Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Mandal

Drama Romance

5.0  

Abhiram Mandal

Drama Romance

ଅନୁପମା

ଅନୁପମା

14 mins
394


ଛକ ଉପରେ ତାର ଆଖଡ଼ା । ସାଥି ତାର ପଞ୍ଝାଏ ବାତେରା ଟୋକା । ମୁହଁରେ ଦାଢ଼ି ହାତରେ ବିଡି । ଝିଅ ମାନଙ୍କୁ କମେଣ୍ଟ କରିବା ତା' କାମ । ସେଥିପାଇଁ ସେ ବାଟ ଦେଇ ଝିଅ ବୋହୁ ଏକୁଟିଆ ଯିବାକୁ ଡରନ୍ତି । ଗାଁଟା ସାରା ତାର ବହୁତ ଅପଯଶ । ହେଲେ ବି ଏ ସବୁକୁ ତିଳେ ତାର ଖାତିର ନଥାଏ । ଘରୁ ଗଣ୍ଡେ ଖାଇଦେଇ ଦିନ ତମାମ ଛକରେ ବସି ଗୁଲି ଖଟି କରିବା ଆଉ ରାତିରେ ମାଲ ପିଇ ଘରକୁ ଫେରି ଗଧ ଭଳି ଶୋଇବା ତାର ନୀତି ଦିନିଆ ଅଭ୍ୟାସ ।


ଏଠି ଯାହା ବିଷୟରେ ଆଲୋଚନା ହେଉଛି ସେ ଆଉ କେହି ନୁହେଁ । ପରିଡା ଘର ସାନ ପୁଅ କ୍ଷିତୀଶ ... କ୍ଷିତୀଶ ପରିଡା । ତା' ବାପା ଜେଜେଙ୍କର ବହୁତ ନାଁ ଥିଲା । ପ୍ରବଳ ସମ୍ପତ୍ତି ତାଙ୍କର । ବାପା ତାର ଗାଁର ମୁଖିଆ ଥିଲେ । ଏମାନେ ତିନି ଭାଇ ... ବଡ଼ ଭାଇ ଦି ଜଣ ଭଲ ଚାକିରୀ କରି ବାହାରେ ରହୁଛନ୍ତି । ବାପାଙ୍କର ସ୍ୱର୍ଗବାସ ପରେ ଏ ଟୋକାଟାକୁ ଆକଟ କରିବା ପାଇଁ ଘରେ କେହି ରହିଲେ ନାହିଁ । ତେଣୁ ପିଲାଟା ଧୀରେ ଧୀରେ କୁସଙ୍ଗରେ ପଡି ନଷ୍ଟ ହେବାରେ ଲାଗିଲା । ତିନି ତିନି ଥର ମାଟ୍ରିକ ପରୀକ୍ଷାରେ ଫେଲ ହେବା ପରେ ତା' ପାଠରେ ଡୋରି ବନ୍ଧା ହେଇଗଲା । ପାନ,ବିଡି, ନିଶାପାଣିରେ ବୁଡି ରହିଲା ସେ । ଟଙ୍କା ପଇସାରେ କିଛି ଅଭାବ ନଥିବାରୁ ତା' ମନରେ କିଛି ଚିନ୍ତା ନଥାଏ । ଘରେ ବୁଢ଼ୀ ମାଆର ଆକଟକୁ ତାର ଖାତିର ନଥାଏ, ତାକୁ ଡରାଇ ଧମକାଇ ଟଙ୍କା ଆଣି ଏ ବାତେରା ଟୋକା ପଞ୍ଝାଙ୍କ ସହ ଫୁର୍ତ୍ତି କରେ ।


ବୁଢ଼ୀ ମା' ଟା ସବୁବେଳେ ତା' ପାଇଁ ବ୍ୟସ୍ତ । ତା' ଆଖିରୁ ନିଦ ହଜି ଗଲାଣି ଏଇ ଟୋକାଟା ପାଇଁ । ବଡ଼ ଦି ଜଣ ନିଜ ନିଜ ସଂସାରରେ ବ୍ୟସ୍ତ ରହିଲେ । ଏ ସାନଟା କଥା ବୁଝିବାକୁ କେହି ନାହିଁ । ସହଜେ ସେ କୁସଙ୍ଗରେ ପଡି ସାରିଲାଣି । ବାଟକୁ ଆସିବା ବହୁତ କଷ୍ଟ । କଣ ହେବ ତା' ଭବିଷ୍ୟତ ? ତା' ଚିନ୍ତାରେ ବୁଢ଼ୀ ସୁଖି କଣ୍ଟା ହେଇଗଲାଣି । କେତେ ଲୋକଙ୍କୁ ନେହୁରା ନିମନ୍ତ ହେଉଛି ତା' ବାହାଘର କଥା ବୁଝିବା ପାଇଁ । ହେଲେ ଏ ବାନା ବାତେରା ବାଳୁଙ୍ଗା ନଷ୍ଟ ଚରିତ୍ର ଟୋକାକୁ କିଏ କାହିଁକି ବା ଝିଅ ଦେବ ? କା ଝିଅ କଣ ପଚି ଯାଉଛି ?


ଆଖପାଖ ଗାଁରୁ ତ ଭୁଲରେ ବି ପ୍ରସ୍ତାବ ଆସେ ନାହିଁ । ଯେଉଁ କେତୁଟା ପ୍ରସ୍ତାବ ଦୂର ଗାଁରୁ ତା' ବାପା ଖାତିରରେ ଆସେ, ଗାଁରେ ପହଂଚି ଟୋକା ବିଷୟରେ ଶୁଣିବା ପରେ ତାଙ୍କ ପାଦ ପୁଣି ଓଲଟା ଦିଗରେ ଚାଲିଯାଏ । ଏଥିକୁ ବୁଢ଼ୀର ଚାରା କଣ ? ଦିନେ ସେ ବଡ଼ ଦି ପୁଅଙ୍କୁ ଡକେଇ ଏ ବିଷୟରେ ଆଲୋଚନା କରିବାରୁ ସେମାନେ କହିଲେ କି ଯେଉଁଦିନ ସେ ବାତେରାମି ଛାଡି ଭଲ ମଣିଷ ହେବ ସେଦିନ ସେମାନେ ତା' ବିଷୟରେ ଚିନ୍ତା କରିବେ ।


ଏଣେ କିନ୍ତୁ ସବୁ ଚିନ୍ତାରୁ ମୁକ୍ତ ମହାଦେବଙ୍କ ଷଣ୍ଢ ପରି ଚାରି ଦଉଡି କଟା ହେଇ ଗାଁରେ ଉତ୍ପାତ କରୁଥାଏ କ୍ଷିତୀଶ ପରିଡା । ନାଁ ତାର କାହାରିକୁ ଖାତିର ଅଛି ନା ନିଜ ପରିବାରର ଇଜ୍ଜତ ବିଷୟରେ ଚିନ୍ତା ? ବାପ ଜେଜେ ଯେଉଁ ଇଜ୍ଜତ ଟିକକ କମେଇଥିଲେ ତାକୁ ଧୂଳିସାତ କରିବାରେ ଲାଗିଛି ।


*******


-"ଅନୁ ... ଅନୁ ..... କଲେଜ ଯିବୁନି ...?"

-"ହଁ..ହଁ.. ଟିକେ ରହିଯାଅ... ମୁଁ ରେଡି ହେଉଛି ...." ଘର ଭିତରୁ ଝିଅଟିଏ ଜବାବ ଦେଲା । ଗାଁର କଲେଜ ପଢୁଆ ଝିଅ । ସବୁଦିନ ସାଙ୍ଗ ହେଇ ଏମାନେ କଲେଜ ଯାଆନ୍ତି । ଯେଉଁ ଝିଅଟିକୁ ଅନ୍ୟମାନେ ଡାକିବାକୁ ଆସିଛନ୍ତି, ଏବେ ତା' ଉପରେ ଟିକେ ଆଲୋଚନା କରିବା ।


ଝିଅଟିର ନାଁ ଅନୁ... ଅନୁପମା ମିଶ୍ର । ସାଙ୍ଗିଆରୁ ଆପଣ ମାନେ ଜାଣି ସାରିବେଣି ଯେ ସେ ଜଣେ ବ୍ରାହ୍ମଣ ଘରର ଝିଅ । କଲେଜରେ ସିନା ପାଠ ପଢୁଛି ହେଲେ ବଡ଼ ଦୁଃଖୀ ଝିଅଟିଏ । ପିଲାଟି ଦିନରୁ ମା' ବାପାକୁ ହରେଇଛି । ବାପା ମା' ଚାଲିଯିବା ପରେ ତାର କେହି ସାହା ଭରଷା ନଥିଲେ । ତେଣୁ ତା' ମାମୁଁ ତାକୁ ନିଜ ଘରକୁ ନେଇ ଆସିଲେ । ଆଉ ସେଇଦିନଠୁ ଅନୁ ମାମୁଁଘରେ ରହି ପାଠ ପଢୁଛି । ହେଲେ ତା' ଜୀବନଟା ଏତେ ସହଜ ଓ ସରଳ ନୁହେଁ । ତା' ମାଇଁ ତାକୁ ଦେଖି ସହି ପାରନ୍ତିନି । ସବୁବେଳେ ତାକୁ ଗଞ୍ଜଣା ଦିଅନ୍ତି । ନୀରୀମାଖି ଝିଅ ସେ । କର୍ମ ଆଦରି ପଡି ରହିଛି । ଦୁଃଖ ଯାତନା ସହି ପାଠ ପଢୁଛି । ଏବେ ତାର +୩ ଦ୍ୱିତୀୟ ବର୍ଷ ହେଲା ।

-"କିଲୋ ଆଉ କେତେ ଡେରି କରିବୁ...? ତୁ ଥା ... ଆମେ ଯାଉଛୁ ... ତୁ ପଛରେ ଯିବୁ ।" ଦାଣ୍ଡରେ ଝିଅ ଗୁଡା ଅପେକ୍ଷା କରି କରି ବ୍ୟସ୍ତ ହେଇ କହିଲେ ।

-"ନାଇଁ...ନାଇଁ.. ଏଇ ସଇଲା... ରୁହ ମୁଁ ବାହାରିଲି ... ତମେ ଚାଲିଗଲେ ସେ ପରିଡା ଟୋକା ମତେ ଆଉ ରଖିବନି...କମେଣ୍ଟରେ ପୋତି ପକେଇବ ...।" ଘରୁ ବହି ଖାତା ଧରି ବାହାରି ଆସିଲା ଅନୁପମା ।


ସେମାନେ ସମସ୍ତେ କଲେଜ ଆଡେ ପାଦ ବଢ଼େଇଲେ । ଗାଁରୁ କଲେଜ ଅବଶ୍ୟ ବେଶୀ ଦୂର ନୁହେଁ, ମାତ୍ର ୨ କିମି । କିନ୍ତୁ ଏତିକି ବାଟ ଅତିକ୍ରମ କରିବାକୁ ଗାଁ ଝିଅ ମାନଙ୍କୁ ବଡ଼ ଚିନ୍ତା ହେଇଥାଏ । କାହିଁକି ନା ବାଟରେ ସେ ଛକଟା ପଡିବ । ଯେଉଁଠି କ୍ଷିତୀଶ ପରିଡା ଆଉ ତା' ସାଙ୍ଗ ମାନେ ଖଟି କରନ୍ତି । ଛକଟା ପାର ହେଇଗଲେ ଆଉ ଚିନ୍ତା ନାହିଁ । ଝିଅ ମାନଙ୍କ ଭିତରୁ ଜଣେ ଅନୁପମାକୁ ପଚାରିଲା -"ଆଲୋ ଅନୁ... ତୁ କହୁଥିଲୁ ସେ ପରିଡା ଟୋକା ତତେ କମେଣ୍ଟରେ ପୋତି ପକେଇବ ...? ସେ କୋଉ ଦିନ ତତେ କମେଣ୍ଟ କରିଛି ନା କଣ ...?"

-"ନାଇଁ ... ମୁଁ କଣ କୋଉ ଦିନ ସେ ଛକ ବାଟେ ଏକୁଟିଆ ଯାଇଛି କି ? ଆଛା ପାର... କହିଲୁ ଏ ଟୋକା ମାନେ ଆମ ଝିଅ ମାନଙ୍କୁ ଏମିତି କମେଣ୍ଟ କାହିଁକି କରନ୍ତି ? କଣ ମିଳେ ସେମାନଙ୍କୁ ?"

-"କେଜାଣି ଲୋ ମା... ମୁଁ ଜାଣିନି ... ହେଲେ ବେଳେ ବେଳେ ସେମାନଙ୍କ କମେଣ୍ଟ ଶୁଣିବାକୁ ଭଲ ଲାଗେ ...।"


ପାର କଥା ଶୁଣି ତାକୁ ବଡ଼ ବଡ଼ ଆଖିରେ ଚାହିଁଲା ଅନୁ - "କଣ କିଲୋ ତୋର ସେ ପରିଡା ଟୋକା ସହ ଭାବ ହେଇଗଲା ନା କଣ ? ତାକୁ ବାହା ହେବୁ କି...?" ଜୋରରେ ହସି ଉଠିଲା ଅନୁ ।

-"ଯାଉନୁ... ସେ ବାତେରା ଛତରାଟାକୁ କିଏ ବାହା ହେବ ...? ମୋର କି ଗରଜ ପଡିଛି ତା' ସହ ଭାବ ଲଗେଇବି...? ଏମିତି ମଜାରେ କହି ଦେଲି ନା...।"

ତା' କଥା ଶୁଣି ସମସ୍ତେ ହସି ଉଠିଲେ । ଏମିତି ଏମିତି ସମୟ ଗଡିଚାଲେ ।

ଦିନକର କଥା । ସେଦିନ ଅନୁ ବାହାରିଲା କଲେଜ । ହେଲେ ତା' ସାଙ୍ଗମାନେ ତା' ସହ ନଥାନ୍ତି । ଏକୁଟିଆ ଚାଲି ଚାଲି ସେ କଲେଜ ଯିବ । ତାର ଚିନ୍ତା ବଢିଗଲା । କେମିତି ସେ ଛକ ପାର ହେବ । ତଥାପି ମନରେ ସାହସ ବାନ୍ଧି ସେ ପାଦ ଆଗକୁ ବଢ଼ାଇଲା । ଛକ ପାଖରେ ପହଞ୍ଚିଲା ବେଳକୁ ତା' ଛାତି ଜୋରରେ ଧକ ଧକ ହେଉଥାଏ । ଦେହ ମୁହଁ ଝାଳେଇ ଗଲା । ଭାରି ଡର ଲାଗୁଥାଏ । ସେ ତଳକୁ ମୁହଁ ପୋତି ତରତର ହେଇ ଆଗକୁ ବଢିଗଲା । ଛକଟା ପାର ହେଇ ସେ ଶାନ୍ତିରେ ନିଶ୍ୱାସ ନେଲା । ଯାହା ହେଉ ବଞ୍ଚିଗଲା ମଣିଷ । ତାକୁ କେହି କମେଣ୍ଟ କରି ନାହାନ୍ତି । ସେ ଆଶ୍ଚର୍ଯ୍ୟ ହେଉଥିଲା । ଆଜି ସେ ଏକୁଟିଆ ଥିଲା, ତେବେ ବି କେହି ତାକୁ କମେଣ୍ଟ କଲେନି ? ତାହେଲେ ସେ ଆଗରୁ ଯାହା ଶୁଣିଥିଲା ସେ ସବୁ କଣ ମିଛ ? ତେବେ ସେ କଥା ସତ ହେଉ କି ମିଛ ହେଉ କିନ୍ତୁ ସେ ଯେ ଆଜି ତ୍ରାହି ପାଇଯାଇଛି ଏଇଟା ଏକଦମ ସତ ।


ଧୀର ପଦକ୍ଷେପରେ ଚାଲିଥିଲା ଅନୁ । ହଠାତ କାହାର ପାଦ ଶବ୍ଦରେ ସେ ପଛକୁ ବୁଲି ଚାହିଁଲା । ଦେଖିଲା, କ୍ଷିତୀଶ ପରିଡା ତାକୁ ପିଛା କରୁଛି ।ତାକୁ ଲାଗିଲା କି ତାର ହୋସ ଉଡିଯିବ । ସେ ଖୁବ ଡରିଗଲା । ମନେ ମନେ ଭାବିଲା ସେ ପରିଡା ଟୋକା ମନରେ କିଛି ଦୂରଭିସନ୍ଧି ନାହିଁତ ? କାହିଁକି ସେ ତାର ପିଛା କରୁଛି ? ଵେଗି ବେଗି ପାଦ ପକେଇ ଆଗକୁ ବଢିବାକୁ ଲାଗିଲା। କିଛି ବାଟ ଯାଇ ସେ ପୁଣି ପଛକୁ ଚାହିଁ ନିଜ ବେଗକୁ ଆଉ ଟିକେ ବଢ଼େଇଲା । ତ୍ରସ୍ତା ହରିଣୀ ପରି କିଛି ବାଟ ଯାଉଥାଏ ପୁଣି ପଛକୁ ବୁଲି ଚାହୁଁଥାଏ । ହେଲେ କ୍ଷିତୀଶ ପରିଡା ତାକୁ ଅବିଚଳିତ ଭାବେ ପିଛା କରୁଥିଲା । ଏଥର ଅନୁ ଆଉ କିଛି ଉପାୟ ନପାଇ ଦୌଡିବାକୁ ଆରମ୍ଭ କଲା । ଆଉ ଭୁଲରେ ବି ପଛକୁ ବୁଲି ଚାହିଁଲା ନାହିଁ । କିଛି ବାଟ ଗଲା ପରେ ସେ ଧଇଁସଇଁ ହେଇଗଲା । ଆଉ ଦୌଡ଼ି ନପାରି ରାସ୍ତା କଡ଼ ଏକ ବୁଦା ମୂଳେ ଛପି ଗଲା ।


କିଛି ସମୟ ଗଲା ପରେ ସେ ବୁଦା ଭିତରୁ ବାହାରି ଆସି ଚାରି ଆଡେ ଚାହିଁଲା । ନା.. କେହି ନାହିଁ । ସେ ପୁଣି ଚାଲିବାକୁ ଆରମ୍ଭ କଲା । ଦି ଖୋଜ ଯାଇଛି କି ନାହିଁ ତା' ଆଗରେ କ୍ଷିତୀଶ ପରିଡାକୁ ଠିଆ ହେଇଥିବାର ଦେଖିଲା । ଏବେ ସେ କଣ କରିବ ? ଚାରିଆଡେ ଚାହିଁଲା । ହେଲେ ସେ ୨ ଜଣଙ୍କୁ ଛାଡି ସେଠାରେ ଆଉ କେହି ବି ନଥିଲେ । ଗୋଟାପଣେ ଝାଳରେ ଗାଧେଇ ପଡିଲା ଅନୁ । ପାଟି ଖନି ବାଜିଗଲା । ସେ ଥର ଥର କଣ୍ଠରେ କହିଲା-"ଦେଖ ...ମୁଁ ସେମିତିଆ ଝିଅ ନୁହେଁ...ମତେ ଛାଡିଦିଅ ।"


କ୍ଷିତୀଶ ପରିଡା ତା' ମୁହଁକୁ ଚାହିଁଲା ଆଉ କିଛି ନକହି ଏକ ପେନ ତା' ଆଡେ ବଢ଼େଇ ଦେଲା । ଅନୁ ଦେଖିଲା ସେ ପେନକୁ...ଆରେ ଏଇଟା ତ ତା' ପେନ । କୋଉଠି ପଡି ଯାଇଥିଲା ? କ୍ଷିତୀଶ ହାତରୁ ପେନଟା ଆଣିଲା ପରେ ସେ ବାଟ ଭାଙ୍ଗି ଚାଲି ଗଲା ନିଜ ରାସ୍ତାରେ । ଅନୁ ଚାହିଁ ରହିଥିଲା ତା' ଯିବା ବାଟକୁ ଆଉ ଭାବୁଥିଲା -" ଲୋକମାନେ କ୍ଷିତୀଶ ବିଷୟରେ ଯାହା କହୁଛନ୍ତି ସେଇଟା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ... ଏବେ ବି ତା' ହୃଦୟରେ ମଣିଷ ପଣିଆ ବଞ୍ଚି ରହିଛି ... ନହେଲେ ତାର କି ଗରଜ ପଡିଥିଲା ସାମାନ୍ୟ ପେନକୁ ନେଇ ଏତେ ବାଟ ତା' ପଛରେ ଧାଇଁ ଆସିବା ଆଉ ଶବ୍ଦଟେ ନକହି ଚୁପଚାପ ଚାଲିଯିବା ? ସେ ତ ଚାହିଁଥିଲେ ତାକୁ ଛକରେ କମେଣ୍ଟ ମାରି ପାରିଥାନ୍ତା ... ଆଉ ଏଠି ତା' ସହ କିଛି ବି କରି ପାରିଥାନ୍ତା । ହେଲେ ସେ ସେପରି କିଛି କଲାନି । ଓଲଟା ଶାନ୍ତ ସୁଧାର ପିଲା ପରି ପେନଟା ଦେଇ ଚାଲିଗଲା । ହେଇ ପାରେ କୁସଙ୍ଗରେ ପଡି ସେ କିଛି ଖରାପ ଅଭ୍ୟାସ ଆପଣେଇ ନେଇଛି, ହେଲେ ଜଣେ କେହି ସଠିକ ଦିଗ୍ଦର୍ଶନ ଦେଲେ ହୁଏତ ସୁଧୁରି ଯାଇ ପାରେ । କିନ୍ତୁ ସେ ଜଣକ କିଏ...?"


ବଦଳିଗଲା ଅନୁପମାର କ୍ଷିତୀଶ ପ୍ରତି ଚିନ୍ତାଧାରା । ଏ ଘଟଣା ପରେ ଛକ ବାଟେ ଏକୁଟିଆ ଯିବାକୁ ଆଉ ତାକୁ ଡର ଲାଗିଲା ନାହିଁ । ଆଉ ଝିଅଙ୍କ ମେଳରେ ଯିବା ବେଳେ ଅନ୍ୟମାନେ ଶୀଘ୍ର ପାଦ ପକେଇ ଛକକୁ ପାରି ହେବା ପାଇଁ ଚେଷ୍ଟା କଲାବେଳେ ଅନୁର ପାଦ ଧିମେଇ ଯାଏ । ସେ କଣେଇ କଣେଇ କ୍ଷିତୀଶକୁ ଦେଖିବାକୁ ଚେଷ୍ଟା କରେ । ସେଇପରି କ୍ଷିତୀଶ ବି ସାଙ୍ଗଙ୍କ ସହ ମସ୍ତି କରୁ କରୁ ଅନୁକୁ ଦେଖି ଚୁପ ହେଇ ଯାଏ । ବୋଧହୁଏ ଦୁହିଁଙ୍କ ଅଜାଣତରେ ସେମାନଙ୍କ ହୃଦୟରେ ପ୍ରେମର ପ୍ରଥମ ବୀଜ ବପନ ହେଇସାରିଥିଲା । ଆଉ ଧୀରେ ଧୀରେ ସେ ବୀଜଟି ଅଙ୍କୁରିତ ହେବାରେ ଲାଗିଥିଲା ।


ଅନୁପମା କ୍ଷିତୀଶକୁ ନିଜ ମନରେ ସ୍ଥାନ ଦେଇ ସାରିଥିଲା । ହେଲେ ଏ କଥାର ଟେର କେହି ପାଇ ନଥିଲେ । ସେ ଭରସି କରି କାହାକୁ କହି ପାରୁ ନଥିଲା । କେମିତି ବା କହିବ ? ଆଉ କଣ କହିବ ? ଏଇୟା କହିବ କି ସେ ଛତରା ବାତେରା ପରିଡା ଟୋକାକୁ ଭଲ ପାଉଛି ଆଉ ତାକୁ ବାହା ହେବାକୁ ଚାହୁଁଛି ? ଲୋକେ ତ ଲୋକେ... ତା' ସାଙ୍ଗ ସାଥି ବି ତାକୁ ଛି ଛାକର କରିବେ । ତା' ପରି ଏତେ ସୁନ୍ଦର ଝିଅର ଟେଷ୍ଟ ଏତେ ଖରାପ ବୋଲି ସମସ୍ତେ ଟାହି ଟାପରା କରିବେ । ସେଥିପାଇଁ ସେ କାହାକୁ କିଛି ନକହି କ୍ଷିତୀଶକୁ ଭଲ ମଣିଷରେ ପରିବର୍ତ୍ତନ କରିବାକୁ ନିଜ ମନରେ ଠାଣି ନେଲା । ଆଉ ଭାବିବାକୁ ଲାଗିଲା ସେ ଏମିତି କିଛି କରିବ କି ଯେଉଁମାନେ କ୍ଷିତୀଶକୁ ଖରାପ ବୋଲି କହୁଛନ୍ତି ଦିନ ଆସିବ ସେମାନେ ତାର ପ୍ରଶଂସା କରିବେ ।


ହେଲେ ସେ କଣ କରିବ ? କଣ କଲେ କ୍ଷିତୀଶ ପରିବର୍ତ୍ତନ ହେବ ? ସେ ଶୁଣିଥିଲା ପ୍ରତି ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ । ତେବେ ସେ କଣ କ୍ଷିତୀଶ ପଛରେ ରହି ତାକୁ ସଫଳ କରେଇବ ? ହଁ ... କାହିଁକି ନୁହେଁ ? ନାରୀ ଅସୀମ ଶକ୍ତିର ଭଣ୍ଡାର । ସେ ଚାହିଁଲେ ସୃଷ୍ଟି କରିପାରେ ଅବା ଧ୍ୱଂସ କରିପାରେ । ତେଣୁ ସେ କାହିଁକି ପାରିବନି, ନିଶ୍ଚୟ ପାରିବ । କ୍ଷିତୀଶକୁ ଭଲ ବାଟକୁ ଆଣି ସେ ଦେଖେଇ ଦେବ ।


ଛକରେ ବାତେରା ଟୋକାଙ୍କର ଖଟି ଚାଲିଥାଏ । ସେହି ମାନଙ୍କ ଭିତରୁ ଜଣେ କହି ଉଠିଲା-"ଏ କ୍ଷିତୀଶ... ଦେଖ ଦେଖ ସେ ମିଶ୍ର ଘର ଝିଅ କଣ ଆମ ଆଡେ ମାଡି ଆସୁଛି ? ତାର ଡର ଭୟ କିଛି ନାହିଁନା କଣ ?" କ୍ଷିତୀଶ ମୁହଁ ଉଠେଇ ଚାହିଁଲା । ଦେଖିଲା ଅନୁ ବଡ଼ ନିର୍ଭୟ ଚିତ୍ତରେ ତାରି ଆଡେ ଆସୁଛି ।

ହାତରେ ବିଡିଟା ଧରିଥିଲା କ୍ଷିତୀଶ । ନିଆଁଟା ଲଗେଇ ଦି ସୋଠା ଖଣ୍ଡେ ଟାଣିଛି ନାହିଁ ଅନୁକୁ ଦେଖି ତାକୁ ତଳେ ପକେଇ ଦେଲା । ଅପଲକ ନୟନରେ ସେ ଅନୁକୁ ଚାହିଁ ଭାବୁଥିଲା ମାନିବାକୁ ପଡିବ ଏ ଝିଅର ସାହସକୁ । ହରିଣୀ ହେଇ ବାଘ ଗୁମ୍ଫାରେ ପଶିବାକୁ ସାହସ କରି ପାରୁଛି । ଅନୁ ସିଧା ଆସି କ୍ଷିତୀଶ ପାଖରେ ପହଂଚି ତାକୁ କହିଲା-" କ୍ଷିତୀଶ ଭାଇ... ମୋର ତୁମ ସହ କିଛି କଥା ଅଛି । ମୋ ସହ ଟିକେ ଆସିବ ?" ଟୋକା ଗୋଷ୍ଠୀ ମଧ୍ୟରେ ହଇଚଇ ସୃଷ୍ଟି ହେଇଗଲା ଅନୁର ଏ ଆଚରଣ ଦେଖି । ସମସ୍ତେ ଆଁ କରି ଚାହିଁ ରହିଥିଲେ ଅନୁକୁ ।


କ୍ଷିତୀଶ ଉଠିଯାଇ ଅନୁ ସହ କିଛି ଦୂର ଗଲା ପରେ ପଚାରିଲା-" ମୋ ସହ ତୋର କି କାମ ? ମୁଁ ଦେଖୁଛି ତୋର ସାହସ କିଛି କମ ନୁହେଁ ? ଗାଁର କୋଣସି ଝିଅ ମୋ ଆଗକୁ ଆସିବାକୁ ଡ଼ରିଲା ବେଳେ ତୁ ମୋ ଆଡ଼ଡାକୁ ଆସି ମୋ ସହ କଥା ହେବାକୁ ସାହସ କରି ପାରୁଛୁ ?"

-"Because I Love You...."

ଅନୁର ଏଇ କଥା କେତୋଟି ଶୁଣିବା ପରେ କ୍ଷିତୀଶକୁ ଲାଗିଲା ତା' ଦେହରେ ଯେପରି ୪୪୦ ଭୋଲ୍ଟ ର କରେଣ୍ଟ କେହି ଚାର୍ଜ କରି ଦେଇଛି । ସେ ଚମକି ଉଠିଲା । ସେ ଯାହା ଶୁଣିଲା ସେଇଟା ଠିକ ତ ? କଥାଟାକୁ କନଫର୍ମ କରିବା ପାଇଁ ସେ ଅନୁକୁ କହିଲା-"କଣ କହିଲୁ ? ଆଉ ଥରେ କହ ତ ?"

-"ମୁଁ ତୁମକୁ ଭଲ ପାଏ ।"

-" ଦେଖ୍ ଅନୁ... ତତେ ଦେଖିବା ପରଠୁ ମୁଁ ବି ତତେ ମନେ ମନେ ପସନ୍ଦ କରୁଛି । ହେଲେ ତୁ ବି ମତେ ଭଲ ପାଉଛୁ ବୋଲି ଜାଣି ନଥିଲି । ଏବେ କିନ୍ତୁ ତତେ ଏ ରାସ୍ତାରେ ଯିବାକୁ ମୁଁ ନିଶ୍ଚୟ ବାରଣ କରିବି । ମୋ ପରି ଜଣେ ବଦ୍ନାମ ପୁଅକୁ ଭଲ ପାଇ ତୁ କିଛି ପାଇବୁନି । ବରଂ ନିନ୍ଦା ଅପବାଦକୁ ମଥାରେ ଧରି ବୁଲିବୁ ।"

-"ମୁଁ କିଛି ଭୁଲ କରୁନି । ଲୋକଙ୍କର ଧାରଣାକୁ ମୁଁ ବଦଳେଇବାକୁ ଚାହେଁ । ତମେ ଯେ ଖରାପ ମଣିଷ ନୁହେଁ ଏ କଥାକୁ ମୁଁ ପ୍ରମାଣିତ କରିବାକୁ ଚାହେଁ । କୁହ କ୍ଷିତୀଶ ଭାଇ ତମ ଉପରେ ମୁଁ ଯେଉଁ ଭରଷା କରିଛି, ତାକୁ କଣ ତମେ ଭୁଲ ବୋଲି ପ୍ରମାଣିତ କରିଦେବ ?"


କ୍ଷିତୀଶ ଚାହିଁଲା ଅନୁର ମୁହଁକୁ । ସେ ମୁହଁରେ ସେ ଦେଖୁଥିଲା ନିଜ ଭବିଷ୍ୟତକୁ । ଏ ଯାଏ କେହି ତା' ଉପରେ ଏମିତି ଅଧିକାର ଜମେଇ ନଥିଲେ । ଅନୁର ଦୃଢ଼ତା ଦେଖି ସେ ହେଇଗଲା ନାଚାର । ସେଇଠି ତା' ହାତରେ ହାତ ରଖି ଶପଥ କଲା ... ସେ ବଦଳିବ । ବଦନାମ ପିଲାରୁ ସୁନା ପିଲା ହେବ । ଅନୁ ଓଠରେ ଫୁଟିଥିଲା ହସ । ସେ ନିର୍ଭର ପ୍ରତିଶୃତି ପାଇ ଫେରିଗଲା ନିଜ ଘରକୁ ।


ତା' ପରଦିନ ବଦଳିଗଲା ସବୁକିଛି । କ୍ଷିତୀଶ ସତ ସତିକା ସୁନା ପିଲା ହେଇଗଲା । ବାନା ବାତେରା ଗୋଷ୍ଠୀଠୁ ଦୁରେଇ ଗଲା । ନିଜ ସମ୍ପତ୍ତି ବାଡ଼ିର ଦେଖାରଖାର ଦାଇତ୍ୱ ନେଲା । କାଟିଦେଲା ଦାଢ଼ି .. ଫିଙ୍ଗିଦେଲା ବିଡି... ଛାଡିଦେଲା ମଦ । ତାକୁ ଡରୁଥିବା ଝିଅ ଗୁଡା ବହୁତ ଖୁସି ହେଲେ । ସବୁଠାରୁ ବେଶୀ ଖୁସି ହେଲା ଅନୁ । କ୍ଷିତୀଶ ପ୍ରତି ତାର ଭଲ ପାଇବା ଆହୁରି ବଢିଗଲା । ଗାଁ ଲୋକେ ଆଶ୍ଚର୍ଯ୍ୟ ହେଲେ । ଏମିତିକା ଚମତ୍କାର କେମିତି ହେଲା । କିଏ କହିଲା ଗୋଟେ ଝିଅ ଏ କମାଲ କରିଛି । ତା' ଭଲ ପାଇବାର ଶକ୍ତି କ୍ଷିତୀଶ ପରି ବାନା ବାତେରାକୁ ଘରୁଆ ପୁଅ କରିଦେଇଛି । ହେଲେ ସେ ଝିଅଟି କିଏ ସେ ବିଷୟରେ କାହା ପାଖରେ କିଛି ଖବର ନଥିଲା । ଅବଶ୍ୟ କେହି ଜାଣିବା ଶୁଣିବା ପିଲା ଖବର ଉଡ଼େଇଲେ କି ସେ ଝିଅଟି ମିଶ୍ର ଘର ଝିଅ ଅନୁପମା । ହେଲେ ଗାଁ ଲୋକେ ସେମାନଙ୍କ କଥାରେ ପରତେ ଯାଉ ନଥିଲେ ।


କିଛି ଦିନ ବିତିଗଲା । କ୍ଷିତୀଶର ବୁଢ଼ୀ ମା' ବହୁତ ଖୁସି ଥିଲା । ତା' ପୁଅ ବାଟକୁ ଆସିଛି । କୋଇଲା ମୁଣ୍ଡାଟା ହୀରା ପାଲଟି ଯାଇଛି । ହେଲେ ଏ ସବୁ ପଛରେ ଥିବା ଅସଲ ପରଶ ମଣିର ସନ୍ଧାନ ସେ ପାଉ ନଥିଲା । ତଥାପି ସେ ଅନୁମାନ କରୁଥିଲା କେହି ଜଣେ ଝିଅ ତା' ପୁଅକୁ ବଦଳେଇ ଦେଇଛି । ବୁଢ଼ୀର ଚିନ୍ତା ଦୂର ହେଇଯାଇଥିଲା । ଏତେଦିନ ଧରି ସେ ପୁଅ ବାହାଘର କରିବ ଯେଉଁ ହନ୍ତସନ୍ତ ହେଉଥିଲା ସେଥିରୁ ତାକୁ ମୁକ୍ତି ମିଳି ଯାଇଥିଲା । ସେ ଜାଣିଥିଲା ତା' ପୁଅକୁ ଯିଏ ଭଲ ବାଟକୁ ଆଣିଛି ସେ ନିଶ୍ଚୟ ଦିନେ ତା' ଘରକୁ ବୋହୁ ହେଇ ଆସିବ ।


ଦିନେ ବୁଢ଼ୀ କ୍ଷିତୀଶକୁ ପାଖକୁ ଡାକି କହିଲା -"ବାପରେ ... ମୋର ଗୋଟାଏ କାମ କରିଦେବୁ ।"

-"କି କାମ ବୋଉ ...?"

-"ଏଇ ମୁଦିଟା ମୁଁ ତୋ ସ୍ତ୍ରୀ ମାନେ ମୋ ବୋହୁ ପାଇଁ ରଖିଥିଲି । ଏବେ ତୁ ତ ଭଲ ପିଲା ହେଇଗଲୁ... ତୋ ବାହାଘର ନିଶ୍ଚୟ ହେବ । ମୁଦିଟା ପୁରୁଣା ହେଇ ଗଲାଣି । ମଳି ଜମି ଅସନା ଦେଖା ଯାଉଛି । ତୁ ବଜାରକୁ ନେଇ ଏଇଟିକୁ ସଫା କରି ଆଣିବୁ କି ... ମୋ ବୋହୁ ଆସିଲେ ପିନ୍ଧିବ ।"

-"ହଉ ବୋଉ...।"


କ୍ଷିତୀଶ ମୁଦି ନେଇ ସେଦିନ ବଜାରକୁ ଯାଇ ସଫା କଲା । ଫେରିଲା ବେଳକୁ ବେଳ ରତ ରତ । ବାଟରେ ଅନୁ ସହ ଦେଖା ହେଲା । ସେ କଲେଜରୁ ଫେରୁଥାଏ । ସାଙ୍ଗରେ ଆଉ କେହି ନଥାନ୍ତି । ଅନୁ ପଚାରିଲା କ୍ଷିତୀଶ କୁ -" କୁଆଡେ ଯାଇଥିଲ ?"

ହସି ଦେଲା କ୍ଷିତୀଶ । ମୁଦିକୁ ଦେଖେଇ କହିଲା-" ଏଇଟିକୁ ସଫା କରିବା ପାଇଁ ବଜାର ଯାଇଥିଲି ।"

-"କାହା ମୁଦି ସେ ? ବହୁତ ସୁନ୍ଦର ହେଇଛି ।"

-" ଆମ ଘରକୁ ଯିଏ ବୋହୁ ହେଇ ଆସିବ, ସେ ପିନ୍ଧିବ ।"

-"ଦେଖି ଦେଖି..." କ୍ଷିତୀଶ ପାଖରୁ ମୁଦିଟା ନେଇ ନିଜ ଆଙ୍ଗୁଠିରେ ପିନ୍ଧିନେଲା । ମୁଦିଟା ପୁରା ଫିଟ କରିଗଲା ତା' ଆଙ୍ଗୁଠିକୁ । କ୍ଷିତୀଶ ହସି ଦେଇ କହିଲା-" ଆରେ ବା... ମୁଦି ବି ଜାଣି ଗଲାଣି ତା' ଅସଲି ମାଲିକାଣୀ କିଏ ? ଦେଖୁନୁ ତୋ ଆଙ୍ଗୁଠିକୁ କେମିତି ଫିଟ ହେଇଗଲା ?" ଦୁହେଁ ହସି ଉଠିଲେ । ଅନୁ ମୁଦି ଓହ୍ଲାଇ ଫେରାଇବାକୁ ଯାଉଥିବା ବେଳେ କ୍ଷିତୀଶ ତାକୁ ମନା କଲା ଆଉ କହିଲା ତୋ ହାତରେ ଏଇଟା ଥାଉ ତୋ ହାତକୁ ବେଶ ଭଲ ମାନୁଛି । ତା' ପରେ କାଳେ କିଏ ସନ୍ଦେହ କରିବ ବୋଲି ଦୁହେଁ ଅଲଗା ଅଲଗା ରାସ୍ତାରେ ଘରକୁ ଫେରିଲେ ।


ସେହିଦିନ ରାତି ୯ଟା ଖଣ୍ଡେ ହେବ । କ୍ଷିତୀଶ ଖାଇସାରି ରେଷ୍ଟ ନେବାକୁ ଯାଉଛି । ଅନୁର ସାଙ୍ଗ ପାର ତା' ପାଖକୁ ଆସିଲା । ଏତେ ରାତିରେ ତାକୁ ଆସିବାର କାରଣ ପଚାରିବାରୁ ସେ କହିଲା-" ତମ ମୁଦି ଅନୁର ଜୀବନରେ ଝଡ଼ ସୃଷ୍ଟି କରିଛି । ତମକୁ ସେ ଭଲ ପାଉଛି ବୋଲି ତାଙ୍କ ଘରେ ଆଗରୁ ସନ୍ଦେହ କରୁଥିଲେ । ହେଲେ କିଛି ପ୍ରମାଣ ନଥିବାରୁ କିଛି କହି ପାରୁ ନଥିଲେ । କିନ୍ତୁ ଏବେ ମୁଦି ଦେଖି ତାଙ୍କ ସନ୍ଦେହଟା ସତ ବୋଲି ଧରିନେଇଛନ୍ତି । ତାକୁ ଖୁବ ବାଡାପିଟା କରିଛନ୍ତି । ସେ ଲୁଚି ଘରୁ ପଳେଇ ଆସି ଆମ ଘରେ ଅଛି । ସେ ତମକୁ ଖୋଜୁଛି । ତମେ ଯଦି ତାର ସାହାରା ନ ହେବ ତେବେ ସେ ଆତ୍ମହତ୍ୟା କରିଦେବ ବୋଲି କହୁଛି ।"


ପାର କଥା ଶୁଣି କ୍ଷିତୀଶ ଧାଇଁଲା ଅନୁ ପାଖକୁ । ତାକୁ ସେ ସାନ୍ତ୍ୱନା ଦେଲା । ଆଉ ଘରକୁ ଫେରି ଯିବାକୁ କହିଲା । କିନ୍ତୁ ସେ ଘରକୁ ଫେରିବାକୁ ମନା କଲା । କ୍ଷିତୀଶ ତାକୁ ସାଥିରେ କୁଆଡେ ନେଇ ଯାଉ ବୋଲି ଜିଦ ଧରି ବସିଲା । ହେଲେ କ୍ଷିତୀଶ ତାକୁ କେମିତି ସାଙ୍ଗରେ ନେବ ? ଅନୁର ବାହାହେବା ବୟସ ହେଇନି, ୧୮ ପୁରିବାକୁ ଆହୁରି ମାସେ ବାକି । ଏବେ ନେଇ ତାକୁ ବାହା ହେଲେ ପୋଲିସ କେଶ ହେଇଯିବ । ତେବେ କିଛି ଗୋଟେ କରିବାକୁ ପଡିବ । ମାସକ ପାଇଁ ଅନୁକୁ କେଉଁଠି ଲୁଚେଇ ରଖିବାକୁ ପଡିବ । ଏଇ କଥା ଭାବି ସେ ଅନୁର ଗେଟଅପ ଚେଞ୍ଜ କରି ପୁଅ ବେଶରେ ତାକୁ ନେଇ ପାଖ ସହରକୁ ଚାଲିଗଲା । ସେଠି ଏକ ହୋଟେଲ ରୁମ ଭଡା ନେଇ ତାକୁ ରଖିଲା ଆଉ ନିଜେ ସେଇ ରାତିରେ ଗାଁକୁ ଫେରି ଆସିଲା ।


ପରଦିନ ସକାଳେ ଗାଁରେ ଚହଳ ସୃଷ୍ଟି ହେଲା । ମିଶ୍ର ଘର ଝିଅ ଅନୁପମା ଗତ ରାତିରେ କାହା ସହ ଫେରାର ହେଇ ଯାଇଛି । ବାର ଲୋକ ବାରକଥା ଆଲୋଚନା କଲେ । କିଏ କହିଲା, ସେ ଚୁପୁତି ମୁହିଁ ପୁଣି ଏମିତିକା... ? ପକ୍କା ପୋତା ମୁହିଁ ଖଣ୍ଡେ ...ମୁହଁ ପୋତି ଚାଲିଥିବ ଯେ ରାସ୍ତାରେ ପତର ହଲୁ ନଥିବ... ସେ ପୁଣି କାହା ସହ ପଳେଇଲା ...ସେ ଟୋକାଟା କିଏ ବା ? ଆଉ କିଏ କହିଲା ହଁ କଲେଜ ଯାଇ ନଲେଜ ଶିଖିଲା ତ .. ସେ ଏମିତି କାଣ୍ଡ କରିବନି ତ ଆଉ କିଏ କରିବ ? ଆଉ ଜଣେ କହିଲା ଅନାଥ ପିଲାଟା ବୋଲି ମାମୁଁ ତାକୁ ଘରକୁ ଆଣି ଗେଲ ବସରରେ ବଢ଼େଇ କଲେଜରେ ପଢାଉଥିଲେ । ହେଲେ ଶେଷକୁ ମାମୁଁ ମୁହଁରେ ଚୂନକାଳି ବୋଳିଦେଲା । ସକାଳ ପହରୁ ଏମିତି ଆଲୋଚନାରେ ଗାଁଟା ଉଠୁଥାଏ ପଡୁଥାଏ ।


ଏଣେ ଡେରି ରାତିରେ କ୍ଷିତୀଶ ଘରକୁ ଫେରି ନିଜ ରୁମରେ ଶୋଇ ଯାଇଥିଲା । ଘର ଦୁଆରେ କାହାର ପାଟିତୁଣ୍ଡ ଶୁଣି ତା' ନିଦ ଭାଙ୍ଗିଥିଲା । ସେ ଉଠି ଦୁଆରକୁ ଆସିଲା । ଦେଖିଲା ଅନୁର ମାମୁଁ ଓ ମାମୁଁ ପୁଅ ଭାଇ ତା' ବୋଉ ସହ ଝଗଡା କରୁଛନ୍ତି ।

-"କଣ ହେଇଛି ..?" ପଚାରିଲା କ୍ଷିତୀଶ । କ୍ଷିତୀଶକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ । ସେମାନେ ଭାବିଥିଲେ ତାଙ୍କ ଅନୁ କ୍ଷିତୀଶ ସହ ଫେରାର ହେଇ ଯାଇଛି । ହେଲେ କ୍ଷିତୀଶ ଘର ଭିତରୁ ବାହାରିବା ଦେଖି ସେମାନେ ବିଶ୍ୱାସ କରି ପାରୁ ନଥିଲେ । ତଥାପି ସନ୍ଦେହ ମୋଚନ ପାଇ ତା' ମାମୁଁ କ୍ଷିତୀଶକୁ ପଚାରିଲେ- " ଅନୁ କାହିଁ...?"


ଏ ପ୍ରଶ୍ନ ଶୁଣି କ୍ଷିତୀଶ ଆଶ୍ଚର୍ଯ୍ୟ ହେବାର ମିଛ ଅଭିନୟ କରି କହିଲା -" ଅନୁ...? ମତେ ଏ ପ୍ରଶ୍ନ ପଚାରିବାର ମାନେ ? ତମ ଝିଅ କୁଆଡେ ଗଲା ସେ କଥା କଣ ମୁଁ କହିବି ?" କ୍ଷିତୀଶ ବୋଉ କହିଲା-" ସେଇ କଥା ପରା... ସେତେବେଳୁ ସେମାନେ ଆସି ମୋ ସହ ଝଗଡା କରୁଛନ୍ତି ... ତୁ କୁଆଡେ ତାଙ୍କ ଅନୁକୁ ନେଇ ପଳେଇ ଯାଇଛୁ ... ଦେଖ ମୋ ପୁଅ ତ ଏଇଠି ... ଯା ମୋ ଘର ଭିତର ଉଣ୍ଡାଳ ... ତମ ଅନୁ ଘର ଭିତରେ ଥିବ କାଳେ...?"


ଫେରି ଯାଇଥିଲେ ସେମାନେ । ଅନୁର ମାମୁଁ ପୁଅ ଭାଇ କହିଥିଲା କି ପୋଲିସ କେଶ କରିବା ପାଇଁ । ହେଲେ ତା' ମାମୁଁ ମନା କଲେ । ପୋଲିସ କେଶ କଲେ ଘରର ବଦ୍ନାମ ହେବ । ଯିଏ ଯାଇଛି ସେ ଯାଉ ... ତା' ସହ ଆମର ଆଉ କିଛି ସମ୍ପର୍କ ନାହିଁ । ଏ କଥା ଶୁଣିବା ପରେ କ୍ଷିତୀଶ ଆଶ୍ୱସ୍ଥ ହେଲା । କିନ୍ତୁ ଅନୁକୁ ସେ ହୋଟେଲ ରୁମରେ କେତେଦିନ ରଖିବ ? ତେଣୁ ସେ ଭୁବନେଶ୍ୱରେ ରହୁଥିବା ଏକ ସମ୍ପର୍କୀୟଙ୍କ ଘରେ ତାର ରହିବା ବନ୍ଦୋବସ୍ତ କଲା ।


ମାସକ ପରେ ଦିନେ ଗାଁଟା ବାଜା ବାଣ ରୋଷଣିରେ କମ୍ପିଲା । କଥା କଣ କଥା କଣ ବୁଝୁ ବୁଝୁ ଜଣା ପଡିଲା ପରିଡା ଟୋକା ବାହା ହେଇ ଆସିଛି । ସେ ଝିଅଟି କିଏ ବୋଲି ଗାଁ ଲୋକଙ୍କର ଜାଣିବାକୁ ଆଗ୍ରହ ହେଲା । ସମସ୍ତେ ଆସି ତାଙ୍କ ଘରେ ଭିଡ଼ ଜମେଇଲେ । ପରିଡା ବୁଢ଼ୀ ପୁଅ ବୋହୁଙ୍କୁ ବନ୍ଦାପନା କରି ଘର ଭିତରକୁ ନେଲା । ତା' ପରେ ସାହି ଭାଇ ମାଇପେ ବୋହୂର ଓଢଣା ଟେକି ମୁହଁ ଦେଖିଲେ... ବୋହୁ ଆଉ କେହି ନୁହେଁ ସେ ମିଶ୍ର ଘର ଝିଅ 'ଅନୁପମା' ।



Rate this content
Log in

Similar oriya story from Drama