Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amit Bal

Action Classics Inspirational

4.0  

Amit Bal

Action Classics Inspirational

(୧୧) ଚାଣକ୍ୟ

(୧୧) ଚାଣକ୍ୟ

3 mins
254


      ଭାରତବର୍ଷରେ ଟେଲିଭିଜନର ପ୍ରଚାର ପ୍ରସାର ଅଶି ଦଶକରେ ବିସ୍ତାର ଲାଭ କଲା । ଏହି ସମୟରେ ଏସିଆନ ଗେମ୍ସ, ସରକାରଙ୍କ କୃଷି ଭିତ୍ତିକ କାର୍ଯ୍ୟକ୍ରମ, ରାମାୟଣ, ମହାଭାରତ ଭଳି ପୈାରାଣିକ ଧାରାବାହିକ ଏବଂ ଅନେକ ଗୁଡ଼ିଏ ସାମାଜିକ ପାରିବାରିକ କାହାଣୀର ପ୍ରସାରଣ ଜାତୀୟ ଚ୍ୟାନେଲ ଦୂରଦର୍ଶନରେ କରାଗଲା । ସମୟ କ୍ରମେ ଅନେକ ଐତିହାସିକ ଚରିତ୍ରକୁ ନେଇ ଧାରାବାହିକ ନିର୍ମାଣ କରାଯାଇ, ତା'ର ପ୍ରସାରଣ ମଧ୍ୟ ନିୟମିତ ଦୂରଦର୍ଶନ ମାଧ୍ୟମରେ କରା ଯାଉଥିଲା ।


      ସେହି ସମୟରେ ନିର୍ଦ୍ଦେଶକ ଡ଼ଃ ଚନ୍ଦ୍ର ପ୍ରକାଶ ଦ୍ବିବେଦୀଙ୍କ ପ୍ରଯୋଜିତ "ଚାଣକ୍ୟ" ନାଁ ରେ ଧାରାବାହିକ ଟିଏ ଦୂରଦର୍ଶନରେ ପ୍ରସାରିତ ହୋଇ ଖୁବ୍ ଲୋକପ୍ରିୟ ହୋଇ ପାରିଥିଲା । 


     କାହାଣୀ ଉଣା ଅଧିକେ ସମସ୍ତେ ଜାଣିଥିଲେ । ମାତ୍ର ନିର୍ଦ୍ଦେଶକଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ, ଐତିହାସିକ ଚରିତ୍ର ଚାଣକ୍ୟ, ଘରେ ଘରେ ଖୁବ୍ ପରିଚିତ ହେଲା । ଧାରାବାହିକର ଫୋଟୋ ଉତ୍ତୋଳନ, ଚରିତ୍ର ଚିତ୍ରଣ, ସଂଳାପ, ବର୍ଣ୍ଣନା ଶୈଳୀ ଥିଲା ଖୁବ୍ ଉଚ୍ଚ କୋଟୀର । ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଧାରାବାହିକଟିକୁ ପୂର୍ଣ୍ଣ ମାତ୍ରାରେ ଉପଭୋଗ କରୁଥିଲେ ।


    ଚାଣକ୍ୟ ଏକ ଐତିହାସିକ ଚରିତ୍ର । ଯାହାର ପୃଷ୍ଠଭୂମି ଖ୍ରୀଷ୍ଟପୂର୍ବ ୩୭୧ ପାଖାପାଖି ମଗଧ ରାଜ୍ୟର ଘଟଣାବଳୀକୁ ନେଇ ଗତିଶୀଳ । ଚାଣକ୍ୟ, ଯାହାକୁ ଇତିହାସ କୈାଟଲ୍ଯ ଏବଂ ଆଚାର୍ଯ୍ୟ ବିଷ୍ଣୁଗୁପ୍ତ ନାଁରେ ମଧ୍ୟ ଜାଣେ । ସେ ଏକା ଧାରରେ ଥିଲେ ଜଣେ ଉଚ୍ଚ କୋଟୀର ଆଚାର୍ଯ୍ୟ, ବିଦ୍ୱାନ, ମହାନ୍ ରାଜନୀତିଜ୍ଞ, ବିଚକ୍ଷଣ ମହାମନ୍ତ୍ରୀ ଏବଂ ଅର୍ଥଶାସ୍ତ୍ରୀ । ତାଙ୍କର କର୍ମକୁଶଳତା ପାଇଁ ସେ ସଦେବ ଭାରତୀୟଙ୍କ ହୃଦୟରେ ପୂଜିତ ହୋଇଥାନ୍ତି ।


    ଆଚାର୍ଯ୍ୟ ଚଣକଙ୍କ ପୁତ୍ର ଚାଣକ୍ୟ, ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରି ଉଚ୍ଚ ଶିକ୍ଷା ପାଇଁ ତକ୍ଷଶିଳାକୁ ପ୍ରେରିତ ହୋଇଥିଲେ । ତାଙ୍କ ପିତାଙ୍କ ଇଛା ଥିଲା ବିଷ୍ଣୁଗୁପ୍ତ ଜଣେ ମହାନ୍ ଆଚାର୍ଯ୍ୟ ଭାବେ, ସମଗ୍ର ଭାରତବର୍ଷରେ ପରିଚିତ ହୁଅନ୍ତୁ ।


   ସମୟ କିନ୍ତୁ ସବୁ କିଛି ମଣିଷକୁ ନିଜ ଇଚ୍ଛା ମୁତାବକ କରିବାକୁ ଦେଇ ନଥାଏ । ଅନେକ ଘଟଣା ଦୂର୍ଘଟଣାରେ ପରିପୂର୍ଣ୍ଣ ମଣିଷର ଜୀବନ ପଥ । ମଗଧ ରାଜ ପରିବାର ଦ୍ବାରା ଅପମାନିତ ହୋଇ ବିଷ୍ଣୁଗୁପ୍ତଙ୍କ‌ ପିତା, ପାଟଳିପୁତ୍ରରୁ ନିର୍ବାସିତ ହୁଅନ୍ତି । ମା' ଅସମୟରେ ମୃତ୍ୟୁବରଣ କରନ୍ତି । ନନ୍ଦ ରାଜା ଧନାନନ୍ଦ ବିଷ୍ଣୁଗୁପ୍ତଙ୍କର ମଧ୍ୟ ଅପମାନ କରନ୍ତି । ଅନେକ ଗୁଡ଼ିଏ ଅପମାନର ଵିଷ ପାନକରି ତାଙ୍କର ବାଲ୍ୟ ଏବଂ କୈଶୋର ଜୀବନ ଅତିକ୍ରମ ହୁଏ । ସେ ତକ୍ଷଶିଳାର ଗୁରୁକୁଳରେ ରହି ନିଜର ଶିକ୍ଷା ସମାପ୍ତ କରନ୍ତି । ପରେ ପରେ ସେଠାରେ ତାଙ୍କର ଶିକ୍ଷା ଦାନ ମଧ୍ୟ ଆରମ୍ଭ ହୁଏ ।


     ଏହି ସମୟରେ ଏକ ରାଜକୀୟ କାର୍ଯ୍ୟ କ୍ରମରେ ଭାଗନେବା ନିମନ୍ତେ ଅନ୍ୟାନ୍ୟ ଆଚାର୍ଯ୍ୟ ଓ ଶିଷ୍ୟମାନଙ୍କ ସହ ସେ ପାଟଳୀପୁତ୍ରକୁ ଯାତ୍ରା କରନ୍ତି । ମାତ୍ର ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ରାଜସଭାରେ ପୁଣି ରାଜା ଧନାନନ୍ଦ ତାଙ୍କର ଅପମାନ କରିବସେ । ଏଥିରେ କ୍ରୋଧାନ୍ୱିତ ହୋଇ ନିଜର ଶିଖା ଖୋଲି, ବିଷ୍ଣୁଗୁପ୍ତ ସେଇ ରାଜସଭାରେ ଶପଥ ନିଅନ୍ତି, ଯେତେ ପର୍ଯ୍ୟନ୍ତ ସେ ମଗଧରୁ ନନ୍ଦ ବଂଶର ବିନାଶ ନ କରି ଛନ୍ତି, ଚୁପ୍ ହୋଇ ବସିବେ ନାହିଁ ।


       ଏହା ପରେ ସେ ଜଣେ ସାଧାରଣ ବାଳକକୁ ପାଟଳୀପୁତ୍ରରୁ ନେଇ ତକ୍ଷଶିଳାରେ, ନିଜ ପ୍ରଚେଷ୍ଟାରେ ସମସ୍ତ ଶିକ୍ଷା ଦିକ୍ଷା ଦେଇ, ରାଜକୁମାର ପରି ଗଢି ତୋଳିଛନ୍ତି । ଯୁଦ୍ଧ ବିଦ୍ୟା, ରାଜନୀତିରେ ନିପୁଣ କରିଛନ୍ତି । ପରେ ସେଇ ଯୁବକ ସମଗ୍ର ଭାରତବର୍ଷରେ ଚନ୍ଦ୍ର ଗୁପ୍ତ ମୌର୍ଯ୍ଯ ନାଁରେ ପରିଚିତ ହୋଇଛି । 


       ତକ୍ଷଶିଳାରେ ରହି ସେ ଭାରତବର୍ଷର ଖଣ୍ଡ ବିଖଣ୍ତିତ ରାଜ୍ୟ ସବୁକୁ ଏକତ୍ରିତ କରି ବିଶାଳ ସୈନ୍ୟ ବାହିନୀ ଗଠନ କରିଛନ୍ତି, ପରେ ଯାହାର ନେତୃତ୍ୱ ନେବାକୁ ଦେଇଛନ୍ତି, ନିଜର ଶିଷ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ଯଙ୍କୁ ଏବଂ ଭବିଷ୍ୟତରେ ସେଇ ବିଶାଳ ସୈନ୍ୟ ବାହିନୀ ଓ ନିଜ ବୁଦ୍ଧି ବଳରେ ମଗଧରୁ ନନ୍ଦ ବଂଶର ପତନ ହୋଇଛି । ପ୍ରତିଷ୍ଠିତ ହୋଇଛି ବିଶାଳ ମୌର୍ଯ୍ଯ ସାମ୍ରାଜ୍ୟର । 


      ନିଶ୍ଚିତରେ ଚାଣକ୍ୟ ଧାରାବାହିକ ମାଧ୍ୟମରେ ନିର୍ଦ୍ଦେଶକ, ପ୍ରଯୋଜକ, ଭାରତବର୍ଷର ଗୈାରବମୟ ଇତିହାସକୁ ଜନମାନସ ସମ୍ମୁଖରେ ପରିଚିତ କରାଇ ଏକ ଦୃଷ୍ଟାନ୍ତ ସ୍ଥାପିତ କରିଥିଲେ । ଶିକ୍ଷା ଏବଂ ସଂସ୍କାରଭିମୁଖି କାର୍ଯ୍ୟକ୍ରମକୁ ପ୍ରତ୍ସାହିତ କରି ଅନ୍ୟମାନଙ୍କୁ ଏଭଳି ଧାରାବାହିକ ନିର୍ମାଣ କରିବାକୁ ପ୍ରେରଣା ଯୋଗାଇ ଥିଲେ ।


      ସେ ସମୟରେ ଧାରାବାହିକଟି ଖୁବ୍ ପ୍ରଶଂସିତ ହୋଇଥିଲା । ଆଜି ଦୁଇ ଅଢେଇ ଦଶନ୍ଧି ପରେ ମଧ୍ୟ ଦର୍ଶକ ତାକୁ ଭୁଲି ନାହାଁନ୍ତି । ଟେଲିଭିଜନ ଇତିହାସରେ ଚାଣକ୍ୟ ଧାରାବାହିକ ଟି ଗୋଟେ ମାଇଲଖୁଣ୍ଟି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରସ୍ତୁତି ଏବଂ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନା ଦକ୍ଷତା କାଳଜୟୀ । ଧାରାବାହିକଟି ଯେ ସବୁଦିନେ ଜନମାନସରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନଟିଏ ରଖିଥିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।                       

     


Rate this content
Log in

Similar oriya story from Action