STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଯାତ୍ରା

ଯାତ୍ରା

3 mins
297

ଜୀବନର ଦୀର୍ଘ ଯାତ୍ରା ଅତିକ୍ରମୀ ଅବସନ୍ନ ହୋଇ ପଡିଥିଲା ରାମଲୁ । ବହୁବର୍ଷ ପରେ ସେ ନିିଜ ଜନ୍ମମାଟିକୁ ଫେରି ଆସିଥିଲା । ଗାଆଁ ମାଟିରେ ହିଁ ତାର ଶେଷନିଃଶ୍ୱାସ ତ୍ୟାଗ କରିବାକୁ ଚାହୁଥିଲା ସେ । ଅନ୍ତିମ ଯାତ୍ରା ତାର ଗାଆଁମାଟିରେ ଶେଷ କରି ଯୁଇରେ ଜଳି ପଞ୍ଚଭୂତରେ ମିଳେଇ ଯିବାକୁ ଚାହୁଁଥିଲା । ସାମାନ୍ୟ ମୂଲିଆ କାମରୁ ଆରମ୍ଭ କରିଥିଲା ତାର ଜୟଯାତ୍ରା । ବାପା ମାଆ ତାର ଅନ୍ୟ ଘରେ ମୂଲ ଲାଗୁଥିଲେ । ସେମାନେ ଦୁଇ ଭାଇ ଭଉଣୀ ଥିଲେ । କୁନି ତାର ଛୋଟ ଭଉଣୀ । ଅଭାବ ତାଙ୍କୁ ବହୁତ ଭଲ ପାଉଥିଲା ବୋଲି କେବେ ହାତ ଛାଡୁ ନଥିଲା । 

ହେଲେ ରାମଲୁ ସବୁବେଳେ ତାଠୁ ହାତ ଛଡେଇ ଆକାଶକୁ ଉଡି ଯିବାର ସ୍ୱପ୍ନ ଦେଖୁଥିଲା । 

ଗାଆଁ ସ୍କୁଲରେ ତାର ନାଆଁ ଲେଖାଇ ଦିଆଗଲା । 

ବହିପଢି ଅନେକ କଥା ଜାଣି ପାରିଲା । ଖାଇବା ପିନ୍ଧିବା ଓ ବହି ତାକୁ ମାଗଣା ମିଳିଯାଉଥିଲା ସ୍କୁଲରୁ । 

ସେ କିନ୍ତୁ ମନ ଲଗାଇ ପାଠ ପଢୁଥିଲା । ଖେଳ ସମୟରେ ଖେଳରେ ବହୁତ ଭଲ କରୁଥିଲା । 


ସେଦିନ ସ୍କୁଲ ତରଫରୁ ଏକ ଖେଳ ପ୍ରତିଯୋଗିତାରେ ଜିଲ୍ଲାସ୍ତରୀୟ ଖେଳାଳୀ ଭାବେ ତାକୁ ବଛା ହୋଇଥିଲା । 

ସେ ପ୍ରଥମ କରି ସମ୍ବଲପୁର ସହରରେ ପାଦ ଥାପି ଥିଲା । ଅନେକ ସ୍କୁଲର ପିଲା ଆସିଥିଲେ ସେଠାକୁ । ସେମାନଙ୍କ ଭିତରେ ନିଜକୁ ବଡ ନ୍ୟୁନ ଭାବୁଥିଲା ମନେମନ । ହେଲେ ଯେତେବେଳେ ଖେଳ ଆରମ୍ଭ ହେଲା ସେ ସମସ୍ତଙ୍କୁ ପଛରେ ପକାଇ ଦେଲା । ଦୌଡରେ ପ୍ରଥମ ହୋଇଥିଲା । କବାଡିରେ ତା ପାଇଁ ତାଙ୍କ ଦଳ ଜିତି ପାରିଥିଲେ । ଟେନିସରେ ବି ସେ ସବୁଠୁ ଭଲ ଖେଳ ଦେଖାଇଥିଲା । ଏତେ ଗୁଡିଏ ଖେଳରେ ପ୍ରଥମ ହୋଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିଥିଲା । 


ଜଣେ କୋଚ୍ ତା ପ୍ରତିଭାକୁ ଚିହ୍ନି ପାରିଥିଲେ । ସେ ତା ବିଷୟରେ ସବୁ ପଚାରି ଜାଣିଲେ ସେ ଜଣେ ମୂଲିଆର ପୁଅ । ଛୁଟି ଦିନରେ ସେ ବି ମୂଲ ଖଟି ଯାଏ ବାପାଙ୍କ ସାଙ୍ଗରେ । 

ସେ ତାର ପ୍ରତିଭାକୁ ଏମିତି ମାହାଳିଆ ଝଡି ଯିବାକୁ ଦେଲେନି । ତା ମାଆ ବାପା ସଙ୍ଗେ କଥା ହୋଇ ନେଇ ଆସିଲେ ସାଙ୍ଗରେ । ଜିଲ୍ଲା ସ୍କୁଲରେ ପାଠ ପଢିବା ସହ ସେ ତାକୁ ଖେଳରେ ବି ନୂତନ କୌଶଳ ଶିଖାଇ ଏକ ଶ୍ରେଷ୍ଠ ଖେଳାଳୀ କରିବା ଦିଗରେ ଲାଗିପଡିଲେ । ବିଶେଷ କରି ଟେନିସରେ ସେ ଭଲ ପ୍ରଦର୍ଶନ କରୁଥିଲା । ରାଜ୍ୟସ୍ତରରେ ଅନେକ ମ୍ୟାଚ ଜିତିବା ପରେ ତା ମନରେ ନିଜ ପ୍ରତି କନଫିଡେନ୍ସ ବଢିବାକୁ ଲାଗିଲା । ସେ ଏବେ ଆନ୍ତର୍ଜାତିକ ପ୍ରତିଯୋଗିତାମାନଙ୍କରେ ବି ସାମିଲ ହେଲା । ପ୍ରଥମ ଗୋଟେ ଦୁଇଟା ବର୍ଷ ସେ ସିଲଭର ମେଡାଲରେ ରହି ଯାଇଥିଲା । 

ହେଲେ ଶେଷରେ ଅଲିମ୍ପିକ ଖେଳରେ ଭାରତ ତରଫରୁ ଖେଳିବାର ସୌଭାଗ୍ୟ ପାଇଲା । ଆଉ ତାର ଅକ୍ଲାନ୍ତ ପରିଶ୍ରମ ବଳରେ ସେ ଗୋଲ୍ଡ ମେଡାଲ୍ ଜିଣି ଭାରତ ପାଇଁ ଗୌରବ ଆଣିଦେଲା । ଏବେ ସେ ସବୁ ଭାରତୀୟଙ୍କ ପ୍ରିୟ ତାରକା ବନି ଯାଇଥିଲା । ଖେଳ ଜଗତରେ ତାର ନାଆଁ ସମ୍ମାନ ସହ ନିଆ ଯାଉଥିଲା । 


ସେ ନିଜକୁ ପ୍ରତିଷ୍ଠା କରିବା ସହିତ ନିଜ ପରିବାରର ଅଭାବକୁ ଦୂର କରିପାରିଥିଲା । ନିଜ ଭଉଣୀକୁ ଡାକ୍ତର ପଢାଇ ସ୍ୱାବଲମ୍ବୀ କରିଦେଇଥିଲା । 


ଗାଆଁରେ ମାଟିଘର ଭଙ୍ଗାଇ କୋଠା ତିଆରି କରିଦେଲା । ମାଆ ବାପା ତାକୁ ନେଇ ଗର୍ବ କରନ୍ତି । ତାର ଗାଆଁ ଲୋକେ ବି ତାର ନାଆଁ ନେଇ ନିଜର ପରିଚୟ ଦିଅନ୍ତି । ଛାର ମୂଲିଆର ପୁଅ ଆଜି ସମସ୍ତଙ୍କ ପରିଚୟର ମାଧ୍ୟମ ବନି ଯାଇଥିଲା । ଗୋଟିଏ ବଣ ଫୁଲର ସୁରଭି ଏବେ ସାରାଜଗତରେ ଦିଗବିଦିଗ ଖେଳେଇ ହେଇ ଯାଇଥିଲା । 

ଏହାପରେ ସେ ଆହୁରି ଅନେକ ଖେଳ ଜିତି ଭାରତର ନାଆଁ ବଢାଇଲା । ବୟସ ବଢିବା ପରେ ନିଜେ କୋଚ ହୋଇ ଅନ୍ୟ ପିଲାଙ୍କୁ ଟ୍ରେନିଂ ଦେଲା । ଏବେ ବୟସର ମାଡରେ ସେ ଭାଙ୍ଗି ଅବସନ୍ନ ହେଇ ଯାଇଥିଲା । ପ୍ରତ୍ୟେକ ଶକ୍ତିଶାଳୀ ମଣିଷ ଦିନେ ଜରାର ଶିକାର ହୋଇ ଦୁର୍ବଳ ହୋଇପଡେ । 

ସେ ବା ବାଦ୍ ଯାଆନ୍ତା କିପରି ? ଶେଷ ସମୟରେ ତା ବଣମୂଲକ ତାକୁ ଡାକିଥିଲା ତା କୋଳରେ କୋଳେଇ ନେବାକୁ । ତା ପିଲାଦିନ ଧୂଳିଖେଳ ତାକୁ ଟାଣି ଆଣିଥିଲା ରାଜଧାନୀ ଦିଲ୍ଲୀରୁ ସେଇ ପଲ୍ଲୀ କୋଳକୁ । 

ସେ କିଛି ମାସ ଗାଆଁରେ ରହଣୀ ପରେ ଅନ୍ତିମ ବିଦାୟ ନେଇଥିଲା ଚାମୁରପୁର ଗାଆଁ ମଶାଣୀରେ । ଏକ ଗୌରବମୟ ଇତିହାସର ଅନ୍ତ ହେଇ ଯାଇଥିଲା । ହେଲେ ସେ ରହିଯାଇଛି ପ୍ରତି ଭାରତୀୟଙ୍କ ହୃଦୟ ଭିତରେ ଚିର ଅମ୍ଲାନ ହୋଇ । ଏକ ଦୀପ ଶିଖା ହୋଇ ଜଳୁଥିବ ଚିରଦିନ । ତାର ନାଆଁରେ ଅନେକ ଗରିବ ପିଲା ପ୍ରେରିତ ହୋଇ ଆଗକୁ ବଢୁଥିବେ କ୍ରୀଡା ଜଗତରେ । 



Rate this content
Log in

Similar oriya story from Inspirational