ବିପ୍ଳବ
ବିପ୍ଳବ
ବିପ୍ଳବ
ଛୁକ୍ ଛୁକ୍ ଛୁକ୍ ଶବ୍ଦେ ଗଗନ କମ୍ପାଇ
କାନନ ପାହାଡ଼ ଦେଶେ ପ୍ରତିଧ୍ୱନି ତୋଳି
ଲୁହାର ସଡକେ କ୍ଷୀପ୍ର ବେଗେ ଧାଇଁ ଧାଇଁ
ଲମ୍ବାଳିଆ ରେଳଗାଡି ଯାଉଥିଲା ଚାଲି ।
ବିକ୍ଷୋଭର ନେତୃତ୍ବ ନେଇ ହୁଙ୍କାର ଛାଡି
ଡିଜେଲ ଇଞ୍ଜିନ୍ ଆଗେ ନେତାଟିଏ ଭଳି
କ୍ଷୁବ୍ଧ ଜନତାଙ୍କୁ ପୁଣି ଆହ୍ବାନେ ସଜାଡି
କୋଳେ ଭରି ଛାଡୁଥିଲା ଧୂମର କୁଣ୍ଡଳୀ ।
ଖରାବର୍ଷା ଭୟ ନାହିଁ ନାହିଁ ଦିବାରାତି
ଦୁର୍ନୀତି କବଳୁ ଦେଶେ ଉଦ୍ଧାରିବା ପାଇଁ
ଆନ୍ଦୋଳନେ ବାଗୀମାନେ ରହିଥିଲେ ମାତି
ଭୁଲୋକେ ସ୍ବର୍ଗ ଏକ ସ୍ଥାପିଦେବା ପାଇଁ ।
ଅଶେଷ ପ୍ରଚେଷ୍ଟା ତାଙ୍କ ନାହିଁ ତିଳେ ଡର
ଦଳୀୟ ପତାକା ଧରି ଚାଲିଥିବେ ସର୍ବେ
ପଥପ୍ରାନ୍ତେ ଡାକବାଜି ଯନ୍ତ୍ରେ ସରକାର
ଆନ୍ଦୋଳନ ପ୍ରତ୍ୟାହାର କହୁଥିବେ ଗର୍ବେ ।
ଭୃକ୍ଷେପ ନ କରି ତେଣେ ଯାତ୍ରୀ ଜନତାଙ୍କୁ
ଉଦ୍ଦେଶ୍ଯ ବିହୀନ ଏକ ବିପ୍ଳବ ଆହ୍ବାନେ
ସମର୍ଥନେ ପ୍ରବେଶିଲେ ବଗି ଭିତରକୁ
ସାଧାରଣ ପ୍ରଜାଜନ ଟଙ୍କା ପ୍ରଲୋଭନେ ।
ଠେଲାପେଲା ଭିତରେ ମୁଁ ବିମର୍ଷ ବଦନେ
ନୀରବରେ ଗାନ୍ଧୀ କଥା ଭାବୁଥିଲି ବସି
ସ୍ବାର୍ଥପର ଜନତାଙ୍କ ଏକତା ବିହୁନେ
ବିଷାକ୍ତ ଜ୍ବାଳାରେ ହୋଇ ଯାଇଥିଲି ଦଂଶି ।
ବୁଲାବିକାଳିଙ୍କ କଣ୍ଠଫଟା ସ୍ବରେ ଚେଇଁ
ଦେଖିଲା ବେଳକୁ ସେହି ମୋର ଲକ୍ଷ୍ୟସ୍ଥଳ
କ୍ଷୀପ୍ରେ ଉଠି ଜାଣେ ତହିଁ ବିପ୍ଳବ ତ ନାହିଁ
ଶୁଭୁଥିଲା ମୋତେ ଖାଲି ଜନ କୋଳାହଳ ।
କବି- ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା