Arabinda Rath

Tragedy

3  

Arabinda Rath

Tragedy

ଯା ଦେବୀ ସର୍ବ ଭୁତେଷୁ

ଯା ଦେବୀ ସର୍ବ ଭୁତେଷୁ

7 mins
14.7K



ଏ ବର୍ଷ ଦୁର୍ଗାପୂଜା ବଜାର ଟା ଭଲରେ ଜମିଛି। ଏମିତି ସାଜସଜ୍ଜା ପୂର୍ବରୁ କେବେ ହୋଇ ନ ଥିଲା ବୋଲି ଲୋକେ କୁହା କୁହି ହେଉଛନ୍ତି। ହେବନି କେମିତି, ଶାସକ ଦଳର ନେତା ରାକା ପରା ହାତ ଖୋଲି ଟଙ୍କା ଖର୍ଚ୍ଚ କରିଛି। ସହର ସାରା ଯେତେ ପୂଜା ମେଢ ଅଛି, ସବୁ ମେଢ ପାଇଁ ସେ ଭଲ ଚାନ୍ଦା ଦେଇଛି। ଯାହାର ସହର ଯାକର ମେଢ ପାଇଁ ଏତେ ଚିନ୍ତା, ନିଜ ସାହି ମେଢ ପାଇଁ କେତେ ଚିନ୍ତା ଥିବ ! ସାହି ମେଢ ପାଇଁ ଦୁଇ ହାତ ଖୋଲି ସେ ଟଙ୍କା ଅଜାଡି ଦେଇଛି। କିନ୍ତୁ ସେ ଟଙ୍କା ତା ନିଜର ବା ଅନ୍ଯ କାହାର କହିବା କଷ୍ଟ। କାରଣ ସାରା ସହର ଜାଣିଛି, ରାକା ନିଜ ଦେହରୁ ମଳି ଟିକେ କାହାକୁ ଦିଏନି। ସେ ନ ଦେଲେ କଣ ହେଲା, ଦେବା ଲୋକ ବହୁତ୍ ଅଛନ୍ତି। ସେହି ଦାତା ମାନଙ୍କ ପାଖରୁ ଟଙ୍କା ଝଡାଇବାର କୌଶଳ ଟା ତାକୁ ବେଶ୍ ଜଣା। କାହାକୁ ଧମକାଇ ତ କାହାକୁ ଛୁରୀ ଦେଖାଇ, ଟଙ୍କା ଖସାଇବାରେ ସେ ଓସ୍ତାଦ୍ । ବେପାରୀ, ଚାକିରିଆ ଓ ସାହି ବାସିନ୍ଦା ଙ୍କ ପାଖରୁ ମଧ୍ଯ ବେଶ୍ କିଛି ଚାନ୍ଦା ଆଦାୟ ହୁଏ। ସବୁ ବର୍ଷ ତୁଳନା ରେ ଏ ବର୍ଷର ରାଜନୈତିକ ପାଣିପାଗ ଟିକେ ଅଲଗା ଅଛି। ଆଗକୁ ନିର୍ବାଚନ ଆସୁଛି, ତେଣୁ ଦଳର ମୁଖିଆ ବହୁତ ଦିନ ଆଗରୁ ଗୋଟି ଚଳାଇବା ଆରମ୍ଭ କରି ଦେଇଛନ୍ତି। ଦୁର୍ଗାପୂଜାରେ ସହରର ଆଖି ଝଲସାଇ ଦେଇ ପାରିଲେ, ଭୋଟ ସବୁ ସେହି ଅନୁପାତରେ ବାକ୍ସରେ ପଡିଯିବ ସେଥିରେ ସନ୍ଦେହ ନାହିଁ। ରାକା ପରି ପୁରୁଣା ଦାଗୀ, ଅପରାଧୀ ଓ କ୍ରୁର ନେତା ହିଁ ଏହି ସହର ପାଇଁ ଠିକ୍ ବୋଲି, ମୁଖିଆ ଆଗରୁ ଅଙ୍କ କଷି ଦେଇଛନ୍ତି। ରାକା ବି ମୁଖିଆଙ୍କୁ କେବେ ନିରାଶ କରିନି। କଳେ ବଳେ କୌଶଳେ ସେ ଲୋକଙ୍କୁ ନିଜ ଦଳ ଆଡକୁ ଟାଣି ରଖିଛି। ସେ ସବୁ ଠିକ୍ ଯେ, ରାକା କୁ ନାରୀ ମାନଙ୍କୁ ସମ୍ମାନ ଦେବା ଜଣା ନାହିଁ। ଦେବ ବା କେମିତି!! ସେ ନିଜେ ପରା ଜାରଜ ସନ୍ତାନ। ସହରର ସବୁଥାନା ରେ ତା ନାମରେ ନାରୀ ଧର୍ଷଣ, ଅତ୍ଯାଚାର ଓ ବଳାତ୍କାର କେଶ୍ ମାନ ଗଡି ଚାଲିଛି। ଶାସକ ଦଳର ଗେହ୍ଲା ପୁଅ ବୋଲି ଜେଲ ର ଚାରିକାନ୍ଥ ଭତରେ ତାକୁ ଆବଦ୍ଧ କରିବାର ସାହାସ କାହାର ହୋଇନି।

ସେହି ସାହିର ନୀତା ସହରରେ ଗୋଟିଏ ବେସରକାରୀ କମ୍ପାନୀରେ ଚାକିରି କରେ। ବିଚାରି ଭାଗ୍ଯରେ ଜଗତ ଯାକର ଦୁଃଖ ଅଜାଡି ହୋଇ ପଡିଛି। ଘରେ ରୋଗିଣା ମାଆ ଓ ସାନ ଭାଇ, ବାପା ଅସମୟରେ ଦୁର୍ଘଟଣାରେ ଆରପାରି କୁ ଚାଲିଗଲେ। ବାହା ହୋଇ ଘର ସଂସାର କରିବା ବୟସରେ ସେ ଚାକିରି କରି ଘର ଚଳାଉଛି। ସ୍ବଭାବ ରେ ନିହାତି ସରଳ ଓ ଶାନ୍ତଶିଷ୍ଟ ପ୍ରକୃତିର ମିତା କୁ ଅଫିସ୍ ରେ ଢେର୍ କାମ କରିବାକୁ ପଡୁଛି। ମାଲିକ ଭଲରେ ଜାଣିଛି, ଯାହା କହିଲେ ବି ମିତା ପ୍ରତିବାଦ କରିବନି। ତେଣୁ କମ୍ ଦରମା ରେ ବେଶି କାମ ଆଦାୟ କରିପାରିଲେ , ତାହା ମାଲିକର କର୍ମକୁଶଳତା ଭାବରେ ପରିଗଣିତ ହେବ। କେବେ କେବେ ଘରକୁ ଫେରିଲା ବେଳକୁ ମିତାର ଡେରି ହୋଇଯାଏ। ଦୁଇଟା ଟାଉନ୍ ବସ୍ ଓ ତା ପରେ ଅଟୋ ରିକ୍ସା ରେ ଘରକୁ ଫେରିବାକୁ ପଡେ। ଫେରିଲା ବେଳେ ତାର ଚୋର ତସ୍କର ଙ୍କୁ ଭୟ ନ ଥାଏ; ଭୟ ଥାଏ ମଣିଷ ମାଂସ ଲୋଭୀ ରାକା ଓ ତା ଅନୁଚର ମାନଙ୍କର। ସବୁଦିନ ତାକୁ ନାନା କଟୁ କଥା କହି ସେମାନେ ହଇରାଣ କରନ୍ତି। କିନ୍ତୁ ଭଗବାନଙ୍କ ଦୟାରୁ ତା ଦେହରେ ହାତ ଲଗେଇବାର ସାହାସ ସେମାନଙ୍କର ନ ଥିଲା। ସାହିରେ ଦୁର୍ଗାପୂଜା ଚାଲିଛି ବୋଲି ନୀତା ମନରେ ଭୟର ମାତ୍ରା କମି ଯାଇଥାଏ। ମେଢ ପାଖରେ ସଦାବେଳେ ଗହଳି ଲାଗି ରହିଥାଏ, ତେଣୁ ସେ ନିଶ୍ଚିନ୍ତ ହୋଇ ଘରକୁ ଫେରେ।

ସେଦିନ ସାନ ଭାଇ ଜିଦି କଲା ମେଢ ଦେଖିଯିବାକୁ ଓ ସଞ୍ଜ ବେଳେ ନୀତା ତାକୁ ପୂଜା ଦେଖେଇବାକୁ ନେଲା। ସେଦିନ ରାକା ବସିଥିଲା ମେଢ ପାଖରେ। ତାକୁ ଦେଖି ନାନା କଥା କହିଲା, କିନ୍ତୁ ନୀତା ନୀରବ ହୋଇ ସବୁ ସହିଗଲା। ସେ ପ୍ରତିବାଦ କରିବାକୁ ସାହାସ ବା କରିବ କିପରି? ତା ଆଖି ସାମନା ରେ ଝିଅ ବୋହୁଙ୍କ ଦେହରେ ରାକା ହସ୍ତ ସଞ୍ଚାଳନ କରୁଥିଲା ଓ ସେମାନେ ଚୁପ୍ ଚାପ୍ ସେ ଜାଗାରେ ଛିଡା ହେବାକୁ ବାଧ୍ଯ ଥିଲେ। ପ୍ରତିବାଦ କଲେ, ପର ଅବସ୍ଥା କଣ ହେବ ଭାବି ସବୁ ଚୁପ୍ ଥିଲେ। ଦୁର୍ଗାଙ୍କୁ ଅପଲକ ନୟନରେ ଚାହିଁ ନିଜ ଦୁଃଖ ବଖାଣିଲା ବେଳେ, ଅଚାନକ ରାକା ତାକୁ ପଛରୁ ଭିଡି ଧରିଲା। ପାଟିରୁ ତାର ବାହାରୁଥାଏ ମଦ ର ଉତ୍କଟ ଦୁର୍ଗନ୍ଧ। ରାକା ତାକୁ ଧରିଥିବା ଅବସ୍ଥାରେ କହିଲା-- କେତେ ଦିନ ଏମିତି କାମ କରି ପରିବାର ପୋଷିବୁ? ମୋ ପାଖକୁ ଥରେ ଚାଲି ଆସ୍, ତୋତେ ରାଣୀ କରି ରଖିବି। ବଡ ଅସହାୟ ହୋଇ ନୀତା ପୂଜକ ଆଡକୁ ଚାହିଁ ତାକୁ ବଞ୍ଚାଇବାକୁ ଅନୁନୟ କଲା। କିନ୍ତୁ ବୃଦ୍ଧ ପୂଜକ ତଳକୁ ମୁଣ୍ଡ ପୋତି ବସି ରହିଲା। କୌଣସି ମନେ ସେ ଯାଗାରୁ ଛାଟିପିଟି ହୋଇ ନୀତା ଘରକୁ ଦଉଡି ଆସିଲା। ଘରେ ପହଞ୍ଚି ଅନେକ କାନ୍ଦିଲା ଓ ନାରୀ ଜନ୍ମ ପାଇ କେତେ କଷ୍ଟ ପାଉଛି ବୋଲି, ଠାକୁରଙ୍କୁ ଅଭିସମ୍ପାତ୍ ମାନ ବର୍ଷଣ କରି ଚାଲିଲା। ଶେଯରେ ସୋଈ ରହିଥିବା ରୋଗୀଣା ମାଆ କଣ ବୁଝିଲେ କେଜାଣି ସେ ମଧ୍ଯ କାନ୍ଦିବାରେ ଲାଗିଲେ।

ରାତିରେ ଅଚାନକ୍ ମାଆଙ୍କ ଦେହ ବହୁତ୍ ଖରାପ ହୋଇଗଲା। ଦେଖିଲା ବେଳକୁ ନିହାତି ଜରୁରୀ ଓୌଷଧର ବୋତଲଟି ଶେଷ ହୋଇଯାଇଛି। ସାଙ୍ଗେ ସାଙ୍ଗେ ସେ ଓୌଷଧ ନ ଦେଲେ ମାଆଙ୍କର କିଛି ଅନିଷ୍ଟ ହୋଇଯିବ। ତାକୁ ଓୌଷଧ ଆଣିବାକୁ ଯିବାକୁ ହେବ। ଯାତ୍ରା ଦେଖା ହୋ ପାରିଲାନି ବୋଲି, ସାନଭାଇ ମନଦୁଃଖରେ ଶୋଇଯାଇଛି। ମାଆ ଅଚେତ୍ ପ୍ରାୟ ହୋଇ ଶେଯରେ ପଡିଛନ୍ତି। ପାଖ ପଡୋଶୀଙ୍କୁ ଡାକିବାକୁ ପାଖରେ ସମୟ ନାହିଁ। ଶେଷରେ ନୀତା ଘର କବାଟ ବନ୍ଦ କରି ବାହାରିଲା ଡାକ୍ତରଖାନା ପରିସରରେ ଥିବା ଓୌଷଧ ଦୋକାନ କୁ। ରାତି ପାଖାପାଖି ବାର ଟା ହେଲାଣି। ବାହାରେ ଲୋକ ବାକ ନାହାଁନ୍ତି କହିଲେ ଚଳେ। ଦୁରରୁ ଦେଖିଲା ମେଢ ଯାଗାରେ କିଛି ଲୋକ ଅଛନ୍ତି। ତା ମନରେ ଟିକେ ସାହାସ ହେଲା। ସେ ନିଶ୍ଚିତ ଥିଲା ଯେ ଏତେ ରାତି ରେ ରାକା ବା ତାର ଅନୁଚର ମାନେ ମେଢ ଯାଗାରେ ନ ଥିବେ। ବଡ ପାହୁଣ୍ଡ ପକାଇ ସେ ଚାଲିବାକୁ ଲାଗିଲା। କିନ୍ତୁ ଏ କଣ ! ରାକା ଓ କିଛି ଲୋକ ମେଢ ପାଖରେ ବସି କଥା ହୋଇ, ହସି ହସି ଗଡି ଯାଉଛନ୍ତି ଓ ସମସ୍ତଙ୍କ ହାତରେ ମଦ ବୋତଲ। ତା ହୃତ୍ ସ୍ପନ୍ଦନ ବଢିଗଲା, ଧମନୀରେ ରକ୍ତ ପ୍ରବାହ ର ବେଗ ମଧ୍ଯ ବଢିଗଲା। ସନ୍ଧ୍ଯା ବେଳର ଘଟଣା ଟା ମନେ ପଡି ଯିବାରୁ, ସେ ଆଗକୁ ବଢିବାର ସାହାସ ହରାଇ ଦେବା ପରି ଅନୁଭବ କଲା । କିନ୍ତୁ ସେ ଓୌଷଧ ନ ଆଣି ପାରିଲେ, ମାଆ ର ଜୀବନ ପ୍ରଦୀପ ଲିଭିଯିବ, ଏଥିରେ ସନ୍ଦେହ ନାହିଁ। ନାଃ... ତାକୁ ଯିବାକୁ ହେବ।

ସେମାନଙ୍କ ଆଡକୁ ନ ଦେଖି ସେ ଜୋରରେ ଚାଲିବାକୁ ଲାଗିଲା। ସେତିକି ବେଳେ ରାକା ତା ସାମନା ରେ ବାଟ ଓଗାଳି ଛିଡା ହେଲା। ସେ କିଛି କହିବା ପୂର୍ବରୁ ତା ହାତ ଧରି ଘୋଷାଡିବାକୁ ଲାଗିଲା। ଅଟ୍ଟହାସ୍ଯ କରି ରାକା କହୁଥିଲା-- ଯାହା ହେଉ ଏତେ ଦିନ ପରେ ଶିକାର ଟା ମନ କୁ ମନ ହାତରେ ଧରା ଦେଇଛି। କେହି କୁଆଡେ ନାହାଁନ୍ତି, ଚାଲ ତାକୁ ଭିତରକୁ ଟେକିନେବା। ଭୟାର୍ତ୍ତ ହରିଣୀ ପରି ଥରୁଥିଲା ନୀତା, ତା ତଣ୍ଟି ଶୁଖି ଯାଉଥିଲା। ସେ ହାତ ଛିଞ୍ଚାଡି ପଳାଇବାକୁ ଚେଷ୍ଟା କଲା ମାତ୍ର ରାକା ର ବଳିଷ୍ଠ ବାହୁ ବନ୍ଧନରୁ ଖସିଯିବା ଏତେ ସହଜ ନ ଥିଲା। ସେ ଚିତ୍କାର କରିବାକୁ ଚେଷ୍ଟା କଲା, ମାତ୍ର ତା ମୁହଁରେ ରୁମାଲ ମାଡି ରାକା ଚୁପ୍ କରାଇ ଦେଲା। ସେମାନେ ତାକୁ ଟେକି ନେଲେ ପରଦା ପଛପଟକୁ ଯେଉଁଠାରେ ମାଆଙ୍କର ମୂର୍ତ୍ତି ପୂଜା ପାଉଥିଲା । ବୃଦ୍ଧ ପୂଜକ ଟି ଜାକିଯୁକି ହୋଇ ମୂର୍ତ୍ତି ପାଖରେ ଶୋଇଥିଲା। ପାଟିଗୋଳ ଶୁଣି ଉଠି, ରାକାର ଅସୁର ରୂପ ଦେଖି ହତବାକ୍ ହୋଇଗଲା। ରାକାର ଅନୁଚର ମାନେ ତାକୁ ଭୁଜାଲି ଦେଖେଇ ଚୁପ୍ ରହିବାକୁ ଇସାରା ଦେଲେ, ବିଚରା ମୁହଁ ମାଡି ମୂର୍ତ୍ତି ପାଦ ତଳେ ପଡିରହି ଲୁହ ଗଡାଇବାରେ ଲାଗିଲା। ତା ମୁହଁରୁ କେବଳ ଗୋଟିଏ ପ୍ରାର୍ଥନା ବାହାରୁଥାଏ, ମାଆ -- ଏ ଅସୁର ମାନଙ୍କ କବଳରୁ ଝିଅଟିକୁ ରକ୍ଷା କର, ଏହି ସ୍ଥାନରେ ପ୍ରକଟ ହୁଅ ମାତା, ତୋ ଭକ୍ତକୁ ଉଦ୍ଧାର କର।

ରାକା, ନୀତା କୁ ତଳେ ଫିଙ୍ଗିଦେଲା। ତା ଅନୁଚର ମାନେ ତାଳି ମାରି ଚାରି ପଟରେ ନାଚିବାକୁ ଲାଗିଲେ। ଅଟ୍ଟହାସ୍ଯ କରି ରାକା କହିଲା - - ତୋ ଭାଗ୍ଯ କୁ ମାନିବାକୁ ପଡିବ, ଆଜି ମାଆଙ୍କ ମୂର୍ତ୍ତି ସାମନାରେ ତୋର ସର୍ବସ୍ବ ଲୁଣ୍ଠନ ହେବ। ହାଃ ହାଃ ହାଃ ମୁଁ ରାକା ନୁହଁ....ମୁଁ ହେଲି ମହିଷାସୁର। ଦେଖିବା ତୋତେ ଆଜି ମୋ କବଳ ରୁ କିଏ ରକ୍ଷା କରିବ। ମଦନିଶାରେ ସେ କଣ ନାହିଁ କଣ ଗପି ଚାଲିଥିଲା।

ନୀତା ମସ୍ତିଷ୍କରେ ଅଗଣିତ ଆଗ୍ନେୟଗିରୀ ଏକ ସମୟରେ ବିଷ୍ଫୋରିତ ହେବାରେ ଲାଗିଥିଲା। ଅଳ୍ପ ସମୟ ମଧ୍ଯରେ ଯାହା ଘଟିବ, ତାହା ତା'ର ବର୍ତ୍ତମାନ, ଭବିଷ୍ଯତ ଓ ଜୀବସତ୍ତାକୁ ଧ୍ବଂସ କରିଦେବ ବୋଲି ସେ ନିଶ୍ଚିତ ଥିଲା। ତେବେ ସେ କଣ ଏ ରାକ୍ଷାସ ପାଖରେ ନିଜକୁ ସମର୍ପି ଦେବ ? ବିନା ଯୁଦ୍ଧରେ ପରାଜୟ ବରଣ କରିନେବ ? ଶରୀର ଭିତରେ ସେ ଅନୁଭବ କଲା ତଡିତ୍ ପ୍ରବାହ। ତା ନିଶ୍ବାସ, ପ୍ରଶ୍ବାସର ବେଗ ବଢିବା ସହ ଶରୀରର ଉଷ୍ଣତା ବଢିବାରେ ଲାଗିଲା ଓ ହୃଦୟର ସ୍ପନ୍ଦନ ହାହାକାର ନ କରି , ଯୁଦ୍ଧଂ ଦେହି ର ଆହ୍ବାନ ଦେଉଛି ବୋଲି ମନେ ହେଲା। ସେ ସ୍ପଷ୍ଟ ଦେଖି ପାରୁଥିଲା ଦୁର୍ଗାମାତାଙ୍କର ତେଜୋଦୀପ୍ତ, ଜାଜୁଲ୍ଯମାନ ରୂପ। ସେ ରୂପରେ କମନୀୟତା ଭାବ ସହ ମିଶ୍ରିତ ହୋଇଥିଲା କ୍ରୁରତାଭରା ଉଗ୍ର ଭାବ। ପଦ୍ମପତ୍ର ପରି ଢଳଢଳ ଚକ୍ଷୁ ଯୁଗଳରେ ଭକ୍ତଙ୍କ ପାଇଁ ଅଭୟ ବାଣୀ ସହିତ, ଶତୃ ମାନଙ୍କ ପାଇଁ ଥିଲା ହଳାହଳ ବିଷ। ପାଦ ତଳେ କ୍ଷତାକ୍ତ ହୋଇ ପଡିଥିବା ମହିଷାସୁର ପ୍ରମାଣିତ କରୁଥିଲା ଯେ ନାରୀ ଦୁର୍ବଳା ନୁହଁ, ଆବଶ୍ଯକ ପଡିଲେ ସେ ଭୀଷଣ ଉଗ୍ର ରୂପ ଧାରଣ କରି ସମଗ୍ର ସୃ ଷ୍ଟି କୁ ବିଧ୍ବଂସ କରିବାର ସାମର୍ଥ୍ଯ ରଖିଛି। ଆଖି ବନ୍ଦ କରି, ଶେଷଥର ପାଇଁ ସେ ଦୁର୍ଗାଙ୍କର ପୂର୍ଣ୍ଣ ସ୍ବରୂପକୁ ମାନସପଟ୍ଟରେ ଅଙ୍କନ କରି ଆଶିଷ ଭିକ୍ଷା କଲା। ସେତେବେଳକୁ ରାକା ତା ପାଖକୁ ଲାଗି ଆସିଲା ଓ ତଳେ ପକାଇବାକୁ ଚେଷ୍ଟା କଲା। ନୀତାର ପ୍ରଚଣ୍ଡ ଧକ୍କାରେ ରାକା ଟଳମଳ ହୋଇ କଚାଡି ହୋଇ ପଡିଗଲା। ସେ ସଗର୍ବେ ମୂର୍ତ୍ତି ସମ୍ମୁଖରେ ଛିଡା ହୋଇ ଚିତ୍କାର କରି କହିଲା-- ମାଆ ମୋତେ ଶକ୍ତି ଦେ-- – ଏ ପାପୀ ମହିଷାସୁର ମାନଙ୍କୁ ଧ୍ବଂସ କରିବାର ସାମର୍ଥ୍ଯ ଦେ। ରାକା ଓ ତା ଅନୁଚର ମାନେ ନୀତା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲା। ସେ ଆଖି ପିଛୁଳାକେ ଦୁର୍ଗାମୂର୍ତ୍ତି ପାଖକୁ ଦଉଡି ଯାଇ ଦୁର୍ଗା ଧରିଥିବା ତ୍ରୀଶୂଳ ଟି ହାତରେ ଧରି ସେମାନଙ୍କ ଉପରକୁ ଲମ୍ଫ ପ୍ରଦାନ କଲା। ନୀତା ପରି ଜଣେ ନିହାତି ସାଧାରଣ ନିରିହ ଦୁର୍ବଳ ଝିଅ ର ଏପରି ରୂପ ଦେଖିବ ବୋଲି ରାକା ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲା। ସେ ଭାବୁଥିଲା, ଯାହା ହେଲେ ବି ସେ ଜଣେ ପୁରୁଷ, ତା ଦେହରେ ବଳର ପ୍ରାବଲ୍ଯତା ଅଧିକା ଓ ସେ ନୀତା ପରି ଜଣେ ଅବଳା ନାରୀ କୁ ଅଚିରେ ବଳାତ୍କାର କରି ପାରିବ। କିନ୍ତୁ ସମସ୍ତ ଭାବନା କୁ ଭୂଲୁଣ୍ଠିତ କରି ନୀତା ଦୁର୍ଗାଙ୍କର ତ୍ରିଶୂଳ କୁ ବିଦ୍ଧ କଲା ରାକା ଛାତିରେ। ଘଟଣା କଣ ବୁଝିବା ପୂର୍ବରୁ ରାକାର ପିଠି ପଛ ପଟକୁ ବାହାରି ଯାଇଥିଲା ସେ ତ୍ରିଶୂଳର ସମ୍ମୁଖ ଭାଗ। ଅନ୍ଯ ଅନୁଚର ମାନେ ଭୁଜାଲି ଧରି ଆକ୍ରମଣ କଲେ ନୀତା ଉପରେ। କିନ୍ତୁ କ୍ରୋଧ, ଅପମାନ ଓ ପ୍ରତିହିଂସାର ଅଗ୍ନିରେ ଜଳୁଥିବା ନୀତା ଜଣ ଜଣ କରି ସମସ୍ତଙ୍କୁ ବିଦ୍ଧ କଲା ସେହି ତ୍ରିଶୂଳରେ।

ରକ୍ତସ୍ନାତା ନୀତା ହାତରେ ତ୍ରିଶୂଳ ଧରି ଛିଡା ହୋଇଥିଲା ଦୁର୍ଗା ମୂର୍ତ୍ତି ପାଖରେ। ବୃଦ୍ଧ ପୂଜକ ଜଣକ ତା ପାଦ ତଳେ ବସି ବନ୍ଦନା କରିବା ଆରମ୍ଭ କରିଦେଇଥିଲା “ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା.....”। କିଛି ସମୟ ପରେ ପ୍ରକୃ ତିସ୍ଥ ହେଲା ନୀତା ଓ ଚତୁଃର୍ପାଶ୍ବର ଅବସ୍ଥା ଦେଖି ଭୟରେ କାନ୍ଦିବାକୁ ଲାଗିଲା। ବୃଦ୍ଧ ପୂଜକ ତା ହାତରୁ ତ୍ରିଶୂଳ ନେଇ ଧୁଆ ଧୁଇ କରି ଦୁର୍ଗାମୂର୍ତ୍ତି ହାତରେ ଧରାଇ ଦେଇ କହିଲା-- ତୁ ଜମା ବ୍ଯସ୍ତ ହେବୁନି ଲୋ ମାଆ, ଏ ସ୍ଥାନରେ ଯାହା କିଛି ବି ହେଲା ମୁଁ କିଛି ବି ଦେଖିନି କି ଜାଣିନି। ମୋତେ ସେମାନେ ଆକ୍ରମଣ କରି ଅଚେତ କରିଦେଇଥିଲେ। ତୁ ଶୀଘ୍ର ଏ ସ୍ଥାନ ଛାଡି ଚାଲିଯାଆ। ଏତିକି କହି ପୂଜକ ପାଖରେ ପଡିଥିବା ଭୁଜାଲି ନିଜ ପେଟରେ ଭୁଷି ତଳେ ପଡିଗଲା।

--ସମାପ୍ତ--


Rate this content
Log in

Similar oriya story from Tragedy