ଗୁରୁଙ୍କ ସ୍ମୃତିଚାରଣ
ଗୁରୁଙ୍କ ସ୍ମୃତିଚାରଣ
ଗୀତ ଭାରି ଭଲପାଏ ମୋ ମା। ତା ପିଲାଦିନେ ସେ ନିଜେ ଗୀତ ଶିଖିପାରିନଥିବାର ଅବସୋସ ଥିଲା ତାର। ସେହି ଅପୂରଣୀୟ ଇଛ୍ଛାକୁ ସେ ଚାହୁଁଥିଲା, ମୁଁ ପୂରଣ କରିବି। ସ୍କୁଲ ବେଳେ ପାଠର ଚାପ କହି ମୁଁ ଅଳ୍ପ କେତେ ମାସ ପରେ ଗୀତ ଶିଖିବା ବନ୍ଦ କରିଦେଇଥିଲି । ପ୍ରକୃତ କଥା ଥିଲା, ଗୀତ ଭୂଲଭାଲ୍ କଲେ କାଳେ ସାରମାନେ ରାଗିବେ, ସେଇ ଡରରେ ମୁଁ ଶିଖିବାକୁ ଏଡେଇ ଦେଉଥିଲି। ମା ଟିକେ ଅସନ୍ତୋଷ ପ୍ରକାଶ କରିଥିଲେ ବି ମୁଁ କିଛି ଶୁଣି ନଥିଲି। ତାପରେ ଯେତେବେଳେ ସ୍ନାତକରେ ପ୍ରବେଶ କଲି ପୁଣି ଗୀତ ଶିଖିବାର ଚାପ ପଡ଼ିଲା ମୋ ଉପରେ । ସେତେବେଳେ ଆମେ କଟକରେ ମାନସିଂହ ପାଟଣାରେ ରହୁଥାଉ। ବିଶିଷ୍ଟ ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ଅକ୍ଷୟ ମହାନ୍ତି ଆମଘରପାଖ ଶେଖ୍ ବଜାରରେ ରହୁଥିଲେ। ତାଙ୍କ ଘରର କାହାର କିଛି ସ୍ବାସ୍ଥ୍ୟ ସମସ୍ୟା ଥିଲେ ସେ ମୋ ବାବାଙ୍କ ପାଖରୁ ପରାମର୍ଶ ନେଉଥିଲେ। ତାଙ୍କର ବାବାଙ୍କ ଉପରେ ବହୁତ ବିଶ୍ବାସ ଥିଲା। ସେଇ ହିସାବରେ ଜଣାଶୁଣା ଥିଲେ। ତେଣୁ ଜଣେ ସଙ୍ଗୀତ ଶିକ୍ଷକ ସେ ଯୋଗାଡ଼ କରିଦେଇଥିଲେ। ମୁଁ ଶିଖିବା ଆରମ୍ଭ କଲି। ଯେଉଁ ଶିକ୍ଷକ ମତେ ଶିଖୋଉ ଥିଲେ, ସେ ସାନପିଲାମାନଙ୍କୁ ଶିଖାନ୍ତି। ମତେ କିଛି ଭଜନ ଓ ଶିଶୁ ସଙ୍ଗୀତ ଶିଖେଇଥିଲେ। ମୁଁ ତ ସେତେବେଳେ ଆଉ ଶିଶୁ ନଥିଲି। ତେଣୁ କିଛିଦିନ ପରେ ସେ କହିଲେ "ତମ ପାଇଁ ଆଉଟିକେ ଶାସ୍ତ୍ରୀୟ ସଙ୍ଗୀତ ଉପରେ ଅଧିକ ଜ୍ଞାନ ଥିବା ଶିକ୍ଷକ ହେଲେ ଭଲ"। ତେଣୁ ପୁଣି ଖୋଜା ଚାଲିଲା ଜଣେ ଭଲ ଶିକ୍ଷକ।
ମା' ଲାଗିଗଲା ଖୋଜିବାରେ। ସମସ୍ତଙ୍କୁ କହୁଥାଏ। ଏମିତି ପଚାରୁ ପଚାରୁ ମୋ ସାନ ମାଉସୀଙ୍କ ଅଫିସ୍ ରେ କାର୍ଯ୍ୟରତ ଜଣେ ଓଡ଼ିଶୀ ଗାୟକ ଙ୍କ ଠିକଣା ଦେଲେ ମାଉସୀଙ୍କ ସାଙ୍ଗ। ସେ ଭଲ ଶିଖେଇ ପାରିବେ ବୋଲି ଧାରଣା ଥିଲା। ତାଙ୍କ ନାମ ଶ୍ରୀଯୁକ୍ତ ଅଗଣି ପୃଷ୍ଟି। ସେ ଭୁବନେଶ୍ୱର ସ୍ଥିତ ଶ୍ରମ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକର ଭଗତପୁର୍। ସାରଙ୍କୁ ଦେଖିବା ପୂର୍ବରୁ ମୋର ବହୁତ କୌତୁହଳ ଥାଏ ସାର କିପରି ହେଇଥିବେ। ରାଗି ନା ଶାନ୍ତ। ଆସିଲା ପରେ ଲକ୍ଷକଲି ତାଙ୍କର ପତଳା ଶରୀର, ଅଧା ବାଳ ପାଚିଯାଇଛି। ଧୋତି ପଞ୍ଜାବୀ ପିନ୍ଧିଥାଆନ୍ତି। ସ୍ପଷ୍ଟ କଥାବାର୍ତ୍ତା ସାରଙ୍କର। ପ୍ରଥମେଦେଖାରେ ମତେ ଟିକେ ରାଗି ଲାଗିଲେ। କଥାବାର୍ତ୍ତାକଲା ପରେ ଜାଣିଲି ସେ ମୋ ବାପାଙ୍କ ବୟସର।
ତଳେ ମସିଣା ପକେଇ ତା ଉପରେ ହାରମୋନିୟମ୍ ରଖି ମୋର ଗୀତ ଶିଖା ଆରମ୍ଭ ହେଲା। ଦି ଚାରିଥର ଆସିବାପରେ, ଗୁରୁଙ୍କର ସଙ୍ଗୀତ ସହିତ ସାହିତ୍ୟରେ ମଧ୍ୟ ବେଶ୍ ଜ୍ଞାନ ଥିଲା ବୋଲି ଜାଣିପିରିଲୁ। ନିଜର ଜ୍ଞାନ ବାଣ୍ଟିବାରେ ଆଦୌ କୁଣ୍ଠିତ ନଥିଲେ ସେ। ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ, ବନମାଳୀ ଇତ୍ୟାଦି ବିଶିଷ୍ଟ ପୁରାତନ କବିବର ମାନଙ୍କର ଲେଖା ଓ ଭାଷାକୁ ସେ ବୁଝେଇ ପାରୁଥିଲେ ଅକ୍ଳେଶରେ। ଓଡ଼ିଶୀ ସଙ୍ଗୀତରେ ତାଙ୍କର ପାରଦର୍ଶିତା ଥିଲା ଅମାପ। ବିଭିନ୍ନ ରାଗ ଉପରେ ଆଧାରିତ ଓଡ଼ିଶୀ ସଙ୍ଗୀତ ଛଡା ଛାନ୍ଦ, ଚମ୍ପୁ ଓ ଭଜନ ଉପରେ ଅଗାଧ ଜ୍ଞାନ ଥିଲା। ପରେ ଜାଣିବାକୁ ପାଇଲି କିଛି ବିରଳ ଛାନ୍ଦ ଓ ଚମ୍ପୁ ସମ୍ପର୍କରେ ସେ ଜ୍ଞାତ ଥିଲେ। ଯାହାକୁ କି ଅନେକ ପଛରେ କିଛି ଲୋକ ତାଙ୍କଠାରୁ ଶିକ୍ଷା କରି ପରିବେଷଣ କରୁଛନ୍ତି। ତା ସହିତ ଓଡିଶୀ ଗବେଷଣା କେନ୍ଦ୍ର ମଧ୍ଯ ମୋ ଗୁରୁଙ୍କ ଠାରୁ ଏହି ସୂଚନା ସଂଗ୍ରହ କରି ଲିପିବଦ୍ଧ କରିଥିଲେ। କିନ୍ତୁ ତାଙ୍କୁ ସେଥିପାଇଁ ସ୍ବୀକୃତି ମିଳିଛି କି ନାହିଁ, ସେ ସମ୍ପର୍କରେ ମୁଁ ଅବଗତ ନାହିଁ।
ଜଣେ ସାଦାସିଧା ସରଳ ମଣିଷଟିଏ ଥିଲେ ମୋ ଶିକ୍ଷକ। ତାଙ୍କ ସହ କଥା ହେଲେ ବହୁତ କଥା ଶିଖିପାରିବ ଜଣେ । ବିଭିନ୍ନ ବିଷୟରେ ଭଲ ଖବର ବି ପାଇପାରିବ। ବେଶ୍ ମେଳାପି ଓ ଅମାୟିକ ବ୍ୟକ୍ତି ଥିଲେ ସେ। ଆଉ ଗୀତ ଶିଖେଇଲା ବେଳେ କେବେ ଘଣ୍ଟା ଦେଖନ୍ତି ନାହିଁ ସାର୍। ଯେତେବେଳ ଲାଗୁ ପଛେ ସେ ଗୋଟେ ଗୀତକୁ ଶିଖେଇ ସାରି, ଅଭ୍ୟାସ କରିବାକୁ ଦେଇଯାଆନ୍ତି। ଜମା ରାଗିଲୋକ ନୁହଁନ୍ତି, ତେଣୁ ଭୟକରିବାର କୌଣସି କାରଣ ନଥିଲା। ନିଜର ଆତ୍ମ ବଡିମା ତଥା ପ୍ରଶଂସା କିମ୍ବା ପ୍ରଚାର କରିବା ମୁଁ ତାଙ୍କର କେବେ ଦେଖିନାହିଁ। ମୁଁ ଥରେ ତାଙ୍କୁ ପଚାରିଥିଲି "ସାର୍ ଆପଣ କାହିଁକି ନିଜ ଗୁଣ ଓ ପ୍ରତିଭାକୁ ପ୍ରକାଶ କରିବାକୁ ଚାହାଁନ୍ତିନି" ସେ ଇଂରାଜୀ ରେ କହିଥିଲେ,
" let me die unseen and unknown."
ତାଙ୍କର ଆଦର୍ଶ ଓ ଦର୍ଶନ ରେ ମୁଁ ଅଭିଭୂତ ହେଇଯାଇଥିଲି।
ସେହି ସମୟରେ ମୁଁ ପେଣ୍ଟିଂ ବି ଶିଖୁଥିଲି। ଦିନେ ଆମ ପେଣ୍ଟିଂ ସାର୍ କହିଲେ, ତୁମେ ସବୁ ଯଦି ମୂର୍ତ୍ତି ଗଢିବା ଶିଖିବ, ତେବେ ତମର ଡ୍ରଇଁହାତ ଭଲ ହେଇଯିବ।
"ମୂର୍ତ୍ତି ଗଢିବୁ କେଉଁଥିରେ ?"
"ମାଟିରେ"
କୋଉମାଟିରେ ଗଢା ହୁଏ, ତାକୁ କେଉଁଠୁ ପାଇବୁ ସେଇଥିଲା ଚିନ୍ତା।
ଏତିକି ଜାଣିବାକୁ ପାଇଲି ଯେ ନଈକୂଳରେ ଭଲ ମାଟି ମିଳେ। ମୁଁ କିଏ ନଈକୂଳ ମାଟି କିଏ।ଜଣେ ଝିଅ ପକ୍ଷରେ କଟକ ସହରରେ ଏକା ଏକା ଯାଇ କାଠଯୋଡି ନଈକୂଳରୁ ମାଟି ଆଣିବା ବହୁତ କଷ୍ଟକର। ତେଣୁ ମନକୁ ମାରି ଚୁପଚାପ୍ ରହିଲି। ଅବଶ୍ୟ ଗୀତ ଶିଖିବା ବେଳେ ମୋ ମା ଓ ସାରଙ୍କ ଆଗରେ ଏଇକଥା ପ୍ରକାଶ କରିଥିଲି। ସାର୍ କହୁଥିଲେ ନଦୀଶଯ୍ଯାର ବାଲି ପାଖ କୂଳରେ ଯେଉଁଠି ଉଞ୍ଚମାଟିର କୁଦପରିଥାଏ ସେଇଠୁ କୁମ୍ଭାରମାନେ ହାଣ୍ଡି ମାଠିଆ ଓ ମୂର୍ତ୍ତିକାରମାନେ ମୂର୍ତ୍ତି ଗଢିବା ପାଇଁ ମାଟିଆଣନ୍ତି। ସେ ମାଟି ଏହିସବୁ କାର୍ଯ୍ୟ ପାଇଁ ଉପଯୁକ୍ତ। ସାରଙ୍କ ଘର କଟକର ପୂରୁଣା ସାହି ଭଗତପୁର ହେଇଥିବାରୁ, କେଉଁଠି କ'ଣ ମିଳେ, ଏହିସବୁ ବିଷୟରେ ତାଙ୍କର ଭଲ ଧାରଣା ଥିଲା ଆଉ ଆମେ ସବୁ ସେଇ ସୂଚନା ପାଇ ଉପକୃତ ହେଉଥିଲୁ।
ଆରେ ମୁଁ ଲେଖୁ ଲେଖୁ, ଗୀତ ଶିଖାରୁ, ଚିତ୍ରଅଙ୍କା ପୁଣି ମୂର୍ତ୍ତିଗଢା ଓ ମାଟିପାଖକୁ ଚାଲିଆସିଲିଣି। ପାଠକେମତେ କ୍ଷମା କରିବେ। ଗୁରୁଙ୍କ ପାଖରୁ ମୋର ସଙ୍ଗୀତ ଶିକ୍ଷା ଚାଲିଥାଏ। ଶିଖୁ ଶିଖୁ ମ ସାର୍, 'କଳିଙ୍ଗ ଭାରତୀ' ର ଜଣେ ସକ୍ରିୟ ସଭ୍ୟ, ତେଣୁ ଆମର ଭଞ୍ଜ ସାହିତ୍ୟର ସେ ବଡ଼ ଉପାସକ। ତାଙ୍କ ସହିତ ମୁଁ କଟକ ଭଞ୍ଜମଣ୍ଡପରେ ଗୀତ ଗାଇବାକୁ ଯାଏ। ତାସହିତ ଭଲ ଭଲ ବକ୍ତାଙ୍କ ପାଖରୁ ଭଞ୍ଜ ସାହିତ୍ୟ ସମ୍ପର୍କରେ ଶୁଣୁ। ମୋ ବାବା ଓ ମା ବି ସେ ବକ୍ତୃତା ଶୁଣିବାକୁ ବହୁତ ଭଲ ପାଆନ୍ତି। ତେଣୁ ସେମାନେ ବି ଭଞ୍ଜମଣ୍ଡପକୁ ଯାଆନ୍ତି।ସାରଙ୍କର ଶିଖେଇ ବା ଶୈଳୀ ଉତ୍ସାହପ୍ରଦ ହେଇଥିବାରୁ ମୁଁ ନିୟମିତ ସଙ୍ଗୀତ ଅଭ୍ୟାସରେ କେବେ ହେଳା କରେନାହିଁ।ମୋର ଗୀତ ଶିକ୍ଷା ସହିତ କ୍ରମେ କ୍ରମେ ଗୁରୁଙ୍କ ସହ ଏକ ପାରିବାରିକ ସମ୍ପର୍କ ହେଇଯାଇଥାଏ।
ଦିନେ ସକାଳୁ ଆମ ବାଦାମବାଡ଼ି ଘର ଗେଟ୍ ପାଖରେ ଗୋଟିଏ ଟ୍ରଲି ରିକ୍ସା ଆସି ଠିଆ ହେଲା। ସେ ଟ୍ରଲିବାଲା ଗେଟ୍ ଠକ୍ ଠକ୍ କଲା। ମୁଁ ଉପରଘର ଝରକା ବାଟେ ଦେଖି ଶିଢି ଓହ୍ଲେଇ ତଳକୁ ଆସି, କିଏ, କାହିଁକି ଆସିଛନ୍ତି ବୁଝିବାକୁ ଗଲି। ଦେଖିଲି ରିକ୍ସାବାଲା ପଛପଟେ ମୋ ଗୀତ ସାର୍। ଟିକେ ଆଶ୍ଚର୍ଯ୍ୟତ ହେଇଗଲି। କିନ୍ତୁ ଟ୍ରଲିରିକ୍ସାରେ ମାଟି ଦେଖି ବୁଝିଗଲି, ସାର୍ ମାଟି ଆଣିଦେଇଛନ୍ତି, ମୁଁ ମୂର୍ତ୍ତି ଗଢିବା ଶିଖିବି ବୋଲି। ମୁଁ ପୁରା ଖୁସୀ ରେ ଗଦ୍ ଗଦ୍ ହେଇ ଟ୍ରଲିବାଲାକୁ ମାଟି ଆଣି ଘରେ ପକେଇବାକୁ ନକହି ଓ ତାକୁ ପଇସା ନଦେଇ ସାରଙ୍କୁ ପଚାରିବାରେ ଲାଗିଗଲି, କେଉଁଠୁ ଆଣିଲେ, କିପରି ଆଣିଲେ ଇତ୍ୟାଦି ଇତ୍ୟାଦି। କହିବା ବାହୁଲ୍ୟ ଯେ ସାର୍ ସବୁଦିନ କାଠଯୋଡି ନଈକୁ ଗାଧେଇ ଯାଆନ୍ତି । ମୋଠୁ ଶୁଣିବାପରଠାରୁ ସେ ମାଟି ଉଠଉଥିବା ଟ୍ରଲିଲୋକକୁ ଖୋଜିବାରେ ଲାଗିଥିଲେ।
ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଏତେ ପ୍ରତିଭାବାନ୍ ବୟଜ୍ୟେଷ୍ଠ ସଙ୍ଗୀତ ଗୁରୁ ଯେ ଜଣେ ଛାତ୍ରୀ ପାଇଁ ଯୋଗାଡ଼ କରି ମାଟି ଆଣିବେ!! ସତରେ ତାହା କେହି କଳ୍ପନା ବି କରିପାରିବେନି। ସେଥିରୁ ତାଙ୍କର ବିନୟ ଭାବ ଓ ଛାତ୍ରଛାତ୍ରୀ ଙ୍କ ପ୍ରତି ସ୍ନେହ ଅନୁମେୟ। ସେତେବେଳେ ମୋର ଅଳ୍ପ ବୟସରେ ଯେତେ ବୁଝିପାରିନଥିଲି, ବଡହେଲାପରେ ମୁଁ ସେଇଟା କେତେ ମହାନ୍ କଥା,ତାହା ବୁଝିପାରିଲି। ସେଇଭଳି ଆହୁରି ଅନେକ କଥା ଭାବି ମୁଁ ତାଙ୍କପାଖରେ ମୋର କୃତଜ୍ଞତା ରେ ମଥାନତ ହେଇଥିଲା।
ତାର କିଛିବର୍ଷ ପରେ ସାର୍ ଏକ ଦୂରାରୋଗ୍ୟ ରେ ସ୍ଵର୍ଗାରୋହଣ କଲେ, ନିରବରେ। ସେହି ସମୟରେ ମୁଁ ମନେ ପକଉଥିଲି ତାଙ୍କ କଥା "let me die unseen... । ତାଙ୍କ ପରି ଜଣେ ବିଦ୍ୱାନ ସଙ୍ଗିତଜ୍ଞ ଆଉ କିଛିଦିନ ଏ ପୃଥିବୀରେ ରହି ତାଙ୍କ ପାଖରେ ଥିବା ଜ୍ଞାନକୁ ବିତରଣ କରିବାର ଥିଲା। କିନ୍ତୁ ନିୟତିର ବିଧାନ ଭିନ୍ନ। ଜଣେ ବିନୟୀ, ସରଳ, ପ୍ରତିଭାଶାଳୀ, ନିରାଡମ୍ବର ବ୍ୟକ୍ତିଙ୍କ ଅକାଳ ବିୟୋଗ ତାଙ୍କୁ ଜିଣିଥିବା ଆତ୍ମୀୟ ସ୍ବଜନ ମାନଙ୍କୁ ବ୍ଯଥୁତ କଲା ନିଶ୍ଚୟ। କିନ୍ତୁ ସେମାନଙ୍କର ସ୍ମୃତିରେ ସେ ଆଜି ବି ଜୀବିତ। ଆଉ ପିତୃ ଶଦୃଶ ଗୁରୁଙ୍କ ପାଖରେ ଛାତ୍ରୀ ହିସାବରେ ମୁଁ ତାଙ୍କ ପାଖରେ ଚିରକାଳ ଋଣୀ।
