Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swarnalata Mohapatra None

Drama Tragedy

2  

Swarnalata Mohapatra None

Drama Tragedy

ପବିତ୍ର ପାପ

ପବିତ୍ର ପାପ

7 mins
7.5K


ଯଦିବା ଏହା ଭୁଲ୍ ବା ଅପରାଧ କହିଲେ ଠିକ୍ ହବ,ମୁଁ କିନ୍ତୁ କଲି।ନିଜକୁ ସମ୍ବରଣ କରିବାର ଯଥେଷ୍ଟ କାରଣ ଥାଇ ମଧ୍ୟ, କରି ପାରିଲିନି ବା କରିବାକୁ ଚାହିଁଲିନି। କାହା ବ୍ୟକ୍ତିଗତ ଡାଏରୀ ପଢ଼ିବା ପୁଣି ତା ଅଗୋଚରରେ, ତାହା ଅପରାଧ ନୁହଁ କି??

   ଡେରାଡୁନ୍ ରୁ ଶୀମଲା, ବସ୍ ଛାଡ଼ିଲା ନିର୍ଦ୍ଧାରିତ ସମୟରେ। ରାସ୍ତାର ଦୁଇ କଡେ ନଭଶ୍ଚୁମ୍ଭି ପାଇନ୍ ଗଛ ହଲିହଲି ଗୀତର ଲହରୀ ଧରିଥିଲେ।ବାଦଲ ସହ ଲୁଚକାଳି ଖଳୁଥିଲେ। ଆକାଶକୁ ଚୁମାଟେ ଦେଇ ଫେରିଆସୁଥିଲେ,ଲାଜେଇଯାଇ ପରସ୍ପରକୁ ଆଲିଙ୍ଗନ କରୁଥିଲେ। ଦୂର ଦିଗ୍ ବଳୟ ପର୍ଯ୍ୟନ୍ତ ଲମ୍ବା ରାସ୍ତାରେ,ମଞ୍ଚଥରା ଶୀତୁଆ ପବନ ଦେହକୁ ରୋମାଞ୍ଚିତ କରୁଥିଲା।ମୋ ପାଖ ସିଟ୍ ରେ ବସିଥିଲେ ସେ।ମୁଁ ମନ୍ତ୍ରମୁଗ୍ଧ ଭାବେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁକରୁ ନୀଳ ଆକାଶରେ ହଜିଯାଇଥିଲା ବେଳେ,ସେ ନିଜ ଡାଏରୀ ର ସଫେଦ୍ ଚାଦର ଉପରେ ନୀଳ ଝୋଟି ଆଙ୍କି ବାରେ ମଗ୍ନ ଥିଲେ।କୁଆଡ଼କୁ ବି ଧ୍ୟାନ ନଥିଲା ତାଙ୍କର।ଯେମିତି ସେ ଏ ସାରା ପୃଥିବୀରେ ସେ ଏକା। ଦୀର୍ଘ ତିନି ଘଣ୍ଟା ବିତି ଯାଇଥିଲେ ବି ମୋ ଆଡେ ଥରେ ହେଲେ ଚାହିଁ ନ ଥିଲେ କି ପଦେ ହେଲେ କଥା କହି ନଥିଲେ ସହଯାତ୍ରୀ ଜଣଙ୍କ।

  ସଞ୍ଜ ଗଡ଼ି ରାତି ହେଲା। ଗୋଡ଼ପାଖେ କିଛିପଡ଼ିଥିବା ମନେହେଲା।, ଆରେ ଏ ତ ସଦ୍ୟ ଲେଖା ଯାଇଥିବା ସେଇ ଡାଏରୀ, ଯାହାକୁ ଛାତିରେ ଜାକି ସେ ଶୋଇଯାଇଥିଲେ। ଭାବିଲି ତାଙ୍କୁ ଡାକି ଦେଇଦେବି। ତାଙ୍କ ଅମାନତ,ହାତରୁ ଖସି ପଡ଼ିଛି ବୋଧେ। ଚାହିଁଲା ବେଳକୁ ମୁହଁରେ ତାଙ୍କର କେଉଁ ଯୁଗର ଅନିଦ୍ରା ପରେ ଚରମ ତୃପିର ନିଦଛାଇ ଯାଇଥିଲା। ଇଛା ହେଲାନି ଡାକିଵାକୁ।ପାଖରେ ତାଙ୍କର ରଖିଦେଲି ଡାଏରୀଟି।ଅମାନିଆ ଚଗଲା ପବନ ଉଡ଼ାଇ ନେଲା ପୃଷ୍ଠା ପରେ ପୃଷ୍ଠା।ମୋର ଆଖି ଲାଗିଗଲା ସେଇ ନିର୍ଦ୍ଧିଷ୍ଟ ପୃଷ୍ଠାରେ। ଆଜିର ତାରିଖ। ଯେଉଁଟାକୁ ଲେଖୁଥିଲା ବେଳେ ସଂଭବତ ସେ ଏ ଦୁନିଆରେ ନଥିଲେ। ହଜିଯାଇଥିଲେ,ଅନ୍ୟ କେଇଁ ପୃଥିବୀରେ।

****************************************************            

                ଦୀର୍ଘ ଏକୋଇଶ ବର୍ଷ ତଳକୁ ଚାଲି ଗଲେ,ନିଜକୁ ଅପରାଧୀ ,ପାପୀ ପରି ମନେ ହୁଏ। ସେ ଦିନ ଗୁଡା କେମିତି କଟିଛି ତୁମେ କଣ ଯାଣିପାରିବ ଦେବବ୍ରତ୍? କେତେ ସହଶ୍ର ବାର ଭିତରେ ଭିତରେ ମରିଛି ତମେ କଣ ବୁଝିପାରିବ?ମୋ ଅବ୍ୟକ୍ତ ଯନ୍ତ୍ରଣାକୁ କେବେ ଥରେ ଅନୁଭବ କରି ପାରିବ?

   ଏଠି ହଷ୍ଟେଲରେ ରହି ପଢୁଥିବା ଏକୋଇଶ ବର୍ଷର ପୁଅ ମୋର ଲଗେଜ୍ ଥୋଇ ଦେଇ ଗମ୍ଭୀର ଆଖିରେ ବସ୍ ରୁ ବାହାରି ପଡ଼ି ମତେ ବିଦାୟ ଦେଲା। ମଝିରେ ମଝିରେ ତାକୁ ଦେଖିବାକୁ ଆସେ ମୁଁ।

-ବାଏ ମାମା।ଟେକ୍ କେୟାର। ପହଞ୍ଚିଲେ ଫୋନ କରବ।

ମୁଁ କୋହକୁ ଲୁଚେଇ ଟିକେ ହସିଦେଲି। ସେ ବୁଲିପଡିଲା ,ଗହଳି ଭିତରେ ଧକ୍କା ହେଲା ଯାହା ସହ,

--ଓଃ...ସରି ଅଙ୍କଲ୍।

--ଇଟସ୍ ଓକେ। ଗହଳି ହେଇଛି,ଦେଖିକି ଯାଅ।

ବୁଲି ପଡିଲ ତମେ।

ଦେବବ୍ରତ୍!!!ଏଠି??ଏମିତି??

ପାଦତଳୁ ପୃଥିବୀଟା ଖସି ଗଲା। ଆଖିକୁ ବିଶ୍ୱାସ ହେଲାନି। ବସ୍ ଛାଡ଼ିସାରିଥିଲା। ମୋ ପୁଅ ସହ ତୁମେ ମଧ୍ୟ ଧୀରେ ଧୀରେ ଅପସରି ଯାଉଥିଲ ମୋ ଆଖି ସାମ୍ନାରୁ। ଅପଲକ ଦୃଷ୍ଟିରେ ଚାହୁଁଥିଲି ପଛକୁ।         

   ସେ ସମୟର କଥା। ଲୁଚିଲୁଚି ପ୍ରତିଦିନ ଦେଖେ ତମକୁ। ତୁମର ସେ ମାୟାବୀ ନୀଳ ନୀଳ ଆଖି ଦୁଇଟି, ମୋର ଭାରି ପ୍ରୀୟ। ଯଦିବା ତମେ ଥରେ ହେଲେ ଚାହଁନା ମତେ। ଚାହିଁ ଥାଆନ୍ତ ବା କେମିତି, ତମକୁ କଣ ଜଣା ଥଲା ମୁଁ ୟା ଭିତରେ ମୋ ମନ ପ୍ରାଣ ତୁମ ପାଖେ ସମର୍ପି ଦେଇ ସାରିଛି। ମୁହଁ ଖୋଲି କେବେ କିଛି କହି ପାରିନଥିଲି।ଅଜଣା ଭୟ ସଂକୋଚରେ ସମୟ ଗଡ଼ି ଚାଲିଲା। ଯେଉଁ ଦିନ ଦୃଢ଼ ସଂକଳ୍ପ ନେଲି, ଆଜି ହିଁ ମନ କଥା କହିଦେବି,ସେ ଦିନ ବାପାଙ୍କ ଟାନ୍ସଫର୍ ଖବର ମିଳିଲା। କଲେଜ ଛୁଟି। ଆଉ ପାଇଲିନି ତୁମକୁ।ଏତେ ଦିନଧରି ମନର ମଣିଷକୁ କିଛି ତ କହିହେଲାନି,ଲାଷ୍ଟ ଡେ ରେ ଟିକେ ମନ ଭରି ଦେଖିପାରିଲିନି। କେବଳ ତୁମ ସୃତିଟି ରହିଗଲା ଛାତିର କେଉଁ ନିଭୃତ କୋଣରେ। ସବୁ ଜାଣିବା,ବୁଝିବା ଆଗରୁ ଚାଲିଆସିଲୁ ଆମେ ଅନ୍ୟ ସହରକୁ।

     ଜୀବନ ପ୍ରତି ମୁହୂର୍ତ୍ତରେ ତାର ଗତି ପଥ ବଦଳାଏ। କେତେ ବର୍ଷ ଅପେକ୍ଷାରେ ବିତିଗଲା ଜାଣେନା। ଆଶା ଥିଲା ଦିନେ ହେଲେ ଭେଟହବ ତୁମ ସହ। ଏଥର ଲାଜ ସରମ ଛାଡ଼ି ମନ କଥା କହିଦେବି। ତା ପରେ ତୁମ ଇଛା।ଆସିଲାନି ସେ ସୁଯୋଗ। ନା ଦେବ୍...କେବେ ଆସିଲାନି।

   ବାହାଘର ଭାଙ୍ଗି ଭାଙ୍ଗି ମୁଁ ବ୍ୟସ୍ତ। ଘରଲୋକ ବୁଝେଇ ବୁଝେଇ ନୟାନ୍ତ। ସଠିକ କାରଣ କହିପାରିଲିନି ସେମାନଙ୍କୁ । ବାଧ୍ୟ ହେଲି। ଯୋଗ୍ୟ ବର । ସବୁ ଦୃଷ୍ଟିରୁ। ନଦେଖି ହଁ ମାରିଲି। ସେ ମୋ ଫଟୋ ଦେଖି ରାଜି ହେଲେ।                

   ବାହାଘର ପରଦିନ ଡାଇରେକ୍ଟ କଟକରୁ କୋରାପୁଟ। ଆସିବାକୁ ହେଲା ୟାଙ୍କ ସହ। ବିନା ଆପତ୍ତିରେ। ନୂଆଘର ନେଇଥିଲେ। ନିଜ ହାତରେ ସଜେଇ ଦେଲେ,ଠିକ୍ ଯାଗାରେ ଖଟ,ଆଲଣା,ସୋଫା। ମୁଁ ମୂର୍ତ୍ତିଟି ପରି ଚାହିଁ ଥାଏ ଖାଲି। ନୂଆ ଜୀବନର ପହିଲି ରାତି। ମନରେ ଉଦ୍ ବେଳନ। ବାହାରୁ କିଛି କିଣି ଆଣି ଖାଇବାକୁ ଡାକିଲେ।ବାଢ଼ି ଦେଲି ଦୁଇଟି ପ୍ଲେଟରେ। ଖାଇସାରି ଶୋଇବା ଘର ଝର୍କା ପାଖେ ଛିଡା ହୋଇଥାଏ।

--ଦେବୀ କଣ ଭାବୁଛ?

-ଉଁ...

(ଚମକି ପଡ଼ିଲି।ଏଇ ଦୁଇ ଦିନ ଭିତରେ ଅନ୍ତତଃ ସାତ ଆଠ ଥର ତାଙ୍କ ମୁହଁରୁ ଶୁଣିଥାଏ ନିଜ ନାଟିକୁ। ଏବେ ଟିକେ ଅଲଗା ଲାଗିଲା।)

--ନା କିଛି ନୁହେଁ ।

--ଏଠିକି ଆସ।ବସ ଏଇଠି। ଏତେ ଅନ୍ୟମନସ୍କ କାହିଁକି? ଘର କଥା ମନ ପଡୁଛି? ନା ମୋ ସହ ଏକଲା ଡ଼ର ଲାଗୁଛି?

--ନା....

--ରିଲାକ୍ସ...ଜାଣେ ସବୁଝିଅ ସେମିତି। ନୂଆ ବାହାହେଇ ମୋ ସହ ଚାଲି ଆସିଲ। ପରସ୍ପରକୁ ଜାଣିବାର କି ବୁଝିବାର ସମୟ ନଥିଲା। ବୋଉର ଏକା ଜିଦ ନୂଆ ବୋହୁକୁ ସାଙ୍ଗରେ ନେଇ କୋରାପୁଟ ଯିବୁ।ମୋ ଜବ୍ ରେ ଟାନ୍ସଫର ହୁଏ ଅନେକ ଯାଗା।

--ହୁଁ ..|

ଥରେ ମୋତେ ଚାହଁ ଦେବୀ। ଫଟୋ ଦେଖି ରାଜି ହେଇଥିଲି। ଯଦିଓ ବାହାହବାକୁ ଏବେ ରାଜି ନଥିଲି, କିନ୍ତୁ ସେଦିନ ବୋଉ ର ଜିଦ୍ ପାଖେ ହାରିଗଲି।

-ଏଥର ମନାକଲେ ଆମ୍ବ ଗଛରେ ଦଉଡି ଦେଇଦେବି ସତ କହୁଛି। ମୁଁ କଣ ମୋ ନାତି ମୁହଁ ନଦେଖି ମରିଯିବି??କଣ ଚାହୁଁ ତୁ।ବୋଉର ଧମକ୍।

-ସତରେ ଦେବୀ, ଫଟୋ ଠୁବି ତମେ ଆହୁରି ସୁନ୍ଦର।

ହାତ ଦୁଇଟି ଧରିଦେଲେ। ଶୀତୁଆ ରାତିରେ ଗମ୍ ଗମ୍ ଝାଳ ବୋହିଗଲା। ହୃଦସ୍ପନ୍ଦନ ବଢ଼ି ଚାଲିଲା। ତଣ୍ଟି ପାଟି ଅଠା ଅଠା। ଭୟମିଶା କୋହରେ ଉଠିପଡ଼ିଲି। ଦେହ ଗୋଟାପଣେ ଥରୁଥାଏ।

----ନା ପ୍ଲିଜ।

--ହ୍ବାଟ୍..ଏମିତି ରିଆକ୍ଟ କଲ କାହିଁକି?? ମୁଁ ବାଘ ନା ଭାଲୁ? ହାଃ ହାଃ ହାଃ ସତରେ ତମେ ଖାଲି ଲାଜେଇ ନୁହେଁ, ସାଙ୍ଘାତିକ ଭାବେ ଡ଼ରେଇ। ଧୀରେ ଧୀରେ ସବୁ ଭୟ ଛାଡ଼ି ଯିବ। ଡୋଣ୍ଟ ଓ୍ବରି।

--ନା... ମୁଁ ମାନସିକ ଭାବେ ପ୍ରସ୍ତୁତ ନାହିଁ ଏବେ।

-- କୌଣସି ଝିଅ ନଥା'ନ୍ତି। ଆପେ ଆପେ ସବୁ ଠିକ୍ ହେଇଯିବ।

--ବିବାହ ମାନେ କଣ ଖାଲି ଏୟା?ଦେହ....(ସାହସର ସହ କହିଲି।)

-ନା ,ସେକ୍ସ ଇଜ୍ ଅ ପାଟ୍ ଅଫ ଲାଇଫ। ମନଟା ବଡ଼ କଥା। ମନରେ ପରସ୍ପରକୁ ଆପଣେଇ ନେଲେ ସଂସାର ସୁଖମୟ ହୁଏ। ଓଃ,,ସେଥିପାଇଁ ତମେ ଏତେ ଚିନ୍ତିତ!! ରିଲାକ୍ସ ହେଇଯାଅ,ମୋର ଭୁଲ୍ ତମକୁ ଟିକେ ଟାଇମ୍ ଦେଲିନି ଜାଣିବାକୁ। ସାରା ଜୀବନ ପଡ଼ିଛି। ନିଶ୍ଚିତରେ ଶୋଇଯାଅ। ତୁମେ ନ ଚାହିଲା ଯାଏ ଛୁଇଁ ବିନି ତମକୁ।ସାଙ୍ଗ ବୋଲି ଭାବ ମତେ। ସେ ଚାଦର ଧରି ଦାଣ୍ଡ ଘରକୁ ଚାଲିଗଲେ। ମତେ ଭାରି ଖରାପ ଲାଗିଲେ ବି,ନିରୁପାୟ ଥିଲି ମୁଁ।          

 ମୁଁ ରୋଷେଇ କରି ତାଙ୍କ ଫେରିବା ବାଟକୁ ଚାହିଁଥାଏ। ସେ ଦିନ ତମାମର ଅଫିସ କଥା ଗପନ୍ତି। ବହୁତ ଖୁସି ହୋଇ। ରାତିରେ ଖାଇସାରି ଅନ୍ୟ ରୁମ୍ କୁ ଚାଲିଯାଆନ୍ତି ଶୋଇବା ପାଇଁ। ଆଖିରେ କିଛି ଆଶା ଓ ଅଭାବ ବୋଧ ନେଇ। ମୁଁ ଯାଣିପାରେ,ଚୁପ୍ ରହେ। ନିଜ ନିଷ୍ଟୁରତା ପାଇଁ ଦୋଷୀ ଭାବେ ନିଜକୁ। ଆଠମାସ ବିତିଯାଇଥିଲେ ବି ମୁଁ ତାକୁ ସ୍ବାମୀର ଅଧିକାର ଦେଇ ପାରିଲିନି। ଦିନକୁ ଦିନ ତୁମ ଭାବନାରେ ନିଜକୁ ହଜେଇ ଚାଲିଲି। ସେ ଅଫିସ ଗଲାପରେ,ମୁଁ ବାହାରି ପଡେ,ପାହାଡ଼, ଜଙ୍ଗଲ, ଝରଣା ବୁଲି ନିଜକୁ ହଜେଇ ଦିଏ। ସେ ମଧ୍ୟ ଆଉ ଅଫିସ କଥା ବେଶୀବେଶୀ କୁହନ୍ତିନି। ଟାୟଡ଼ ଲାଗୁଛି କହି ଶିଘ୍ର ଶୋଇଯାଆନ୍ତି। ମତେ ମଜା କଥା କହି ହସେଇବାର ପ୍ରୟାସ ବି କମିକମି ଯାଉଥିଲା ତାଙ୍କର।          

  ଆଷାଢ଼ର ଝିପଝିପ ବର୍ଷାରେ ଓଦାହେଇ ଦିନେ ଅବେଳରେ ଘରକୁ ଫେରିଆସିଲେ। ସିଧା ଯାଇ ତାଙ୍କ ବିଛଣାରେ ଶୋଇଗଲେ। ମୁଁ ଟିକେ ଡ଼ରିଗଲି।

--କଣ ହେଲାକି??ଏମିତି ହଠାତ୍ ଆସିଗଲ,ଦେହ ଭଲ ନାହିଁ କି?

--ନା..କିଛି ହେଇନି।ତମେ ତମ କାମ କର।

--ମୁହଁଟା ଶୁଖିଲା ଦିଶୁଛି। କୁହ ଟିକେ କଣ ହେଲା?

--ଓହୋ...ଥରେ କହିଲି ପରା କିଛି ହେଇନି। ମତେ ବିରକ୍ତ କରନା। ଯାଅ ଏଠୁ,ମୁଁ ଶୋଇବି।

ପ୍ରଥମ ଥର ତାଙ୍କ ମୁହଁରୁ ଏମିତି ଟାଣ କଥାଶୁଣି ଵାହାରି ଆସିଲି। କେତେ ସମୟ ବିତିଗଲା। ବାହାରେ ନଙ୍ଗର ପଙ୍ଗର ହଉଥାଏ। ଲାଷ୍ଟକୁ ଦେହ ସହିଲାନି। ପାଖକୁ ଗଲି। କମ୍ପରେ ଥରୁଥାନ୍ତି ସେ।

--ବାପ୍ ରେ ଏତେଜର??

--ଜର ଫର କିଛି ନାହିଁ। ବର୍ଷାରେ ଟିକେ ଭିଜି ଗଲି।

--ମୁଣ୍ଡ ଚିପି ଦେବି?

--ନା,ଦର୍କାର ନାହିଁ।

ତାଙ୍କ ବାରଣ ସତେ ବି ମୁଣ୍ଡରେ ପାଣିପଟି ପକେଇ ଅଲରା ବାଳକୁ ଟିକେ ଆଉଁସି ଦେଲି। ଏତେଦିନ ଭିତରେ ତାଙ୍କୁ କେବେ ଛୁଇଁ ନଥିଲେ ବି ସେଦିନ ଭାରି ଦୟା ଲାଗିଲା ବା ହେଇପାରେ ଦୋଷୀ । ସେ ପ୍ରାୟ ସଜ୍ଞାହୀନ ଭାବେ ପଡ଼ି ଥାଆନ୍ତି। ରାତି ବଢ଼ି ବଢ଼ି ଚାଲି ଥାଏ। ସେ ଶୋଇ ପଡିଲେ। ତାଙ୍କ ମୁଣ୍ଡ ପାଖେ ବସି ବସିି ମୁଁ ବି ଢୁଳେଇ ପଡିଥାଏ। ଗୋଟେ ନରମ ସ୍ପର୍ଶରେ ମୋ ଆଖି ଖୋଲି ଗଲା।

--ତମେ ଉଠିଗଲ! ଦେହ ଭାଲଲାଗୁଛି ଏବେ? (ଅପ୍ରସ୍ତୁତ ଭାବେ ନିଜର ଶାଢ଼ୀ ସଜାଡୁ ସଜାଡୁ ଉଠିପଡିଲି।)

ମୋ ମୁହଁକୁ ଏକ ଲୟରେ ଚାହିଁ ଥାଆନ୍ତି। ମତେ ମାଡ଼ି ପଡ଼ିଲା ପରି ଲାଗିଲା। କଣ କହିବି କହିବି ଭାବି ଏତକ କହିଲି,

--ତମେ ଶୋଇଯାଅ,ଦେହ ଭଲ ନାହିଁ ତମର । ମୁଁ ତମ ପାଇଁ ପାଉଁରୁଟି ଭାଜି ଆଣେ। (ଉଠି ପଡୁ ପଡୁ ଝିଂଙ୍କି ନେଲେ ପାଖକୁ।)

--ମୁଁ ଭଲ ଅଛି। କିନ୍ତୁ ତମେ କାହିଁକି ନରମାଲ ହେଇପାରୁନ??

--ମାନେ?

--ସତରେ କିଛି ବୁଝି ପାରୁନ?? ଦୀର୍ଘ ଆଠ ମାସ ହେଲା ମୁଁ ଅପେକ୍ଷା କରିଛି। ଆଜି ଯାଏ ନିଜକୁ ବୁଝେଇ ପାରିନ,କଣ ହେଇଛି ତମର?

--କିଛି ନାହିଁ। ଛାଡ଼ ମତେ। ତମ ଦେହ ଖରାପ, କାଲି କଥାହେବା।

--ନା...ଆଜି। କୁହ ମତେ। କଣ ଭାବୁଛ । ସବୁବେଳେ ଅନ୍ୟମନସ୍କ । ସବୁ ବେଳେ ଗମ୍ଭୀର।

(ତାଙ୍କ କଥାର ଭାବ ଭାରି ଶକ୍ତ ଥିଲା। ମୋ ଛାତି ଦାଉଁ ଦାଉଁ ପଡୁଥିଲା।)

-ମୁଁ ଏକଦମ ଠିକ୍ ଅଛି।

ଯିବାକୁ ଦେଲେନି। ଖୁବ୍ ଶକ୍ତ ଭାବେ ଭିଡ଼ି ଧରିଲେ। ଆଖିରେ ତାଙ୍କର ଅଗ୍ନି ବର୍ଷୁଥିଲା। ଥରଥର ଥରୁଥିଲା ଓଠ।ତାଙ୍କ ଘନ ଘନ ତତଲା ନିଶ୍ବାସରେ ମୋ ସର୍ବାଙ୍ଗ ଜଳିଯିବ।

--ଆଃ..ଛାଡ଼ ପ୍ଲିଜ। ମତେ କଷ୍ଟ ହଉଛି। ମୁଁ କହିଥିଲି,ପ୍ରଥମ ରାତିରେ.. 

--ହଁ କହିଥିଲ ,ମନେଅଛି କିନ୍ତୁ ଆଉ କେତେ ଦିନ? ସତ କୁହ, କଣ ତମ ମନରେ ଅଛି। ମୁଁ ପସନ୍ଦ ନୁହେଁ? ଘର ଲୋକ ଜୋର କରି ବାହା କରିଦେଲେ?...ନା ଆଉ କିଛି...

-ନା ନା ସେମିତି କିଛି ନୁହେଁ। ମୁଁ ଠିକ୍ ଅଛି। (ମୁଁ ଆଖିରେ ଆଖି ମିଶେଇ ପାରୁନଥିଲି।)

--ଠିକ ନାହଁ ତମେ,ମୁଁ ଜାଣେ। ଯଦି ମୋ ପାଖରେ ତମେ ଖୁସି ନାହଁ,ତେବେ କାଲି ତୁମ ବାପାଙ୍କୁ ଫୋନ କରିବି।ତମକୁ ଆସି ନେଇଯିବେ। ମୁଁ ଜାଣିପାରୁଛି ତମେ ଏଠି ତିଳତିଳ ମରୁଛ। କେଉଁ ଅଜଣା ଭାବନାରେ ବୁଡ଼ି ରହୁଛ।

ରାଗ ଅଭିମାନରେ ମୁହଁ ଫେରେଇ ନେଲେ ।

ବାହାରେ ଝିପଝିପ ବର୍ଷାଟା, ଝଡ଼ର ରୂପ ନେଇସାରିଥିଲା। ଘୁ ଘୁ ପବନ ଝଡ଼ତୋଫାନ୍ ଟା ଆଜି ସାରା ସଂସାରକୁ ଭସେଇ ନବାକୁ ଉଛ୍ଛନ। ଘନ ଅନ୍ଧାର ରାତିରେ ବାହାରେ ଝଡ଼,ଭିତରେ ଝଡ଼। କେଉଁଟିକୁ ସମ୍ଭାଳି ବାର ବୁଝା ନଥିଲା ମୋ ପାଖେ।

--ନା..ବାପାଙ୍କୁ ଫୋନ କରନା। ମୋ ରାଣ। ବୋଉ କାନ୍ଦିବ। ବାପା ବ୍ୟସ୍ତ ହେବେ।

--ଜାଣିପାରୁଛ..ଗୋଟେ ଛାତ ତଳେ ସ୍ବାମୀ ସ୍ତ୍ରୀ ହେଇ ବନ୍ଧୁ ପରି ରହିଛନ୍ତି ଆଠ ମାସ ହେଲା। ମତେ କେତେ କଷ୍ଟ ହେଉଛି ଅନୁଭବ କରିଛ କେବେ? ତମ ଦେହର ବାସ୍ନାରେ ଜଳିଯାଏ। ତମ ସୁନ୍ଦରତାରେ ତରଳି ଯିବା ଭୟରେ ମୁହଁ ମୋଡି ଶୋଇଯାଏ। ସବୁଦିନ ଅପେକ୍ଷା କରେ ତମ ସହମତିକୁ। ତମକୁ ଦେଇଥିବା କଥା କିନ୍ତୁ ଦିନେ ହେଲେ ଭାଙ୍ଗିନି। କୁହ ମତେ ଦୁନିଆରେ କୋଉ ପୁରୁଷ ଅଛି,ଯିଏ ତୁମ ପରି ସ୍ତ୍ରୀ ଥାଇ ନିଜକୁ କଣ୍ଟ୍ରୋଲ କରିବ?କେତେଦିନ?

  ତାଙ୍କ ରାଗ,ଅଭିମାନର କଣ୍ଠ ସ୍ବରରେ ମୁଁ ଭାଷା ଶୂନ୍ୟ ହେଇଗଲି। ସତରେ ମୁଁ ଅପରାଧି। କିନ୍ତୁ ତାଙ୍କୁ ଆପଣେଇବା ମୋ ପକ୍ଷେ ଏତେ ଅସହଜ ହଉଛି କାହିଁକି? ପ୍ରଶ୍ନିଳ ଆଖିରେ ସେ ଚାହିଁ ରହିଲେ। ଉତ୍ତର ନଥିଲା ମୋ ପାଖରେ। ଶେଷରେ ମୁଁ କାନ୍ଦି ପକେଇଲି।

    କୋଳେଇ ନେଲେ ମୋତେ। ଅଜଶ୍ର ଚୁମା ଦେଇଚାଲିଲେ ସର୍ବାଙ୍ଗରେ। ଗୋଟେ ଭୟାର୍ତ୍ତ ନିଃଶଦ୍ଦତାରେ ତାଙ୍କ ଜଳନ୍ତା ଓଠରେ ମୋ ଓଠ ଜଳିଯାଉଥିଲେ ବି ମୁଁ ଥିଲି ନିର୍ବିକାର। କାଠ କଣ୍ଢେଇଟି ପରି। ବୋଧହୁଏ ଅନନ୍ତ ଯୁଗର କାମନାକୁ ଚରିତାର୍ଥ କରିବାକୁ ସେ ବ୍ୟଗ୍ର ହେଇପଡିଥିଲେ।

-ଦେବୀ....ମତେ ନିଜର କରିବାରେ ତମର ଏତେ କୁଣ୍ଠା କାହିଁକି?

(ନା..ଦେବୀ ନୁହେଁ ମୁଁ, ଦାନବୀ। ମୋ ଭିତରେ ଏତେ କଠୋରତା ଆସିଲା କେବେଠୁ?? ତୁମ ସ୍ଥାନଟି ମୁଁ ୟାଙ୍କୁ କେମିତି ଦେଇପାରିବି ଦେବ୍।)

  ତାଙ୍କୁ ଅଟକାଇବା ଅସମ୍ଭବ । କ୍ୟାଣ୍ଡଲର ଧୀମା ଆଲୁଅ ଭିତରେ ଆଖି ହଳକ ତାଙ୍କର ଦପ୍ ଦପ୍ ଜଳୁଥିଲା। ସେ ହୋସ୍ ରେ ନଥିଲେ। ଆହତ ପକ୍ଷୀଟି ପରି ତାଙ୍କ ପରିଧିରେ ଧାସ ଦେବା ଛଡ଼ା ଅନ୍ୟ ଉପାୟ ନଥିଲା।

ମୋ ଆଖି ବି ଧିରେ ଧିରେ ବନ୍ଦ ହେଇଆସୁଥିଲା। କିଛି ସମୟ ପୂର୍ବର ଲଜ୍ୟା,ଭୟ,ଅପସରି ଯାଇଥିଲା। ବନ୍ଦ ଆଖିରେ ତାଙ୍କ କୋଳରେ ଲୋଟିପଡି ମୁଁ କାହାକୁ ଖୋଜୁଥିଲି????

    ତମକୁ ଦେବ୍।କେବଳ ତମକୁ। ନିସଂକୋଚରେ ନିଜର ଅନାବୃତ ଶରୀରକୁ ତାଙ୍କ ପାଖରେ ସର୍ମପି ଦେଇ,ମୁଁ ତୁମରି ସାନିଧ୍ୟ ଉପଭୋଗ କରିଥିଲି।

  ଭୋରୁ ତାଙ୍କ ନିବିଡ଼ ବାହୁ ବନ୍ଧନରୁ ନିଜକୁ ମୁକୁଳେଇ ଦେଖିଥିଲି ତାଙ୍କ ମୁହଁରେ ଚରମ ତୃପିର ନିଦ। ରାତିର ଝଡ଼ ତୋଫାନ ଶାନ୍ତ ପଡ଼ି ଯାଇଥିଲା। ପ୍ରକୃତି କୋଳରେ କଅଁଳ ସୂର୍ଯ୍ୟ ହସୁଥିଲା।

ଝାଉଁଳି ପଡ଼ିଲି ମୁଁ। କଣ କଲି ? ରାତିର ଅନ୍ଧକାରରେ କାହାକୁ ଠକିଦେଲି? କାହାକୁ ଧୋକା ଦେଲି?

ତମକୁ?

ୟାଙ୍କୁ?

ନା ନିଜକୁ?

ନା ନିଜ ଆତ୍ମାକୁ?କାହାକୁ?କାହାକୁ?????  

ପିରିୟଡସ଼୍ ମିସ୍ ଖବରଟା ଶୁଣୁଶୁଣୁ ଧାଇଁ ଯାଇ ପ୍ରେଗ୍ନେସି ଟେଷ୍ଟ କିଟ୍ ଟା ଆଣି ନିଜେ ଟେଷ୍ଟ କରି ପକେଇଲେ।...ପଜେଟିବ୍....ଉଛୁଳି ପଡିଲେ ଆନନ୍ଦରେ। କୁଣ୍ଢେଇ ଧରି ମେଞ୍ଚେ ଗେଲ କରି ପକେଇଲେ। ପୃଥିବୀ ସାରା ଖୁସି ଯେମିତି ତାଙ୍କରି ହାତ ମୁଠାରେ। ମୁଁ ଥିଲି ନିର୍ବିକାର, ସ୍ଥିର। ଏଥର ଭୁଲି ଯିବାକୁ ହବ। ଅତୀତକୁ କବର ଦବାକୁ ହବ। ତାହା ହିଁ ଠିକ୍।

      ଲେବରରୁମ୍ ରେ ଦେଢ଼ଦିନର ଯମ ଯନ୍ତ୍ରଣା । ଡାକ୍ତର ନର୍ସ ପାଖେ ପାଖେ ଥାଆନ୍ତି। ବିକଳରେ ତୁହାକୁ ତୁହା ଚିତ୍କାର କରୁଥାଏ। ସେ ବୋଧେ ଭାରି ଜିଦିଆ। ବାହାରକୁ ନଆସିବାକୁ ହଟ କରୁଥାଏ। ବାହାରେ ଇଏ ନିରୁପାୟ, ବ୍ୟସ୍ତ। ସହିବାର ଶେଷ ସୀମାରେ ହସ୍ପିଟାଲ କମ୍ପେଇ ଆର୍ତ୍ତ ଚିତ୍କାରଟେ ବାହାରି ଆସିଲା।

--ସହିପାରୁନି ଆଉ। ଅପରେସନ୍ କରିଦିଅ।

--ମା'ରେ ଆଉଟିକେ ସମୟ ଲାଗିବ। ସିଜରିଆନ୍ ହେଇପାରିବନି। ତୋର ପ୍ରୋବ୍ଲମ ଅଛି। କିଛି ସମୟ ସହି ଯା।ଆଶ୍ବାସନାର ହାତ ବୁଲେଇ ଆଣିଲେ ମଥା ଉପରେ ଡକ୍ଟର।

--ନା...ପାରିବିନି। ଭାରି ପେନ୍। ମରିଯିବି। କ୍ଷୀଣ ହେଇ ଆସୁଥାଏ କଣ୍ଠସ୍ବର।ଅବଶ୍ୟ ,ନିସ୍ତେଜ ହେଇଆସୁଥିଲା ଶରୀର। କାହାର କୋମଳ ସ୍ପର୍ଶରେ ସାମାନ୍ୟ ଆଖି ମେଲି ଚାହିଁଲି।

--ତମେ ଦେବ୍!!!

--ପାରିବ ତମେ। ବାସ୍ ସରିଲା। ଇ ଉ ଆର୍ ବ୍ରେଭ୍। ଟିକେ ସମ୍ଭାଳି ନିଅ। ଧୈର୍ଯ୍ୟ ଧର। (ମୋ ସ୍ପୀତ ପେଟକୁ ଆଉଁସି ଦେଇ ଅଭୟ ବାଣୀ ଶୁଣେଇଲ।)

  କିଛି ଯାଣେନା ତାପରେ। ଚେତା ଫେରିଲା ବେଳକୁ ଗୁଲୁଗୁଲିଆ କଅଁଳା ଛୁଆଟା ପାଖରେ ଶୋଇଛି। ନର୍ସ କୋଳରେ ଧରେଇ ଦେଲେ। କ୍ଷଣିକରେ ସବୁ କଷ୍ଟ ଭୁଲିଗଲି। ଛାତିରେ ଚାପିଧରି ଆଖି ପୁରେଇ ଥରେ ଦେଖିନେଲି ପୁଅକୁ। ଜୁଳୁଜୁଳୁ ଚାହୁଁଥିଲା।

ଅବିକଳ ସେଇ ଆଖି ।

ସେଇ ନୀଳନୀଳ ଆଖି।

ସେଇ ମାୟାବୀ ଆଖି।

ଠିକ୍ ତୁମ ପରି ଆଖି।

ଏହା କେମିତି ସମ୍ଭବ ଦେବ୍!!!

ତୁମକୁ ଭୁଲିବାର ସତ ଚେଷ୍ଟା ପରେବି ....ଭୁଲିପାରିଲିନି କେବେ ବି। ଅତୀତ କଣ କେବେ ପିଛା ଛାଡେନା???

     ତାଙ୍କ ସ୍ବୀକାରକ୍ତିଟି ପଢି ବିଭୋର ଥିବା ସମୟରେ ସେ ସମ୍ଭବତଃ ଓହ୍ଲେଇ ଯାଇଥିଲେ ପୂର୍ବ ଷ୍ଟପେଜରେ।ସେଇଟି ରହିଗଲା ମୋ ପାଖେ। ଅନେକ ବର୍ଷ ହେଲା ଅଛି। ଠିକଣାଟା ଡାଏରୀରେ ଲେଖା ଥାଇ ମଧ୍ୟ, ଫେରେଇ ପାରିନି ତାଙ୍କ ଅମାନତ.....ବୋଧ ହୁଏ ଏହାହିଁ ଥିଲା ନିୟତିର ଖେଳ।

           

Swarnalata Mohapatra


Rate this content
Log in

More oriya story from Swarnalata Mohapatra None

Similar oriya story from Drama