STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଆମ ବେଙ୍ଗନାନୀ

ଆମ ବେଙ୍ଗନାନୀ

1 min
403

ଆମ ବେଙ୍ଗନାନୀ ସେ ଭାରି ସିଆଣୀ

   ଏଘର ସେଘର ଭାଙ୍ଗେ,

କଥାରେ କଥାରେ କିଣି ବିକିଦିଏ

   ଦେଖୁଦେଖୁ ସାଙ୍ଗେସାଙ୍ଗେ।


ଏଘର ପିଉସୀ ସେ ଘର ମାଉସୀ

    ଖଚ କୁହାରେ ଓସ୍ତାଦ,

ଅଭିନୟ ତାର ଏତେ ଚମତ୍କାର

    ଭଲରେ ପୁରାଏ ମନ୍ଦ।


ନିଜେ ସାପ ମାରି ଅନ୍ୟର ବାଡିରେ

    ପକାଇବା ଲୋକ ସେହି,

ଛିଙ୍କିଲା ମୁତିଲା କଥାଗୁଡାକୁ ସେ

    ଗଣ୍ଠିକରି ଧରୁଥାଇ। 


ଗାଁ ସାମ୍ବାଦିକ ଆମ ନାନୀ ବେଙ୍ଗ

    ସବୁ ଖବର ତା'ପାଖେ,

ନ‌ଅ ଛ‌ଅ କରି ଉପରେ ସେ ପଡ଼ି

    କଟା ଘା' ରେ ଚୂନ ମାଖେ।


ଭାରି ନାନ୍ଦୁରୀ‌ ସେ ମୁହଁ ଝାଡି କଥା

    ଭଳି ଭଳି ରଙ୍ଗେ କୁହେ,

ସାରୁ ପରିବା ସେ ସଭିଙ୍କ ପାଖରେ

    ଭଲେଇ ଯେ ହେଉଥାଏ।


ତା'ପେଟରେ କଥା ହଜମ ହୁଏନି

    ସାଙ୍ଗେ ସାଙ୍ଗେ ବିକିଦିଏ,

ନାଟ ଲଗେଇବା କଳାକାର ସିଏ

    ତା'ପରି ହୋଇବ କିଏ ।


ହେଲେ ତା'ନାଟକ ସଭିଙ୍କୁ ମାଲୁମ୍

    ସେ ଜାଣି ପାର‌ଇ ନାହିଁ,

ମନ୍ଥରୀ ବୋଲି ତା' ନାଆଁରେ ଉପାଧି

    କେବେଠୁଁ ଲାଗି ଅଛ‌ଇ।


ଧନ୍ଦା କିଛି ନାହିଁ ପର ଗୋଡଟାଣି

    ମଜା ସିଏ ନେଉଥାଏ,

 ନ‌ଇଁ ପଡ଼ିଥିବା ଲୋକର ପିଠିରେ

    କାଇଦାରେ ବିଧା ଥୁଏ।


ଏଭଳି ନାରୀଙ୍କ ମାୟା ଅଭିନୟେ

    ସୁନା ଘର ହୁଏ ଚୂନା,

ୟାଙ୍କରି ପାଇଁକି ରାଜା ରାମଚନ୍ଦ୍ର

    ବନବାସ ଗଲେ ସିନା।


ବେଙ୍ଗ ନାନୀ ଭଳି ଆମରି ସାହିରେ

    ଧଣ୍ଡିଆ ଭାଇଟି ଅଛି,

ଶକୁନି ଭଳି ସେ ଲୋକଙ୍କୁ ଶିଖେଇ 

    ମହାଭାରତ କରୁଛି।


ଧଣ୍ଡିଆ ଭାଇର ସ୍ତ୍ରୀଟି ମରିଛି

   ବେଙ୍ଗନାନୀ ସ୍ଵାମୀ ନାହିଁ

ଦୁଇଜଣଙ୍କର ପ୍ରେମ ଅଭିନୟ

    ଭାରି ପୁଣି ଜମୁଥାଇ।


ଦିନେସଞ୍ଜବେଳେ ବେଙ୍ଗନାନୀ ସହ

    ଧଣ୍ଡଭାଇ ଏକାଥିଲା,

ଅନ୍ଧାରୁଆ ଦେଖି ଚଗଲାଟି ଗୋଟେ

   ଗୁଳି ଟେକା ମାରିଦେଲା।


ବେଙ୍ଗ ନାନୀ ଯେଣୁ କଳିଘୁରିଟାଏ

    ଗାଳିକରି ଚିଲେଇଲା,

ସଭିଙ୍କ ପାଖରେ ଚୋରା ପୀରତିଟା

    ଆପେ ଧରା ପଡ଼ିଗଲା।


ନିଶାପ ବସିଲା ଦୁଇଜଣଙ୍କର

    ବାହାଘର ହୋଇଗଲା,

ମନ୍ଥରୀ‌ ଶକୁନି ସଂସାର କରିଲେ

    ନିତି ହେଲା ଠିଆପାଲା।


ଦୁଇପଟ ଚିରା ଅଖାରେ କି ବିରି

    ଚାଉଳ ସାଇତି ହେବ,

ଅଭିନୟ ଦିନେ ଧରାପଡିଯିବ

    ସତ ଫୁଟି ବାହାରିବ।


ବେଙ୍ଗ ଧଣ୍ଡ ଦୁହେଁ ଆମ ସାହିଟାକୁ

    ଉଠାପକା କରୁଥାନ୍ତି,

ଏଭଳି ଲୋକଙ୍କୁ ଦୂରରୁ ଜୁହାର

    ଅଗସ୍ତୀ ପରା କହନ୍ତି।


ସାପ ପାଇଁ ମନ୍ତ୍ର ଔଷଧ ରହିଛି

    ଖଳ ପାଇଁ କିବା ଅଛି,

ମଲେ ଯାଇ ତାଙ୍କ ପ୍ରକୃତି ମେଣ୍ଟିବ

    ମୂର୍ଖ ଅପର୍ତ୍ତି କହୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy