Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଲକ୍ଷ ବିହଙ୍ଗ - ୧
ଲକ୍ଷ ବିହଙ୍ଗ - ୧
★★★★★

© Chakradhar Biswal

Classics

3 Minutes   157    7


Content Ranking

କିଶୋରୀ ଚରଣ ଦାସ

ତାଙ୍କ ଶାଢ଼ୀରେ ଲକ୍ଷ ବିହଙ୍ଗର ଶୋଭା ।

ବିହଙ୍ଗମାନେ ଉନ୍ନୁଖ ଓ ସୁନ୍ଦର ।  ମିସେସ୍‌ ପୁରୀ ସମୃଦ୍ଧା ଓ ସୁନ୍ଦରୀ ।  ସୁନ୍ଦରୀ ବୋଲି ଧରିନେବାକୁ ହେଉଛି, କାରଣ ସୌନ୍ଦର୍ଯ୍ୟ ନ ଥିଲେ ତାଙ୍କ ଚାରିପାଖରେ ଏତେ କଳା ଓ କଳ୍ପନା, କୁଟୀର ଶିଳ୍ପ ଓ ଯନ୍ତ୍ର ଶିଳ୍ପର ସମ୍ଭାର ନ ଥାଆନ୍ତା ।  ଯଥା:- ଯାମିନୀ ରାୟ, ଭେନସ୍‌ଙ୍କର ଜନ୍ମ ଅଖ୍ୟାତ ଶିଳ୍ପୀର ନଈ ଓ ଡଙ୍ଗା, ହାତୀଦାନ୍ତର ଶ୍ରୀକୃଷ୍ଣ, ବାଉଁଶ, ବେଣାଚେର ଖଦଡ଼ କାଗଜ ଇତ୍ୟାଦିରେ ଗଢ଼ା ବୋଝ ବୋହିଥିବା ଚାଷୀ ଓ ତା’ର ସ୍ତ୍ରୀ, କୃଷ୍ଣକାୟ ଆଦିବାସୀର ନାଚ, ସାପୁଆ କେଳା ଇତ୍ୟାଦି ।  ତଦୁପରି ଇମ୍ପୋଟେଡ୍‌ ଉତ୍‌କୃଷ୍ଟ ଇଲେକ୍ଟ୍ରିକ୍‌ ଟୋଷ୍ଟର, ଟ୍ରାଞ୍ଜିଷ୍ଟର୍‌ ଓ କାଚ ଚାଇନା, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବିବିଧ ମନୋରମ ଦ୍ରବ୍ୟ, ଯାହାକୁ ଦେଖିବାକୁ ଭଲ ଲାଗେ, କିନ୍ତୁ ବ୍ୟବହାର କରିବା ମନା ।

ମିସେସ୍‌ ପୁରୀଙ୍କର ବେଡ୍‌ରୁମ୍‌ ।  ମିସେସ୍‌ ପୁରୀ ଶୋଇଛନ୍ତି ।  ନିଦରେ ଶୋଇ ନାହାନ୍ତି, ବର୍ତ୍ତମାନ ଦିନ ଏଗାରଟା ।  ତେଣୁ ବିଛଣା ଚାଦର ନୁହେଁ, ରଙ୍ଗିନ୍‌ ବେଡ୍‌କଭର ଉପରେ ଶୋଇଛନ୍ତି ।  ରାତିପିନ୍ଧା ନୁହେଁ, ସିଲ୍‌କ୍‌ ଶାଢ଼ୀ ପିନ୍ଧି ଶୋଇଛନ୍ତି ଏବଂ ସେହି ଶାଢ଼ୀରେ ଲକ୍ଷ ବିହଙ୍ଗ ଉନ୍ନୁଖ, ଉଦ୍ୟତ ଓ ଆଗ୍ରହୀ ।

ମନେହେଉଛି ସେମାନେ ମୁହୂର୍ତ୍ତକରେ ଡେଣା ମେଲି ଉଡ଼ିଯିବେ ।  କିନ୍ତୁ ସେମାନେ ଉଡିଯିବାକୁ ଚାହୁଁ ନାହାନ୍ତି ।

ବାହାରେ ନେଳି ଆକାଶର ଅସୀମତା ସୂଚନା ଦେବ ଯେ, ଜୀବନ ସରେ ନାହିଁ, ଆଶା ପୂରେ ନାହିଁ ଏବଂ ତଳକୁ ଅନାଇଲେ ଦେଖାଯିବ ଯେ, ପୃଥିବୀ ଅଯଥାରେ ପେଲିହେଉଛି, ଧଇଁସଇଁ ହେଉଛି, ଭାବୁଛି ଜୀବନର ଅର୍ଥ ଅଛି ।  କେତେ ଝାଳ ଓ ନିଃଶ୍ବାସ, କେତେ ଧୂଆଁ ଓ ଧୂଳି ଜୀବନର ଅର୍ଥ ତିଆରି କରୁଛି, ପାରୁନାହିଁ ।

ବାହାରେ ପୃଥିବୀର ତାତି ।  ଉଦ୍ୟମ, ଯୁକ୍ତି କଳହର ତାତି ।  କେତେ କାଗଜ ଲେଖାହେଉଛି ଛିଣ୍ଡାହେଉଛି ।  କେତେ ସଭା ବସୁଛି, ଭାଙ୍ଗୁଛି ।  କେତେ ଚକ ଜିନିଷ ବୋହୁଛି, ମଣିଷ ବୋହୁଛି ।  ପ୍ରାଣୀମାନେ ଆଗଉଛନ୍ତି ।

ଏବଂ ପୃଥିବୀର ଥଣ୍ଡା ।  ଥଣ୍ଡା ମୂର୍ଦ୍ଦାର ।  …ମଲା ପ୍ରେମ ।  ଦରବୁଢ଼ୀ ସ୍ତ୍ରୀ ହାଣ୍ଡି ଗଡ଼େଇ ପେଜ ଗାଳୁଛି, ମଇଳା ଧଳା ପାଣି ପୁରୁଣା ପ୍ରେମକୁ ସାଙ୍ଗରେ ନେଇ ନଳାରେ ବହିଯାଉଛି ।  ରାତି ଅନ୍ଧାରରେ ସ୍ବାମୀ ତା’ ଦେହକୁ ଅଣ୍ଡାଳିହେବ ଓ କାମ ସରିଲା ପରେ ଘୁଙ୍ଗୁଡ଼ି ମାରିବ ।  …ମଲା ଜନ୍ମ ।  ସେମାନେ ଥୋକେ ଅଛନ୍ତି ଯେଉଁମାନେ ଜନ୍ମ ହୋଇ ମରିଯାଇଛନ୍ତି ହେଲେ ବଞ୍ଚିବାକୁ ଚାହାନ୍ତି ।  ସେମାନେ ବିକଳ ମନ ଓ ଲଙ୍ଗଳା ଦେହରେ ‘ମୁଁ ମଣିଷ, ମୁଁ ମଣିଷ ବୋଲି ଚିତ୍କାର କରୁଛନ୍ତି ।  ହସିବା କଥା ।  ସେମାନେ ସିଧା ହୋଇ ଚାଲି ଶିଖି ନାହାନ୍ତି, କଥା କହି ଜାଣି ନାହାନ୍ତି, ଧୋବପିନ୍ଧା ମଣିଷକୁ ଭଗବାନ୍‌ ବୋଲି ଭାବୁଛନ୍ତି ଓ ତଥାପି କହୁଛନ୍ତି- ଆମେ ବଞ୍ଚିବୁ ! …ମୃତ ଭଗବାନ ।  ଭଗବାନ୍‌ର ହାତରେ ଖଣ୍ଡା ଚକ୍‌ଚକ୍‌ କରୁନାହିଁ, ଫୁଲ ମହକୁନାହିଁ, କ୍ରୁଶରୁ ରକ୍ତ ଝରୁନାହିଁ ।  ଭଗବାନ୍‌ କାନ୍ଦୁନାହିଁ, ହସୁ ବି’ ନାହିଁ ।  ସେଥିପାଇଁ ଏତେ ଧରାପରା ଠେଲାପେଲା ।  -ଜୟ ହନୁମାନ ଜୀ ଜୟ ! ମୁଁ ମଲା ଭଗବାନ୍‌ଙ୍କୁ ଛୁଇଁଆସିଛି, ମୁଁ ଧଣ୍ଡା ପାଇଛି, ତେଣୁ ମୁଁ ବଞ୍ଚିବି ।

ତାତି ଓ ହେମାଳ ।  ଜ୍ଞାନ ଓ ଅଜ୍ଞାନ କ’ଣ ମିଳିବ ସେ ନିଉଛୁଣା ପୃଥିବୀକୁ ଚାହିଁ ? ଆଉ ଉପର ଆକାଶକୁ ଅନାଇଲେ ଶୋଷ, ଖାଲି ଶୋଷ ।  ସେ ଶୋଷରେ ତଣ୍ଟି ଶୁଖିଯିବ, ଦିଗନ୍ତ ଧରା ଦେବ ନାହିଁ ।  ବିହଙ୍ଗମାନେ ଉଡ଼ିବାକୁ ମନ କରୁନାହାନ୍ତି ।

…ମିସେସ୍‌ ପୁରୀ ‘ଜୋକ୍‌’ ବହି ପଢୁଛନ୍ତି ।  ବହିରେ ଅଛି ହଜାରଟି ଚିତ୍ର ସମ୍ବଳିତ ମଜା କଥା ।  କେତେଗୁଡ଼ିଏ ଜୋକ୍‌ ପଢ଼ି କିଛି ଭାବାନ୍ତର ଆସୁନାହିଁ ।  କେତେଗୁଡ଼ିକରେ ସାମାନ୍ୟ ହସିବାକୁ ଇଚ୍ଛା ହେଉଛି ।  ଏବଂ ବେଳେ ବେଳେ ଗୋଟିଏ ଜୋକ୍‌ ଏତେ ସୃଷ୍ଟିଛଡ଼ା ଲାଗୁଛି ଯେ, ମନେ ହେଉଛି ବ୍ରହ୍ମାଙ୍କ ଆସନ ଟଳିଯିବ, ପାଟି ମେଲାଇ ନ ହସିଲେ ରହିହେଉ ନାହିଁ ।

ଏହିପରି ଗୋଟିଏ ଜୋକ୍‌ ପଢ଼ି ମିସେସ୍‌ ପୁରୀ ପାଟି ମେଲାଇ ହସିଲେ ।  ଅଧାଉଠା ହୋଇ ପାଖ ତକିଆଟାକୁ କୋଳରେ ଆଣି ରଖିଲେ, ଆନନ୍ଦରେ ଗୋଟିଏ ବିଧା ମାରିଲେ ଓ ହସିଲେ ।  ହସରେ ପ୍ରଥମେ ଥିଲା ଉଦ୍‌ଗମର ଧ୍ବନି,- କଣ୍ଠଗତ ଓ ଗଭୀର ।  ତା’ପରେ ନାଲି ରଙ୍ଗବୋଳା ଓଠ ଦୁଇଟି ଅଲଗା ହୋଇଗଲେ ଓ ଦୁଇ ପାଟି ଦାନ୍ତର ବିସ୍ତାର ଦିଶିଗଲା ଏବଂ ହସର ସ୍ତର ପରେ ସ୍ତର ଢାଳିହୋଇଗଲା ।  ପ୍ରବାହ ଥମିଗଲାରୁ ମିସେସ୍‌ ପୁରୀ ମୁଣ୍ଡ ବାଳରେ ହାତ ଚଳେଇ, ଆନନ୍ଦକୁ ଚାକୁଳେଇ ପ୍ରସନ୍ନତା ଆଣିଲେ ଓ ପୁଣି ଖଟରେ ଲୋଟିଯାଇ ବହିର ପର ଜୋକ୍‌ଟିକୁ ଦେଖିଲେ ।

ବିହଙ୍ଗମାନେ କହିଲେ, ଚମତ୍କାର ! ଚମତ୍କାରିତା ତାଙ୍କ ହସିବାର ଚେହେରାରେ ନ ଥିଲା, ଭଙ୍ଗୀରେ ଥିଲା କି ନାହିଁ କହିହେବ ନାହିଁ ।  କିନ୍ତୁ ତାଙ୍କର ଭାବବ୍ୟଞ୍ଜନା ଅନୁପମ ।  ଘର ଭିତରେ ଏହି ଏକୁଟିଆ ହସ, ଆପଣା ଉପଭୋଗର ହସ, ଅନ୍ୟ କେଉଁ ଅତିରିକ୍ତ ମଣିଷକୁ ଶୁଣାଇବା ପାଇଁ ନୁହେଁ- ଏହି ହେଉଛି ବଞ୍ଚିବାର ଉପଯୋଗୀ ଛନ୍ଦ ।  ବିହଙ୍ଗମାନେ ମୁଗ୍ଧ ହେଲେ ଓ ଚାହିଁରହିଲେ ।

ସାଢ଼େ ଏଗାରଟା ।  କଫି ଖାଇବା ବେଳ ହେଲାଣି ।  ମିସେସ୍‌ ପୁରୀ ଟାଇମ୍‌ପିସ୍‌କୁ ଅନାଇଲେ ଓ ବହି ପଢ଼ାରେ ମନ ଦେଲେ ।

ଏଗାରଟା ବାଜି ପଇଁତିରିଶ୍‌ ମିନିଟ୍‌ ।  ତଥାପି କଫି ଆସି ପହଞ୍ଚିନାହିଁ ।  କିନ୍ତୁ ମିସେସ୍‌ ପୁରୀ ଉଦ୍‌ବିଗ୍ନ ନୁହନ୍ତି ।  ଥରକୁଥର ଘଣ୍ଟା ଦେଖୁନାହାନ୍ତି ।  କଫି ଖାଇବା ବେଳ ଦୈନିକ ଜୀବନର ଗୋଟିଏ ଅବସ୍ଥା, ବିନ୍ଦୁ ନୁହେଁ ।  ଜଣାଶୁଣା ସମୟର ପରିସର ଭିତରେ ସେ ଘଟିବ, ସକାଳ ଦ୍ବିପ୍ରହର ସନ୍ଧ୍ୟା ପରି, ଘରେ ପୂଝାରୀ ଅଛି ।

ଏଗାରଟା ଚାଳିଶ୍‌ରେ ପୂଝାରୀ କଫି ଆଣି ପହଞ୍ଚାଇଲା ।  କଫି କପ୍‌ଟିକୁ ମିସେସ୍‌ ପୁରୀଙ୍କର ହାତ ପାହାନ୍ତାରେ ଟି-ପୟ ଉପରେ ରଖିଦେଲା ।  ରଖିସାରି ଟିକିଏ ଦୂରେଇହୋଇ ଛିଡ଼ାହେଲା ।

ମିସେସ୍‌ ପୁରୀ ଗୋଟିଏ ଜୋକ୍‌ର ଅଧାରେ ପହଞ୍ଚିଛନ୍ତି ।  ତେଣୁ ସେ ଅନ୍ୟମନସ୍କ ଭାବରେ ହାତ ବଢ଼ାଇ ଚାମୁଚରେ କଫିକୁ ଗୋଳାଇଲେ ।  କିଛି ସମୟ ଗୋଳାଇସାରିଲା ପରେ ଚାମୁଚେ କଫି ପାଟିକୁ ନେଲେ ।  ତା’ପରେ କହପୂଝାରୀ ବୁଝିଲା ଯେ ମାଲିକାଣୀ କହୁଛନ୍ତି ଚିନି କମ୍‌ ଅଛି ।  ଚିନି ବେଶି ଥିବାବେଳେ ମଧ୍ୟ ସେ କେବଳ ସେହି ଶବ୍ଦ ଉଚ୍ଚାରଣ କରନ୍ତି, କିନ୍ତୁ ତାଙ୍କ ମୁହଁର ଭଙ୍ଗୀ ଅନ୍ୟପ୍ରକାର ହୋଇଯାଏ ।  ପୂଝାରୀ ଚାଲିଗଲା ଆଉ ଚିନି ଆଣିବ ବୋଲିଲେ, “ଚିନି” । 

ବିହଙ୍ଗ କୁଟୀର ଶିଳ୍ପ ଭଗବାନ୍‌

Rate the content


Originality
Flow
Language
Cover design

Comments

Post

Some text some message..