ଆଜନ୍ମ ଭିକାରି
ଆଜନ୍ମ ଭିକାରି
ମାଗଣା ଖାଇବି ମାଗଣା ପିଇବି
ମାଗଣା ଶୋଇବି ମୁହିଁ,
ମାଗଣାରେ ଯଦି ଜହର ମିଳିବ
ଆନନ୍ଦେ ପିଇବି ନେଇ । ।। ୧ ।
ପେପର ପ୍ରତ୍ୟହ ମାଗଣା ପଢିବି
ମାଗଣା ଦେଖିବି ଦୂରଦର୍ଶନ ,
ମାଗଣା ପାଣିରେ ଗାଧୋଇଥାଏ ମୁଁ
ମାଗଣାରେ ଦିଏ ଆତ୍ମଜ୍ଞାନ ।। ୨ ।
ମାଗଣା ଭୋଜିରେ ପହଂଚି ଯାଏ ମୁଁ
ନାଇଁ ମୋତେ ଲାଜ ସରମ,
ବେଭାର ଯଦି ଦେବାକୁ ପଡିବ
ଛୁଟି ନ ମିଳଇ ମୋତେ ଶୁଣ ।। ୩ ।
ଚାକିରୀ ଟଙ୍କା ବ୍ୟାଙ୍କରେ ରଖିବି
ବଦଳି ମାଗିବି ନାଇଁ,
ପୈତୃକ ଘରକୁ ଯାବୁଡି ଧରିବି
ମରାମତି ପଛେ କରେ ନାହିଁ ।। ୪ ।
ମା'ର ପେନସନ ରେ ବିବାହ କରିବି
ମାଗଣାରେ କରେ ହନିମୁନ୍,
ମାଗଣାରେ ମୁଁ ବିଦ୍ୟୁତ୍ ଜାଳଇ
ମାଗଣାରେ କରେ ଟେଲିଫୋନ ।। ୫ ।
ବେଡ ରୁମ ମୋର ଭାରି ମୂଲ୍ୟବାନ
କରେନା ମୁଁ କେବେ ବ୍ୟବହାର,
ଅନ୍ୟ କୋଠରୀରେ ଧସେଇ ପଶେ ମୁଁ
ମୋ ସମ୍ପତି ହୁଏନା ଛାରଖାର ।। ୬ ।
ଭାଇର ଦରମା ଖାଇ ମୁଁ ଚଳଇ
ଏହା ମୋର ଅଧିକାର,
ରୋଷେଇ ପରିବା କଥା ମୁଁ ଜାଣେନା
ଘରେ ମୋ ସଭିଏ ଚାକର ।। ୭ ।
ମା' ର ମୁହଁରେ ତୋରାଣି ମୁନ୍ଦିଏ
ଦେବାକୁ ବଳେନା କେବେ ମନ,
ଭାଇ ଭଉଣୀଙ୍କ କଥା କିଏ ବା ପଚାରେ
ଭାଣିଜୀଙ୍କୁ କରେ ବଦନାମ୍ ।। ୮ ।
ସଭିଙ୍କ ଖାଏ ସଭିଙ୍କ ପିଏ ମୁଁ
କରେନା କାହାର ସୁନାମ,
ପଛ କରିଦେଲେ ସଭିଙ୍କ ପାଇଁ
କରେ ତାତ୍ସଲ୍ୟ ଆଉ ଦୁର୍ନାମ ।। ୯ ।
ସମସ୍ତଙ୍କ ଧନ ଖାଇ ମୁଁ ବଂଚିବି
ସେଗୁଡାକ ମାଟି ଗୋଡି,
ମୋ ଧନକୁ ସଦା ସାଇତି ରଖିବି
ସମସ୍ତଙ୍କ ବେକେ ଛୁରୀ ମାରି ।। ୧୦ ।
ପତ୍ନୀ ମୋର ଗୁରୁ ଶାଶୁ ମୋର ପ୍ରଭୁ
ଘର ପାଇଁ ମୋର ନାହିଁ ଦାୟିତ୍ୱ,
ଭାଇ ଭଉଣୀଙ୍କୁ ଲାତ ମୁଁ ମାରଇ
ଶାଶୁ ଘରେ ମୋର ସ୍ଥାୟିତ୍ୱ ।। ୧୧ ।
ଯିଏ ମଲେ ମରୁ ଯିଏ ସଲେ ସରୁ
ମୋର କିଛି ଯାଏ ଆସେ ନାହିଁ,
ମୋର ପେଟ ପୂରି ସ୍ୱାର୍ଥ ସରିଗଲେ
କାହା ମୁହଁ ମୁଁ ଦେଖେ ନାହିଁ ।। ୧୨ ।
ଶୁଣରେ ଭାଇନା ଶୁଣରେ ସଙ୍ଗାତ
ଏହା ଏ ଯୁଗର ନିୟମ,
ମୋ ପରି ଯଦି ନକରିବ ତୁମେ
କାନ୍ଦୁଥିବ ନିତିଦିନ ।। ୧୩ ।
