ପ୍ରେମ ଗ୍ରନ୍ଥ
ପ୍ରେମ ଗ୍ରନ୍ଥ
|| ପ୍ରେମ ଗ୍ରନ୍ଥ ||
ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)
ବିଶ୍ବ ବ୍ରହ୍ମାଣ୍ଡରେ ଏମିତି କେ' ନାହିଁ
ଯାହାକୁ ଥରୁଟେ ଛୁଇଁନି ପ୍ରେମ,
ପ୍ରଥମ ଭଲ ପାଇବା କଥା ଭାବି
କେବେ ନିରବରେ କାନ୍ଦିନି ମର୍ମ ।
ହୃଦୟରେ ପ୍ରେମ ବାରମ୍ବାର ଆସେ
ଜୀବନେ ପହିଲି ପ୍ରେମ ଯେ' ଥରେ,
ପ୍ରଥମ ପ୍ରେମର ମିଠା ଅନୁଭବ
ହଜିଲେ ନ ମିଳଇ ଜୀବନରେ ।
ପ୍ରେମ ନ ଥିଲେ ତ ଧର୍ମ ନାହିଁ ଜାଣ
ପ୍ରେମ ଧର୍ମ ପରା ସମାନ କଥା,
ପ୍ରେମ ପ୍ରଚାରିଲେ ଧର୍ମ ହିଁ ଅର୍ଜିବ
ପ୍ରେମ ଛଡା ହେଲେ ଭୋଗିବ ବ୍ଯଥା ।
ପ୍ରେମ ଏକ ଏଭଳି ପ୍ରତିଯୋଗୀତା
ତହିଁରେ ଯେ' ଜିତେ ସେ ସଦା ହାରେ,
ହାରିଯାଏ ଯିଏ ପାଇଯାଏ ସବୁ
ଯାହା ଚାହେଁ ଆପଣାର ଅନ୍ତରେ ।
ପ୍ରେମକୁ ବାହରୁ ଯେତେ ପରଖିଲେ
ଜାଣି ପାରିବନି ଭଲ କି ମନ୍ଦ,
ମଣିଷର ଗୁଣ ଚରିତ୍ର ଯେଭଳି
ନ ଚାଖିଲେ ବାରି ନ ହୁଏ ସ୍ବାଦ ।
କବି କୁଟୀର
ଦଣ୍ଡାସିଂହା,ବାରକୋଟ
ଦେବଗଡ (ଓଡିଶା)