ସନେଟ -୩୧
ସନେଟ -୩୧
ଉଦ୍ଧର
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଛିଣ୍ଡି ଅଛି ବୀଣାତନ୍ତ୍ରୀ ବାଇଲେ ବାଜେନା
ଇଚ୍ଛାକଲେ ଲେଖିବାକୁ ଲେଖନୀ ଚାଲେନା ।।
ଅବରୁଦ୍ଧ କଣ୍ଠୁ ଆଉ ସ୍ଫୁରେନା ବଚନ
ମନଗୃହେ ଢାଳେ କେ ଯେ ବେଦନା ନଳୀନ ।।
ଛାଏ ଶୋକ-ଘନସାର ଅନ୍ତର-ଆକାଶେ
ଯେଣିକି ଚାହିଁଲେ ତେଣେ ଅନ୍ଧକାର ଦିଶେ ।।
ତପ୍ତ ଅଶ୍ରୁଝରେ ବେନି ନୟନୁ ନିରାଶେ
ଗୋପନେ ପରାଣ କାନ୍ଦେ ମାନସିକ ପ୍ରାସେ ।।
କାନ୍ଦେ ଯଥା କୁମୁଦିନୀ ଲଭି ରବିକର
କାନ୍ଦେ ଯଥା କଞ୍ଜରାଣୀ ଲଭି ଇନ୍ଦୁକର ।।
ଜୀବନର ଶୁଷ୍କ ପଥେ ଜୀବନ ମିଳେନା
କିଂ କର୍ତ୍ତବ୍ୟ ବିମୂଢ଼ ମୁଁ, ଉପାୟ ଦିଶେନା ।।
ଜଣାଉଛି କର ଯୋଡ଼ି ସଙ୍କଟ ସାଗରୁ
ଉଦ୍ଧର ଅଧମ ଜୀବେ ହେ ମହିମା ମେରୁ ।।
ସମାପ୍ତ