କବିତା ଡଙ୍ଗା
କବିତା ଡଙ୍ଗା
ଜୀବନେ ଯୌବନ ଏକ ଭରା ନଈ
ଉଛୁଳି ଯାଏ କୂଳ କିନାରା ଲଙ୍ଘି,
ସେ ନଈକୁ ହେବାକୁ ପାରି
ସଂଯମତାର ଡଙ୍ଗାଟିଏ ଲୋଡା
ନେଇ ଯାଏ ତାହା ଏ କୂଳରୁ ସେ କୂଳ
ଭୟଙ୍କର ବିପଦପୂର୍ଣ୍ଣ ଲହଡି ଭାଙ୍ଗି ।
ସେ ଡଙ୍ଗାରେ ବିବେକ ହେଲେ ନାଉରୀ
ନିରାପଦେ ନେଇଯାଏ ଧୈର୍ଯ୍ୟର କାତ ମାରି,
ଅଥଳ ଥଳରେ ଜଳରେ କାମନାର ଭଉଁରୀ
ଭସାଇ ନେଇ ବୁଡାଇ ଦିଏ ମାରି ।
ଜୀବନ ଯାତ୍ରାରେ ସୁଖର ଲମ୍ଵା ସ୍ଥଳପଥ
ଅତିକ୍ରମ କରିହୁଏ ତାର ଦୂରତା ପାଦ ମାପି,
ଆସେ ଯେବେ ଦୁଃଖର ଜଳପଥ
ତା' ଗଭୀରତା କେତେ ହୁଏନା ଦେଖି
ଡଙ୍ଗାର ସହାୟତା ବିନା ଯାଇ ହୁଏନା କଦାପି ।
ସଂସାର ସାତ ସାଗର ତେର ନଈ
ଘଡି ଘଡିକୁ ଉଠି ଆସେ ପ୍ରବଳ ଜୁଆର
ପାହାଡ ପରି ଭୀମକାନ୍ତ ରୂପ ଧରି,
ଦ୍ରୁତବେଗେ ମାଡିଯାଏ ବିସ୍ତୀର୍ଣ୍ଣ ବେଳାଭୂମି
ଆୟତ୍ତ ନ ଥାଏ ହାତରେ କାହାରି ।
ପ୍ରତିକୂଳ ପରିବେଶ ପରିସ୍ଥିତିରେ ଡଙ୍ଗାଟିଏ
ଅନ୍ଧର ଲଉଡି ପରି ସାହା ଭରସା,
ସୁନିୟନ୍ତ୍ରିତ କରି ପହଞ୍ଚାଇବାକୁ ଆଣିଦିଏ
ମନେ ଭରି ଅସୁମାରୀ ଆଶା ।
ଲକ୍ଷ୍ୟ ସ୍ଥିର କରି ଗଲେ ଏକ ଲୟେ
ଏ ଡଙ୍ଗା ବାହି ବାହି ଦୁଃଖର ଜଳପଥେ,
ଶାନ୍ତି ସନ୍ତୋଷର କୂଳେ ଲାଗି
ପାଏ ଅସୀମ ଆନନ୍ଦ ସାର୍ଥକତାର ସାଥେ ।
