Satyabati Swain

Tragedy

3.3  

Satyabati Swain

Tragedy

ଉଠ୍ ରେ ପୁତ

ଉଠ୍ ରେ ପୁତ

4 mins
520



ମା ଚଢ଼େଇଟି ସବୁବେଳେ କହୁଥିଲା ଗୋଟିଏ କଥା।ସେତିକି ଉପରକୁ ଉଡ୍ ଯେମିତି ସୂର୍ଯ୍ୟଙ୍କ କିରଣରେ ତୋ ଡେଣା ପୋଡି ନ ଯାଏ।ସେତିକି ଦୂରକୁ ଯା ଧନ ଯେମିତି କି ବେଳ ଥାଉ ଥାଉ ସଞ୍ଜ ନଇଁବା ଆଗରୁ ଘରେ ପହଞ୍ଚି ପାରିବୁ।ନେଲେ ରାତି ହୋଇ ଗଲେ ବାଟ ବଣା ହେବା ସମ୍ଭାବନା ଯଥେଷ୍ଟ ଅଛି ବାବୁ।ଥକି ପଡ଼ିବୁ।କ୍ଳାନ୍ତ ହୋଇ ଯେଉଁ ଅଚିହ୍ନା ଅସୁରକ୍ଷିତ ଡାଳରେ ବିଶ୍ରାମ ନେବୁ ସେଠି ସାପ କି ମଣିଷ ଶିକାରୀ ହାବୁଡ଼ରେ ପଡି ଜୀବନ ଯାଇପାରେ।ଖାଦ୍ୟ ଲୋଭ ହେଉ କି ମିଠା ଝରଣା ପାଣି ନତୁବା ସମ ବୟସୀ ସାଥୀ ଚଢେଇ ଏ ସମସ୍ତ ଗୋଟେ ମୋହ,ଆସକ୍ତି।ପୁଅରେ ଶାସ୍ତ୍ର କୁହେ ଲୋଭ ଯୁଗେ ଯୁଗେ ମୃତ୍ୟୁ ଦିଏ।


ଯୁବ ଚଢେଇଟି ଫୁ କରି ଉଡେଇ ଦେଉଥିଲା ମା କଥା।ହୁସ୍ ମା ତୁ ବୁଢ଼ୀ ହୋଇ ଗଲୁଣି।ତୋ ଭିତରେ ସୌନ୍ଦର୍ଯ୍ୟ ବୋଧ କି ଜୀଇଁବା ନିଶା ଶେଷ ହୋଇ ଗଲାଣି ବୋଲି ଏମିତି କହୁଛୁ।ଡର,ଭୟ ଆମ ପାଇଁ କିଛି ନାହିଁ।ଆମେ ସୂର୍ଯ୍ୟଙ୍କୁ ହନୁମାନ ପରି ଫଳ ଭାବି ଗିଳି ପାରୁ।ଦେଖ୍ କେତେ ତାକତ୍ ଏ ଦୁଇ ଡେଣାରେ।କେମିତି ଭାବି ପାରୁଛୁ ତୋ ପୁଅ ଉଡୁ ଉଡୁ କ୍ଳାନ୍ତ ହେବ?ବୁଝିଲୁ ମା ମୋର ଗୋଟିଏ ଲକ୍ଷ୍ୟ ଅଛି ପ୍ରତିଷ୍ଠା ,ଅର୍ଥ ସମ୍ମାନ କମେଇଁବା।ତୁ ସୁଦୁ ବୋକି ଟା ମା।ନଲେ ମୋ ବାବା ତୋତେ ଛାଡି ଆଉ ଗୋଟେ ଚଢେଇ ସହ ହସଖୁସିରେ ଘର ସଂସାର କରି ଥାନ୍ତା କି?ଦେଖିବୁ ମୁଁ ଚଢେଇ ମାନଙ୍କ ରାଜା ହେବି।ରାଜା ହେବା ପାଇଁ ଯୋଗ୍ୟତା, କିଛି ବିଶେଷ ଗୁଣ ଥିବା ଉଚିତ କି ନାଇଁ?ଖାଲି ଟାରେ ତୋ ପୁଅକୁ କିଏ ରାଜା ତ ରାଜା କଙ୍କି କି ପିମ୍ପୁଡି ବି ଭାବିବେ ଭଲା।


ମା ଚଢେଇ ତୁନି ପଡ଼ିଯାଏ ଯୁବକ ପୁଅ କଥାରେ।କେମିତି ବୁଝେଇବି ରେ ପୁଅ ତୋ ମା ଚଢେଇ ବୁଢ଼ୀ ହୋଇନି।ଏବେ ତା ଭିତରେ ନୂଆବସା ବାନ୍ଧିବାର ମନ ଓ ସାମର୍ଥ୍ୟ ଅଛି।କିନ୍ତୁ ତୋ ବାବା ପରି ମୁଁ ଯଦି ସେତିକି ସ୍ୱାର୍ଥପର ହୋଇଥାନ୍ତି ତୁ କଣ ଆଜି ବଞ୍ଚିଥାନ୍ତୁ ନା ଏଡ଼େ ଏଡ଼େ କଥା କହୁଥାନ୍ତୁ।ତୋର ଭାଇଟିଏ ପରା ବାପା ଚଢେଇ ସାଙ୍ଗରେ ନେଇ ଯାଇଥିଲା?କଣ ହେଲା?ଆହା ମୋ ବଡ଼ ସନ୍ତାନଟି ଶେଷରେ ଅଯତ୍ନ ରୁ ସାପ ମୁହଁରେ ଗଲା।ବାପା, ନୂଆ ଚଢେଇ ସାଙ୍ଗ ପାଇ ତୋର ଉଡ଼ି ଶିଖି ନଥିବା ଭାଇଟିକୁ ଏକା ବସାରେ ଛାଡି ମସ୍ତି କଲା।ଆଉ ଶେଷରେ ମୋ ବଡ଼ ପୁଅଟି.....ମା କଇଁ କଇଁ ବାଜିଲା।ଥିଲେ ଅବା ମୋ ପାଖେ ବଞ୍ଚି ଯାଇଥାନ୍ତା।ଭାଗ ବାଣ୍ଟି ନେଇଗଲା ନିଷ୍ଠୁର ବାବା ଟା।


ଯୁବ ପୁଅ ଆଖିରେ ଆଖିଏ ସ୍ୱପ୍ନ।ତା ମନ ଡେଣାରେ ରଙ୍ଗ ଲାଗି ସାରିଛି।ସାଥୀ ନହୁଲି ବୟସୀ ଚଢେଇର ପ୍ରେମ ପାଖରେ ମା ପ୍ରେମ ହାର ମାନିଛି।ଅର୍ଥ କମେଇଁ ରାଜା ହେବା ମୋହ ତାକୁ ମା ଚିରା ଫୁଟା ପଣତଠାରୁ ଦୂର୍ କରି ଦେଇଛି।ଉଡା ଶିଖି ସାରିଛି ଯେତେବେଳେ ମା ଆଉ ଆବଶ୍ୟକ କଣ?ବାଇଆ ଟା ଉଡ଼ି ଗଲା।ଶେଷରେ ଦୁଃଖିନୀ ମା ଟି ମଲା ନଈ ପରି ଏକା ପଡି ରହିଲା ବସାରେ ଏକମାତ୍ର ସମ୍ପତି,ସମ୍ବଳ ପୁଅ ଚାଲି ଗଲା ମଥୁରା,ମଥୁରାରୁ ଦ୍ୱାରକା।ସେଠି ରାଜା ହେବା ପାଇଁ।


ମା ଅପେକ୍ଷା କଲା।ଗୁମୁରି ଗୁମୁରି ବାହୁନି ହେଲା କୋଇଲି ଲୋ କେଶବ ଯେ ମଥୁରାକୁ ଗଲା।କିଛି ଦିନ ଉତ୍ତାରୁ ହଠାତ୍ ଖବର ଆସିଲା ଏରକା ବନରେ କଦମ୍ବ ନାମକ ସୋମ ରସ ପାନ କରି ଯଦୁ ବଂଶ ଧ୍ୱଂସ।ପୁଅ ଶ୍ରୀକୃଷ୍ଣ ତାର ଜାରା ଶବର ହାତରେ ମୃତ...


ଓଡ଼ିଶାର ଭଦ୍ରକ ନିଵାସୀ ସ୍ୱାମୀ ପାରିତ୍ୟକ୍ତା ମା ଟିଏ ମୁଁ ନତାଶା।ଏକୁଟିଆ ଗୁମୁରୁଛି ଏକମାତ୍ର ପୁଅ "ସମ୍ଭବ" ପାଇଁ।ମନା ନ ମାନି ଯାଇଛି ଯେ ଯାଇଛି ସାତ ବର୍ଷ ହେବ।ଆମେରିକାର ମୋହ ତାକୁ ପାଗଳ କରିଛି।ନିୟୁର୍କରେ ଅବସ୍ଥାପିତ ସେ।ଖ୍ରୀଷ୍ଟିଆନ ଝିଅ ମରିୟମ୍କୁ ବାହା ହୋଇଛି।ଯେତେ ବୁଝାଇଲି ଟଙ୍କା ମୋହରେ ପଡନା,ବୁଝିଲା ନାହିଁ।ବିଚକ୍ଷଣ ଧୀ ଶକ୍ତିର ଅଧିକାରୀ ସମ୍ଭବ ଅସମ୍ଭବକୁ ସମ୍ଭବ କରିବାର ଶକ୍ତି ଯୁଟାଇ ପାରୁଥିଲା।କମ୍ପ୍ୟୁଟର ରେ ପୋକ ସେ।କଣ ନୂଆ ନୂଆ କଥା ସବୁ କମ୍ପ୍ୟୁଟରରେ ବାହାର କଲା ସବୁ ବଡ଼ କମ୍ପାନୀ ତାକୁ ମୋଟା ଅଙ୍କର ଦରମା ଦେବାକୁ ପ୍ରସ୍ତୁତ ହୋଇଗଲେ।ଶେଷରେ ସବୁଠାରୁ ବଡ଼ ଅଫର ପାଇଁ ଉଡ଼ିଗଲା ଆମେରିକା।ମା ର କି ମାଟିର ମୋହ ତାକୁ ବାନ୍ଧି ରଖି ପାରିଲା ନାହିଁ।


ମୁଁ ଦେଖିଛି ସମ୍ଭବ ଆଖିରେ ତା ବାବାକୁ ଟପିବାର ନିଆଁ। ତା ମନରେ ପିଲାଦିନୁ ବାବା ପ୍ରତି ଘୃଣା ଥିଲା।କାହିଁକି ନା ତାକୁ ଛାଡି ଦେଇ ଅନ୍ୟ ସଂସାର କଲେ।ଆକ୍ତାମାକ୍ତା ଶୈଶବ ତାର ଖୁବ୍ କଷ୍ଟରେ କଟିଲା।କି କଷ୍ଟ ସ୍ୱୀକାର କରି ତାକୁ ମୁଁ ଇଞ୍ଜିନିୟର କରିଛି ସେ କଥା ସେ ଜାଣିଛି।ଭଲ ଖାଇ ନାହିଁ କି ଭଲ ପିନ୍ଧି ନାହିଁ।କ୍ଷତାକ୍ତ କୈଶୋର,ଆଶଙ୍କା ଭର୍ତ୍ତୀ ଯୌବନ ତାକୁ ମୋହ ଗ୍ରସ୍ତ କଲା।ବାବା ତାର ଗୋଟେ ବଡ଼ କମ୍ପାନୀର ମାଲିକ।ସମ୍ଭବ ମନରେ ସ୍ବପ୍ନ କି ପ୍ରତିଶୋଧ ଜାଣି ପାରେନି ମୁଁ।କେବଳ ଟପିବା ନିଶା ତାକୁ ଘାରିଲା।ଚାଲିଗଲା ଆମେରିକା।


ଆଜି ବିଶ୍ୱ ଥରୁଛି କ ରୋ ନା ଆତଙ୍କରେ।ବେଶୀ ଆତଙ୍କିତ ବିଶ୍ୱର ପ୍ରଗତିଶୀଳ ବିକଶିତ ରାଷ୍ଟ୍ର।


ଯେବେଠାରୁ ମଣିଷ ନିଜକୁ ଈଶ୍ୱର ଭାବିବାକୁ ଚେଷ୍ଟା କଲା , ଦ୍ରୁତଶିଳ୍ପାୟନ କରି ପ୍ରତିଷ୍ଠା,ପ୍ରଭୁତ୍ୱ,ଅର୍ଥ ଲୋଭର ମାୟା ମୃଗ ପଛେ ଧାଇଁଲା;ସେବେଠାରୁ ବିଶ୍ୱ ଗ୍ଲୋବାଲ ୱାର୍ମିଙ୍ଗ,ନୂଆ ନୂଆ ରୋଗ,ଡ୍ରଗ୍ସ ମାଫିଆ,ଆତଙ୍କ ରାଜ ସହ ବହୁ ବିଧ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି।


ଏବେ ମଞ୍ଜ ଦୋହଲାଇ ଦେଇଛି ଅଦୃଶ୍ୟ ଭାଇରସ୍ କୋଭିଡ-19।ପ୍ରତିକାର ପାଇଁ ପ୍ରତିଷେଧକ ତିଆରି ଚାଲିଛି।କେବଳ ସାମାଜିକ ଦୂରତା, ସଙ୍ଗରୋଧ ,ମାସ୍କ ବ୍ୟବହାର ଏ ମହା ମାରୀ ସଂକ୍ରମଣକୁ କିଛି ମାତ୍ରାରେ କମେଇଁ ଦେଇ ପାରେ।କିନ୍ତୁ ମହା ସମସ୍ୟାର ଏ ସମାଧାନ ପନ୍ଥା ନୁହେଁ।କି ସମୂଳେ ବିନାଶ ହେବାର ଏ ବିକଳ୍ପ ନୁହେଁ।ବିଶ୍ୱର ସବୁ ଦେଶରେ ସଂକ୍ରମିତ ସଂଖ୍ୟାକୁ ଆଖି ଆଗରେ ରଖି ସବୁଜ,କମଳା ନାଲି ରଙ୍ଗର ପତାକା ପୋତା ଯାଇଛି।ବେଶୀ ସଂକ୍ରମିତ ସ୍ଥାନରେ ନାଲି,ଅଳ୍ପ ସଂକ୍ରମିତ ସ୍ଥାନରେ କମଳା ଓ ଆଦୌ ସଂକ୍ରମିତ ସ୍ଥାନରେ ସବୁଜ ରଙ୍ଗ ପତାକା ଉଡୁଛି।ଶିକ୍ଷା,ଅର୍ଥ,ବ୍ୟବସାୟ ବଜାର,ଗମନା ଗମନ ସବୁ ଠାପ୍।ଘରେ ବସି ଚାଲିଛି ଇ ଅଫିସ୍,ଇ ଟ୍ରେନିଂ,ଇ ଶିକ୍ଷା।ପ୍ରବାସୀ ଉଡା ଚଢେଇ ଖୋଜୁଛି ନିଜ ବାସ।


ଘର ଠିକଣା ଭୁଲିଥିବା ଅମାନିଆଁ ପୁଅଟି ଅସହାୟ

ହୋଇ ଲୁହ ନିଗାଡୁଛି।ମା କଥା ନ ମାନିବାର ଅବଶୋଷ କରୁଛି। ବୋହୁ ଭିଡିଓ କଲ୍ କରି ଦେଖାଉଛି ମୋତେ କେମିତି ମୋ ଛାତି କଲିଜାକୁ ଧରି ନେଇ ଯାଉ ଛନ୍ତି।ଲୁହ ଢଳ ଢଳ ଆଖିରେ ଡାକ୍ତରଖାନା ଯିବା ପୂର୍ବରୁ ଆମାନିଆ ପୁଅଟି କହୁଛି-ମା ମୁଁ ତୋ ପାଖକୁ ଫେରି ଯିବାକୁ ଚାହେଁ ମା।ସତ କହୁଛି ଏଥର ତୋ କଥା ମାନିବି ।ମା ମୋତେ କ୍ଷମା କରିଦେବୁ। ମା ଲୋ ମୁ ବଞ୍ଚିବାକୁ ଚାହେଁ।ଏପଟେ ମୁଁ ନିର୍ବାକ୍ ଆଶୀର୍ବାଦ ମୁଦ୍ରାରେ।


ମୁଁ ଦେଖୁଛି ତିନୋଟି ପତାକା ଉଡୁଛି।ନାଲି,ସବୁଜ ଓ କମଳା ରଙ୍ଗର।ସବୁଜ ପତାକା ଟି ସ୍ଥିର ଧୀରେ ଧୀରେ ଡରି ମରି ନିଃଶ୍ବାସ ନେଉଛି।କମଳା ପତାକା ଟି ନିର୍ମିମେଷ ନୟନରେ ଚାହିଁଛି ଭୟରେ।ନାଲି ପତାକା ଟିର ଛାତିର ଗତି ମାତ୍ରାଧିକ ଦ୍ରୁତ ।ସମ୍ଭବ ନାଲି ପତାକା ତଳେ ଆଖି ବୁଜି ଦେଇଛି ସବୁ ଦିନ।କ ରୋନା ଆକ୍ରାନ୍ତ ଭାରତୀୟ ସମ୍ଭବ ରାୟଗୁରୁଙ୍କ ମୃତ୍ୟୁ ବଡ଼ ବଡ଼ ଅକ୍ଷରରେ ପ୍ରତି ଖବର କାଗଜର ଶିରୋନାମା ହୋଇଛି।


ମା ଚଢ଼େଇଟି ବାହୁନୁଛି ଶେରକ ପୁରିଲା ମାଣକ ପୁରିଲା ଉଠ୍ ରେ ପୁତ।



Rate this content
Log in

Similar oriya story from Tragedy