STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଯୁଦ୍ଧ ଦ୍ୱିତୀୟ ଭାଗ

ଯୁଦ୍ଧ ଦ୍ୱିତୀୟ ଭାଗ

4 mins
176


କୁନ୍ତୀ ତୁମେ କେତେ ଦିନ ଆଉ ଏମିତି ନଖାଇ ଭୋକରେ ରହିବ।ତୁମେ ଖାଦ୍ୟ ନ ଖାଇଲେ କଣ ସବୁ ସମସ୍ୟାର ସମାଧାନ ହୋଇଯିବ।ଯୁଦ୍ଧ ବନ୍ଦ ହୋଇଯିବ।ରୁଷିଆ ୟୁକ୍ରେନ ଉପରେ କରୁଥିବା ବମ୍ବାରି ଉଠାଇ ନେବ?ବରଂ ତୁମ ଦେହ ଖରାପ ହେଲେ ପୁଣି ଆମ ଘରେ ଆଉ ଏକ ସଂକଟ ଘନେଇ ଆସିବ।ତୁମେ ହସପିଟାଲରେ ଶୋଇବ ଆଉ ମୁଁ ଘରୁ ହସପିଟାଲ ହେଉଥିବି ଚାକିରି କାମ ଛାଡି।କୁନ୍ତୀଙ୍କ ସ୍ବାମୀ ରଜନୀକାନ୍ତ ବାବୁ କୁନ୍ତୀଙ୍କ ଉପରେ ନାରାଜ ହୋଇ ଏମିତି କହୁଥିଲେ ।


କୁନ୍ତୀ ଜଣେ ଶିକ୍ଷିତା ନାରୀ ହୋଇ ଅବୁଝା ହେଉଥିଲେ।ସବୁ ଜାଣୁଥିଲେ ସେ ,ଏଠି ଯେତେ ଛଟପଟ ହେଲେବି ଯୁଦ୍ଧ ଉପରେ କିଛି ପ୍ରଭାବ ପଡିବନି।ତାପରି କେତେ ନିରୀହ ଜନନୀ ଭାଇ ଭଉଣୀ ଏ ଯୁଦ୍ଧ ବନ୍ଦ ହୋଇଯାଉ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଥିବେ।କେତେ ବାପା ମନେମନେ ଭଗବାନଙ୍କୁ ଡାକୁଥିବେ ଯୁଦ୍ଧ ବିରତି ପାଇଁ। ତାଙ୍କ ପୁଅ ଝିଅ ନିର୍ବିଘ୍ନରେ ଘରକୁ ଫେରିଆସନ୍ତୁ ବୋଲି ପ୍ରାର୍ଥନା କରୁଥିବେ ଭଗବାନଙ୍କୁ।ଯୁଦ୍ଧ ହେଉଥିବା ଦେଶର ଜନତା ବି ତାଙ୍କ ଭଗବାନ ପାଖରେ ଗୁହାରି କରୁଥିବେ ଏଇ ଯୁଦ୍ଧର ଆତଙ୍କ ହଟି ଯାଉ ଆଉ ତାଙ୍କ ଦେଶ ପୁଣି ଶାନ୍ତିର ଜୀବନ ବଞ୍ଚୁ ବୋଲି।


କୁନ୍ତୀ ଉପରେ ତାଙ୍କ କଥାର କିଛି ପ୍ରଭାବ ପଡୁନ ଥିଲା।ସେ ଅଧିକାଂଶ ସମୟ ମନ୍ଦିରରେ ବସି ଭଗବାନଙ୍କ ନାମ ଜପ କରୁଥିଲେ।ଅଖିଆ ଅପିଆ ଅଫିସ ଚାଲି ଯାଉଥିଲେ।ସେଠି ବି କାମରେ ମନ ଲାଗୁନ ଥିଲା।ମୁହଁ ଶୁଖି ଯାଇଥିଲା ତାଙ୍କର।ଅଫିସରେ ବି ସମସ୍ତେ ଜାଣିଥିଲେ ତାଙ୍କର ପୁଅ ଡାକ୍ତରି ପଢିବାକୁ ଯାଇ ୟୁକ୍ରେନରେ ଫସି ରହିଛି ବୋଲି।ଏ ଯୁଦ୍ଧର ଦାରୁଣ ବିଭିଷିକା ଭିତରେ ପୁଅ ବନ୍ଦୀଥିବା ବେଳେ ମାଆର ମାନସିକ ଅବସ୍ଥା କଣ ହେଉଥିବ ସଭିଏଁ ବୁଝି ପାରୁଥିଲେ। ସଭିଏଁ ଯିଏ ଭେଟିଲେ ପଚାରୁ ଥିଲେ ଅନିମେଶ ର ଖବର କଣ?

ଫୋନ କରିଥିଲା କି? କେମିତି ପରିସ୍ଥିତି ଅଛି ସେଠି?

ଟିଭିରେ ତ ଚବିସଘଣ୍ଟା ଯୁଦ୍ଧର ଭୟାବହତା ବିଷୟରେ ପ୍ରଚାର ପ୍ରସାର ଚାଲିଥିଲା।ସମସ୍ତେ ଦେଖୁଥିଲେ ଓ ଜାଣୁଥିଲେ ସବୁ ତଥାପି ସତ୍ୟ ଘଟଣା ଶୁଣିବାକୁ ଚାହୁଁଥିଲେ।ସିଏ ସେଠିକା ସତସତିକା ଲୋକଙ୍କ ଉପରେ ଘଟୁଥିବା ଘଟଣା ଶୁଣାଇବ ବୋଲି।


ଏମିତି ଓଡିଶାରୁ ଅନେକ ଯୁବକ ଯୁବତୀ ୟୁକ୍ରେନକୁ ଡାକ୍ତରି ପଢିବା ପାଇଁ ଯାଇଥିଲେ।ଭାରତରେ ଅନେକ ମେଧାବୀ ଛାତ୍ରଛାତ୍ରୀ ଥିଲେବି ସମସ୍ତେ ଏନ୍ଟ୍ରାନସ ପାଉନଥିଲେ।ଏଠି ନିଜ ଦେଶରେ ପ୍ରାଇଭେଟରେ ପଢିବା ବ୍ୟୟ ବହୁଳ ହୋଇଥାଏ। ୟୁକ୍ରେନରେ ଭାରତ ଅପେକ୍ଷା ପଢାଖର୍ଚ୍ଚ କମ୍ ପଡେ।ପ୍ରାୟ ପଇଁତିରିଶ ରୁ ଚାଳିଶ ଲକ୍ଷ ଦେଲେ ଡାକ୍ତରିପଢା ହୋଇଯାଏ।ହେଲେ ଭାରତରେ ଦୁଇକୋଟିରୁ ଅଧିକ ଖର୍ଚ୍ଚ ହୁଏ।ସେଥିପାଇଁ ଅନେକ ବାପମାଆ ପିଲାକୁ ଡାକ୍ତରି ପଢାଇବେ ବୋଲି ପିଲା ଛୋଟ ଥିବା ବେଳୁ ଟଙ୍କା ସଂଚୟ ଆରମ୍ଭ କରିଦିଅନ୍ତି।ଯେମିତି କୁନ୍ତୀ ଓ ରଜନୀ କରିଥିଲେ।ନିଜ ଠାରୁ ପୁଅ ବଡ ଚାକିରି କରିବ ବୋଲି ସବୁ ବାପା ମାଆ ଚାହାଁନ୍ତି।ସେମାନେ ବା ବାଦ୍ ପଡନ୍ତେ କିପରି?


ଅନିମେଶ ଛୋଟ ଥିବା ବେଳୁ ସେମାନେ ଘରଚଳନୀର କାଟତି କରି କିଛି କିଛି ଅର୍ଥ ସଂଚୟ କରୁଥିଲେ।ଅଭାବ ଭିତରେ ଚଳୁଥିଲା ତାଙ୍କ ପରିବାର।ଅନେକ ଅସୁବିଧାର ସମ୍ମୁଖୀିନ ହୋଇଛନ୍ତି ସେମାନେ ।ଭୋକର ଉପଦ୍ରବ ସହିଛନ୍ତି।ଅଭାବରେ ଅନେକ କଟୁତାକୁ ଭେଟିଛନ୍ତି।ଅନେକ ନିଜର ଲୋକ ପର କରି ପଛ କରିଦେଇଛନ୍ତି।ଅଭାବ ହିଁ ତାଙ୍କୁ ମଜବୁତ କରିଛି ଜୀବନ ଯୁଦ୍ଧରେ ଯୁଝିବାକୁ। ଭଲ ପଢିବାକୁ ବାଧ୍ୟ କରିଛି।ପାଠ ବିନା ଅନ୍ୟ ଗତି ନଥିଲା।ମୁଠାଏ ରାସନ ଯୋଗାଡ କରିବାକୁ ହେଲେ ଟିକିଏ ଆତ୍ମସମ୍ମାନ ସାଉଁଟିବାକୁ ହେଲେ ପାଠପଢାର ଆବଶ୍ୟକତା ରହିଛି ସେକଥା ବୁଝିସାରିଥିଲେ ପିଲାବେଳୁ।ସବୁ ଭାଇ ଭଉଣୀ ପିଲାବେଳୁ ପରିଶ୍ରମୀ ଥିଲେ।ବାପା ମାଆ ଆଉ କିଛି ଶିକ୍ଷା ଦିଅନ୍ତୁ ବା ନ ଦିଅନ୍ତୁ ସଂସ୍କାର ଧୈର୍ଯ୍ୟ ଓ ପରିଶ୍ରମ କରିବା ଶିଖାଇଥିଲେ।ସେମାନେ ସ୍ବାଭିମାନି ବି ଥିଲେ।ଅଭାବରେ ଥାଇ ବି କାହା ପାଖେ ହାତପାତିନଥିଲେ।ଲଢିିଥିଲେ ଭଗ୍ୟ ସହିତ।ଶେଷରେ ସମସ୍ତେ ନିଜ ଗୋଡରେ ଠିଆ ହେବାକୁ ସକ୍ଷମ ବି ହୋଇଥିଲେ।କୁନ୍ତୀ ଯେବେଠୁ ବୋହୁ ହୋଇ ଘରକୁ ଆସିଛନ୍ତି ଘରପାଇଁ ବହୁତ କିଛି କରିଛନ୍ତି।


ବଡ ବୋହୁ ହେବାର ସବୁ ଦାୟିତ୍ବ ସୂଚାରୁ ଭାବେ ତୁଲାଇଛନ୍ତି।ଗୋଟି ଗୋଟିକରି ଛୋଟ ନଣନ୍ଦ ଦିଅର ମାନଙ୍କୁ ପାଠପଢାଇ ଯୋଗ୍ୟ ଘରଦେଖି ବିବାହ କିରିଛନ୍ତି।ଏବେ ସମସ୍ତେ ନିଜ ପରିବାର ସହ ଭଲରେ ଅଛନ୍ତି।

କୁୁନ୍ତୀ ଅଫିସରୁ ଫେରିଲା ପରେ।ହାତଗୋଡ ଧୋଇ ପୂଜା ଘରେ ବସି ଯାଉଥିଲେ।ଆଖିରୁ ଲୁହଧାର ଗଡି ଆସୁଥିଲା।ଭଗବାନଙ୍କୁ କହୁଥିଲେ ହେ ଭଗବାନ ମୋ ପୁଅକୁ ତୁମ ଭରସାରେ ବିଦେଶରେ ଛାଡିଛି।ଆପଣତ ଜଗଜ ଉଦ୍ଧାରଣ କରିଛନ୍ତି,ମୃଗୁଣୀର ସ୍ତୁତି ଶୁଣି ଅଗ୍ନୀକାଣ୍ଡ ଭିତରୁ ତା ପିଲାଙ୍କ ସହିତ ରକ୍ଷା କରିଛନ୍ତି।ଭାରତିୟା ପକ୍ଷୀ ଓ ତା ଅଣ୍ଡାକୁ ଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ଘଣ୍ଟ ଘୋଡେଇ ବଞ୍ଚାଇ ରଖିଛନ୍ତି।ଏମିତି କେତେ ଉଦାହରଣ ରହିଛି ବିପଦରେ ପଡିଥିବା ଭକ୍ତଙ୍କୁ ତୁମେ ରକ୍ଷାକରିଥିବାର।ମୋ ପୁଅବି ଯୁଦ୍ଧରେ ଫସି ଯାଇଛି।ଦୂର ଦେଶରେ ତାକୁ ସାହାଯ୍ୟ କରିବାକୁ କେହି ନାହିଁ।କଣ ଖାଉଥିବ?

ଡରରେ ଥରୁଥିବ ବେଚାରା?କେତେ ଭୟାଳୁ ଥିଲା ପିଲାବେଳେ, ଦିଓ୍ବାଲି ଦିନ ଫଟକାଟେ ଫୁଠିଲେ

ସେ ଭୟଭିତ ହୋଇ ଘରେ ଲୁଚି ଯାଉଥିଲା।ଏବେ ମିସାଇଲର ଧମାକା,ବମ୍ ର ଧମାକା ଭିତରେ

ସେ ରହୁଥିବ କେମିତି?ଡାକ୍ତର ଦେଖିଲେ କାନ୍ଦିିବା

ଆରମ୍ଭ କରିଦେଉଥିଲା।ଇଞେକସନ୍ ଦେଲେ ଆଗରୁ କାନ୍ଦିବା ଆରମ୍ଭ କରୁଥିଲା।ଆଉ ସରିଲା ପରେ ବି ଘଣ୍ଟାଏ ସୁସୁକି ସୁସୁକି ଲୁହ ସିଙ୍ଘାଣୀ ଏକାକରି କାନ୍ଦୁଥିଲା।ସେଇ ପିଲାବେଳର ଚେହେରା ମନେ ପଡୁଥିଲା।ଏବେ ସେଠି ଲୋକ ମାନେ ବୋମା ମାଡରେ ଖଣ୍ଡ ବିଖଣ୍ଡ ହୋଇ ଛିଟିକି ପଡୁଥିବେ।ସେ ବିଭତ୍ସ ଦୃଶ୍ୟ ସେ ଦେଖି କେତେ ଡରୁଥିବ?

ଏସବୁ କଥା ଭାବି ସେ ବ୍ୟାକୁଳ ହୋଇ ପଡୁଥିଲେ।ପୂଜାସାରି ସ୍ବାମୀଙ୍କ ପାଇଁ ଯାହି ତାହି କିଛି ରୋଷେଈ କରୁଥିଲେ।ହେଲେ ନିଜେ କିଛି ଖାଇପାରୁନ ଥିଲେ।ଖାଇବାକୁ ଚାହିଁଲେବି ମୁହଁରେ ଖାଦ୍ୟ ଗଳୁ ନ ଥିଲା।

ପିଲାଟି ସେଠି ଭୋକରେ ଥିବ ଆଉ ଏଠି ମାଆ ହୋଇ ତା ପାଟିରେ ଖାଦ୍ୟ ଗଳିବ କିପରି?


ପୁଅର ଶୁଖିଲା ଚେହେରା ତା ଭାବନାରେ ଆସୁଥିଲା।ସେଇ ମାସୁମ ଚେହେରା ଦେଖି ମନ ତାର ଛଟପଟ ହେଉଥିଲା।ତାଘରେ କେତେପ୍ରକାର ଫଳ ପରିବା ଯୁସ୍ ଭରି ପଡିଛି।ହେଲେ ଛୁଆଟି ସେଠି ବଙ୍କର ଭିତରେ ଲୁଚି ବସିଛି।ବସିବାକୁ ଚଟେଇଟେ ନାହିଁ।ଓଢିହେବାକୁ କମ୍ବଳଟେ ନାହିିଁ।ସେଠି ବରଫ ଓ

ବର୍ଷାହେତୁ ଭୀଷଣ ଥଣ୍ଡା ହେଉଥିଲା।ହେଲେ ପୁଅ ଘରଛାଡି ବଙ୍କରକୁ ଚଲିଯାଅ ଏନାଉନ୍ସମେଣ୍ଟ ଶୁଣି ଭୟରେ ନିଜ ଫ୍ଲାଟରୁ ଗୋଡ କାଢିଲା ବେଳେ

 ସାଙ୍ଗରେ କିଛି ଧରିକି ଯାଇନଥିଲା।ତାର ତ ଆଗରୁ ଏସବୁ ର ଅଭିଜ୍ଞତା ନ ଥିଲା।ଛୋଟ ପିଲାପରି ତାର ବ୍ୟବହାର।ଏକଇର ପୁଅ ବୋଲି କୁନ୍ତୀ ଗେହ୍ଲାକରି କିଛିକାମ କରିବାକୁ ଦିଅନ୍ତିନି।ଦାୟିତ୍ବ ଜ୍ଞାନ କିଛି ଶିଖିନ ଥିଲା।ରୋଷେଇବାସ କରିବା କି ଜିନିଷ ପତ୍ର ସଜାଡି ରଖିବା ତା ଦ୍ବାରା ହୁଏନି। ଦେଶଛାଡି ବାହାରକୁ ଯିବ ବୋଲି କୁନ୍ତୀ କହୁଥିଲେ ଏବେ ହେଲେ କିଛି କାମ ଶିଖିଯା ସେଠି କାମରେ ଆସିବ।ତାଙ୍କ କଥାରେ ଅନିମେଶ ମ୍ୟାଗି ଓ ଚା ତିଆରି କରିବା କେବଳ ଶିଖିଥିଲା।କପଡା ଚଉତ କରିବା ଆସେନି ବୋଲି ଓଢିବା ଚଦରକୁ ଗୋଲ ଗଣ୍ଠଲି କରି ରଖିଥାଏ।ଯିବା ଆଗରୁ ତାକୁଭାଙ୍ଗ କରିବା ଶିଖାଇଦେଲେ।ବଙ୍କର କେମିତି ଜିନିଷ ସେ ଜାଣି ନ ଥିଲା।ସେଠି ଯାଇ ଜାଣିଲା ମାଟିଭିତରେ ଏକ ଖୋଲା ଜାଗା। ମଇଳା କୋତରା ଚଟାଣ।ଲାଟ୍ରିନଟିଏ ଥିଲା ଯେ ମଇଳା ହୋଇ ପଡିଥିଲା।ଦରଜାଟେ ବି ନ ଥିଲା ସେଠି।ବାସ୍ ପାଣି ପାଇପଟେ ଲାଗିଥିଲା।ହେଲେ ସେ ପାଣି ପିଇବା ପାଣି ନଥିଲା।ପାଣି ବୋତଲଟେ ଓ ବିସ୍କୁଟ ପେକେଟଟେ ଧରି ସେ ବାହାରି ଯାଇଥିଲା ତରତରହୋଇ।ସେସବୁ ଖାଇ ସରି ଯିବା ପରେ ଭୋକରେ ଥିଲା ସେ।ଏସବୁ ଫୋନରେ ତା ହାଲଚାଲ ପଚାରିବାରୁ କହିଥିଲା ପୁଅ।ଭିଡିଓ କଲ୍ କରି ସେ ଅସନା ଜାଗା ଦେଖାଇ ଥିଲା ।ସେଠି କେମିତି ବହୁତ ଲୋକ ଭୟରେ ଲୁଚି ବସିଥିଲେ।ଛୋଟପିଲାରୁ ଆରମ୍ଭକରି ଗର୍ଭବତୀ ମହିଳା ଓ ବୃଦ୍ଧ ବୃଦ୍ଧା ସଭିଏଁ ଥିଲେ ସେଠି।ସମସ୍ତଙ୍କ ଭୟାର୍ତ୍ତ ଓ ଶୁଖିଲା ମୁହଁ ସେ ଦେଖି ପାରିଥିଲେ।ତାଙ୍କର ଛାତି ଥରିଉଠିଥିଲା ଯେତେବେଳେ ମୋବାଇଲରେ ବୋମା ମାଡର ଶବ୍ଦ ଶୁଣୁଥିଲେ।ସାଏରନ ର ଶବ୍ଦ ଶୁଣୁଥିଲେ।ସେ କେବଳ ଭଗବାନଙ୍କୁ ଡାକୁଥିଲେ ହେ ଭଗବାନ ଆପଣ ତ ସବୁ ଜାଗାକୁ ଯାଇ ପାରନ୍ତି।ମୋ ପୁଅ ପାଖକୁ ଯାଇ ତାର ରକ୍ଷା କର ପ୍ରଭୁ।ତାକୁ କୌଣସି ମତେ ମୋ ପାଖକୁ ଫେରେଇ ଆଣିଦିଅ।ମୁଁ ତୁମର ସତ୍ୟନାରାୟଣ ପୂଜା କରିବି ପୁଅ ଫେରିଆସିଲେ।ଏମିତି ଭାବି ଭାବି ସମୟ କଟୁଥିଲା।ରାତିସାରା ବି ଭାବନାରେ କଟି ଯାଉଥିଲା।ନିଦ ହେଉନଥିଲା।ଅନେକ ପୁରୁଣା କଥା ମନେ ପଡୁ

ଥିଲା ତାଙ୍କର।

କ୍ରମଶଃ...


Rate this content
Log in

Similar oriya story from Inspirational