Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Tragedy

4.0  

Debadatta Jena

Tragedy

ଶାସ୍ତି...

ଶାସ୍ତି...

6 mins
480


  ପୁଷ ମାସିଆ ଶୀତ ସକାଳ, ହାଡ଼ ଥରା ଶୀତରେ ଛାତି ଦୁଲୁକି ଉଠୁଛି, ଶୀତ ଓ କାକର ଭିଜା ଏଇ ପାହାନ୍ତି ପହରରେ, ଅସ୍ଥି ପଞ୍ଜରା ଦେହ, ବରଫ ହେଇ ଆସୁଥିବା ସେଇ ହାଡୁଆ ଦେହର ଶିଥିଳ ରକ୍ତ ଓ ଆଖି କୋରଡରେ ପୋଷ ପୋଷ ଚାଉଳ ଧରୁ ଥିବା ନିଝୋଲିଆ ଆଖି ନେଇ ଆଜି ଫେରିଛି ସନିଆ, ମୁହଁ ଶୁଖି କଳା ଖପରା ; ଆଉ ଦେହରେ ସେଇ ସର୍ଵଵାସୀ ଛତର ଖିଆ କାଙ୍ଗାଳି ଚେହେରାକୁ ନେଇ | କେଉଁ ଏକ ଅଦୃଶ୍ୟ ମୋହରେ ଟାଣି ହୋଇ ସେ ଆଜି ଆସି ଫେରି ଆସିଛି ପୁଣି ତା'ର ସେଇ ଦୁର୍ଭିକ୍ଷର କରାଳ ଗ୍ରାସରୁ ରକ୍ଷା ପାଇଥିବା ଧ୍ୱସ୍ତ ବିଧ୍ୱସ୍ତ ଗାଆଁ ବିଷ୍ଣୁପୁର ଦୀର୍ଘ ଚାରିବର୍ଷ ପରେ | ମନରେ ଅସରନ୍ତି ବେଦନା ଓ ଅସୁମାରୀ କୋହକୁ ଛାତିରେ ଭରି | 


  ସକାଳ ହେଲାରୁ ଚାରିଆଡେ ଚହଳ ପଡ଼ିଗଲା, କିଏ ଏକ ଦରମରା ଛାତରଖିଆ ଆଜି ଗାଆଁ ଗୋପୀନାଥ ଛାମୁଡ଼ିଆରେ ଆସି ଅଧିଆ ପଡିଛି | କିଏ ଜାଣେ କି ଜାତି, କି ଗୋତ୍ର ହେଇଥିବ, ଛାତରଖିଆର ପୁଣି ଜାତି କୁଆଡୁ ଆସିବ,ଛତରରେ କଣ ଆଉ ତା ଜାତି ଗୋତ୍ର ରହିବ, ସେ ତ ଅଜାତିଆ ହୋଇ ଯାଇଛି | ବାର ଲୋକ ବାର କଥା, କିଏ କହୁଛି ଆ' ର ଘରଦ୍ୱାର କୁଆଡେ, କି ଘର ପିଲା, ଏ ଗାଁରେ ତାର କି ସମ୍ପର୍କ ଇତ୍ୟାଦି ଇତ୍ୟାଦି | କାହିଁ ତା ଦିହରୁ ତ କିଛି ଚିହ୍ନିଲା ଚିହ୍ନିଲା ଲାଗୁନି.. ? ସେ କଣ ସତରେ ଛତରଖିଆ, ଏଇ ଦୁର୍ଭିକ୍ଷ କାଙ୍ଗାଳ, ନା ଜାତି ଗୋତ୍ର ହରା କୋଉ ବାଇଆଟା ଯେ..? 


  ଏ ସବୁ କଥାକୁ ତିଳେ ହେଲେ ଦେହକୁ ନେଉନି, ଏଇ କାଙ୍ଗାଳ ସନିଆ | ମନରେ ତାର ଅନେକ ଦୁଃଖ, ଅନେକ ଯନ୍ତ୍ରଣା | ଦୁର୍ବିସହ ସେଇ ଦୁର୍ଭିକ୍ଷ ରାକ୍ଷସ କବଳରୁ ଜୀବନ ବଞ୍ଚେଇ ଆଜି ଫେରିଛି ସେ ଦିନର ବନେଇ ପରିଡାର ଭେଣ୍ଡିଆ ପୁଅ ସନିଆ ପରିଡା ତାର ଭିଟାମାଟିକୁ | ମନେ ପଡି ଯାଉଛି ତାର ସେଇ ପୂର୍ବ ସ୍ମୃତି, ଯେଉଁ ଗାଁରେ ତାର ଶଠି ଘର ଜଳିଥିଲା, ହସ ଖୁସି ଆନନ୍ଦରେ ଏଇ ପରିଡା ବଂଶର ଦାୟାଦ ତାର ଅତି ଆଦରର ପ୍ରିୟତମା ଧୋବୀକୁ ନେଇ ଘର ସଂସାର କରିବାର ସୁଖ ସ୍ୱପ୍ନ ଦେଖିଥିଲା, ସେଇ ଯୁଆନ, ବସଂତର ଡେଣା ଝାଡିଲା ପରି ଚେହେରା ଥିବା ଡଉଲ ଡାଉଲ ଚେହେରା ଦୀପ୍ତ ସୁନ୍ଦର ଯୁବକ ଶ୍ରୀମାନ ସନିଆ ପରିଡା ଓରଫ ସନେଇ | ଯେଉଁଠି ସେ ଖେଳୁଥିଲା, କୁଦୁଥିଲା ନିଜର ଅତି ପ୍ରିୟ ସାନ ଭାଇ ମନିଆ, ଆଉ ଆଦରର ଗେଲ୍ଲୀ ଭଉଣୀ ପୁନି ସହିତ, କେତେ ଓଷା,କେତେ ପାର୍ବଣ, କୁଆଁର ପୁନେଇଁ ଜହ୍ନ | ସବୁକୁ ହରେଇ ସେ ଆଜି ନିଃସ୍ୱ, ସର୍ବସ୍ୱାନ୍ତ, କେବଳ କେଇ ଖଣ୍ଡ ହାଡ଼ ଓ ଅନେକ ଭୁଲୁଣ୍ଠିତ ସ୍ୱପ୍ନର ହୃଦୟ ନେଇ |


  ଠାକୁର ମନ୍ଦିର ବେଢାରେ ଧୀରେ ଧୀରେ ଗହଳ ଚହଳ ପଡ଼ିଗଲାଣି | ଯିଏ ଯେତେ ଚିନ୍ହା, ଅଚିହ୍ନା, ସାଇ ଭାଇ ସବୁ ଆସି ରୁଣ୍ଡ ହେଲେଣି | ସମସ୍ତଙ୍କ ମନରେ ସେ ଗୋଟିଏ ପ୍ରଶ୍ନ, ଏ ଦରମରା କାଙ୍ଗାଳ ଜଣକ କିଏ ହେଇପାରେ | ଏଇତ ବିଶିଆ କାଣ୍ଡି, ପରି ଦଳେଇ, ରାମ ଓଝା, ଆଉରି କେତେ କିଏ ଗାଆଁ ପଡିସା ଆସି ପହଞ୍ଚି ଗଲେଣି | ଦେଖା ଯାଉ କିଏ ସେ ହିନି କପାଳିଆ, କଣ ତାର ପରିଚୟ |


 ଆଗେ ଆଗେ ହରି ମହାନ୍ତି, ପଛରେ ଚିନ୍ତେଇ ସଇଁ ସାଙ୍ଗରେ ତାଙ୍କର ଗୁମାସ୍ତା ସେଇ ପ୍ରହାରଜଙ୍କୁ ସାଙ୍ଗରେ ଧରି | ପାଟିରେ ବାଡ଼ ବତା ନାହିଁ ହରି ମହାନ୍ତିଙ୍କର | କି ଯୁଗ ହେଲା, ଏ ଦିନ ନାହିଁ ରାତି ନାହିଁ, ଏ ଛତରଖିଆ, ମାଗିଖିଆଗୁଡା କୁଆଡେ ସବୁ ଯାଇଥିଲେ, ପୁଣି ଇଜ୍ଜତ ମହତ ହରେଇ ଆସିଛନ୍ତି, କା କୁଳ ବୁଢ଼େଇବା ପାଇଁ | ଆରେ ତୁମକୁ କଣ କୁଆଡେ ଯାଗା ମିଳିଲା ନାହିଁ, ଅଳପେଇସା, ସବୁଟା ଖାଇଲ, ହେଲେ ଏ ବିଷ୍ଣୁପୁର ଗାଆଁର ନାଆଁ କାଇଁ ପକୋଉଚ, ତୁମକୁ କଣ ଆଉ କୁଆଡେ ଜାଗା ମିଳିଲା ନାହିଁ, ଆମକୁ ହନ୍ତସନ୍ତ କରିବାକୁ ଚାଲି ଆସିଲ | ହଇ ହେ ପ୍ରହରାଜେ, ଟିକେ ଭଲ କରି ଦେଖି ନିଅ ଭ୍ରାତାଙ୍କ ବଦନ, ନ ହେଲେ ପଇତା ମାରା ହେଇଯିବ ହେ |


- ଆରେ ହେ ବାବୁ, ତୁମେ କିଏ, କାହା ଘର ପିଲା, ତୁମ ନାଆଁ କଣ..? ତୁମ ବାପାର ନାଆଁ କଣ..? ଆରେ କହିଲେ ସିନା ଜାଣିବୁ..! ଏମିତି ଦେହ ଛପା ଦେଲେ ତୁମକୁ କିଏ ଜାଣିବ ହୋ.. | ହଃ ହଃ ତୁମକୁ କଣ ଜାଗା ଜୁଗୁତି ମିଳିଲା ନାହିଁ, ଶେଷରେ ତୁମେ ଆମ ଏ ଗୋପୀନାଥ ଠେଇଁ ଅଧିଆ ଗଲ | ସବୁ ମାରା ହେଲା ଗୋସେଇଁ, ସବୁ ମାରା ହେଲା.. | ଏଇନେ ସବୁ ମାର୍ଜନା କରିବାକୁ ପଡିବ, ନ ହେଲେ ପାତକ ଲାଗିବ | ସର୍ବନାଶ ସୋଇଁ ଏ, ସର୍ବନାଶ..! ବିଷ୍ଣୁ ବିଷ୍ଣୁ, ବିଷ୍ଣୁ..|


 -ଆରେ ଇଏ ଆମ ବନେଇ ପରିଡା ପୁଅ ସନେଇ ନୁଁହେତ..? ହଁ ଅବିକଳ ତା' ରି ହରି ଚେହେରା, ତା'ରି ମୁହଁ ତ ଆଉ.. !ଆରେ ତୁ ସନିଆ.. |-ହରି ମହାନ୍ତି କହି ଉଠିଲେ ଏକ ନିଃଶ୍ୱାସରେ !


- ହତଭାଗାଟା.., ବାପ ଭାଇକୁ ହରେଇ ଛାତରଖିଆ ହେଇ ଯାଇଛି | ସବୁ ତୋ କପାଳରେ.. | ଖାଲି ବାପ ଭାଇ କଣ, ଆଉ ଭଉଣୀ, ତା କଥା ନ କହିଲେ ଭଲ, କହିଲେ କୁଳ କୁଟୁମ୍ବକୁ ଲାଜ, ଶେଷରେ ପୋଡା ମୁଇଁ ଅଜାତିରେ ନାଆଁ ନେଖେଇଲା | ଏ କୁଳ ଵଂଶ ନାଆଁ ପକେଇଲା | ଏଇ ଗାଆଁ ର ନାଆଁ ବି ମାଟିରେ ମିଶେଇ ଦେଲା ! ସର୍ବନାଶୀ ପୁଣି ମଧୁଆ ବାଉରୀ ଘରେ ପଶିଲା.. ! ଛିଃ ଛିଃ ଛିଃ.. |


- ପ୍ରହରାଜ ଆଉ ସମ୍ଭାଳି ନପାରି କହିଲେ - ସନିଆ ତୁ ଛାତରରୁ ଫେରିଛି ମହାନ୍ତିଏ ; ଘୋର କଳି କାଳ, ଘୋର କଳି କାଳ..! ସବୁ ସେଇ ଗୋପୀନାଥ ଭରସା..|


- ଭରସା କ'ଣ ପଣ୍ଡିତେ..? ଏବେ କଣ କରିବା କୁହ.., ଆହେ, ଏ ଟୋକାଟା ତ କାଙ୍ଗାଳି ହେଇ ଛତରଖିଆ ହେଇ ଅଜାତିଆ ହେଇଛି | ତାକୁ ଏ ଗାଁରେ ପୁରେଇବ କେମିତି ? ସେ କଥା କୁହ ପଣ୍ଡିତେ | ଏତେ ବୁଲେଇ ବଙ୍କେଇ ଲାଭ କଣ..|


- ଠିକ କଥା କହିଛ ମହାନ୍ତିଏ, ଏ ତ ବଡ଼ ବିଷମ ସମସ୍ୟା..| କୁଳ ଗୋତ୍ର ହରେଇ ଫେରିଥିବା ଲୋକକୁ ଗାଆଁରେ ରହିବ କେମିତି? 


- ତୁମ ଶାସ୍ତ୍ର କଣ କହୁଛି ପଣ୍ଡିତେ, ଟିକେ ଶାସ୍ତ୍ର ଦେଖି ଠିକ ଠିକ କୁହ |


-ଏ ସବୁ କଥା ଶୁଣି ସନିଆ ଦେହର ଯନ୍ତ୍ରଣା ଧୀରେ ଧୀରେ ବଢିବାକୁ ଲାଗିଲା | ଯେଉଁ ପାର୍ଥିବ ଶରୀରକୁ ବହୁ କଷ୍ଟ ଯନ୍ତ୍ରଣା ସହି ଆଜି ଫେରାଇ ନେଇ ଆସିଥିଲା, ଟା ଭଙ୍ଗା ମନକୁ ଯୋଡିବାକୁ, ଯେଉଁ କିଛି ସ୍ମୃତି ସନ୍ତକ ଏଇ ମାଟି ପାଣି ପବନ ଦେହରେ ଥିଲା ଟିକେ ଆଶ୍ରା ଟିକେ ପାଇବାକୁ, ସେ ସ୍ୱପ୍ନ ସବୁ ଧୀରେ ଧୀରେ ଭାଙ୍ଗି ଚୁରମାର ହୋଇଗଲା ପୁଣି ଏକ ଦୁର୍ବିସହ ସନ୍ଦେହ ଭିତରେ | ଏ ପଟେ ଜୀବନର ମୋହରେ ବଂଚିବା ପାଇଁ ସଂଘର୍ଷ, ସେପଟେ ସେ ସଂଘର୍ଷମୟ ଯାତ୍ରା ଭିତରେ ଏଇ ଅସହାୟତାର କ୍ରୁର ଅଟ୍ଟହାସ୍ୟ ସତେ ଯେମିତି ତାର ଅନ୍ତରାତ୍ମାକୁ ଚୂର୍ଣ୍ଣିଭୂତ କରିଦେଉଥିଲା | ଅସହ୍ୟ ଏ ଯାତନା, ଦୁର୍ବିସହ ଏ ଉଗ୍ର ଉପହାସ ! ଟିକିଏ ଆଶ୍ୱାସନା ପାଇବାକୁ ସେ ଯେଉଁ ଘୃଣିତ ଶରୀରକୁ ନେଇ ଧାଇଁ ଆସିଥିଲା, ସେ ଯେମିତି ଏ ବିଦ୍ରୁପରେ ହାର ମାନି ଯିବାକୁ ବାଧ୍ୟ ହେଲା | ଏ ସମାଜର କୁତ୍ସିତ ଇତିହାସକୁ ମୁଣ୍ଡପାତି ସହି ଯିବାକୁ ବାଧ୍ୟ ହେଲା |


- କଟାକ୍ଷ ସ୍ୱରରେ ପଣ୍ଡିତ ମହାଶୟଙ୍କ ଵିଧି ବିଧାନର ମନ୍ତ୍ର ଶୁଣିବାକୁ ସମସ୍ତେ ଅପେକ୍ଷାରତ | ଗଳା ଝାଡ଼ି ପ୍ରହରାଜ ମହାଶୟ ଶାସ୍ତ୍ର ଵିଧି ମୁତାବକ ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ -


- ମହା ପାତକ ଯୋଗ, ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପଚାର କରିବାକୁ ପଡିବ, ସେ ସବୁ କାର୍ଯ୍ୟ ଏ କାଙ୍ଗାଳି କରିପାରିଲେ ହେଲା.. |


- ତୁମେ ଶାସ୍ତ୍ର ମୁତାବକ ଯାହା ଯାହା କରିବା କଥା କୁହ ଗୋସାଇଁ, ତେଣିକି ସନିଆ କରିବ କି ଗାଆଁରୁ ବିଦା ହେବ ସବୁ ତାର ଇଚ୍ଛା | ନାଆଁ କଣ କହୁଛ ଭାଇ ମାନେ, ମୁଁ କଣ କିଛି ନାକରା କହିଲି କି.. ? 


- ହଁ ହଁ, ପଣ୍ଡିତେ, ସେଇଆ ହବ..! ନଁ ହେଲେ, ଏ ଗାଆଁ କିଏ, ନାଆଁ ସନିଆ କିଏ.. ! ମୁଣ୍ଡ ନୁଆଇଁ ସମସ୍ତେ ଏ କଥାରେ ସମ୍ମତି କଲେ |


ପଣ୍ଡିତେ କୁହ.., କଣ କଣ ଵିଧି ବିଧାନ ଗୋଟି ଗୋଟି କରି କୁହ..? 


ପଣ୍ଡିତେ ପାଞ୍ଜି ଦେଖି କହିବା ଆରମ୍ବ କଲେ-


- ହୋମ ହେବ, ପଞ୍ଚଗଵ୍ୟ ହେବ, ଶୁଦ୍ଧି, ପ୍ରାଯଶ୍ଚିତ.. | ପୁଣି ବ୍ରାହ୍ମଣ ଭୋଜନ, ଜ୍ଞାତି ଭୋଜନ, ଆଉ ଇଷ୍ଟଦେବ ଗୋପୀନାଥ ମାର୍ଜନା, ଅଷ୍ଟପ୍ରହରୀ, ଗ୍ରାମ ଦେବତୀ ଓ ମହାଦେବୀ ପୂଜା ମଧ୍ୟ କରିବାକୁ ପଡିବ | ଆରେ ଦୋଷ ଖଣ୍ଡନ ପାଇଁ ଏ ସବୁ ତ ନିହାତି ଦରକାର | ଦୋଷ ମାର୍ଜନା, ଜାତିରେ ମିଶିବା, ସମାଜରେ ପଶିବା, ଏ କଣ ସଜା କଥା ହେଇଛି ? ସନିଆ ଆମର ଜାତି ହେବ, ସମାଜରେ ପଶିବ, ଜାତିରେ ଚଳିବ, ନଁ ହେଲେ ପତିତ, ଅସ୍ପୃଶ୍ୟ ମଣିଷ ହେଲେ ବି ପ୍ରେତ |


ହରି ମହାନ୍ତି କଥା ବୁଝେଇବାକୁ ଯାଇ କହିଲେ 


-ଆରେ ଯିଏ ମରେ ସେ ତ ନିଶ୍ଚିନ୍ତ ହୁଏ, ଜାତି ଧର୍ମ ତା ସାଥିରେ ଯାଏ ନାହିଁ ;କିନ୍ତୁ ଯିଏ ବଞ୍ଚେ, ତାକୁ ତ ପୁଣି ଜାତିଆଣ ଵିଧି ବିଧାନ ମାନି ଚଳିବାକୁ ପଡିବ.. !


 -ଏ ସବୁ କଥା ଶୁଣି ସନିଆ ମନରେ ଆଜି ଅନେକ ପ୍ରଶ୍ନ | ଏଇ କଣ ସତରେ ଏ ସମାଜର ନୀତି ନିୟମ | ଏଇ କଣ ମଣିଷ ସମାଜର ବାସ୍ତବିକ ଚରିତ୍ର | ଯେଉଁ ନୀତି ନିୟମ ପ୍ରଥାର ଦ୍ୱାହି ଦେଇ ଏ ତଥା କଥିତ ବଡ଼ ପଣ୍ଡା ମାନେ ହିଂସାର ଶୃଙ୍ଖଳ ତିଆରି କରୁଛନ୍ତି, ସେମାନେ ଜଣେ ଜଣେ ମଣିଷ ରୂପୀ ନର ରାକ୍ଷସ | ସମାଜବାଦର ଗଣ୍ଡି ଉପରେ ଛିଡା ହୋଇ ଆଜି ଯେଉଁ ଡିଣ୍ଡିମ ପିଟୁଛନ୍ତି, ଏଇ ମାନେ ହିଁ ଲେଖି ଚାଲିଛନ୍ତି ଏ ମଣିଷ ସମାଜର କଳଙ୍କିତ ଇତିହାସ | ଦିନେ ଏ ସମାଜ ଏମାନଙ୍କୁ କେବେବି କ୍ଷମା କରିବ ନାହିଁ | ଏମାନେ ହେଉଛନ୍ତି ମଣିଷ ଖୋଳପା ପିନ୍ଧିଥିବା ଜଣେ ଜଣେ ମଣିଷ ରୂପୀ ଅମଣିଷ..| ଏମାନେ ଦେହ ନୁହେଁ ଦାହ, କୋହ ନୁହେଁ କୋଷ, ମଣିଷ ନୁହଁନ୍ତି ମଣିଷ ରୂପୀ ବିଷ ପୁରୁଷ..!


  ଧୀରେ ଧୀରେ ସନିଆର ଦେହ କ୍ଷୀଣ ହେଇ ଆସିଲା, ସେ ଅସହ୍ୟ ଅନ୍ତହୀନ ବେଦନା ଭିତରେ ନିସ୍ତେଜ ହୋଇ ଆସୁଥିଲେ ଏଇ ମଣିଷ ରୂପୀ ଅମଣିଷମାନଙ୍କର ଅସହ୍ୟ ଦୁର୍ବିସହ କ୍ରୁଶବିଦ୍ଧ ଆଘାତରେ |


    



Rate this content
Log in

Similar oriya story from Tragedy