅମ୍ଳଜାନ ହ୍ରାସ କରେ ଜୀବେ ନାଶ
ବାୟୁ ଧୂଳି ଅଣୁ ମିଶା ।
ଶିଳ୍ପ ବର୍ଜ୍ୟ ବସ୍ତୁ ପରିତ୍ୟକ୍ତ ଜଳ
ମିଶି କରି ବାୟୁ ଜଳେ,
ସୁସ୍ଥ ପରିବେଶ ଅସୁସ୍ଥ କରଇ
ଜୀବେ ଉଦ୍ଭିଦ ସକଳେ ।
ନାନା ରୋଗ ଜନମାଏ
ଭୋଗେ ଜୀବକୁଳ ଅସହ୍ୟ ଯାତନା
ତ୍ରାହି ତ୍ରାହି ଡାକ ଦିଏ।
ଓଜନ ସ୍ତର ଆସୁନ୍ତୁଳନ ଘଟି
ହୋଇଥାଏ ଅଂଶୁଘାତ,
ଭୂମିକମ୍ପ ଲଘୁ ଚାପ ଅତି ବନ୍ୟା
ସୁନାମୀ ,ମରୁଡ଼ିଗ୍ରସ୍ତ
ନାହିଁ ରୋଗ ପ୍ରତିରୋଧ
ଜଗତେ ଜୀବନ-ଯାତ୍ରା ବିଶୃଙ୍ଖଳିତ
ନୁହେଁ ପୁଣି ନିରାପଦ ।
ଜ୍ଞାନ ଗନ୍ତାଘର ସଂସାରରେ ନର
ଯଦି ହୃଦୟେ ବୁଝିବ ?
ଦେଖେଇ ହେବାର ବାହାନାକୁ ଛାଡି
ବୃକ୍ଷ-ରୋପଣ କରିଵ
ପରିବେଶ ବୃକ୍ଷ ଭରା
ହେଲେ ଜଳବାୟୁ ହେବ ନିୟନ୍ତ୍ରିତ
ନିୟନ୍ତ୍ରିତ ହେବ ଧରା।
ହସିବ ଜଗତ ସାରା।,
ହସିବ ମା ବସୁନ୍ଧରା ।
ଗୀତା ଦାସ
ବଳରାମପୁର,ଜଗତସିଂହପୁର