ଯୁଦ୍ଧ ଛଅ ଭାଗ
ଯୁଦ୍ଧ ଛଅ ଭାଗ
ରଜନୀ ପୁଅ ଅନିମେଶ ର ଫୋନ ଖବର ପାଇ ଭୟଭିତ ହୋଇପଡିଲେ।ଆଗରୁ ଯଦିଓ ଯୁଦ୍ଧ ହେବାର ଖବର ଶୁଣା ଯାଉଥିଲା ତଥାପି କିଛି ସେମିତି ହୋଇନଥିଲା।ସେଠିକା ଭାରତୀୟ ଅମ୍ବାସୀ ବି ଭୟକରିବାର କାରଣ ନାହିଁ ବୋଲି ସାନ୍ତ୍ବନା ଦେଇଥିଲେ।ହେଲେ ଏବେ ପୁଅ ପାଖରୁ ଆଖିଦେଖା ଘଟଣା ଶୁଣୁଥିଲେ।ସେଠି ଯୁଦ୍ଧ ଆରମ୍ମ ହୋଇଯାଇଛି ଦୁଇଦେଶ ଭିତରେ।ଏଥିପାଇଁ ସେ ଭୟଭିତ ହୋଇଗଲେ।ଯୁଦ୍ଧରେ ସେ ଲୋକ କେଉଁ ଦେଶର ବୋଲି ଦେଖା ଯାଏନି।ରାସ୍ତାରେ ଯିଏ ପଡିଲା ଗୁଳିର ଶିକାର ହୋଇଯାଏ।ମିସାଇଲ ତ କାହାକୁ ଚିହ୍ନେନି ଯୋଉଠି ପଡିବ ସେ ଅଞ୍ଚଳକୁ ସଂପୂର୍ଣ ଧ୍ବଂସ କରିଦେବ।ଏହା କେତେବେଳେ କୋଉ କଲେଜରେ କି ହଷ୍ଟେଲରେ ନ ପଡିବ ବୋଲି କିଏ କହିବ?
ସେପଟେ କୁନ୍ତୀବି ଟିଭିରୁ ଏ ଯୁଦ୍ଧ ବିଭିଷିକା ଦେଖି ଥରଥରାଉ ଥିଲେ।ମନ ତାଙ୍କର ଭୟଭିତ ହୋଇପଡିଥିଲା।ପୁଅକୁ ଫୋନ କଲେ ବି ଆଉ ଫୋନ ଲାଗୁନ ଥିଲା।ବୋଧହୁଏ ସେଠିକା ପିଲାମାନେ ବି ଭୟରେ ଜୀବନ ବଞ୍ଚାଇବାକୁ ଭାଗା ଦୌଡିରେ ଲାଗିଥିଲେ।ସେଥିପାଇଁ ଫୋନ ଉଠାଉନଥିଲେ।କୁନ୍ତୀଙ୍କର ଏବେ ଭଗବାନଙ୍କ ଠାରୁ ଅନ୍ୟ କେହି
ଭରସା ନଥିଲେ ଯିଏ ପୁଅକୁ ସେଠୁ ବଞ୍ଚାଇ ଆଣିବ।ତେଣୁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ମନ୍ଦିର ଭିତରକୁ ଚାଲିଗଲେ।ଆଉ ରଜନୀ ଭାବନା ଭିତରେ ମଜ୍ଜିଗଲେ।
କେତେ କଷ୍ଟର ଜୀବନ ସେ କାଟିଛନ୍ତି ପିଲାଦିନ।ବଡ ସଂଘର୍ଷ ପରେ ଆଜି ଟିକେ ସୁସ୍ଥ ଜୀବନ ବଞ୍ଚୁଥିଲେ।ଅନିମେଶ ର ଜନ୍ମପରେ ମନରେ ଟିକେ ଆନନ୍ଦ ଆସିଥିଲା ତାଙ୍କର।ହେଲେ ଏବେ ସେ ପୁଅ ସଂକଟରେ ପଡିଛି।
ସେ ତାଙ୍କର ପୁରୁଣା ଦିନ ଗୁଡାକୁ ମନେ ପକେଇ ବାକୁ ଲାଗିଥିଲେ।ତାଙ୍କର ସେ ପିଲାଦିନର ଘଟଣା ମନେ ପଡୁଥିଲା ଗୋଟି ଗୋଟି ହୋଇ।ସେ ଦ୍ବିତୀୟ ସନ୍ତାନ ହୋଇ ଆସଥିିଲେ ଅସକୁରା ଓ ଶୈବ୍ୟାଙ୍କ ଜୀବନରେ। ତାଙ୍କ ବାପାଙ୍କର ଏ ଅସକୁରା ନାଆଁ ଉପରେ ବି ଏକ କାହାଣୀ ଅଛି।
ତାଙ୍କ ବାପାଙ୍କ ଜନ୍ମ ଆଗରୁ ଅନେକ ଗୁଡିଏ ସନ୍ତାନ ଜନ୍ମ ହୋଇ ମୃତ ହେଉଥିଲେ।ସେଥିପାଇଁ ଜନ୍ମପରେ ତାଙ୍କୁ ଏକ ଅସକଟିଆ ଖତ ଗଦାରେ ପକାଇଦେଲେ ଓ ପୁଣି ଉଠାଇ ଆଣିଥିଲେ।ସେଥିପାଇଁ ତାଙ୍କ ନାଆଁ ଅସକୁରା ହୋଇଥିଲା।ନହେଲେ ତାଙ୍କର ଭଲ ନାଆଁ ଯଦୁମଣି।ଆଗେ ଏମିତି ପିଲାଙ୍କୁ ଯମ ମୁହଁରୁ ବଞ୍ଚାଇବାକୁ ଲୋକେ କୋଉ ଘସିଆ ଘରେ ଚମାର ଘରେ ବା ଗଣ୍ଡାଘରେ ବିକ୍ରି କରି ପୁଣି ଫେରାଇ ଆଣୁଥିଲେ।ଆଉ ସେ ପିଲାର ନାଆଁ ସେ ହିସାବରେ ଘସିଆ,ଚମାର ବା ଗଣ୍ଡା ବୋଲି ଡାକୁଥିଲେ।
ଏସବୁ କୁସଂସ୍କାର ହେଲେବି ଲୋକଙ୍କ ବିଶ୍ବାସ ଥିଲା ଓ ସେ ପିଲାମାନେ ବଞ୍ଚି ବି ରହୁଥିଲେ।ଯେମିତି ଅସକୁରା ବଞ୍ଚିଗଲେ।ଘରେ ପୁଅ ନଥିଲା ପୁଅ ଆସିବା ପରେ ଘରଟି ଖୁସୀରେ ଭରି ଉଠିଲା।ଗୋଟିଏ ପୁଅ ବୋଲି ତାଙ୍କୁ ଏତେ ଲାଡ ଗେଲ ମିଳିଲା ଯେ ସେ ଶେଷକୁ ଅଳସୁଆ ହୋଇଗଲେ।କାରଣ କିଛି କଷ୍ଟକାମ କରିବାକୁ ଗୁରୁଜନ ଦେଉ ନ ଥିଲେ।ସେଥିପାଇଁ ସେ ଖରାତରା ସହି ପାରୁନ ଥିଲେ।ତାଙ୍କ ବୟସର ଅନ୍ୟ ଲୋକେ ହଳ ଲଙ୍ଗଲ ଚଳାଇ ଚାଷବାସ କରୁଥିବା ବେଳେ ସେ ଏସବୁ କିଛି ପାରୁନଥିଲେ।ତେଣୁ ମୂଲିଆ ରଖି ଚାଷକାମ କରୁଥିଲେ।ବାପା ମାଆ ଥିବାଯାଏ ସେ ଅଚିନ୍ତା ଥିଲେ ବାପା ଙ୍କ ଭରସାରେ ସବୁ କାମ ଛାଡି ଦେଇଥିଲେ।ପୁଅର ଏ ଦାୟିତ୍ବହୀନ ଗୁଣ ଲକ୍ଷ୍ୟକରି ତାଙ୍କ ବାପା ଦାୟିତ୍ବସଂପର୍ଣ ଝିଅଟିଏ ଖୋଜି ଆଣିଲେ।ଯିଏ ନିଜ ବୁଦ୍ଧିବିବେକ ବଳରେ ଘରକୁ ସୁରୁଖୁରୁରେ ଚଳାଇ ପାରିବ।ଶୈବ୍ୟା ଦେଖିବାକୁ ଦୁଧପରି ଗୋରୀ ଓ ସୁନ୍ଦରୀ ଥିଲେ।ସେ ବି ତାଙ୍କ ମାଆ ବାପାର ପ୍ରଥମ ସନ୍ତାନ ଥିଲେ।ତାଙ୍କ ତଳେ ଭାଇଭଉଣୀର ଲମ୍ବା ଧାଡିଥିଲା।ସେମାନେ ଏଗାର ଭାଇ ଭଉଣୀ ଥିଲେ।ସେ ବଡ ଥିବାରୁ ତଳ ଭାଇଭଉଣୀ ମାନଙ୍କର ସେବା ଯତ୍ନରେ ବି ମାଆଙ୍କୁ ତାଙ୍କୁ ସାହାଯ୍ୟ କରିବାକୁ ପଡୁଥିଲା।ଘରକାମ ରୋଷେଇ ବାସ,ବାଡି ବଗିଚା କାମ ସବୁ ଶିଖି ଯାଇଥିଲେ ପିଲାବେଳୁ।ସେଥିପାଇଁ ବିବାହପରେ ନିଜ ଶଶୁରଘରର ସବୁ ଦାୟିତ୍ବ ନିଜ ବୁଦ୍ଧିରେ ଚଳାଇବାକୁ ଲାଗିଲେ। ଜମିଦଶ ଏକର ଥିଲା। ନଈ କୂଳିଆ ଭଲ ଉର୍ବରଜମି ସବୁ ଥିଲା।ଈଚ୍ଛା ନଈ କୂଳରେ ତାଙ୍କର ଗାଆଁ।ଈଚ୍ଛା ନଦୀ ସେଇ ନଦୀ ଯାହାର କଥା ବିନୋଦ ନାୟକ ତାଙ୍କ ଗ୍ରାମପଥ କବିତାରେ ବର୍ଣନା କରିଛନ୍ତି।ବାରମାସ ନଈରେ ଧାରଟିଏ ପ୍ରବାହିତ ହେଉଥାଏ।ଧାର ଯଦିଓ କ୍ଷୀଣ ହୋଇଯାଏ ଗ୍ରୀଷ୍ମଦିନରେ ତାକୁ ବନ୍ଧ ବାନ୍ଧି ଲୋକେ ଜଳକୁ ଜମାକରି ରଖନ୍ତି।ସେଇ ଜଳରେ ଗ୍ରୀଷ୍ମ ଓ ଶୀତ ଦିନରେ ପନି ପରିବା ଚାଷ କରାଯାଏ।ଗହମ ଶୋରିଷ,ଆଖୁ,ମରିଚ,ପାତଳଘଣ୍ଟା,ବାଇଗଣ,କୋବି ବନ୍ଧା ଆଳୁ ଏପରି ଅନେକ ଫସଲରେ ନଈକୂଳ ସବୁଜିମାରେ ହସୁଥାଏ।ତାଜା ସତେଜ ପରିବା ଖାଆନ୍ତି ଗାଆଁଲୋକେ।ତା ଉପରେ ଅଧିକ ଦରବ ବିକି ଦୁଇ ପଇସା ରୋଜଗାରବି କରନ୍ତି।ସୂର୍ଯ୍ୟମୁଖୀ ଓ ଶୋରିଷ ଫୁଲ ଯେତେବେଳେ ଫୁଟେ ନଈକୂଳ ପୂରା ହଳଦୀରଙ୍ଗରେ ରଙ୍ଗେଇ ହୋଇଯାଏ।ଲାଗେ ଯେମିତି ହଳଦୀପାଟ ପିନ୍ଧି ସଜେଇ ହୋଇଛି।
ଆଉ ଆଖୁ କ୍ଷେତରେ ଠାଆ କୁ ଠାଆ ଚଅଁର ଫୁଟିବା ଆରମ୍ଭ ହୋଇଗଲେ ଆଖୁ କଟାହୁଏ।ଘଣା ଲାଗେ ଗାଆଁରେ।ରାତି ଅନିଦ୍ରା ରହି ଆଖୁ ପେଡା ଚାଲେ।ଏପଟେ ଗୋରୁ ବା ମଇଁଷି ବେଙ୍ଗଳାବୁଲାଇ ରସ ପେଡୁଥିବେ ଆଉ ସେପଟେ ବଡ ଖନ୍ଦାରେ ବଡବଡ କାଠଗଣ୍ଡି ଜଳୁଥିବ।ସେଇ ଖନ୍ଦାରେ ବଡ କରାରେ ରସସବୁ ଢଳାହୋଇ ଗରମ କରି ଗୁଡ ତିଆରି କାମ ଚାଲୁଥିବ।ଖଣ୍ଡମଣ୍ଡଳ ଯାଏ ଗୁଡ ପାଗର ମହମହ ମହକ ବ୍ୟାପି ଯାଉଥିବ।ସୁନ୍ଦର ହଳଦିଆ ଗୁଡ ପଡେ ସୁର୍ଡା ଗାଆଁର ଆଖୁରେ।ଅନ୍ୟ ଗାଆଁ ର ଗୁଡ କଳାକିଟିକିଟି ଦିଶୁଥିବା ବେଳେ ଏ ଗାଆଁର ଗୁଡ ସଫା ହଳଦୀ ରଙ୍ଗ ହୋଇଥାଏ।ଗୁଡ ପାଗରେ ଖଇଲିଆ ପକେଇ ଉଖୁଡା ତିଆରି ହୁଏ।ଉଖୁଡାରେ ନଡିଆ ଅଳାଇଚ ଆଦି ପକାଇ ଆହୁରି ସ୍ବାଦିଷ୍ଟ କରିଥାନ୍ତି।ସୁର୍ଡାର ଗୁଡ ଓ ଉଖୁଡା ଆମ ଘରକୁ ଟିଣ ଟିଣ ଆସୁଥିଲା।ଆଖୁରସ ତିଆରି ଖେଣ୍ଡେଇ ବି ତିଆରି ପଠାଉ ଥିଲେ।ମୋ ସ୍ବାମୀ ଛୋଟ ଥିଲାବେଳେ ସେ ଗାଆଁକୁ ବହୁତ ଯାଉଥିଲେ ସ୍କୁଲ ଛୁଟି ସମୟରେ।ଶୈବ୍ୟା ତାଙ୍କର ବଡ ନାନୀ ଥିଲେ।ସେ ଭଲ ପାଠ ପଢୁଥିଲେ ଓ ଭଦ୍ର ସରଳ ସ୍ବଭାବର ଥିଲେ ବୋଲି ସମସ୍ତଙ୍କର ପ୍ରିୟଥିଲେ।ଆଖୁବାଡିରେ ପଶି ଆଖୁ ଭାଙ୍ଗି ଖାଉଥିଲେ ପିଲାମାନେ।ଥରେ ଏମିତି ଆଖୁ ବାଡିରେ ଭାଇ ଭଉଣୀଙ୍କ ସହ ମିଶି ଡେଇଁବା ପ୍ରତିଯୋଗିତା କରୁକରୁ ତାଙ୍କର ହାତଟିଏ ଭାଙ୍ଗିଥିଲା।ଦେଶୀ ଚିକିତ୍ସାରେ ଜଟିବୁଟି ଲେପ ଲଗାଇ ହାତ ଭଲ ହୋଇଗଲା ହେଲେ ଆଜିବି ଟିକେ ବଙ୍କା ରହିଯାଇଛି। ବାଡିରୁ ଆଖୁ ଭାଙ୍ଗି ଖାଇବା ମଜା ଅନନ୍ୟ।ବଡବଡ ଆଖୁ ଦଣ୍ଡଧରି ସେମାନେ ଖାଇ ଯାଉଥିଲେ ସେତେବେଳେ।ପିଲାବେଳେ ଡାଏବେଟିସର ଭୟ ନଥିଲା।ଏବେ ତ ସମସ୍ତେ ରୋଗ ଡରରେ ମିଠା ଖାଇବା ଛାଡି ଦେଲେଣି।
ସେ ଗାଆଁର ଆଉ ଏକ ଆକର୍ଷଣ ଜିନିଷ ହେଉଛି ବଡବଡ ଆମ୍ବ ବୁରାଇ।ଅନେକ କିସମର ଦେଶୀ ଆମ୍ବଗଛରେ ଗାଆଁ ର ଚାରିଆଡ ଭର୍ତ୍ତି ଥିଲା।କଷିଆମ୍ବରେ ଲୁଣଲଙ୍କା ଲଗାଇ ଖାଇବା ମଜାବି ନିଆରା ଥିଲା ସେତେବେଳେ।ଆଉ ପାଚିଲା ଲେତି ଚୁସି ଚୁସି ଖାଇବା ତ ଚମତ୍କାର ଲାଗେ।ବେଶି ପାଚିଲା ଆମ୍ବ ହେଲେ ଶୈବ୍ୟା ଆମ୍ବକୁ ଚକଟି ତା ରସକୁ ଏକ ସଫା କପଡାରେ ଢାଳି ଖରାରେ ଶୁଖାଇ ଆମ୍ବସଢା ତିଆ କରି ଦେଉଥିଲେ।ତାକୁ ଗୁଡରେ ପାଗକରି ଆଚାର କରି ଦେଉଥିଲେ।ପିଲାମାନେ ସେ ଆଚାର ଖାଲି ପାଟିରେ ଖାଉଥିଲେ।ଭାତ ସହ ବି ପାଣିଟିକେ ଦେଇ ଚକଟି ପିଆଜ ଲଗାଇ ଖାଉଥିଲେ ବଡ ମଜାରେ।ତାଛଡା ଆହୁରି ଖଟା ମିଠା ଆଚାର ଓ ଆମଚୁର ବି ତିଆରି କରୁଥିଲେ ଆମ୍ବରୁ ।
