ନିଖୋଜ ସମ୍ପର୍କ
ନିଖୋଜ ସମ୍ପର୍କ
ନନ୍ଦ ନନ୍ଦନ ହେ ମଧୁସୂଦନ
ଧନ୍ୟ ଜଡାଗୋଳା ଗ୍ରାମ,
ବ୍ରାହ୍ମଣୀ ର କୁଳ ଝସଙ୍କର କୋଳ
କରିଥିଲ ଦିନେ ମଣ୍ଡନ ।
ଫୁଲଟିଏ ପରି ଫୁଟିଥିଲ ତୁମେ
ଅବେଳରେ ଗଲ ମଉଳି,
ଥକିତ ନଥିଲ କର୍ତ୍ତବ୍ୟ ପଥରେ
ବାନ୍ଧି ମମତାର ଡୋରୀ ।
ସଭିଙ୍କ ମନରେ ବସା ବାନ୍ଧିଥିଲ
ଘରେ ପ୍ରିୟଜନ ମେଳେ,
ଅପାସୋରା ତୁମ ଅଭୁଲା ସ୍ମୃତିକୁ
ଭୁଲିବୁନି କେବେହେଲେ ।
ଅତିଥି ମାନଙ୍କୁ ଦୂରରୁ ଦେଖିଲେ
ପାଶେ ଆସୁଥିଲ ଧାଇଁ,
ଆଜି ତୁମଘରେ ଭୋଜୀ ଚାଲିଅଛି
ତୁମେ ଚାଲିଗଲ କାହିଁ ।
ତୁମ ହସ ମୁହଁ ଭୁଲିତ ହେବନି
ସୁମଧୁର ତୁମ କଥା,
ତଥାପି ବିଭୁଙ୍କ ଇଛା ନରହିଲା
ଚାଲିଗଲ ଦେଇ ବ୍ୟଥା ।
ବିଧିର ବିଧାନ ଜନମ ମରଣ
ଏତ ଚିରନ୍ତନ ରୀତି,
ଆଜି ଚାଲିଗଲ ସୁଖ ବାଣ୍ଟି ଦେଇ
ମନେଥିବ ସଦା ପ୍ରୀତି ।
ଚାଲିଗଲ ସିନା ଆମେ ରହି ଅଛୁ
ତୁମର ସ୍ମୃତି କୁ ଚାହିଁ,
ଆପଣାର ଥିଲ ଆପଣାର ହେବ
ତୁମରି ଦାହାନ ପାଇଁ ।
ଜୀବନ ଯୁଦ୍ଧରେ ଜିତିଗଲ ବୀର
ସୁଖଦେଇ ଚାଲିଗଲ,
ସଭିଙ୍କ ଆଖିରୁ ଲୁହତ ଝରୁଛି
ହେଉଛନ୍ତି କଲବଲ ।
ମରଣ ଆସିଲା ପାଛୋଟିତ ନେଲା
ଚାଲିଗଲ ଆର ପୁରେ,
ନନ୍ଦବଂଶର ଥିଲ ଭଗୀରଥ
ଦେବଗଡ ଆଜି ଝୁରେ ।
ତୁମେ ଚାଲିଗଲ ଯେଉଁ ବାଟଦେଇ
ସେ ବାଟୁ କେ ଫେରେ ନାହିଁ,
ରଖିଛି ସାଇତି ଯାହା ଦେଇଗଲ
ମୁଣ୍ଡେ ମୋର ହାତ ଥୋଇ ।
ଆଜି ଆଉ ଯେତେ ଖୋଜିଲେ
ତବ ଦର୍ଶନ ମିଳିବ ନାହିଁ ,
ସମ୍ପର୍କ ଆମର ହୋଇଲା ନିଖୋଜ
ବୟସର ଆୟୁଷ ପାଇଁ ।