ଉତ୍ସବଯିବି
ଉତ୍ସବଯିବି
ସେ ଦିନ ରାମ ବାବୁଙ୍କୁ ଅଫିସ ଯିବାରେ ଖୁବ ଡେରି ହୋଇଯାଇଥିଲା. କଣ କରିବେ ଭାରୀ ବ୍ୟସ୍ତତା ଭିତରେ ଘରୁ ବାହାରି ପଡିଲେ. ତାଙ୍କର ଦୈନନ୍ଦିନର ଅଭ୍ୟାସ ଥିଲା ସେ ଘରୁ ଅଫିସ ଚାଲି ଚାଲି ଯାଆନ୍ତି. ଘରୁ ଅଫିସ ମାତ୍ର ଦେଢ଼ କିଲୋମିଟର ଭିତରେ ଥାଏ. ଏହି ପଦଯାତ୍ରା ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାରେ ତାଙ୍କୁ କିଛିଟା ଫାଇଦା ଅନୁଭବ ହୂଏ, କିନ୍ତୁ ସେ ଦିନ ସେ ଭାରୀ ବ୍ୟସ୍ତତା ଭିତରେ ଥାନ୍ତି. କିଛି ପଥ ଅତିକ୍ରମ କଲା ପରେ ଦେଖିଲେ ଗୋଟେ ଘର ପାଖରେ ଖୁବ ଗହଳି. ଗୋଟେ ବ୍ୟକ୍ତିର ଶବ ଧଳା ଚାଦରରେ ଅଚ୍ଛାଦିତ ହୋଇଥାଏ, ଭିତରୁ ଜୋରେ ଜୋରେ ସ୍ତ୍ରୀ ଲୋକଙ୍କ କ୍ରନ୍ଦନ ଶୁଭୁ ଥାଏ. ଅନେକ ପୁରୁଷ ଏବଂ ମହିଳା ବାରଣ୍ଡାରେ ଛିଡା ହୋଇ ନିଜ ନିଜ ଭିତରେ କଥୋପକଥନ ହୋଉଥାନ୍ତି କିଛି କାନ୍ଦୁଥାନ୍ତି, ଯାହା ଅନୁମାନ କରାଯାଉଥାଏ ସେ ଘରର କାହାର ମୃତ୍ୟୁ ଘଟିଥାଏ. ବେଶୀ କିଛି ଦେଖିବାକୁ କିମ୍ବା ବୁଝିବାକୁ ତାଙ୍କ ପାଖରେ ସମୟ ନ ଥାଏ, କାରଣ ସେ ସେମିତି ଭି ଘରୁ ବିଳମ୍ବିତ.ତେଣୁ ଅଧିକା ବିଳମ୍ବରେ ପହଞ୍ଚି ଉପରିସ୍ଥ ଅଧକ୍ଷଙ୍କ ଠାରୁ ସେ କିଛି ଖରାପ ଶୁଣିବାକୁ ଚାହୁଁ ନଥିଲେ, ସେଥିପାଇଁ ସେ ତରବରିଆ ନିଜ ଅଫିସ ମୁଖା ହେଲେ. ସନ୍ଧ୍ୟା ସମୟରେ ସେ ପୁନର୍ବାର ସେହି ପଥ ଦେଇ ଘର ଅଭିମୁଖା
ହେଲେ, କିନ୍ତୁ ବର୍ତମାନ ତାଙ୍କୁ ଆଉ ଏକ ବିସ୍ମୟକାର ବିଷୟ ଚକିତ କରାଇଲା. ଯୋଉ ଘରେ ସକାଳେ ମୃତ୍ୟୁ ଜନିତ ଦୁର୍ଘଟଣାରେ ଶୋକାକୁଳ ପରିବେଶ ଥିଲା ବର୍ତମାନ ତାର ସମ୍ପୂର୍ଣ ବିପରୀତ. ସେ ଘରେ ମାଇକ ବାଜୁଥିଲା, ଗୀତ ଡ଼ିଯେ ବଜାଇ ଯୁବକ ନାଚୁଥିଲେ,ଭୋଜି ଆୟୋଜନ ହୋଇଥିଲା ଏବଂ ସମସ୍ତେ ନୂଆ ନୂଆ ପରିଧାନରେ ହସଖୁସି କରୁଥିଲେ. ରାମ ବାବୁ ଆଶ୍ଚର୍ଯ୍ୟ ହୋଇ ପାଖରେ ଥିବା ପାନ ଦୋକାନ ଅଭିମୁଖେ ବାହାରିଲେ ଏବଂ ପାନ ଖଣ୍ଡେ ଖାଇ ଦୋକାନୀ ଭାଇକୁ ସମସ୍ତ କାହାଣୀ ପଚାରିଲେ. ସେ କହିଲା ଆଜ୍ଞା ସକାଳେ ଏମାନେ ଡାକ୍ତର ଏବଂ ଡାକ୍ତରଖାନା କତୃପକ୍ଷଙ୍କ ଭୁଲ ବ୍ୟବସ୍ଥା ଦ୍ୱାରା, ଭୁଲ ବ୍ୟକ୍ତିର ଶବ ନେଇ ଆସିଥିଲେ. ପରେ ଜଣା ପଡିଲା ତାଙ୍କ ନିଜ ଲୋକ ଜଣକ ବଞ୍ଚିଛନ୍ତି. ସେଥିପାଇଁ ଖୁସିରେ ଏ ସବୁର ଆୟୋଜନ. ରାମବାବୁ ଆଉ ଦୋକାନୀ ଭାଇକୁ କିଛି ନ କହି ଧନ୍ୟବାଦ ଦେଇ ଘର ମୁହାଁ ହେଲେ ଏବଂ ମନେ ମନେ କହୁଥାନ୍ତି କଣ ଏ ସବୁ ଖୁସିର ଏବଂ ଆମୋଦ ପ୍ରମୋଦର ଆବଶ୍ୟକତା ଥିଲା କେହିତ ହେଲେ କାହାର ସମ୍ପର୍କୀୟ ମୃତ୍ୟୁ ଯାଇଛି. କଣ ଜୀବନ ଏତେ ଶସ୍ତା? ଯେ ହେତୁ ସେ ନିଜର ନୁହେଁ. ହଁ ବୋଧେ ସଂସାରରେ ଏପରି କିଛି ଉତ୍ସବଯିବି ଲୋକ ଅଛନ୍ତି ଯିଏ କୌଣସି ଭି କାରଣରେ ଅଯଥା ଆମୋଦ ପ୍ରମୋଦ କୁ ଖୋଜି ବୁଲନ୍ତି.