Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାଡ
ମାଡ
★★★★★

© Chinmayee Barik

Inspirational

4 Minutes   7.5K    21


Content Ranking

    ବେଳେ ବେଳେ କାହିଁକି କାନ୍ଦିବାକୁ ଇଛା ହୁଏ ,ଯେତେବେଳେ କି ତାର କିଛି ନିର୍ଦ୍ଧିଷ୍ଟ କାରଣ ହିଁ ନ ଥାଏ । ଏଭଳି ସମୟରେ କାନ୍ଦିବାକୁ ଗୋଟେ ଖୋରାକ ଖୋଜେ ।ସେ ଖୋରାକଟି ହେଉଛି ମୋ ପିଲା ଦିନ ।ସେ ଦିନର କଥା ଭାବିଲେ ମୋ ଆଖିରୁ ଲୁହ ଝରି ଆସେ ...ଦୁଃଖର ହେଉ କି ଆନନ୍ଦର ।

ସୁନ୍ଦରଗଡ ର ରଙ୍ଗାଢିପା ସ୍କୁଲରେ ପଢୁଥାଏ ।ଖଣ୍ଡେ ଟିଣ ବାକ୍ସ,କାଖରେ ତାଳପତ୍ର ର ଚଟି ଟିଏ ରେ ସ୍କୁଲ ଯିବା ହୁଏ ଚାଲି ଚାଲି ଗୋଟେ କିଲୋ ମିଟର ଖାଲି ପାଦରେ ।ଧନୀଘର ପିଲାଙ୍କ ପାଦରେ ଚପଲ ଥାଏ ।ହେଲେ ମୋର ଯାହା ମନେ ପଡୁଛି ଆମ ଶ୍ରେଣୀର ସମସ୍ତେ ଖାଲିପାଦରେ ଯାଉଥିଲୁ ।ଯଦିଓ ମୁଁ ଥରେ ଚପଲ ପିନ୍ଧି ଯାଇଥିଲି ଆଉ ପ୍ରଥମ ଦିନରେ ହିଁ ତାହା ଚୋରୀ ହୋଇ ଯାଇଥିଲା ।ତା ପରେ ମୋ ପାଦ ବି ଖାଲି ଥିଲା ସମସ୍ତଙ୍କ ପରି ।

ପିଲା ବେଳୁ ଭାରୀ ସ୍ପଷ୍ଟବାଦୀ ମୁଁ । ସେଥିଲାଗି କୌଣସି ଗୁପ୍ତ ମନ୍ତ୍ରଣାରେ ମୋତେ ପଶା ଯାଏନି ।ଯିଏ ଯାହା ପଚାରେ ସିଧା ସିଧା କହିଦିଏ ।କୁଛତ୍ର ମାଡ ଖାଇଛି ସେଦିନ ଯେଉଁଦିନ ପଡିଶା ଘରେ କହିଦେଇଥିଲି ମୋ ବୋଉ ତକିଆ ଭିତରେ ଗହଣା ରଖିଛି ବୋଲି ।

ସତ କହି ଅନେକ ଥର ମାଡ ଖାଇଲା ପରେ ବି ସଂଧ୍ୟାରେ ବୋଲିଛି ସେଇ ଗୀତ...ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି ।

ଆମର ଜଣେ ଦିଦି ଥିଲେ । ତାଙ୍କ ନାଁ ରୁକସାନା ବେଗମ୍ ଥିଲା ।ସେତେ ବେଳେ କି ଜଣାଥିଲା ଜାତି କଣ ନା ନାମ କଣ?ବେଗମ୍ ଦିଦି ଡାକୁ ତାଙ୍କୁ ।ସେ ତାଙ୍କ ଘର ପାଖରୁ ଗୋଟିଏ ଲମ୍ବା ଖଜୁରୀବାଡି ଧରି ଚାଲି ଚାଲି ଆସନ୍ତି ।ଆଉ ସେ ଫେରିଲା ବେଳକୁ ସେ ବାଡିର ଜୀବନ ନ ଥାଏ ...ସବୁ ମାଡ ଆମ ପିଠିରେ ଥୁଆ ହୋଇଥାଏ । ସେ ସିନ୍ଦୁର ପିନ୍ଧନ୍ତିନୀ ବୋଲି ଆମେ ଭାବୁ ସେ ବିଧବା ।ସେ ବେଙ୍ଗ ଖାଆନ୍ତି ବୋଲି ତାଙ୍କ ନାଁ ବେଗମ୍ ହୋଇଛି ବୋଲି ଭାବୁ ।

ସେ ଆମକୁ ମାରନ୍ତି ବୋଲି ଆମେ ତାଙ୍କୁ ରାଗୁ । ହେଲେ ରାଗ ଶୁଝାଇବାର କିଛି ଉପାୟ ନ ଥାଏ ।

ଦିନେ ଗୋଟିଏ ଉପାୟ ପାଞ୍ଚିଲୁ ...ବେଗମ୍ ଦିଦିଙ୍କ ନାମରେ ଖରାପ କଥା ଲେଖିବା ।ସ୍କୁଲ କୁ ଆମେ ଗୋଟେ ଗଳି ରାସ୍ତା ଦେଇ ଯାଉ ।କାରଣ ସିଧା ରାସ୍ତାରେ ଆମକୁ ଅଧିକ ଅଧକିଲୋମିଟର ଯିବାକୁ ପଡେ ।ତେଣୁ ସେଇ ଗଳି ରାସ୍ତା ଆମର ସ୍କୁଲ ରାସ୍ତା ।ସେଠି ଗୋଟେ ହୋଟେଲ ପଡେ ।ସେଇ ହୋଟେଲ କାନ୍ଥରେ ଆମେ ଲେଖି ଚାଲିଲୁ...ବେଗମ୍ ଦିଦି ବେଙ୍ଗ ଖାଏ...ବେଗମ୍ ଦିଦି ବେଙ୍ଗ ଖାଏ ...

ଆଃ...ଲେଖା ସାରିଲା ପରେ କି ଶାନ୍ତି ।ଆନନ୍ଦରେ ଘରକୁ ଡେଇଁ ଡେଇଁ ଫେରିଲୁ ।

ଘରେ ଲୁଗା ପାଲଟି ସାରିଲା ବେଳକୁ ବାବା ଡାକିଲେ । ମୁଁ ଫୁର୍ତ୍ତି ମନରେ ଠିଆ ହୋଇ ଗଲି ତାଙ୍କ ସାମ୍ନାରେ ।ବାବା ପଚାରିଲେ ହୋଟେଲ କାନ୍ଥରେ ତୁ ଲେଖୁଥିଲୁ? ମୁଁ ଖୀ...କିନା ହସି ଦେଇ ମୁଣ୍ଡ ଟୁଙ୍ଗାରି ଦେଲି । ବାବା ଷ୍ଟୋର ରୁମ ରେ ପଡିଥିବା ଗୋଟିଏ ପାଣି ପାଇପ୍ ରେ ମୋତେ ଦୁଇ ପାହାର ପିଟି ଦେଲେ ।ମୁଁ ଚିଙ୍ଗୁଡି ଭଳି ନାଚି ଗଲି ।ଆଖିରୁ ନିଆଁ ଖସିଗଲା ।

ଅସଲ କଥା ଏଇଆ ଯେ ସିଲୁ ଦେଇ କହି ଦେଇଥିଲା ଯେ ମୁଁ ଖୁବ୍ ଖରାପ କଥା ଲେଖିଛି ବୋଲି ।

ରାତିରେ ନ ଖାଇ ଶୋଇଲି । ମୋ ଜାମା କାଢି ବାବା ଔଷଧ ଲଗାଉଥିଲେ ।ବୋଉ ଡାକିଲା ଖାଇବାକୁ ।ମୁଁ ଆଖି ମଳି ଅନେଇଲି ।ବାବାଙ୍କ ଆଖିରେ ଲୁହ ।ମୋତେ ପଚାରିଲେ ସତରେ କଣ ତୁ ଖରାପ କଥା ଲେଖିଛୁ?ମୁଁ କହିଲି ..ହଁ..ବାବା ,ମୁଁ ଖରାପ କଥା ଲେଖିଛି ।ବାବା ହଠାତ୍ ଉଠି ଚାଲିଗଲେ ଆର ଘରକୁ ।ସେଦିନ ବାବା ,ବୋଉ ଉପାସରେ ଶୋଇଲେ ।

ତା ପର ଦିନ ସେଇ ହୋଟେଲ ଗଳି ଦେଇ ମୁଁ ଗଲି ସ୍କୁଲ୍ ।ଦେଖିଲି ମୋ ଲେଖା ସହ ଆଉ କିଛି ଦୋ ଅକ୍ଷରୀ ଲେଖା ସବୁ ଲେଖା ହୋଇଛି ।ଏ ଦୋ ଅକ୍ଷରୀ ଭାଷା ମୋ ବୁଝିବା ବାହାରେ ଥିଲା ।ତାକୁ କାଗଜ କଲମରେ ଟିପି ନେଇ ସ୍କୁଲ୍ ରେ ପିଲାଙ୍କୁ ପଚାରିଲି ..ୟା ମାନେ କଣ?କେତେଜଣ କିଛି କହି ପାରିଲେନି ଆଉ କେତେଜଣ ହସିଲେ ।ଜଣେ ନେଇ ବେଗମ୍ ଦିଦିଙ୍କୁ ଦେଖାଇ ଦେଲା ।ଦିଦି ତାଙ୍କ ବାଡିରେ ମୋ ପିଠିରେ କଷି ଦେଲେ ଦୁଇ ଚାରି ପାହାର ।ମୋର କିଛି ଉପାୟ ନ ଥିଲା ।

ସେ ଗଳି ରାସ୍ତା ମୁଁ ଛାଡିଲି ।ବୁଲି ବୁଲି ଅଧକିଲୋମିଟର ରାସ୍ତା ଅଧିକ ଦେଇ ସ୍କୁଲ ଯାଏ ଏକା ।ମୋତେ ଘୃଣା ଲାଗେ ସେ ରାସ୍ତା ।କିଛି ଅବୁଝା ଶବ୍ଦ ଲାଗି ମୋ ପିଠି ଫାଟିଯାଇଛି ଯେ??

ଗଣେଷ ପୂଜାରେ ସ୍କୁଲ୍ ରେ ପୁରା ଉପାସରେ ପୁଷ୍ପାଞଳୀ ଦେଇ ସମସ୍ତେ ଘରକୁ ଫେରି ସାରିଥିଲେ ।ମୁଁ ଫେରି ନ ଥିଲି ।ବାବା ବ୍ୟସ୍ତ ହୋଇ ହୋଟେଲ ପାଖରେ ମୋତେ ଅପେକ୍ଷା କରିଥିଲେ ।ହେଲେ ମୁଁ ଚାଲି ଚାଲି ଆର ରାସ୍ତାରେ ଫେରୁଥିଲି ଡହ ଡହ ଖରାରେ ।ବାବା ମୋତେ ଧାଇଁ ଯାଇ କାଖେଇ ପକେଇଲେ ...କହିଲେ ତୁ କଣ ସେ ରାସ୍ତା ଦେଇ ସବୁ ଦିନ ଯାଉଛୁ?ମୁଁ କାନ୍ଦ କାନ୍ଦ ହୋଇ କହିଲି ହଁ..ବାବା ।ଏ ହୋଟେଲ୍ ର କାନ୍ଥ ମୋତେ ମିଛ କହି ମାଡ ଖୁଆଇଛି ।ମୁଁ ଘୃଣା କରେ ଏ ରାସ୍ତା ।

ବାବା ଚୁପ୍ ଥିଲେ ...ତାଙ୍କ ଆଖି ଛଳ ଛଳ ଥିଲା ।

ଘରକୁ ଆସି ବୋଉକୁ କହିଲେ ଏ ଝିଅଟା କଣ କରିବ କେଜାଣେ...ଭାରୀ ଚିନ୍ତା ହେଉଛି ।

------*****--------*******

ହଁ,ବାବା ଏବେ ସେ ଦୋ ଅକ୍ଷରୀର ମାନେ ମୁଁ ଜାଣି ସାରିଲିଣି । ସେ ଗଳି ବି ଭୂଲି ସାରିଲିଣି ।

ଏବେ ମୁଁ ସତମିଛର ପରଖ ଠିକ୍ ଭାବେ କରିପାରେ ବାବା । ସବୁ ଶବ୍ଦର ମାନେ ଓ ତା ପଛର ଉଦ୍ଧ୍ୟେଶ୍ୟ ବି ବୁଝିପାରେ । ତଥାପି କିଛି ସତକୁ ମିଛ ଆଉ କିଛି ମିଛକୁ ସତ ଭାବି ବଞ୍ଚିବା ଶିଖୁଛି ।ମୋ ପିଠିରେ ଦାଗ ପକାଇବାକୁ ତୁମେ ନାହଁ କି କି ବେଗମ୍ ଦିଦି ବି ଆଉ ନାହାଁନ୍ତି । ସେ ଦିନ ମୋତେ ଶିଖାଇ ଦେଇଛି ଯେ କିଛି ଅବୁଝା ଶବ୍ଦ ଲାଗି ମଣିଷ ବିନା କାରଣରେ ଦଣ୍ଡ ପାଏ ।

ହେଲେ ଜୀବନରେ ଏମିତି ଅନେକ ବୁଝୁଥିବା ଶବ୍ଦ ଲାଗି ବି ମଣିଷ ଆହାତ ହୁଏ ...ଏହା ବୁଝିଛି ତୁମ ମାଡରେ ନୁହେଁ ପରିସ୍ଥିତିର ମାଡରେ ....

ମାଡ ଔଷଧ ପଡିଶା

Rate the content


Originality
Flow
Language
Cover design

Comments

Post

Some text some message..