ଭାବ ବଣିକ
ଭାବ ବଣିକ
ଭାବର ଠାକୁର ବୋଲି ନାମ ତୋର
ଚାରିଯୁଗେ ଭାବଗ୍ରାହୀ ।
କେ ଡାକେ ଭାବରେ କେ ବା ଅଭାବରେ
କେ ବା ପ୍ରଭାବିତ ହୋଇ ।
ଆରେ ଭାବ ଗ୍ରାହକ
ତୁ'ତ ସବୁ ଭାବର ବଣିକ ॥ ୧ ॥
ରୂପ ତୋ ଚିକ୍କଣ କଳା କାଳିଆ
ମନଟା ସଫା ସୁତୁରା ।
ତୋ ପ୍ରେମେ ବାଉଳା ବ୍ରଜର ଗୋପୀକା
ପାଗଳିନୀ ରାଧା ମୀରା ।
ଆରେ କଳା ନାୟକ
ତୁ'ତ ସବୁ କଳାର ରସିକ ॥ ୨ ॥
ତୁ ପରା ଭକତ ବନ୍ଧୁରେ କାଳିଆ
ଭକ୍ତ ମାନ ରକ୍ଷା ପାଇଁ
ଦାସିଆ ନଡିଆ ନେଇଥିଲୁ ଦିନେ
ତୁ ପରା ହାତ ବଢାଇ
ବନ୍ଧୁ ମହାନ୍ତି ଡାକ
ଶୁଣି ଦୂର କଲୁ ତାର ଭୋକ ॥ ୩ ॥
ସାଲବେଗ ଚିନ୍ତେ ନନ୍ଦିଘୋଷ ପରେ
ଦର୍ଶନ କରିବ ତୋତେ
ଅଟକିଲା ବଡ- ଦାଣ୍ତେ ନନ୍ଦିଘୋଷ
ଚାହିଁଲେ ସର୍ବେ ଚକିତେ
ଜାଣି ଭକତ ମନ
ତୁ'ତ ରଖିଲୁ ତାହାର ମାନ ॥ ୪ ॥
କଳାଧଳା ଘୋଡା ଚଢି ଯାଇଥିଲ
କାଞ୍ଚି ଅଭିଯାନେ ଦିନେ
ରଖିଥିଲ ତୁମେ ଉତ୍କଳର ମାନ
ଏ ସାରା ଜଗତ ଜାଣେ
ହେ ଉତ୍କଳ ନାୟକ
ତୁ'ତ ରଖିଛୁ ଉତ୍କଳ ଟେକ ॥ ୫ ॥
ହେ ଭାବ ବଣିକ ହେ କଳା ରସିକ
ହେ ଭକ୍ତ ମାନ ରକ୍ଷକ
ତୁମେ ସାହା ହେଲେ ଆଉ ଏ ସଂସାରେ
ନାହିଁ କା'ର ଆବଶ୍ୟକ
ହେ ଜଗତ ପାଳକ
ତୁ'ତ ସାରା ଜଗତ ରକ୍ଷକ ॥ ୬ ॥
******