Madhabi Patel

Inspirational

4  

Madhabi Patel

Inspirational

ଯୁଦ୍ଧ ତୃତୀୟ ଭାଗ

ଯୁଦ୍ଧ ତୃତୀୟ ଭାଗ

4 mins
297



କୁନ୍ତୀକୁ ଏବେ ରାତିରେ ଆଉ ନିଦ ହେଉ ନ ଥିଲା।ସେ ଶୋଇ ଶୋଇ କେବଳ ଘରର ଛାତକୁ ଅନାଇଁ ରହୁଥିଲା।ଆଉ ଭାବନା ରାଜ୍ୟରେ ଉଡି ବୁଲୁଥିଲା । କେବେ ପୁଅ ରହୁଥିବା ୟୁକ୍ରେନ ସହର କଥା ଭାବୁଥିଲା ତ କେବେ ପୁଅର ଜନ୍ମ ରୁ ବଡ ହେବା ଯାଏ ଗୋଟି ଗୋଟି ଦୃଶ୍ୟ ତା ଆଖିରେ ଦେଖା ଯାଉଥିଲା।ନିଜର ପିଲାଦିନରୁ ପୁଅର ଆଗମନ ସବୁକଥା ମନର ସିନେମା

ପରଦାରେ ଦେଖି ପାରୁଥିଲା ସେ।ତା ଜନ୍ମମାଟି ପାଢେରମାଲ ଗାଆଁ ଦିଶୁଥିଲା ତା ଆଖିରେ। ସବୁଜ ଗଛଲତାର ପରିପାଟୀରେ ସୁଶୋଭିତ ତାର ଗାଆଁ ଭୂଇଁଁ।ପାଖରେ କୁଳୁକୁଳୁ ନାଦକରି ବହି ଯାଉଥିଲା ସଫେଇନଈ।ଗ୍ରୀଷ୍ମ ଦିନରେ ବି ଜଳଧାରଟିଏ ବହି ଚାଲିଥାଏ।ତାର ଜଳକୁ ବାନ୍ଧି ଲୋକେ ଅନେକ ପନିପରିବା ଚାଷ କରନ୍ତି।ଖରାଦିନ ତରଭୁଜ ଓ କାକୁଡି ଚାଷ ବେଶୀ ହୁଏ।ନଈର ଦୂଇ କୂଳରେ ଥିବା ଗାଆଁ ମାନଙ୍କରେ ନଦୀର ଜଳକୁ ଉଠାଇ ଅନେକ ପ୍ରକାର ଚାଷ କରିଥାନ୍ତି।

ବଡ ବଡ ଆଖୁକିଆରୀ ଧାଡି ଧାଡି ହୋଇ ଶୋଭା ପାଉଥିଲା।କାର୍ତ୍ତିକ ମାସରେ ଆଖୁ ସବୁ ପେଡା ହୁଏ।

ଆଖୁରସରେ ସେମାନେ ଖେଣେଇ ତିଆରି କରନ୍ତି।ଗରମରେ ଫୁଟୁଥିବା ଆଖୁରସରେ ଚାଉଳର ବହଳ ପିଠାଉ କୁ ଏକ ଚଟୁରେ ଦବାଇ ଗଳାଇଲେ ମେଗିପରି ଲମ୍ବା ଆକୃତିର ଖଣେଇ ତିଆରି ହୁଏ।ଆଖୁରସ ଶୁଖି ବହଳ ହେଲେ ଏହା ର ତିଆରି କାମ ଶେଷ ହୁଏ। ଆଖୁ ରସରୁ ଗୁଡ ପାଗ ହୁଏ।ସେ ସମୟରେ ଗୁଡରେ ପାଗକରି ଉଖୁଡା ମଧ୍ୟ ଟିଣ ଟିଣ ତିଆରି ରଖିଥାନ୍ତି।ଯାହା ବର୍ଷସାରା ଖାଇବାକୁ ହୁଏ।ଉଖୁଡାରେ କର୍ପୁର ବାସନାପାଇଁ ପକାଇ ନଡିଆ ଟୁକୁଡା ସବୁ ପକା ଯାଇଥାଏ।ଯୋଉଥିପାଇଁ ଉଖୁଡାର ସୁଆଦ ବଢିଯାଏ।

ଆଖୁଛଡା କଖାରୁ ଝୁଡଙ୍ଗ କଲରା,କୋବି,ବାଇଗଣ ପାତଳଘଣ୍ଟା ,ଲଙ୍କା ଏପରି ଆହୁରି କେତେ ପ୍ରକାର ଚାଷ କରାହୁଏ।ଗହମ ଶୋରିଷ ରାଶି ମୁଗଫଳି ଆଦିବି ଚାଷହୁଏ।କାର୍ତ୍ତିକପୂର୍ଣିମାଦିନ  ଛୋଟଥିଲାବେଳେ ସେମାନେ ନଈରେ ଯାଇ କଦଳୀଡଙ୍ଗା ଭସାନ୍ତି।ଅନ୍ଧାରରୁ ଉଠି ଗାଆଁ ସାରା ଲୋକ ସ୍ନାନ ସାରି ବୋଇତ ଭସାଇଲାବେଳେ ଦୀପ ଆଲୁଅରେ ନଈଟି ବଡ ସୁନ୍ଦର ଦିଶେ।ନଈ ଏକୂଳେ ପାଢେରମାଲର ଲୋକ ବୋଇତରେ ଦୀପଜାଳି ଭସାଇଲା ବେଳେ ଅନ୍ୟ କୂଳରେ ଭାଲୁଗାଡ ଗାଆଁର ଲୋକେ ନିଜର ବୋଇତ ରେ ଦୀପ ଜଳାଇ ଭସାଉ ଥିଲେ।ସେତେବେଳେ ନଈ ସାରା କେବଳ ଦୀପ ଆଲୁଅ ଗୁଡିକ ଜକଜକ ତାରା ଭଳି ପ୍ରତୀୟମାନ ହେଉଥିଲା।

ଏହାଛଡା ଗାଆଁରେ ବଡ ଆମ୍ବବୁରାଇ ସବୁ ରହିଥିଲା।ଗୋଟିଏ ଜାଗାରେ ଘଞ୍ଚ ଭାବରେ ତିରିଶ ଚାଳିଷ ବିଭିନ୍ନ ପ୍ରକାର ଆମ୍ବଗଛ ରହିଥିଲା।କୋଉ ଗଛ ର ଆମ୍ବ ଘୁରୁଲି ଜାତୀୟ ଛୋଟ ଆକୃତି ହୋଇଥିଲା ବେଳେ କେତେକ ମଧ୍ୟମ ଆକୃତି ହୋଇଥାଏ।ଆଉ କେତେକ ବହୁତ ବଡ ଆକାର ଗୁଦାଳିଆ ଥିବାରୁ ତାକୁ ଦହିପାତୁଳ ଆମ୍ବ କୁହା ଯାଉଥିଲା।ଯୋଉ ଆମ୍ବ ଚେରଯୁକ୍ତ ରହୁଥିଲା ସେ ଆମ୍ବଗଛର ନାଆଁ ଚେରିଆ ପଡିଥିଲା।ଯୋଉ ଆମ୍ବର ରସ ଧଳାରଙ୍ଗ ଓ ଦୁଧପରି ସ୍ବାଦ ଲାଗୁଥିଲା ସେ ଆମ୍ବକୁ ଗୁରସ ଆମ୍ବ କହୁଥିଲେ।ବହୁତ ମିଠା ଆମ୍ବକୁ ଗୁଡଭେଲି କହୁଥିଲେ।ଯେଉଁ ଆମ୍ବ ପାଚିଲା ପରେ ବି ସବୁଜ ରଙ୍ଗ ରହୁଥିଲା ସେମିତି ଆମ୍ବକୁ କଲିଆ ଆମ୍ବ କହୁଥିଲେ।ଯୋଉ ଆମ୍ବ ପାଚିଲାପରେବି ଟିକେ ବେଶି ଖଟା ତାକୁ ଆମ୍ଟି ଆମ୍ବ ନାଆଁ ପଡିଥିଲା।ଗୋଲାକୃତି ଆମ୍ବକୁ ଗୁଲୁଠୁ ଆମ୍ବ କହୁଥିଲେ।ଏମିତିକି ବହୁତ ଛୋଟାକୃତି ଆମ୍ବକୁ ଗୁଏଡିମ୍ ବି କହୁଥିଲେ ।

ଗ୍ରୀଷ୍ମଋତୁ ସାରା ଆମ୍ବବଗିଚାରେ ହିଁ ସମସ୍ତଙ୍କ ସମୟ କଟୁଥିଲା।ସେମାନେ ପିଲାମାନେ ଆମ୍ବ ଜଗୁଥିଲେ।ପାଚିଲା ଆମ୍ବ ଯାହା ପଡୁଥିଲା ନିଜ ନିଜର ଗଛଜାଣି ଗୋଟେଇ ଆଣୁଥିଲେ।ଆମ୍ବ ଗଛତଳେ ବସି ସାତଗାତି,ଲୁଡୁ,ତାସ୍ ଓ କାଚିକୁଣ୍ଢି ବି ଖେଳୁଥିଲେ।କୁନ୍ତୀ ଚାରି କ୍ଲାସ ଯାଏ ଗାଆଁରେ ପଢିଥିଲା।ତାପରେ ତା ବାପା ଜନ୍ମେଜୟ ବାବୁଙ୍କର ଅଢାପରା ବଦଳି ହୋଇଗଲା।

ଜନ୍ମେଜୟ ଗାଆଁ ସ୍କୁଲରେ ଶିକ୍ଷକ ଥିଲେ।ତାଙ୍କର ଚାରିଝିଅ।ବଡ ସୁନୀତି,କୁନ୍ତୀ,ରେବତୀ ଓ ଜ୍ୟୋତି।

ପୁଅ ନ ଥିବାରୁ ସେ ଓ ତାଙ୍କ ପତ୍ନୀ ଝିଅମାନଙ୍କୁ ପୁଅ ମାନଙ୍କ ପରି ସବୁ ସୁଯୋଗ ଦେଇଥିଲେ। ପାଠପଢିବା ଖେଳିବା ଗାଡି ଚଳାଇବା କୋଉ କାମରେ ବାରଣ ନଥିଲା।ବାପାଙ୍କ ପ୍ରତ୍ସୋହନ ପାଇ ଝିଅମାନେ ଭଲ ପଢିବାକୁ ଲାଗିଲେ।ସଭିଏଁ କିଛି ନା କିଛି ଛୋଟମୋଟ ଚାକିରି କଲେ।କିଏ ଶିକ୍ଷୟତ୍ରୀ,ହେଲା କିଏ ନର୍ସ ହେଲା।କୁନ୍ତୀ ବହୁତ ଭଲ ପଢୁଥିଲା।ସେ ଚାରିକ୍ଲାସରୁ ଦଶ କ୍ଲାସ ଯାଏ ମଝାପଡାରେ ପଢିଲା।ପ୍ଲସ ଟୁ ସୁନ୍ଦରଗଡ ଗଭମେଣ୍ଟ କଲେଜରେ ପଢିଲା।ତାପରେ ଜି,ଏମ୍ କଲେଜ ସମ୍ବଲପୁରରେ ପିଜି ଯାଏ କଲା।

ତାପରେ ସୁପରଭାଇଜର ଚାକିରି ରେ ଆବେଦନ ଦେଇ ସହଜରେ ପାଇ ଯାଇଥିଲା।ଦୁଇ ତିନିବର୍ଷ ଚାକିରି କରିବା ପରେ ରଜନୀଙ୍କ ଘରଆଡୁ ପ୍ରସ୍ତାବ ଆସିଥିଲା ବିବାହ ପାଇଁ।ସେତେବେଳେ କୁନ୍ତୀ ସବଡେଗାରେ ସୁପରଭାଇଜର ଚାକିରି କରୁଥିଲେ।ରଜନୀ ସେଇ ପାଖ ଗାଆଁରେ ଶିକ୍ଷକତା କରୁଥିଲେ।ଉଭୟଙ୍କ ସେଠି ଦେଖା ସାକ୍ଷାତ ହୋଇଥିଲା।ନିଜ ଜାତିର ଚାକିରି କରୁଥିବା ଭଲ ଚରିତ୍ରର ସୁନ୍ଦର ଝିଅଟେ ଦେଖି ତାଙ୍କ ମନ ଆସିଗଲା।ତାଙ୍କ ପରିବାର ସେତେବେଳେ ବଡ ଅଭାବରେ ଚଳୁଥିଲେ।ପିଲାମାନେ ଛୋଟ ଛୋଟ ଥିବା ବେଳେ ମାଆଙ୍କ ଦେହାନ୍ତ ହୋଇଗଲା।ତାପରେ ବଡ କଷ୍ଟରେ ମାତୃହରା ପିଲାମାନେ ନିଜେ ନିଜେ ସଂଘର୍ଷ କରି ବଡ ହେବାକୁ ଲାଗିଲେ।ରଜନୀଙ୍କ ପିଲାଦିନର ସଂଘର୍ଷ କାହାଣୀ ପରେ ଶୁଣିବେ।ଏବେ ବି ସେମାନେ ସଂଘର୍ଷ କରି ଚାଲିଥିଲେ ମାଟିରେ ନିଜ ଗୋଡ ଜମାଇବାକୁ।ରଜନୀଙ୍କ ତଳେ ଆହୁରି ତିନି ଭାଇ ଓ ଦୁଇ ଭଉଣୀ ଥାଆନ୍ତି।ତାଙ୍କ ଉପରେ ବଡ ଭଉଣୀଟିଏ ତାର ବିବାହ ସରି ଯାଇଥିଲା।ଏତେସବୁ ଦାୟିତ୍ବ ଉଠାଇବାକୁ ରଜନୀଙ୍କୁ ଏକ ସହୃଦୟ ଜୀବନସାଥୀ ଦରକାର ଥିଲା।ଯିଏ ତାଙ୍କ ଗୃହର ଶଗଡକୁ ତାଙ୍କ ସହ ମିଶି ଟାଣିବାକୁ ସହଯୋଗ କରିବ।ଆଉ ସେ ଜଣକ କୁନ୍ତୀ ହିଁ ଉପଯୁକ୍ତ ପାତ୍ରୀ ଥିଲେ।ସେ ଯେମିତି ମେଧାବୀ ଛାତ୍ରୀ ଥିଲେ ସେମିତି ଦାୟିତ୍ବବାନ ଝିଅ ଥିଲେ।ଚାକିରୀର ଦାୟିତ୍ବ ସୂଚାରୁଭାବେ ନିର୍ବାହ କରିବା ସହିତ ସେ ପାରିବାରିକ ସଂପର୍କକୁ ବି ମାନ୍ୟ ଦେଉଥିଲେ।ଏସବୁ ଗୁଣ ଦେଖି ରଜନୀ ତାଙ୍କୁ ଭଲପାଇ ବସିଥିଲେ।ନିଜର ଜଣେ ଗୁରୁଜନଙ୍କ ହାତରେ ବିବାହ ପ୍ରସ୍ତାବ ପଠାଇଥିଲେ।

ରଜନୀ ଙ୍କ ପରିବାରର ଦାୟିତ୍ବର ବୋଝ କେବଳ ଅଧିକ ଥିଲା।ନହେଲେ ସେ ସବୁ ଗୁଣରେ ଯୋଗ୍ୟ ବର ପାତ୍ର ଥିଲେ।ଦେଖିବାକୁ ହେଣ୍ଡସମ୍ ଥିଲେ।ସରଳ ନିରାଡମ୍ବର ପରିଶ୍ରମୀ ଥିଲେ।ଦାୟିତ୍ବଜ୍ଞାନ ଥିଲା।ସଂପର୍କକୁ ବୁଝି ମାନ୍ୟ ଦେଉଥିଲେ।ବିଶ୍ବାସୀ ସହଯୋଗୀ ଓ ଉପକାରୀ ଯୁବକ ଥିଲେ।ଭଲ ମେଧାବୀ ଛାତ୍ର ମଧ୍ୟ ଥିଲେ ହେଲେ ଅର୍ଥ ବାଧକ ହେବାରୁ ପାଠପଢାରୁ ବିରତି ନେଇ ପ୍ଲସ ଟୁ ପରେ ସିଟି କରି ଶିକ୍ଷକତା କଲେ।ସେ ଚାକିରି କରିନ ଥିଲେ ତଳ ଭାଇ ଭଉଣୀ ମାନେ କେହି ପଢି ପାରି ନ ଥାନ୍ତେ।ତାଙ୍କ ଦରମା ଟଙ୍କାରେ ଘର ଚଳୁଥିଲା।ବାପା କିଛି କରୁନ ଥିଲେ।ଜମି ଆଠ ଦଶ ଏକର ଥିଲା।ଈଚ୍ଛା ନଦୀ କୂଳରେ ତାଙ୍କ ଗାଆଁ ସୁର୍ଡା।ଭଲ ଉର୍ବର ମାଟି ।ସୁନା ଫଳୁଥିଲା ସେ ମାଟିରେ କେବଳ ପରିଶ୍ରମ ଦରକାର ଥିଲା।ରଜନୀ ଚାଷ କାମରେ ବି ମୂଲିଆ ମାନଙ୍କ ସହ କାମ କରୁଥିଲେ ସମୟ ପାଇଲେ।ବାପା ଙ୍କ ଦ୍ବାରା ଖଡା ସିଝୁ ନ ଥିଲା।ନାଆଁ ଯେମିତି ଅସକୁରା ପାଇଥିଲେ ସେମିତି ଅଳସୁଆ ବି ଥିଲେ।ଦେଖିବାକୁ ଫିଟ ଗୋରା ରଜାପରି ଚେହେରା।ମାଆ ବାପା ଗୋଟିଏ ପୁଅ ବୋଲି ଗେହ୍ଲାରେ ବଢାଇଥିଲେ।ତେଣୁ ଖରାତରାରେ ସେ କଠିଣ କାମ କରି ପାରୁନ ଥିଲେ।ରଜନୀଙ୍କ ମାଆ ଶୈବ୍ୟା ଯେତେଦିନ ବଞ୍ଚିଥିଲେ ନିଜ ଉଦ୍ୟମରେ ମୂଲିଆ ଲଗାଇ ଚାଷକାମ ଆଦି ସମ୍ଭାଳୁଥିଲେ।ତାଙ୍କପରେ ସେମାନେ ଦୁର୍ଗତି ଆଡକୁ ଖସିବାକୁ ଲାଗିଲେ।ଏବେ ରଜନୀ ଛୋଟ ପିଲାହୋଇ ବି ଘରର ସବୁ ଦାୟିତ୍ବ ବୋହିବାକୁ ବାଧ୍ୟ ହେଉଥିଲେ।

କୁନ୍ତୀଙ୍କ ପ୍ରସ୍ତାବ ତାଙ୍କ ପାଇଁ ଉପଯୁକ୍ତ ଥିଲା।କୁନ୍ତୀଘରଲୋକ ବି ମାନି ଯାଇଥିଲେ।ସେମାନଙ୍କର ବି ଚାରି ଚାରିଟା ଯୁବତୀ ଝିଅ ଥିଲେ।ଗୋଟେ ଗୋଟେ ବିବାହ କରି ଝିଅ ଋଣ ଓହ୍ଲାଇବାକୁ ଚାହୁଁଥିଲେ ବାପା ମାଆ।ନହେଲେ କୁନ୍ତୀ ଙ୍କୁ ଆହୁରି ଯୋଗ୍ୟ ପ୍ରସ୍ତାବ ମିଳିଥାନ୍ତା।ସେ ଅଧିକ ପାଠ ବି ପଢିଥିଲେ।ତଥାପି ଏ ପ୍ରସ୍ଥାବରେ ସହମତି ଦେଇଦେଲେ।ଲୋକେ କୁହନ୍ତି ଯିଏ ଯାହା ହାଣ୍ଡିରେ ଚାଉଳ ପକାଇ ଥାଏ ତାରବୋହୁ ହୋଇ ଆସେ।କୁନ୍ତୀ ବୋଧହୁଏ ତାଙ୍କ ଘରକୁ ଆସିବାକୁ ଭଗବାନ ତା ଭାଗ୍ୟରେ ଲେଖିଥିଲେ।

ବିବାହରେ ସାରା ପରିବାର ଖୁସୀ ଥିଲେ।ଭଲ ଝିଅଟେ ମିଳୁଥିଲା ତାଙ୍କୁ।ବିବାହ ପରେ ଘରକୁ ଘର ଚଳନୀୟ ସମସ୍ତ ଜିନିଷ ନେଇ ଆସିଥିଲେ।ସୋଫା,ପଲଙ୍କ,

କୁଲର ଟିଭି ସବୁ ନେଇ ଆସିଥିଲେ।ଘରଟା ଏବେ ପୁରିଲା ପୁରିଲା ଲାଗିଲା।କୁନ୍ତୀବି ସଭିଙ୍କୁ ନିଜ ଜିନିଷ ବ୍ୟବହାର କରିବାକୁ ଦେଉଥିଲେ।ଖରାଦିନ ଦୁଆରେ କୁଲର ରଖି ଘରସାରା ସଭିଏଁ ଶୋଉଥିଲେ।ଟିଭି ବି ନିଜ କୋଠରୀରେ ନ ରଖି ବାରନ୍ଦାରେ ରଖୁଥିଲେ ଓ ସଭିଏଁ ମିଶି ଦେଖୁଥିଲେ।ନିଜ ସେବା ଯତ୍ନ ଫଳରେ

ସମସ୍ତଙ୍କ ପ୍ରିୟ ହୋଇ ଯାଇଥିଲେ କୁନ୍ତୀ ।ନଣନ୍ଦମାନେ ତାଙ୍କର ଶାଢୀ ଗହଣା ପ୍ରସାଧନ ସାମଗ୍ରୀ ସବୁ ମନହେଲେ ବ୍ୟବହାର କରି ପାରୁଥିଲେ।ରଜନୀଙ୍କୁ ମିଳିଥିବା ମଟରସାଇକେଲ ବି ଭାଇମାନେ ଦରକାର ହେଲେ ନେଉଥିଲେ।ସେମାନେ ବଡ ଭାଇ ଭାଉଜ ହେଲେ ବି ମାଆ ବାପାର କର୍ତ୍ତବ୍ୟ ତୁଲାଉ ଥିଲେ। କାହାରି ମନରେ କଷ୍ଟ ଦେଉନ ଥିଲେ।

କ୍ରମଶଃ



Rate this content
Log in

Similar oriya story from Inspirational