ଯକ୍ଷ
ଯକ୍ଷ
ଓଡ଼ିଶାର ରାଜଧାନୀ ମନ୍ଦିର ମାଳିନୀ ତ୍ରିଭୁବନ ମୋହିନୀ ଭୁବନେଶ୍ଵର! ପୂର୍ବ ଭାରତରେ ଅବସ୍ଥିତ ଏହି ନଗରୀଟିର ମନୋରମ ସୌନ୍ଦର୍ଯ୍ୟ ଓ ସବୁଜିମା ଭରା ସୁଶୋଭିତ ପରିବେଶ ସଭିଙ୍କର ପହିଲି ପସନ୍ଦ। ପୁରାଣ ପ୍ରସିଦ୍ଧ ଏହି ଭବ୍ୟ ନଗରୀରେ ଦୁନିଆ ଯାକର ଭୂମି ରଙ୍କୁଣା ମଣିଷଙ୍କ ଭୀଡ଼। "ଏଠି କାଳେ ଶ୍ମଶାନରେ ଘର ତୋଳି ରହିଲେ ବି ସମୃଦ୍ଧି ହିଁ ସମୃଦ୍ଧି ପ୍ରାପ୍ତି ହୋଇଥାଏ!" ଏକଥା ଭୁବନେଶ୍ଵରିଆ ଭାବେ ମୁଁ କହୁ ନାହିଁ। ଚେନ୍ନାଇରୁ ଭୁବନେଶ୍ବର ବିମାନରେ ମୋ ସହିତ ଯାତ୍ରା କରୁଥିବା ଜନୈକ ତାମିଲ୍ ଭଦ୍ର ବ୍ଯକ୍ତିଙ୍କ ଅଙ୍ଗେ ନିଭାଇଥିବା କଥା ଏଇ। ଅବଶ୍ୟ ଘଟଣାଟିକୁ ଘଟିବାର ଦୀର୍ଘ ଏକ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ମୋ ମନରେ ଆଜି ଯାଏଁ ବି ସତେଜ ରହିଛି।
ଭଦ୍ର ବ୍ଯକ୍ତି ଜଣକ ସେବାନିବୃତ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଥିଲେ। ଚାକିରି କାଳରେ କିଛି ବର୍ଷ ଭୁବନେଶ୍ବରରେ ଅବସ୍ଥାପିତ ଥିଲେ। ଭାରତସାରା ଯେଉଁଠି ରହିଲେ ମଧ୍ୟ ଭୁବନେଶ୍ୱରକୁ ଆଦୌ ଭୁଲି ପାରୁନଥିଲେ ସେ। ମଝିରେ ମଝିରେ ଆସନ୍ତି , କିଛି ଦିନ ଏଠାରେ ରହି ପୁଣି ଫେରି ଯାଆନ୍ତି ଚେନ୍ନାଇ। ଭୁବନେଶ୍ବରରେ ଜୀବନର ଅନ୍ତିମ ସମୟ ବିତାଇବାକୁ ଖୁବ୍ ଇଚ୍ଛା ତାଙ୍କର। କିନ୍ତୁ ଅବସର ଗ୍ରହଣ ପରେ ସୀମିତ ସାଧନ ହେତୁ ଏଠି ଜାଗା କିଣି ଘର ତୋଳି ରହିବା ସମ୍ଭବ ହୋଇ ପାରି ନାହିଁ ତାଙ୍କ ପକ୍ଷେ। ଏଣୁ ଚେନ୍ନାଇରେ ପୈତୃକ ବାସ ଭବନରେ ଅବସ୍ଥାନ କରୁଛନ୍ତି ସସ୍ତ୍ରୀକ।
କଥା ପ୍ରସଙ୍ଗରେ ଜାଣିବାକୁ ପାଇଲି ତାଙ୍କର ପରିଚୟ ସମ୍ବନ୍ଧରେ। ନାମ ତାଙ୍କର ଜି. ସୁନ୍ଦରରାଜନ। ଦୂର ସଞ୍ଚାର ବିଭାଗରେ ଚାକିରି କରୁଥିଲେ। ମହାଶୟ ନିଜ ଜାମାତାଙ୍କ ପାଇଁ ଜମି ଖରିଦ୍ କରିବା ପାଇଁ ଭୁବନେଶ୍ଵର ଆସୁଥିବା ବେଳେ ଆମର ପହିଲି ଦେଖାସାକ୍ଷାତରେ ଏତେ ସବୁ ରୋଚକ କଥା ଜାଣିବାକୁ ପାଇଲି ମୋର ପ୍ରିୟ ସହର ବିଷୟରେ। ଏଥିରେ ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେତେବେଳେ ମୋତେ ଟିକିଏ ବି ଆଭାସ ହୋଇ ନ ଥିଲା ଯେ, ଜାମାତାଙ୍କ ନିମନ୍ତେ ଜମି କିଣିବା ପାଇଁ ଆସୁଥିବା ଏହି ଭଦ୍ର ବ୍ଯକ୍ତି ଜଣକ ଏହିଠାରେ ହିଁ ରହିଯିବେ ଅନନ୍ତ କାଳ ପର୍ଯ୍ୟନ୍ତ।
ଆମ ଗାଁ ଗହଳିର ଲୋକ ଆସି ଭୁବନେଶ୍ଵରରେ ଜାଗାବାଡି କିଣି ଘର ଖଣ୍ଡେ କରି ରହିବା କଥା ଯଥାର୍ଥ ବୋଲି ମନେହୁଏ। ଯେହେତୁ ରାଜଧାନୀରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ରହିଛି। ବାହାର ରାଜ୍ୟର ତଥାକଥିତ ଅଗ୍ରଣୀ ଲୋକେ ଏଠି ଜମି କିଣିବାଟା ମୋର କିଛି ହଜମ ହେଲା ନାହିଁ ସହଜରେ। କିନ୍ତୁ ଭବିଷ୍ୟତରେ ମହାନଗରୀର ବିକାଶକୁ ଦୃଷ୍ଟିରେ ରଖି ଭୂ-ସମ୍ପତ୍ତିରେ ବିନିଯୋଗ ନିମନ୍ତେ ଭୁବନେଶ୍ବର ଯେ ଏକ ପ୍ରକୃଷ୍ଟ ଏବଂ ପ୍ରମୁଖ ସ୍ଥାନ ଏକଥା ବୁଝିବାକୁ ମତେ ବେଶି କଷ୍ଟ ହେଲା ନାହିଁ।
ସେବେଠାରୁ ମୁଁ ଲକ୍ଷ୍ଯ କରିବାରେ ଲାଗିଲି ଲୋକଙ୍କୁ କହିବାର କିମ୍ବା ପଚାରିବାର "ଭୁବନେଶ୍ବରରେ ଘର ନିଜର ଘର ଅଛି କି ନାହିଁ?" ବୋଲି। ସତେ ଯେମିତି ଆମ ସମାଜରେ ଏକ ପ୍ରତିଷ୍ଠାର ଚିହ୍ନ ଏଇଟା! ପୁଅଝିଅଙ୍କ ବିବାହ ପ୍ରସ୍ତାବ ପଡ଼ିବା ବେଳକୁ କଥାଟି ଉଠିବ ନିଶ୍ଚୟ। ଯଦିବା ମଧ୍ୟସ୍ଥି ଭୁଲି ଯାଇଥିବେ ଏକଥା ପଚାରିବାକୁ, ତେବେ ବନ୍ଧୁବାନ୍ଧବ ଆଗତୁରା ପଡ଼ି ପଚାରି ବସିବେ। ଉତ୍ତର ନାସ୍ତି ବାଚକ ହେଲେ ମନ ଖଟା ହୋଇଯାଏ। କେବେ କେବେ ବାହାଘର ପ୍ରସ୍ତାବ ବି ଭାଙ୍ଗିଯାଏ। ମୋର ଖିଆଲି ମନରେ ମୁଁ ଚିନ୍ତା କରେ, "ସମସ୍ତେ ଯଦି ଏଠି ଘର ତୋଳିବେ, ତେବେ ଭଡ଼ାଘରେ ତ କେହି ରହିବେନି। ଯେଉଁମାନେ ଘରଭଡ଼ା ଉପରେ ନିର୍ଭର କରି ଚଳନ୍ତି, ସେମାନେ ବଞ୍ଚିବେ କେମିତି?"
ଉପରୋକ୍ତ ଘଟଣାର ଅନେକ ବର୍ଷ ପରେ ଏମିତି ଦିନେ ଭେଟ ହେଲା ସୁନ୍ଦରରାଜନଙ୍କ ସହିତ ଖଣ୍ଡଗିରି ମେଳାରେ। ପହିଲି ନଜରରେ ଦୁହେଁ ଦୁହିଁଙ୍କୁ ଚିହ୍ନି ପାରିଲୁ। ଖୁସିରେ କୁରୁଳି ଉଠିଲୁ ଦୁହେଁ। ବହୁଦିନରୁ ମନେ ମନେ ଖୋଜୁଥିଲି ତାଙ୍କୁ। କାରଣ ତାଙ୍କ କଥାଟିକୁ ମୁଁ କହିହୁଏ ମୋର ବନ୍ଧୁବାନ୍ଧବ ମହଲରେ। ଯଦିଓ ଏବେ ସେ ଜୀବନର ସାୟାହ୍ନରେ କିନ୍ତୁ ଆଖିର ଚମକରେ କିଛି ବି ଉଣା ନଥିଲା। ପତ୍ନୀ ସ୍ଵର୍ଗବାସୀ, ଏଣୁ ଏକମାତ୍ର କନ୍ଯା ଓ ଜାମାତାଙ୍କ ସହିତ ଏକରକମ ବାଧ୍ୟ ଏଇ ପରିଣତ ବୟସରେ। ଭୁବନେଶ୍ବର ଏବେ ତାଙ୍କର ଠିକଣା। ବହୁ ପଛରେ ରହିଗଲାଣି ଜନ୍ମଭୂମି। ଫୋନ୍ ନମ୍ବରଟା ସଂଗ୍ରହ କଲି ତାଙ୍କର। ମଝିରେ ମଝିରେ କଥାଭାଷା ହେଉ ଆମେ ଘଣ୍ଟା ଘଣ୍ଟା ଧରି।
ସୁନ୍ଦରରାଜନଙ୍କ ଜାମାତା ବେଣୁଗୋପାଳନ୍ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ। କେବିକେ ଜିଲ୍ଲାଗୁଡିକର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଗଠିତ ସ୍ବତନ୍ତ୍ର ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ଭୁବନେଶ୍ଵରରେ ଅବସ୍ଥାନ କରି ବିକାଶ ମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତି ସେ।କାଗଜପତ୍ର ଓ ହିସାବକିତାବରେ ବିକାଶର ଶଗଡ଼ଗାଡି଼ ଖୁବ୍ ଜୋରରେ ଦୌଡୁଛି ଚିର ଅବହେଳିତ କେବିକେ ଜିଲ୍ଲାଗୁଡିକରେ ଆଜିକାଲି। ଏଥି ସହିତ ତାଳ ଦେଇ ଅଧିକାରୀମାନଙ୍କ ସମ୍ପତ୍ତି। ବେଣୁଗୋପାଳନ୍ ବା ଏଥିରୁ ବାଦ୍ ପଡିଥାନ୍ତେ କେମିତି? ଅପରିମିତ କ୍ଷମତା ବଳରେ ଆହରଣ କରିଚାଲିଛନ୍ତି ସମ୍ପତ୍ତି ଆଉ ସମ୍ପତ୍ତି। ସାତ ପୁରୁଷ ଯାଏଁ ବସିକରି ଖାଇଲେ ମଧ୍ୟ ଯେପରି ସରିବ ନାହିଁ।
ଅମାପ ଧନସମ୍ପତ୍ତି ଥିବା ସତ୍ତ୍ବେ ବେଣୁଗୋପାଳନ୍ ଦମ୍ପତିଙ୍କର ଗୋଟିଏ ଅଭାବବୋଧ ଥିଲା। ସେଥିପାଇଁ ପ୍ରାୟ ସମୟରେ ଅବସାଦରେ ରହୁଥିଲେ ସେମାନେ। ବିବାହର ଦୀର୍ଘ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କୌଣସି ସନ୍ତାନ ସନ୍ତତି ନଥିଲେ। ସନ୍ତାନ ପ୍ରାପ୍ତି କରିବାର ସମସ୍ତ ଚେଷ୍ଟା ନିଷ୍ଫଳ ହୋଇଥିଲା। ଏତେ ବଡ଼ ସରକାରୀ ବଙ୍ଗଳାଟା ଖାଁ ଖାଁ ଲାଗେ। ଏଇ ସରକାରୀ ବଙ୍ଗଳା ବ୍ୟତୀତ ନୟାପଲ୍ଲୀ ଅଞ୍ଚଳରେ ଗୋଟିଏ ତ୍ରିତଳ ପ୍ରାସାଦ ତୋଳିଛନ୍ତି ବେଣୁଗୋପାଳନ୍। ସେଠାରେ କେବେ କେମିତି ପାର୍ଟି କରନ୍ତି ସାଙ୍ଗସାଥୀଙ୍କ ସହ।
ସବୁଦିନ ସମାନ ଯାଏନି। ଅଚାନକ ଦୁଃଖର ପାହାଡ଼ ଅଜାଡ଼ି ହୋଇ ପଡିଲା ସୁନ୍ଦରରାଜନଙ୍କ ମଥାରେ। ଝିଅ ଜ୍ବାଇଁ ଛୁଟି କଟାଇବାକୁ ବିଦେଶ ଯାଉଥିବା ବେଳେ ସମୁଦ୍ର ମଝିରେ ନିଖୋଜ ହୋଇଗଲା ବିମାନ। ବିମାନ କର୍ମଚାରୀଙ୍କ ସମେତ ସମସ୍ତ ତିନିଶହ ସତୁରୀ ଜଣ ଯାତ୍ରୀ ନିଖୋଜ। କାହାରି କିଛି ବି ଖୋଜ୍ ଖବର ନାହିଁ। ଜୀବିତ ଥିବାର ଆଶା କ୍ଷୀଣ। ସଭିଏଁ ଲଭିଥିଲେ ସମାଧି ଭୂମଧ୍ୟସାଗରର ଅଥଳ ଜଳରେ। ଏହି ଖବରଟି ମୁଁ ଶୁଣିଥିଲି କିନ୍ତୁ ଏଥିରେ ଯେ, ବେଣୁଗୋପାଳନ୍ ପତ୍ନୀଙ୍କ ସହ ଯାତ୍ରା କରୁଥିବେ ତାହା ଥିଲା ମୋ କଳ୍ପନାର ବାହାରେ।
ଆଜିକାଲି ସୁନ୍ଦରରାଜନ ରହୁଛନ୍ତି ନୟାପଲ୍ଲୀର ସେହି ତ୍ରିତଳ ପ୍ରାସାଦରେ ଏକାକୀ। ଜ୍ବାଇଁ ଥିବା ଅବସ୍ଥାରେ ହିଁ ସମସ୍ତ ଧନସମ୍ପତ୍ତିର ହିସାବ ଧରାଇ ଦେଇଥିଲେ ତାଙ୍କ ହାତକୁ। ରାଜଧାନୀ ଭୁବନେଶ୍ଵରର କେଉଁଠି କେତେ ଭୂ-ସମ୍ପତ୍ତି, କେଉଁ ବ୍ଯାଙ୍କରେ କେତେ ଟଙ୍କା ଗଚ୍ଛିତ ଅଛି, ଉଭା କେତେ, ପୋତା କେତେ, ସେସବୁକୁ ଶ୍ୱଶୁରଙ୍କୁ କେବଳ ଜଣା।ପିଲାଟି ଦିନରୁ ଅନାଥାଶ୍ରମରେ ବଢ଼ିଥିବା ବେଣୁଗୋପାଳନଙ୍କର ଚେନ୍ନାଇରେ ଚେନାଏ ବୋଲି ସମ୍ପତ୍ତି ନାହିଁ। ଯାହା ଅର୍ଜନ କରିଛନ୍ତି ସବୁତ ଏଇଠି, ଭୁବନେଶ୍ଵରରେ ଚାକିରିକାଳରେ। ନିଜର ବ୍ଯସ୍ତ ଜୀବନରେ ତାଙ୍କ ପାଖରେ ସମୟ ନଥାଏ ଏସବୁର ହିସାବ ରଖିବାକୁ। ଏଣୁ ଶ୍ବଶୁରଙ୍କୁ ଦେଖାରେଖା କରିବାର ଦାୟିତ୍ବ ନ୍ଯସ୍ତ କରି ନିଶ୍ଚିନ୍ତରେ ଥାଆନ୍ତି ସେ।
ଖୁବ୍ ସନ୍ତର୍ପଣ ସହକାରେ ନିଜର ସମସ୍ତ ଶକ୍ତି ଖଟାଇ ଜାମାତାଙ୍କ ସମ୍ପତ୍ତିବାଡିର ଯତ୍ନ ନେଉଛନ୍ତି ସୁନ୍ଦରରାଜନ। ପାଖରେ ଆପଣାର ଦେଖାଶୁଣା କରିବା ପାଇଁ ବିଶ୍ବସ୍ତ ଭୃତ୍ୟଟିଏ ରଖିଛନ୍ତି। ହୃଷ୍ଟପୃଷ୍ଟ ବଳିଷ୍ଠ ଶରୀରଧାରୀ ମଣିଷଟେ ସିଏ। ଶଙ୍କରନାରାୟଣନ୍ ତା'ର ନାଁ। ଚେନ୍ନାଇରୁ ଆଣିଛନ୍ତି ତାକୁ। ଏଠିକା ଲୋକଙ୍କ ଉପରେ ଭରସା କରି ପାରନ୍ତି ନାହିଁ ସେ ବୃଦ୍ଧାବସ୍ଥାରେ। କେତେ ବେଳେ କୋଉ କଥା? ଜୀବ ଥିବା ଯାଏଁ ତ ଲୋଭ ଅଛି। ଶଙ୍କରନାରାୟଣନ୍ ଜୀବନ ଦେଇ ସେବା କରେ ଆପଣାର ମାଲିକଙ୍କର। କିଛିଟା ଦୁଃଖ ଲାଘବ ହୁଏ କିନ୍ତୁ ଜୀବନର ଶୂନ୍ୟସ୍ଥାନ ପୂରଣ ହୁଏ ନାହିଁ।
ଝିଅଜ୍ବାଇଁଙ୍କ ଫେରି ଆସିବାର ବାଟ ଚାହିଁ ଚାହିଁ ଆଖିର ଲୁହ ଶୁଖି ଗଲାଣି ସୁନ୍ଦରରାଜନଙ୍କର କିନ୍ତୁ ସେମାନଙ୍କର ଦେଖା ନାହିଁ। ବୟସାଧିକ୍ୟ ହେତୁ ନିଦ ବି ହେଉନି ଠିକ୍ ଭାବେ। ରାତିରେ ଶୋଇଥିବା ବେଳେ ତାଙ୍କ ନିଦ ଭାଙ୍ଗିଯାଏ ହଠାତ୍ କାହାର ଡ଼ାକରେ। ବିଛଣାରୁ ଉଠି ଯାଇ ଦେଖିଲା ବେଳକୁ କେହି ବି ନଥାନ୍ତି ପାଖରେ। ସେ ଘର ଭିତରୁ ବାହାରି ଆସି ଦେଖନ୍ତି ରାସ୍ତାକୁ। ଦୂର ଦୂର ଯାଏଁ କାହାର ବି ଦର୍ଶନ ମିଳେ ନାହିଁ। ଝିଅ ଜ୍ବାଇଁଙ୍କ ଦୁଶ୍ଚିନ୍ତା ସହିତ ସମ୍ପତ୍ତିର ରକ୍ଷଣାବେକ୍ଷଣରେ ଦୁର୍ବିସହ ହୋଇ ପଡେ ତାଙ୍କର ଜୀବନଚର୍ଯ୍ୟା। ଅବଶିଷ୍ଟ ଜୀବନ ଏବେ ବୋଝ ଉପରେ ନଳିତା ବିଡା ସଦୃଶ ଲାଗେ ତାଙ୍କୁ।
କିନ୍ତୁ ଏହି ବୋଝରୁ ମୁକ୍ତି ନାହିଁ ତାଙ୍କର। କୌଣସି ଉପାୟ ମଧ୍ଯ ନାହିଁ। ଯେହେତୁ ସେ ସମ୍ପତ୍ତିର ତତ୍ତ୍ବାବଧାରକ ନା କାହାକୁ ଦାନ କରିପାରନ୍ତି ସ୍ବେଚ୍ଛାରେ ଅବା ଭୋଗ କରିପାରନ୍ତି। ଝିଅଜ୍ବାଇଁ ଫେରିଆସିବାର ଆଶା ବି ମରିନାହିଁ ମନରୁ। କେବଳ ନିଶଙ୍କୁ ଯକ୍ଷ ପରି ଜଗି ରହିଥାନ୍ତି ଅଖିଆ ଅପିଆ ଦିନରାତି ଅନିଦ୍ରାରେ। ତାଙ୍କୁ ମଧ୍ୟ ଜଣା ଏହି ଅପେକ୍ଷାର ଅନ୍ତ ନାହିଁ। ମୃତ୍ୟୁ ମଧ୍ୟ ତାଙ୍କ ପ୍ରତି ସଦୟ ନୁହେଁ ମୁକ୍ତ କରିବା ପାଇଁ ବୋଝରୁ...
