ଆତ୍ମବିଶ୍ବାସ
ଆତ୍ମବିଶ୍ବାସ
ପଙ୍କଜିନୀ ଉପାଧ୍ଯାୟ 【 ମିତା】
ଅରଙ୍ଗାବାଦ
......
ଆତ୍ମବିଶ୍ବାସଟି ଜୀବନ ଆଧାର
ଆତ୍ମାର ଅମୃତ ସ୍ବର
ପରାଭବ ରାସ୍ତା କରେ ପରାହତ
ଆତ୍ମା ହୁଅଇ ମଧୁର।
ଜୀବନର ବାଦ ପ୍ରତି ପ୍ରତିବାଦ
ଅଲଘ୍ଯ ପଥର ଧାରେ
ଆତ୍ମ ଅଭିମାନ ଆତ୍ମ ନିବେଦନ
ଆତ୍ମବିଶ୍ବାସରେ ହରେ।
ଅସାଧ୍ଯ ସାଧନ ସହଜେ ସାଧନ
ଅପାର ତାହାର ଶକ୍ତି
କଠିନ କାର୍ଯ୍ୟରୁ ଅତୀବ କଠିନ
ମୁକ୍ତି ପଥରୁ ପ୍ରଗତି।
ଦୁର୍ଗମ ଦୁର୍ଦିନ ଦୁଃସହ ସମୟ
ଅତିକ୍ରମିବାର କାଳେ
ଇଚ୍ଛାଶକ୍ତି ଦିଏ ଜୀବନୀକୁ ଶକ୍ତି
ସଫଳତା ପ୍ରତି ସ୍ଥଳେ।
ପ୍ରବଳ ପ୍ରତାପି ବଳୀୟାନ ଅତି
କେହି ନୁହଁ ସମକକ୍ଷ
ଅସୀମ ସେ ଶକ୍ତି ମିଳିଯାଏ ମୁକ୍ତି
ଦିଏ ବଞ୍ଚିବାର ପକ୍ଷ।
ଆବଦ୍ଧ ନୁହଁଇ ନୁହେଁ ସୀମାବଦ୍ଧ
ପରିସର ବହୁ ବ୍ଯାପ୍ତ
ଆତ୍ମବିଶ୍ବାସକୁ ଜାଗ୍ରତ କରିବା
ଆତ୍ମାକୁ କରିବା ତୃପ୍ତ।
ସକାରାତ୍ମକର ଦିଗଟି ପବିତ୍ର
ସେଦିଗେ ମନର ଗତି
ଆତ୍ମବିଶ୍ବାସକୁ ସେଠି ସାଇତିବା
ସୁସ୍ଥ ମନନର ମତି।
ଅଭାବ କଷଣ ଖାଦ୍ୟ ବସ୍ତ୍ର ବାସ
ସଂସାରରେ ନାହିଁ ଅତି
ମଣିଷ ପଣିଆ ହଜିଛି ଜୀବନୁ
କାମନାରୁ ନାହିଁ ମୁକ୍ତି।
ବିଶୁଦ୍ଧ ବିଚାର ବିଶୁଦ୍ଧ ମନନ
ବିଶୁଦ୍ଧ କାମନାଶକ୍ତି
ପବିତ୍ର ଆତ୍ମାର ପବିତ୍ର ବିଶ୍ୱାସ
ସଂସାରେ କରେ ପ୍ରଗତି।
ପ୍ରଭାତିର ବେଳା ଶବ୍ଦ ବିଶୃଙ୍ଖଳା
ମନ ମତିର ବିଭ୍ରାନ୍ତି
ଶବ୍ଦ ପ୍ରଦୂଷଣ ଶବ୍ଦର ରକ୍ଷଣ
କରି ପାରୁନାହିଁ ମତି।
ଘଣ୍ଟଘଣ୍ଟି ଧ୍ବନି ଶୁଣୁ ନାହିଁ ମତି
ଦିଶୁନି ପବିତ୍ର ପିଠ
ଲେଖୁଛି କବିତା ଚାହୁଁଚି ସବିତା
ମନ ମନ୍ଦିରର ମଠ।
ଆତ୍ମବିଶ୍ବାସର ଅସୀମତା ପାଇଁ
ଦେବବିଶ୍ବାସର ବଳ
ପ୍ରଭୁ ନିବେଦିଛୁ ଦିଅନ୍ତୁ ଶକତି
ଦିବ୍ଯତା ଜୀବନ ମୂଳ।
ସବୁ ମାନସରେ ଘର କରୁଥାଉ
ନେଉ ଚେତନାର ପଥେ
ଶାନ୍ତି ଦୟା କ୍ଷମା ପବିତ୍ରତା ଭରୁ
ଆତ୍ମବିଶ୍ବାସର ରଥେ ।