ଆଡ଼ପ ପହଣ୍ଡି ବେଳେପଡିଲ ଝୁଣ୍ଟି
ଆଡ଼ପ ପହଣ୍ଡି ବେଳେପଡିଲ ଝୁଣ୍ଟି
ଜୟଜୟ ଜଗନ୍ନାଥ ହେ ଜଗତ ପତି
ଆଡ଼ପ ପହଣ୍ଡି ବେଳେ ପଡିଲକି ଝୁଣ୍ଟି !
ଚାରମାଳ ଉପରେ ତ ପାଦ ଖସିଗଲା
କପାଳ ଦେଶରୁ ଚିତା ତଳକୁ ପଡ଼ିଲା।
କାହା ପରେ ମହାପ୍ରଭୁ ଯାଇଛକି ରୁଶି
ଜଗତର ପାପ ଭାର ଅବା ହେଲା ବେଶି !
ଘଟିତ ନଥିଲା କେବେ ଘଟଣା ଏମିତି
ଅଶୁଭ ସୂଚନା ଏତ ଥରୁଅଛି ଛାତି ।
ମାଳିକା ରେ କଥା ଏବେ ମନକୁ ଆସଇ
ଜଗତକୁ ବିପଦ ତ ଆସୁଛି ଘନେଇ ।
ନିତିଦିନ ଘଟୁଅଛି କେତେ ଅଘଟଣ
ନାଶ ଯାଉଅଛି କେତେ ଧନ ଯେ ଜୀବନ ।
ଅଶୁଭ ସୂଚନା ସବୁ ଦେଲାଣି ସୂଚେଇ
ପ୍ରଳୟ ର ଦିନ କାଳ ଆସୁଛି ପାଖେଇ ।
ନୀଳ ଚକ୍ରେ ଚିଲ ବସି ସତର୍କ କରିଛି
କଳିକାଳ ବେଳକାଳ ସରି ଆସୁଅଛି ।
ସ୍କନ୍ଦ ପୁରାଣ ର ପୂଣ୍ୟ ଉତ୍କଳ ଖଣ୍ଡରେ
ରଥଯାତ୍ରା କଥା ଅଛି ଯେଉଁ ଅଧ୍ଯାୟରେ,
ତହିଁରେ ତ ହୋଇଅଛି ଏକଥା ବର୍ଣ୍ଣନ
ରଥରେ ଘଟଇ ଯଦି କିଛି ଅଘଟଣ,
ରାଷ୍ଟ୍ର ପାଇଁ ଆସିଥାଏ ଘୋର ମନ୍ଦବେଳ
ନିଶ୍ଚୟ ବିପଦ ହେବ ଜଗତକୁ କାଳ।
ରଥରେ ପ୍ରଭୁଙ୍କର ହୁଏ ଯଦି କ୍ଷତି
ଧନ ଜୀବନର ପାଇଁ ପଡିବ ବିପତ୍ତି ।
ଅଜଣା ଶତୃମାନଙ୍କ ଆତଙ୍କ ବଢିବ
ପ୍ରାକୃତିକ ବିପର୍ଯ୍ୟୟ ପ୍ରଳୟ ରଚିବ ।
ସବୁ ବୁଝି ଏ ମଣିଷ ଅବୁଝା ହେଉଛି
ଭଲ ବାଟ ଛାଡି ମନ୍ଦ ବାଟରେ ଯାଉଛି।
ଅଧର୍ମ ର ଜୟଗାନ ସବୁଠି ହେଉଛି
ଧରମକୁ ଆଖି ଠାରି ମଣିଷ ଚାଲିଛି।
ପାପ କରିବାକୁ ଆଉ ଡରୁ ନାହିଁ କେହି
କଥା କଥାରେ ବହୁଛି ରକତର ନଈ ।
ସ୍ବାର୍ଥ ଦଉଡି କୁ ମନ ହୋଇଛି ଗୁଡେ଼ଇ
ବିବେକକୁ ଦେଉଅଛି ଖାଲରେ ଗଡ଼େଇ।
ସମ୍ପର୍କ ର ମାନେ ଲାଭ କ୍ଷତିର ହିସାବ
ପ୍ରେମ ଆଉ ପିରତି ରେ ଭାବ ର ଅଭାବ।
ଦେହ ସୁହା ହୋଇଲାଣି ଅନୀତି ଅନ୍ୟାୟ
ଧରମ ଦଣ୍ଡ କୁ ଆଉ ନାହିଁ କାର ଭୟ ।
ଅଧର୍ମ ର ଭାର ଯେବେ ବଳେଇ ପଡିବ
ଏ ସୁନ୍ଦର ସୃଷ୍ଟି ନିଶ୍ଚେ ଧ୍ବଂସ ହୋଇଯିବ।
ସୂଚନା ଆଗରୁ ତେଣୁ ସମୟ ଦେଉଛି
ବେଳହୁଁ ତ ସାବଧାନ ସଭିଙ୍କୁ କହୁଛି।
ରାଗ ହିଂସା ଠାରୁ ସବୁ ରୁହ ହେ ଦୂରେଇ
ପର ତଣ୍ଟିଚିପି ଧନ ଠୁଳ କର ନାହିଁ।
ପର ପାଇଁ ଜମା କେହି ଖୋଳ ନାହିଁ ଗାତ
ସେ ଗାତେ ପଡିବ ତୁମେ ଶୁଖିବନି କ୍ଷତ ।
ଅଳପେ ସନ୍ତୁଷ୍ଟ ହେଲେ ମିଳିଥାଏ ଶାନ୍ତି
ବେଶି ଲୋଭ କଲେ ହୁଏ ଜୀବନର ଇତି।
ଗୁରୁ ଗୁରୁଜନଙ୍କୁ ତ ଭକତି କରିବା
ସାନ ମାନଙ୍କୁ ତ ସ୍ନେହ ଶରଧା ବାଣ୍ଟିବା।
ଭଲ ଚିନ୍ତା ଭଲ କାମ ଭଲ ବାଟେ ଯିବା
ନିରନ୍ତର ପ୍ରଭୁଙ୍କର ନାମକୁ ଜପିବା।
ଆସୁ ପଛେ ଦାଉ ଧକ୍କା ରହିବନି ଡର
ହସିବ ନିଶ୍ଚୟ ଆମ ସୁନ୍ଦର ସଂସାର।
କାଳ କରାଳର କୋପ ହୋଇଯିବ ଉଣା
ଦୋଛକିରେ ହେବା ନାହଁ ଆମେ ଜମା ବଣା।
ଜୟଜୟ ଜଗନ୍ନାଥ ହେ ଭକ୍ତ ବାନ୍ଧବ
ସଭିଙ୍କର ଦୋଶାଦୋଷ ପ୍ରଭୁ ହେ ଖଣ୍ଡିବ ।
ଅବାଟରେ ଗଲେ ବାଟ ଦେବ ହେ ଦେଖାଇ
ଅମୃତ ଦୃଷ୍ଟିରେ ଥିବ ଜଗତକୁ ଚାହିଁ।
