Writer Roja Panda

Inspirational

5.0  

Writer Roja Panda

Inspirational

ଉତ୍ତମ ମୃତ୍ୟୁ

ଉତ୍ତମ ମୃତ୍ୟୁ

3 mins
553



ସକାଳୁ ସକାଳୁ କିଛିଲୋକ କାନ୍ଦୁଥିବାର ଶୁଣି ହଠାତ ମୋର ନିଦ ଭାଙ୍ଗିଗଲା | ଆଖି ମଳି ବିଛଣାରୁ ଉଠି ଦେଖିଲି ମୋ ବାପା ପାଖରେ ବସିଛନ୍ତି | 

ମୁଁ ପଚାରିଲି ବାପା , କିଏ କାନ୍ଦୁଛନ୍ତି ବାହାରେ ? 

ବାପା କହିଲେ - ବଡ ଜେଜେ ଚାଲିଗଲେ | ସେଥିପାଇଁ ବାହାରେ ସମସ୍ତେ କାନ୍ଦୁଛନ୍ତି | 

ମୁଁ ହଠାତ ନିଦଭରା କଣ୍ଠରେ ତାଙ୍କୁ ପଚାରିଲି , କୁଆଡେ ଚାଲିଗଲେ ? 

ବାପା କହିଲେ - ଆରେ ମା, ସେ ଆଉ ନାହାନ୍ତି | ସେ ଭୋର ପାଞ୍ଚଟାରୁ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ |

ମୁଁ ତଥାପି ବୁଝିପାରିଲିନାହିଁ | ବିରକ୍ତିଭରା କଣ୍ଠରେ କହିଲି - ଓଃ ହୋ କୁଆଡେ ଚାଲିଗଲେ ? କଣ କାହାକୁ କିଛି କହିକି ଯାଇନାହାନ୍ତି ? 

ବାପା ଗମ୍ଭୀର ସ୍ୱରରେ କହିଲେ - ମାଆ ରେ , ଜେଜେ ଏକ୍ସପାୟର (death) କରିଗଲେ |

ହଠାତ ବାପାଙ୍କ ମୁହଁରୁ ଏମିତି ଶୁଣି ମୁଁ ବହୁତ ଜୋର ରେ କାନ୍ଦିବାକୁ ଲାଗିଲି | 

ବାପା ମତେ ବୁଝାଇ କହିଲେ- ମନ ଦୁଃଖ କରନା ରେ ମା | ଜେଜେ ଖୁବ ଭଲ ମରଣ (ଉତ୍ତମ ମୃତ୍ୟୁ) ଲାଭ କଲେ | 

ମୁଁ ନିଜର କୋହକୁ ସେତେବେଳକୁ ଆଉ ସମ୍ଭାଳି ପାରୁନଥିଲି | ବାପାଙ୍କୁ ରାଗିକି କହୁଥିଲି ଯେ - ବାପା ଜେଜେ ତ ମରିଗଲେ | ତମେ ସିଧା ସିଧା ମତେ ଜେଜେ ମରିଗଲେ ବୋଲି ନକହି ଏତେ ବୁଲେଇ ଵାଲେଇ କାହିଁକି କହୁଥିଲ ଯେ , ଜେଜେ ଚାଲିଗଲେ ବୋଲି ? ମୁଁ ଭାବିଲି ଜେଜେ ଘରେ କାହାକୁ କିଛି ନକହି କୁଆଡେ ଚାଲିଯାଇଛନ୍ତି | ହେଲେ...............ମୁଁ କାନ୍ଦିବାକୁ ଲାଗିଲି ପୁନଃର୍ବାର |  

ବାପା ମତେ ବୁଝାଇ କହିଲେ - ଯେତେବେଳେ ଆମର କୌଣସି ଅତି ପ୍ରିୟ ଲୋକ ଆମକୁ ଛାଡି ଚାଲିଯାଏ (ମୃତ୍ୟୁବରଣ କରେ) ସେତେବେଳେ ଆମେ ସେଇ ଦୁଃଖରେ ବହୁତ ମ୍ରିୟମାଣ ହେଇଯାଉ | ମୃତ୍ୟୁ ଏମିତି ଏକ କଠୋର ସତ୍ୟ ଯାହା ଆମେ ସମସ୍ତେ ଜାଣି ମଧ୍ୟ ସେଇ ସତ୍ୟକୁ ସିଧା ସଳଖ ମୁଖରେ ଉଚ୍ଚାରଣ କରିବାକୁ ଭୟ କରୁ | ସେଥିପାଇଁ ନିଜ ମନକୁ ସାନ୍ତ୍ୱନା ଦେବାପାଇଁ "ମରିଯିବା ବା ମରିଗଲେ" ବୋଲି ହୃଦୟ ବିଦାରକ ଶବ୍ଦକୁ ପାଟିରେ ଉଚ୍ଚାରଣ ନକରି ସାଧାରଣତଃ ଚାଲିଗଲେ, ଆରପାରିକୁ ଚାଲିଗଲେ, ଇହଧାମ ତ୍ୟାଗକଲେ , ସ୍ୱର୍ଗାମୁଖୀ ହେଲେ ବୋଲି କହିଥାଉ | 

ବାପାଙ୍କର ଏସବୁ ନୀତିବାଣୀ ସେତେବେଳକୁ ମୋ ମୁଣ୍ଡରେ କିଛି ପଶୁନଥିଲା | ମୋର ଅତି ପ୍ରିୟ ଜେଜେ ମରିଯିବାର ଦୁଃଖରେ ମୁଁ ଭୋ ଭୋ ହେଇ କାନ୍ଦୁଥାଏ | 

ବାପା ପୁନଃର୍ବାର ମତେ କୋଳକୁ ଟାଣିନେଇ ବୁଝାଇବାକୁ ଚେଷ୍ଟା କରୁଥିଲେ | 

ବାପା କହିଲେ - ଆମେ କାନ୍ଦିବା ପରିବର୍ତ୍ତେ ଖୁସି ହେବା କଥା ଯେ , ଜେଜେ ଖୁବ ଭଲ ମରଣ ପ୍ରାପ୍ତି ହେଇଛନ୍ତି | ବିନା କିଛି କଷ୍ଟ , ଯନ୍ତ୍ରଣାରେ ସେ ସ୍ୱର୍ଗାରୋହୀ ହେଇଛନ୍ତି | ଶେଷ ସମୟ ତାଙ୍କର ଅତ୍ୟନ୍ତ ଆରାମଦାୟକ ହେଇଛି | ହେଇ ଦେଖ ମାଆ ,ସେ କେମିତି ଖୁବ ଶାନ୍ତିରେ ସୋଇଛନ୍ତି | ଅନ୍ୟମାନଙ୍କ ପରି ଶେଷ ସମୟରେ ଘାଣ୍ଟି ହେଇନାହାନ୍ତି | ଏହା ଠାରୁ ସୌଭାଗ୍ୟ ଆଉ କଣ ହେଇପାରେ ? ଏଇ ବୟସରେ ସାଧାରଣତଃ ଲୋକମାନେ ଖୁବ ଘାଣ୍ଟି ହୁଅନ୍ତି | ବିଛଣାରେ ପଡ଼ି଼ରୁହନ୍ତି | ଅନ୍ୟ ଉପରେ ନିର୍ଭର କରନ୍ତି ନିଜର ଦୈନନ୍ଦିନ କାର୍ଯ୍ୟକଳାପ ସମ୍ପାଦନା ପାଇଁ | ହେଲେ ଦେଖ, ତୋ ଜେଜେ କେମିତି ବିନା କାହାର ସାହାରାରେ ହାତ,ଗୋଡ ଚଳୁଥିବା ଅବସ୍ଥାରେ ଚାଲିଗଲେ | ଏହାକୁ ତ ଉତ୍ତମ ମୃତ୍ୟୁ କହନ୍ତି | 

ମୁଁ ବାପାଙ୍କୁ ପଚାରିଲି - ବାପା ମୃତ୍ୟୁ ତ ଗୋଟିଏ | ସେଥିରେ ପୁଣି ଭଲ ମରଣ ଆଉ ଖରାପ ମରଣ କଣ ? ଉତ୍ତମ ମୃତ୍ୟୁ ଆଉ ଖରାପ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟ କଣ ? 


ମୋ ପ୍ରଶ୍ନ ଶୁଣି ବାପା ଉତ୍ତର ଦେଲେ - " ଗୋଟିଏ କଥାରେ ଜୀବନର ଉଦ୍ଦେଶ୍ୟ ଜାଣିବାକୁ ହେଲେ ବୁଝିବା ଦରକାର ଯେ, ଜୀବନ କେବଳ ମରଣ ନିମିତ୍ତ ଆୟୋଜନ | ଏହା ପୁଣି ଦୁଇ ପ୍ରକାର | ଭଲ ଏବଂ ଖରାପ ମରଣ | ଅତଏବ 'ଭଲ ମରଣ 'ର ଆୟୋଜନ କରିବାକୁ ହେଲେ , 'ଭଲ'ର ଉପାସନାରେ ଜୀବନ ଉତ୍ସର୍ଗ କରିବା ହେଉଛି ଏକମାତ୍ର ଅନିବାର୍ଯ୍ୟ ସାଧନା | ଏଣୁ ଭଲ ମରଣ ପାଇଁ ଭଲ କାମନା ବା ଭଲ ଚିନ୍ତା ଜୀବନରେ ବିଶେଷ ଭାବରେ ଅଭ୍ୟସ୍ତ ହେବା ଆବଶ୍ୟକ | ତା' ନହେଲେ , ମୃତ୍ୟୁଯାତନା ଖୁବ ଭୟଙ୍କର ହୋଇପଡେ | 

ସାଧାରଣତଃ ଆମେ ଯାହା ଖାଇଥାଉ - ତାହାର ହିଁ ଏଉଡି ବା ଢକ୍କାର ଉଠିଥାଏ | ଯେମିତିକି ଘିଅ ଖାଇଥିଲେ ଘିଅର କିମ୍ବା ନଡ଼ିଆ ଖାଇଥିଲେ ନଡ଼ିଆର ଏଉଡି ବା ଢକ୍କାର ଉଠିଥାଏ ଠିକ ସେହିପରି ଆମେ ଜୀବନରେ ଯେମିତି କର୍ମ କରିଥାଉ ସେମିତି ଭାବରେ ଆମର ଅନ୍ତିମ ସମୟରେ ଫଳ ଭୋଗ କରିଥାଉ | ନବାକ୍ଷାରୀ ଓଡ଼ିଆ ଭାଗବତରେ ଅତିବଡୀ ଜଗନ୍ନାଥ ଦାସ କହିଛନ୍ତି , " ପ୍ରାଣୀର ଭଲ ମନ୍ଦ ବାଣୀ / ମରଣ କାଳେ ତାହା ଜାଣି " |

ଅର୍ଥାତ ଆମର ସାରା ଜୀବନର କରିଥିବା କର୍ମ ଉପରେ ହିଁ ଅନ୍ତିମ ସମୟ ନ୍ୟସ୍ତ ଥାଏ | ଭଲ କର୍ମ ଦ୍ୱାରା ଆମେ ଶାନ୍ତି , ଯନ୍ତ୍ରଣା ମୁକ୍ତ ମରଣ ପ୍ରାପ୍ତି ହେଇଥାଉ ଏବଂ ଆମର ସାରା ଜୀବନର ଖରାପ କର୍ମ ଦ୍ୱାରା ଆମେ ଅନ୍ତିମ ସମୟ ଖୁବ କଷ୍ଟ ,ଯନ୍ତ୍ରଣାରେ ପାରି ହେଇଥାଉ | ସେଥିପାଇଁ ଆମେ ଆମର ଜୀବନକୁ ଏକ ଭଲ ମରଣ ବା ଉତ୍ତମ ମୃତ୍ୟୁର ଆୟୋଜନ ପାଇଁ ହିଁ ବିନିଯୋଗ କରିବା ଆବଶ୍ୟକ | ଏଥିପାଇଁ ସବୁବେଳେ 'ଭଲ' ର ଉପାସନା କରିବା ହିଁ ଆବଶ୍ୟକ |  

ବାପାଙ୍କର ଏଭଳି ଏକ ସୁଵିଚାର ଯୁକ୍ତ ବ୍ୟାଖ୍ୟା ମୋ ମନରେ ଏକ ସ୍ୱତନ୍ତ୍ର ଭାବନା ସୃଷ୍ଟିକଲା | ଯାହା ମୁଁ ସମାଜ ସହିତ ବାଣ୍ଟିବାକୁ ଆଗ୍ରହୀ | 





Rate this content
Log in

Similar oriya story from Inspirational