STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଯୁଦ୍ଧହସ୍ତୀ ସୁପ୍ରତୀକଙ୍କ କଥା     

ଯୁଦ୍ଧହସ୍ତୀ ସୁପ୍ରତୀକଙ୍କ କଥା     

3 mins
8

        ଯୁଦ୍ଧହସ୍ତୀ ସୁପ୍ରତୀକଙ୍କ କଥା     
        ================
ସେଦିନ କୁରୁକ୍ଷେତ୍ରରେ ଥାଏ ଦ୍ଵାଦଶଦିନର ଯୁଦ୍ଧ l ପାଣ୍ଡବ ସେନା ଦ୍ରୋଣଙ୍କୁ ଆକ୍ରମଣ କରିବାକୁ ଚାରି ଆଡୁ ପ୍ରଚଣ୍ଡ ବେଗରେ ମାଡ଼ି ଅସିଲେ l ସେମାନଙ୍କ ପ୍ରତିରୋଧ ନିମନ୍ତେ କୌରବସେନା ମଧ୍ୟ ଅଗ୍ରସର ହେଲେ l ଏହିସମୟରେ ଦୁର୍ଯ୍ୟୋଧନ ଏକ ବିରାଟ ଗଜ ସେନା ଧରି ଭୀମଙ୍କୁ ଆକ୍ରମଣ କଲେ l ଭୀମ ଦୁର୍ଯ୍ୟୋଧନଙ୍କୁ ଭେଟିବା ଅପେକ୍ଷାରେ ଥିଲେ l ସେ ସଙ୍ଗେ ସଙ୍ଗେ ଗଜ ବାହିନୀ ଭିତରେ ଏକ ଧ୍ଵଂସର ତାଣ୍ଡବ ସୃଷ୍ଟି କରିଦେଲେ l ହସ୍ତୀ ମାନଙ୍କୁ ସେ ଶତ ଶତ ନାରାଚ ଦ୍ୱାରା ବିଦ୍ଧ କରି ଦୁର୍ଯ୍ୟୋଧନଙ୍କ ଧନୁକୁ ଛେଦନ କଲେ l ତାଙ୍କ ରକ୍ଷା ପାଇଁ, ଅଙ୍ଗ ଦେଶର ରାଜା ଧାଇଁ ଆସି ଭୀମଙ୍କ ହସ୍ତରେ ନିହତ ହେଲେ l ଭୀମ ଏପରି ତାଣ୍ଡବ ସୃଷ୍ଟିକଲେ ଯେ ଗଜ ଓ ଅଶ୍ଵ ମାନେ ଆତଙ୍କିତ ହୋଇ, ଧାଇଁ ପଳାଇବା ବେଳେ ବହୁ କୌରବ ସୈନ୍ୟଙ୍କୁ ଦଳି ମାରିଦେଲେ l
ଏହା ଦେଖି ପ୍ରାଗଜ୍ୟୋତିଷପୁରର ରାଜା ଭଗଦତ୍ତ ଆଉ ସମ୍ଭାଳି ପାରଲେନାହିଁ l ସେ ତାଙ୍କ ସୁପ୍ରସିଦ୍ଧ ହସ୍ତୀ ସୁପ୍ରତୀକ ପୃଷ୍ଠରେ ବସି ଭୀମଙ୍କ ଆଡ଼େ ମାଡ଼ି ଆସିଲେ l ଯୁଦ୍ଧହସ୍ତୀ ମାନଙ୍କ ମଧ୍ୟରେ ସୁପ୍ରତୀକର ବହୁତ ଖ୍ୟାତି ଥିଲା l ଲୋକ ମୁଖରେ ସେ ଇନ୍ଦ୍ରଙ୍କ ହସ୍ତୀ ଐରାବତର ବଂଶଜବୋଲି କୁହାଯାଉଥିଲା l ସେହି ହସ୍ତୀ ଆସି ଭୀମଙ୍କ ଉପରେ ଆକ୍ରମଣ କରି ତାଙ୍କ ରଥକୁ ଚୂର୍ଣ୍ଣ ବିଚୁର୍ଣ୍ଣ କରି ଦେଲା l  ରଥରୁ ଡେଇଁ ପଡ଼ି, ଭୀମ ଯାଇ ସେହି ହାତୀ ପେଟ ତଳେ ଲୁଚିଗଲେ l ହାତୀକୁ ଆୟତ୍ତ କରିବା ବିଦ୍ୟା ଭଲ ଭାବେ ଭୀମଙ୍କୁ ଜଣା ଥିଲା l ସେ ଅଞ୍ଜଳିକା ବିଦ୍ୟା ବଳରେ ତା' ପେଟତଳେ ଲାଖିରହି ହସ୍ତୀର ମର୍ମ ସ୍ଥାନକୁ ଆଘାତ କରିବାକୁ ଲାଗିଲେ l ହସ୍ତୀ ଭୀମଙ୍କୁ ଥୋଡ଼ ପାହୁଡ଼ରେ ଟାଣି ଆଣି ଦଳି ମକଚି ଦେବାକୁ ଚେଷ୍ଟାକରୁଥାଏ କିନ୍ତୁ ପାରୁନଥାଏ l ସେ ଭୀମଙ୍କୁ ପେଟ ତଳୁ ଖସେଇ ଦେବା ପାଇଁ ଖୁବ୍ ଯୋରରେ ଘିରି ଘିରି ହୋଇ ବୁଲିବାକୁ ଲାଗିଲା ଓ ଆଣ୍ଠୁମାଡ଼ି ବସି ପଡ଼ି ଶୁଣ୍ଢରେ ଭୀମଙ୍କୁ ଧରି ନେଲା l ଭୀମ ଖୁବ୍ ବଳୁଆ ଥିଲେ l ଏଣୁ ସେ କୌଶଳ କରି ତା କବଳରୁ ଖସି ଆସିଲେ ଓ ପୁଣି ତା' ପେଟ ତଳେ ଲୁଚିଗଲେ l ଭୀମଙ୍କୁ ଦେଖିବାକୁ ନ ପାଇ କୁରୁକ୍ଷେତ୍ରରେ ଜନରବ ରଟି ଗଲା, ଭୀମ ଭଗଦତ୍ତଙ୍କ ହସ୍ତୀ ଦ୍ବାରା ନିହତ l ଯୁଧିଷ୍ଠିର ଏହାଶୁଣି ଖୁବ୍ ବ୍ୟଥିତ ହୋଇ ପଡ଼ିଲେ l ସେ ପାଣ୍ଡବ ସେନାଙ୍କୁ ଭଗଦତ୍ତଙ୍କୁ ଆକ୍ରମଣ କର ବୋଲି ନିର୍ଦ୍ଧେଶ ଦେଲେ l ନିର୍ଦ୍ଧେଶ ପାଇ ଗଜଯୁଦ୍ଧ ବିଶାରଦ ଦଶାର୍ଣ୍ଣ ଦେଶର ରାଜା ତାଙ୍କ ଯୁଦ୍ଧହସ୍ତୀ ଉପରେ ବସି ଯାଇ ଭଗଦତ୍ତଙ୍କୁ ଆକ୍ରମଣ କଲେ l ଦୁଇ ମତ୍ତ ହସ୍ତୀଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଲାଗିଲା l ଭୀମ, ଏହି ସୁଯୋଗରେ ହାତୀ ସୁପ୍ରତିକର ପେଟ ତଳୁ ଖସି ପଳାଇ ଗଲେ l ସୁପ୍ରତିକ ତାର ତୀକ୍ଷ୍ଣଦନ୍ତରେ ଦଶାର୍ଣ୍ଣ ଦେଶ ରାଜାଙ୍କ ହାତୀକୁ ଆକ୍ରମଣ କରି ତା ପୃଷ୍ଠରୁ ତାଙ୍କୁ ଗଡ଼ାଇ ପକାଇଲା l ଏତିକି ବେଳେ ଏକ ତୋମର ନିକ୍ଷେପ କରି ଭଗଦତ୍ତ ଦଶାର୍ଣ୍ଣ ନରେଶଙ୍କୁ ନିହତ କଲେ l ଏକମାତ୍ର ହସ୍ତୀ ସୁପ୍ରତିକ ସେଦିନ ପାଣ୍ଡବ ପକ୍ଷର ଶତଶତ ଯୋଦ୍ଧାଙ୍କୁ ତ୍ରସ୍ତ କରି ପକାଇଲା l ଦେବରାଜ ଇନ୍ଦ୍ର ଐରାବତ ଉପରେ ବସି ଯେପରି ଶତ୍ରୁ ସଂହାର କରୁଥିଲେ ଭଗଦତ୍ତ ଠିକ ସେହିପରି ନିର୍ଭୟରେ ଯୁଦ୍ଧ କରି ଚାଲିଥିଲେ l ପାଣ୍ଡବ ସେନା ପୁଣି ଯେତେ ବେଳେ ଭଗଦତ୍ତଙ୍କୁ ଆକ୍ରମଣ କରିବାକୁ ଘେରି ଗଲେ ସେତେ ବେଳେ ସୁପ୍ରତିକ ଅତି ଉତ୍ତେଜିତ ହୋଇ ପାଣ୍ଡବସେନାଙ୍କ ମଧ୍ୟରେ ଏକ ତାଣ୍ଡବ ସୃଷ୍ଟି କରି ଦେଲା l ଖୁବ୍ ଭୟ ପାଇ ପାଣ୍ଡବ ସେନା ଛତ୍ରଭଙ୍ଗ ଦେଲେ l ଦୂରରେ ସଂସପ୍ତକଙ୍କ ସହ ଲଢ଼ୁଥିବା ଅର୍ଜୁନ, ଧୂଳି ଝଡ଼କୁ ଦେଖି କୃଷ୍ଣଙ୍କୁ କହିଲେ,ବାସୁଦେବ ! ଜଣା ପଡ଼ୁଛି ଭଗଦତ୍ତଙ୍କ ସେହି ଯୋଦ୍ଧା ହସ୍ତୀଟି ମଥିତ କରି ଆଜି ସମସ୍ତ ପାଣ୍ଡବସେନାକୁ ନିଃଶେଷ କରି ଦେବ l ଆପଣ ମୋ ରଥ ଶୀଘ୍ର ସେହି ଠାକୁ ନେଇ ଚାଲନ୍ତୁ l ଶ୍ରୀକୃଷ୍ଣ ନନ୍ଦିଘୋଷକୁ ପ୍ରଚଣ୍ଡ ବେଗରେ ଚଳାଇ ନେ଼ଇ, ଭଗଦତ୍ତଙ୍କ ସମ୍ମୁଖରେ ପହଞ୍ଚେଇ ଦେଲେ l ଭଗଦତ୍ତ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ଉପରେ ପ୍ରବଳ ବାଣ ବର୍ଷଣ କରୁଥାନ୍ତି l ଅର୍ଜୁନ ତାକୁ ନିବାରଣ କରି ମତ୍ତ ହସ୍ତୀର ବର୍ମକୁ କାଟି ଦେଲେ l ତାପରେ ଅର୍ଜୁନ ହସ୍ତୀର କୁମ୍ଭ ଦ୍ଵୟର ମଧ୍ୟ ସ୍ଥାନକୁ ଲକ୍ଷ୍ୟ କରି ଗୋଟିଏ ତୀକ୍ଷ୍ଣ ଶର ମାରିଲେ l ବଜ୍ରପ୍ରାୟ ସେହି ଶରାଘାତରେ ଗଜରାଜ ସ୍ତବ୍ଧ ହୋଇ ଠିଆ ହୋଇଗଲା l ହୀନବଳ ଗଜକୁ ଉତ୍ତେଜିତ କରିବା ପାଇଁ ଭଗଦତ୍ତ ଯେତେ ଚେଷ୍ଟା କଲେ ସୁଦ୍ଧା ହସ୍ତୀ ଆଉ କିଛି ଶୁଣିଲା ନାହିଁ l କିଛିକ୍ଷଣ ପରେ ପର୍ବତ ପ୍ରାୟ ସେହି ହସ୍ତୀ ଭୂମିରେ ଲୋଟି ପଡ଼ିଲା l ବିରାଟ ତାର ଦନ୍ତଦୁଇଟି ଭୂମିରେ ପଶିଗଲା ଓ ଆର୍ତ୍ତନାଦକରି ସେ ପ୍ରାଣତ୍ୟାଗ କଲା l ଏହି ଥିଲେ ଐରାବତ ବଂଶଜ ପ୍ରସିଦ୍ଧ ଯୁଦ୍ଧ ହସ୍ତୀ ସୁପ୍ରତୀକ l ସେଦିନ କୁରୁକ୍ଷେତ୍ରର ରଣାଙ୍ଗନରେ ସୁପ୍ରତୀକ ପାଣ୍ଡବ ସେନାଙ୍କ ମଧ୍ୟରେ ଯେଉଁ ଭୟ ସଞ୍ଚାର କରିଥିଲେ ଏଵଂ ତାଣ୍ଡବ ରଚିଥିଲେ ତାହା ସ୍ୱର୍ଣ୍ଣାକ୍ଷରରେ ଲିପି ବଦ୍ଧ ହୋଇ ରହିଛି l
                    🙏🙏🙏
                        ଅର୍ଜୁନୀ
                     --------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya story from Inspirational