ନନ୍ଦିଘୋଷ
ନନ୍ଦିଘୋଷ
ନନ୍ଦିଘୋଷ ତୁମ ଗଡ଼ିବ
ଷୋଳ ଚକରେ।
ବଡ଼ ଦାଣ୍ଡ ଦୁଲୁକିବ
ଭକତଙ୍କ ମେଳରେ ॥
ଆଜ୍ଞାମାଳ ନେଇ କାଠ ଅନୁକୂଳ
ବସନ୍ତ ପଞ୍ଚମୀରେ ।
ରଥ କଲେ ନିରିମାଣ
ଅକ୍ଷୟ ତୃତୀୟାରେ ॥
ଗୁଜ ହେଲା ଆରମ୍ଭ
ନୃସିଂହ ଚତୁର୍ଦ୍ଦଶୀରେ ।
ଅଖ ସହ ଚକଯୋଡ଼ା
ଭଉଁରୀ ଦିନରେ ॥
ଉଠିଲା ଚାରିନାହକ
ସ୍ନାନ ପୂର୍ଣ୍ଣିମାରେ ।
ନବଯୌବନେ ଉପସ୍ଥିତ
ସିଂହଦୁଆରେ ।
ପୀତ ଲୋହିତ ପରିବେଷ୍ଟିତ
ଚତୁଃପାର୍ଶ୍ଵରେ ।
ଜୀବ ପରମ ଦୁଇ ବସିଛନ୍ତି
ଯହିଁ ମୁଣ୍ଡ ଉପରେ ॥
ଧବଳ ବର୍ଣ୍ଣର ଘୋଟକ ଚାରି
ରଥ ମୁଖରେ।
ଦାରୁକ ଯେ ବିଦ୍ୟମାନ
ସାରଥି ରୂପରେ ॥
ତ୍ରୈଲୋକ୍ୟମୋହିନୀ ଉଡ଼ଇ
ଗଗନ ପବନରେ ।
ଶଙ୍ଖଚୂଡ଼ ବାନ୍ଧି ଧରିଛି
ନିଜ ଶକ୍ତି ବଳରେ ॥
ନୃସିଂହ ଦେବତା
ଇନ୍ଦ୍ର ତାଙ୍କ ଦୁଆରେ ।
ଜୟବିଜୟ ଦ୍ଵାରପାଳ
ଦେବୀ ଯୋଗ ମାୟାରେ ॥
ଚାରମାଳ ପଡ଼ି ରହିଛନ୍ତି
ଯିବେ ପ୍ରଭୁ ଉପରେ ।
ଚକ ଅପସରା ଚାହିଁ ଅଛନ୍ତି
ହେବେ ଲାଗି ସେବାରେ ॥
ପ୍ରକମ୍ପିତ ପରିବେଶ
ହରିବୋଲରେ ।
ଘଣ୍ଟ ଘଣ୍ଟା ରଡ଼ି ଛାଡ଼ନ୍ତି
ଘଣ୍ଟୁଆ ହାତରେ ॥
ଗଜପତି ଝାଡ଼ୁ ମାରନ୍ତି
ସୁବର୍ଣ୍ଣର ଖଡ଼ିକାରେ ।
ଶଙ୍କରାଚାର୍ଯ୍ୟ ଦର୍ଶନ କରନ୍ତି
ରଥ ଉପରେ ॥
ଡାହୁକ ଡାକଇ ଭାବରେ
ଥାଇ ଅଶ୍ଵ ପିଠିରେ।
ଭକତ ଭିଡି ନିଅନ୍ତି
ମହାଆନନ୍ଦରେ ॥