ଉନ୍ମାଦିନୀ
ଉନ୍ମାଦିନୀ
ସୌରଭ କିଛି ନିର୍ଣ୍ଣୟ ନେଇ ପାରୁନାହିଁ। ପଚିଶଟା ଖଣ୍ଡେ ଫଟୋ ଆସିଛି ହ୍ୱ।ଟ୍ସଏପ୍ ରେ। ସେ ବାରମ୍ବାର ଦେଖି ସୁଦ୍ଧା ଫଟୋରୁ ଝିଅଙ୍କ ଚରିତ୍ର ଅନୁମାନ କରି ପାରୁନାହିଁ। ଯେବେକି ଫଟୋ ଦେଖି ବା ମଣିଷର ଚେହେରା ଦେଖି ତାର ନିର୍ଭୂଲ ଚରିତ୍ର ଚିତ୍ରଣ କରିବାରେ ସେ ଧୁରନ୍ଧର। କିନ୍ତୁ ବର୍ତ୍ତମାନ ଯେତେବେଳେ ତାର ନିଜର ଆବଶ୍ୟକତା ପଡ଼ିଛି ତାର ବିଦ୍ୟା ଧରା ଛୁଆଁ ଦେଉନାହିଁ। ଚକ୍ଷୁର ଆକାରରୁ ସେ ଜାଣି ପାରେ ଲୋକଟି ଉଦାର ନା କୃପଣ। ଓଷ୍ଠର ଭଙ୍ଗିମାରୁ ସେ କଳିପାରେ ବ୍ୟକ୍ତିର କ୍ରୁରତାର ଡିଗ୍ରୀ।
ଏଠି କିନ୍ତୁ ସବୁ ନିଷ୍ଫଳ। ଝିଅଙ୍କ ଫଟୋ ଗୁଡ଼ିକ ସବୁ ଯେମିତି ଗୋଟିଏ ଗୋଟିଏ ସୁପର୍ ଗ୍ରେଡ ସୁଡୋକୁ। କାହାର ଲଲାଟ ଏତେ ପ୍ରଶସ୍ତ ଯେ ଯେତେବଡ଼ ବିନ୍ଦି ହେଲେ ସୁଦ୍ଧା ବୈଧବ୍ୟର ଆଭାସ ଦେବ। କାହାର ଲଲାଟ ପୁଣି ଏତେ ସଂକୀର୍ଣ୍ଣ ଯେ ସୋରିଷ ପରି ବିନ୍ଦିଟିଏ ଲଗାଇବାକୁ ବ୍ୟୋମକେଶ ବକ୍ସି ପରି ଅନୁସନ୍ଧାନ କରିବାକୁ ହେବ। କେଉଁ ଲଳନା ଆୟତନୟନା ତ କିଏ ଅତ୍ୟନ୍ତ କ୍ଷୁଦ୍ର ମାର୍ଜାରନୟନା। କିଏ ଅତ୍ୟନ୍ତ ସ୍ଥୁଳାଙ୍ଗୀ ତ କିଏ ସାମାନ୍ୟ ପବନରେ ମଧ୍ୟ ନିଜର ଭାରସାମ୍ୟ ହରାଇ ଦେଇ ପାରେ। ଏପରି ଗୋଟିଏ ହେଲେ ଫଟୋ ନାହିଁ ଯାହାକୁ ସେ ମନଭରି ଦେଖି ପାରିବ। ଭଗବାନ କଣ ତା ପାଇଁ ସୁଯୋଗ୍ୟ କନ୍ୟା ନିର୍ମାଣ କରିବାକୁ ଭୂଲି ଯାଇଛନ୍ତି?
ତେବେ କଣ ତାକୁ ବୋଉ ଠିକ କରିଥିବା ମାଦଳ ସଦୃଶ୍ୟା ମୀନାକୁ ଆଜୀବନ ବେକରେ ଝୁଲେଇବାକୁ ପଡ଼ିବ? ଓଃ କି ପେଜୁଆ ପେଜୁଆ ଆଖି ତାର। ତାର ଦେହ ଶୀହରି ଉଠିଲା।ବୋଉ ପାଇଁ ସେ ହୋଇ ପାରିଥାଏ ,ଗୁଣ୍ଠୁଣୀ ହାତୀ, ଚିଲା ଆଖିଆ ଲକ୍ଷ୍ମୀ ପ୍ରତିମା। କିନ୍ତୁ ତାର ଅନୁଭବ କୁହେ, ଚିିଲା ଆଖିଆ ମାନେ କୁତ୍ସିତ ମନୋଭାବ ଧାରି ,କୁତ୍ସାରଟନାକାରୀ ଆଉ ମଧ୍ୟ ଷଡ଼ଯନ୍ତ୍ରକାରୀ।
ବାପା ବୋଉ ଏତେ ବ୍ୟସ୍ତ କାହିଁକି କେଜାଣି?
ହଠାତ କଲିଂ ବେଲ ବାଜିଲା। ସାମନାରେ ହୋଟେଲ ବୟ। ବଢ଼ାଇ ଦେଲା ଚଉଭଙ୍ଗ ଲେଟର ହେଡ ଟିଏ। ଡୋର ବନ୍ଦ କରି ସୋଫାରେ ବସିଲା। ଅପରିଚିତ ମୁମ୍ବାଇ ସହରରେ କିଏ ସେ ତାକୁ ଚିଠି ଦେଇଛି। ଅତ୍ୟନ୍ତ ଉତ୍ସୁକ ହୋଇ ଭାଙ୍ଗ ଖୋଲିଲା। ଖୁବ୍ ସୁନ୍ଦର ଗୋଲ ଗୋଲ ଅକ୍ଷରରେ ଲେଖା ହୋଇଥିବା ଚିଠିଟା , ପଢ଼ିବା ପୂର୍ବରୁ ମନ ମୋହି ନେଇଥିଲା। ସତେକି ତାଳପତ୍ରରେ ଲେଖା ଯାଇଥିବା ଉପେନ୍ଦ୍ର ଭଞ୍ଜଙ୍କ ପ୍ରେମ ସୁଧାନିଧୀର ଅକ୍ଷୁର୍ଣ୍ଣ ଚିଟାଉ।
"ମହାଶୟ ,
ନିବେଦନ, ଆପଣ ଆଜି ହୋଟେଲ ସମୀପସ୍ଥ ମୋର ବାସ ଭବନରେ ସାୟଂ ଜଳପାନ କରି ମୋତେ ଧନ୍ୟ ମନେ କରିବାର ସୁଯୋଗ ପ୍ରଦାନ କରିବେ।
ମହେନ୍ଦ୍ର ନାୟକ
ସୁଇଟ୍ ର ବାଲକୋନୀକୁ ଆସି ଦେଖିଲା ସୌରଭ। ସମ୍ମୁଖରେ କିଛି ଦୂରରେ ଏକ ସୁରମ୍ୟ ଅଟ୍ଟାଳିକା। ଲେଟର ହେଡରେ ସେହି ଅଟ୍ଟାଳିକାର ଠିକଣା ଥିଲା।
କନ୍ୟା ସମ୍ବନ୍ଧରେ କିଛି ତ ଲେଖା ନାହିଁ। ତେବେ ସମ୍ମୋହିତ ହେଲା ପରି ସାନ୍ଧ୍ୟ ଭ୍ରମଣ ସମୟରେ ସେ ନିଜକୁ ଆବିଷ୍କାର କଲା ସେହି ଅଟ୍ଟାଳିକାର ସୁଉଚ୍ଚ ସୁନିର୍ମିତ ଫାଟକ ସମ୍ମୁଖରେ।ଦରୁଆନ ଫାଟକ ଖୋଲିଦେଲା।
ସେ ଯେମିତି ମନ୍ତ୍ର ସିକ୍ତ ହୋଇ ସ୍ଥାଣୁ ପାଲଟି ଯାଇଥିଲା। ରୁଚିଶୀଳତାର ଏପରି ଉଦାହରଣ ସହିତ ସେ ଅନ୍ତତଃ ଏ ଯାବତ ପରିଚିତ ହୋଇ ନଥିଲା। ଫାଟକ ପାଖରୁ ନାଲି ମୁରୁମର ସୁଦୀର୍ଘ ରାସ୍ତା ସମାପ୍ତ ହୋଇଛି ଠିକ ସୁସଜ୍ଜିତ ଏକ ବାରଣ୍ଡାରେ। ଦାମି ଟାଇଲର ଏପରି ପ୍ରଭାବ ବୋଧେ ପଡ଼ି ନଥାନ୍ତା ଆଗନ୍ତୁକଙ୍କ ମନରେ। ରାସ୍ତାର ଉଭୟ ପାର୍ଶ୍ଵରେ ବିଭିନ୍ନ ମନଲୋଭା ପୁଷ୍ପଶଯ୍ୟା ମାନ ବିଭିନ୍ନ ଆକାର ପ୍ରକାରରେ। ବାରଣ୍ଡାରୁ ଟିକେ ଛାଡ଼ି ଅଷ୍ଟ୍ରେଲିଆନ୍ ଘାସର ଲନ୍ । ଶୁଖିଲା ପତ୍ର ତ ପତ୍ର କିଏ ଯେପରି ଜୀଭ ଅଗରେ କୁଟା କାଠି ମଧ୍ୟ ସଫା କରି ଦେଇଛି। ସ୍ୱଚ୍ଛତା ଓ ସଜ୍ଜା ଦେଖି ସୌରଭର ମନରେ ଆଶା ମୁଣ୍ଡ ଟେକିଲା, ଏହିଠାରେ ହୁଏତ ତାର ମନର ମାନସକନ୍ୟାଟି ମିଳି ଯାଇ ପାରେ।
ଶୁଭ୍ର ପରିଧାନଧାରୀ ଜଣେ ପ୍ରୌଢ଼ ବ୍ୟକ୍ତି ବାରଣ୍ଡାରୁ ଓହ୍ଲେଇ ଆସି ତାକୁ ପାଛୋଟି ନେଇ ଗଲେ। ତାଙ୍କର ବ୍ୟକ୍ତିତ୍ୱ ଏପରି ପ୍ରଭାବଶାଳୀ ଯେ , ତାହା ଯେ କୌଣସି ଲୋକର ଆତ୍ମବିଶ୍ବାସ ହରି ନେଇ ପାରେ। ନିଜକୁ ନ୍ୟୁନ ମନେ କରୁଥିଲା ସୌରଭ ତାଙ୍କ ନିକଟରେ।
ବର୍ତ୍ତମାନ ତା ମନରେ ଆଶଙ୍କା ସୃଷ୍ଟି ହେଲା, ଏ ନାମୀ ଦାମୀ ବ୍ୟକ୍ତିଙ୍କ କନ୍ୟା ରତ୍ନଟିକୁ ତା ପରି ଜଣେ କଲେକ୍ଟର ସମ୍ଭାଳି ପାରିବ ତ?
"ସୁମୋନା , ସୁମୋନା,"
ଡାକ ଛାଡ଼ିଲେ ଭଦ୍ରବ୍ୟକ୍ତି।
" ଆପଣଙ୍କ ବିଜ୍ଞାପନ ଦେଖିଥିଲି ,ପେପରରେ। ଆପଣଙ୍କ ଆପେକ୍ଷିକ ଗୁଣ ଗୁଡ଼ିକ ମୋର କନ୍ୟା ଯଥାର୍ଥରେ ପୂରଣ କରି ପାରିବ ବୋଲି ଆଶା।"
ଭାରି ପରଦା ଆଢୁଆଳରୁ ଭାରି ଶାଢ଼ୀର ଖସର ଖସର ଶବ୍ଦ ସୌରଭର ହୃଦଗତିକୁ ଦ୍ୱିଗୁଣିତ କରିଦେଲା। ନିଜର ଲଜ୍ଜାବନତ ମୁଣ୍ଡ ଟେକିଲା ବେଳକୁ ସେ ହତାଶ ହେଲା। ଜଣେ ପୃଥୁଳାଙ୍ଗି ମହିଳା ସୋଫା ଉପରେ ଧମ୍ କିନା ବସି ପଡ଼ିଲେ। କଥାବାର୍ତ୍ତାରୁ ସେ ଠଉରାଇ ନେଲା ଯେ ଆଗନ୍ତୁକା ଭଦ୍ରବ୍ୟକ୍ତିଙ୍କ ବଙ୍ଗୀୟ ଅର୍ଦ୍ଧାଙ୍ଗିନୀ।
କିଛି ମୁହୂର୍ତ୍ତ ଉତ୍ତାରୁ କ୍ଷୀଣାଙ୍ଗି ଏକ ତରୁଣୀ ପ୍ରବେଶ କଲେ ଚାହା ଟ୍ରେ ଧରି। କୋମଳତା ସତ୍ତ୍ୱେ ମୂଖମଣ୍ଡଳରେ ଏକ ଗର୍ବିତ ବଙ୍ଗୀୟ ଆଭା ସୌନ୍ଦର୍ଯ୍ୟ କୁ ବିବର୍ଣ୍ଣ କରୁଥିଲା। ସୌରଭର ହୃଦୟ ତନ୍ତ୍ରୀ ଅଭ୍ୟନ୍ତରରେ ଏକ ବାରଣର ଈଶାରା ବାରମ୍ବାର ତାକୁ ବ୍ୟସ୍ତ କରୁଥାଏ।
ଏପଟେ ଭଦ୍ରବ୍ୟକ୍ତି ସ୍ୱକନ୍ୟାର ସ୍ୱଭାବ, ଗୁଣ ଓ ଶୀକ୍ଷା ବାବଦରେ ଘଣ୍ଟ ବାଡେଇ ଚାଲିଥାନ୍ତି। ସୌରଭ କଏଦୀ ସମ ବସିଥାଏ ନିର୍ଲିପ୍ତ ହୋଇ।
ଚାହାପର୍ବ ଅଚିରେ ସାରି ସେ ବିଦାୟ ମାଗିଲା।
ତତ୍କ୍ଷଣାତ୍ ପାଉଞ୍ଜିର ମଧୂର ଧ୍ୱନି ସହ ଏକ ମନମୋହକ କଣ୍ଠ ତାର ପାଦକୁ ସ୍ଥାଣୁ ଅରିଦେଲା। ପରଦା ଆଡେ଼ଇ ବାହାରି ଆସିଲା ତାର ସ୍ୱପ୍ନର ମାନସୀ। ସତରେ ତାର କଳ୍ପନାର ଓଡ଼ିଶୀ ବାଳା ଆଜାନୁ ଲମ୍ବିତ କଳା ନାଗୁଣୀ ସଦୃଶ ବେଣୀ ଓ ସମ୍ବଲପୁରୀ ଶାଢ଼ୀରେ ଅପୂର୍ବ ଶୀହରଣ ସୃଷ୍ଟି କରୁଥିଲା ତାର ମନରେ। ମୂଖମଣ୍ଡଳରେ ଚପଳତା ଓ ସ୍ଥିରତା ଉଭୟ ନିଜର ଉପସ୍ଥିତି ଜାହିର କରିବାକୁ ଅପଚେଷ୍ଟା କରୁଥିଲେ।
ଗୋଟିଏ ମୁହୂର୍ତ୍ତରେ ସୌରଭ ନିଷ୍ପତ୍ତି ନେଇ ନିଜର ମତାମତ ସ୍ପଷ୍ଟ ଭାବରେ କହିଦେଲା ଭଦ୍ରବ୍ୟକ୍ତିଙ୍କ ସମ୍ମୁଖରେ। ସାମାନ୍ୟ ଅପ୍ରତିଭ ହୋଇଗଲେ ନାୟକ ଦମ୍ଫତ୍ତି ଏ ଅପ୍ରତ୍ୟାଶିତ ପ୍ରସ୍ତାବରେ। କିଛି ସମୟ ଗୁମ ମାରି ତାକୁ ବାହାରକୁ ଡାକି ନେଲେ ଓ ଏକ ପରମାଣୁ ବୋମା ବିସ୍ଫୋରଣ ହେଲା ପରି ଉଜାଗର ହେଲା ଏକ କ୍ରୁର ସତ୍ୟ।
" ସେ ଅନୀମା, ମୋର ଭାଣିଜୀ। କୌଣସି ପ୍ରକାର ସେ ମୋତେ ମୋର ଝିଅ ଠାରୁ କମ ପ୍ରିୟ ନୁହେଁ। କିନ୍ତୁ ତାର ମାନସିକ ସ୍ତରରେ ସେ ସେତେଟା ସୁସ୍ଥ ନୁହେଁ। ଗତ ବର୍ଷ ତାକୁ ରାଞ୍ଚିରେ ଇଲେକ୍ଟ୍ରିକ ଶକ୍ ଦିଆଯାଇଛି। ତେବେ ତାର ସେ ଅବସ୍ଥା ପୁନର୍ବାର ପ୍ରତ୍ୟାବର୍ତ୍ତନ ଯେ ନ କରିବ ସେକଥା କହି ହେବ ନାହିଁ। "
ସୌରଭ ବାକ୍ ଶକ୍ତି ହରେଇ ବସିଲା ଯେମିତି। କିଛି କ୍ଷଣ ସ୍ତମ୍ଭିଭୂତ ହୋଇ ମୂଖାବନତ ଅବସ୍ଥାରେ ଛିଡ଼ା ହୋଇ ରହିଲା। ଦୃଢ଼ ଇଚ୍ଛାଶକ୍ତି ତାର ଅଟଳ ନିଷ୍ପତ୍ତିକୁ ହାରିବାକୁ ଦେଇ ନଥିଲା।
ମୁଣ୍ଡ ଟେକି ସେ ବଡ଼ ଯୋରରେ କହିଲା,
"ମୁଁ ତଥାପି ଅନୀମାକୁ ବିବାହ କରିବି। "
****
ଅନୀମାକୁ ପାଇ ସୌରଭର ସମୟ ପକ୍ଷ ଲଗାଇ ଉଡ଼ି ଚାଲିଲା। ନିତ୍ୟ ନୂତନ ଦିବସ, ନିତ୍ୟ ଜୋଛନା ରାତ୍ରି ତାର ଜୀବନକୁ ମଧୁମୟ କରି ତୋଳୁଥିଲେ। ପଛରେ ସେ ଜାଣି ପାରିଥିଲା ଯେ ତାର ର ମାନସପ୍ରିୟାର ସ୍ୱହସ୍ତ ଲିଖିତ ପତ୍ର ଦ୍ୱାରା ହିଁ ଅଦୃଷ୍ଟ ତାଙ୍କର ମିଳନ ଲେଖିଥିଲା।
ହଠାତ ତାର ବଦଳି ଆସେ ରାଞ୍ଚି ସକାଶେ। ଆଗତ ଭବିଷ୍ୟତ ବିଷୟରେ ନ ଭାବି ସେ ଅନୀମାକୁ ଏ ବିଷୟରେ କହିଦେଇ ତାକୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦିଏ।
ତା ପରଠାରୁ ଅନୀମାର ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହୁଏ। ସଦା ସର୍ବଦା କଳକଳ ଛଳଛଳ ପାହାଡି଼ ଝରଣା ସଦୃଶ୍ୟ ଅନୀମା ପାଲଟି ଯାଏ ମୂକ ନିର୍ଜୀବ ପଥର।
ଦିନେ ରାତିରେ ଅନୀମାକୁ ବିଛଣାରେ ନପାଇ ସୌରଭର ମନରେ ଛନକା ପଶେ। ଉଠି ଚାରିଆଡ଼େ ଖୋଜି ଖୋଜି ତାକୁ ଦେଖେ ଦାଣ୍ଡ ବାରଣ୍ଡା ଗ୍ରିଲ ପାଖରେ। ବାଳ ଖୋଲା, ବସ୍ତ୍ର ଆଲୁଳାୟିତ। ଗ୍ରିଲ ରଡ଼କୁ ହାତରେ ମୋଡି ଭାଙ୍ଗି ପକାଇବାର ନିଷ୍ଫଳ ଚେଷ୍ଟା।
" ଅନୀମା, କଣ ହେଇଛି"?
"ତୁମେ ମୋତେ ରାଞ୍ଚିରେ ଛାଡ଼ିବାର ଷଡ଼ଯନ୍ତ୍ର କରୁଛ ନା। ମୁଁ ଜମା ଯିବିନି। ଜମା ଯିବିନି।"
ସୌରଭ କିଛି କହିବା ପୂର୍ବରୁ ଅନୀମାର ଚେତାଶୂନ୍ୟ ଶରୀର ଭୂଇଁରେ ଲୋଟିଯାଏ। ସୌରଭ ସବୁଠାରୁ ବଡ଼ ସାଇକିଆଟ୍ରିଷ୍ଟ ସହ ଆଲୋଚନା କରେ ଓ ତାର ଚିକିତ୍ସା କରିବା ପାଇଁ ଅନୁରୋଧ କରେ। ଅନୁଭବୀ ବୟୋଜ୍ୟେଷ୍ଠ ଡାକ୍ତର ତାକୁ ଦେଖି ଦେଇ ଅନୁମାନ କରି ନିଅନ୍ତି ରୋଗର ଭୟାବହତା। ତାକୁ ମିଛ କହି ମେଣ୍ଟାଲ ହସପିଟାଲ ନେବାକୁ ପଡ଼ିବ। ଆଉ ଅନ୍ୟ ଉପାୟ ନାହିଁ।
ଭାରି ମନରେ ସୌରଭ ଅନୀମା ପାଖରେ ମିଛ ଅଭିନୟ କରେ।
" ଆମେ ଆଉ ରାଞ୍ଚି ଯିବା ନାହିଁ। ମୋର ବଦଳି ରଦ୍ଦ ହୋଇ ଯାଇଛି। ଆମେ ବୁଲିବା ପାଇଁ ଦେହରାଦୁନ ଯିବା।"
ଆଶ୍ଚର୍ଯ୍ୟ ଜନକ ଭାବେ ଅନୀମା ପୁଣି ପାଲଟି ଯାଏ ଲୀଳାମୟୀ , ହାସ୍ୟ ଉଲ୍ଲାସ ମୟୀ, ସୌରଭର ସ୍ୱପ୍ନର ମାନସୀ।
ବହୁତ ଆଗ୍ରହର ସହ ଅନୀମା ଆସବାବପତ୍ର ସଜାଡିବାକୁ ଆରମ୍ଭ କରେ। କେତେବେଳେ କଣ ପିନ୍ଧିବ ସବୁ ସେଟ କରି ରଖେ। ଯାତ୍ରା ସମୟକୁ ଅପେକ୍ଷା କରେ ଚାତକ ପରି।
କାର ଭିତରେ ସବୁ ରଖି ଦୁହେଁ ବାହାରନ୍ତି ନିଜ ନିଜର ଭାବନାର ଗନ୍ତବ୍ୟ ସ୍ଥଳ ଉଦ୍ଦେଶ୍ୟରେ।
ମେଣ୍ଟାଲ ହସ୍ପିଟାଲର କାର ଅପେକ୍ଷା କରିଥାଏ ଦୁଇଜଣ ହୃଷ୍ଟ ପୁଷ୍ଟ ମହିଳା କର୍ମଚାରୀ ସହିତ। ପାଗଳ ମାନଙ୍କ ସହ ରହି ରହି ସେମାନଙ୍କ ମୁହଁ କଠୋର ଓ ସମ୍ବେଦନହୀନ ପାଲଟି ଯାଇଥାଏ। ଆଖିରୁ କ୍ରୁରତା ଝରୁଥାଏ।
ହୃଦୟର କୋହ ଓ ଉଚ୍ଛ୍ୱ।ସକୁ ଚାପି ରଖି ସୌରଭ ଅନୀମାକୁ କୁହେ।
" ଆମର କାର ଖରାପ ହୋଇଗଲା ,ଆମେ ସେହି କାରରେ ଯିବା। ତୁମେ ଯାଇ ବସ ।ସେମାନେ ମଧ୍ୟ ଆମ ସହ ଯିବେ। ମୁଁ ଯାଏ କୁଲିର ବ୍ୟବସ୍ଥା କରେ।"
*******
ରାଞ୍ଚିର ମେଣ୍ଟାଲ ହସ୍ପିଟାଲର କୋଠରୀର ଗ୍ରିଲକୁ ଧରି ଠିଆ ହୋଇଛି ଅନୀମା। ଦୃଷ୍ଟିରେ ଆଶା ଓ ବିଶ୍ୱାସ। ଦୂରଦିଗ୍ ବଳୟ ଯାଏ ଲମ୍ବି ଯାଇଥିବା ରାସ୍ତାରେ ତାର ନିଷ୍ପଲକ ଦୃଷ୍ଟି। କେବେ ଆସିବ ସୌରଭ କୁଲି ନେଇ।
ଡାକ୍ତର ସୌରଭକୁ ଆଶ୍ୱାସନା ଦେଉଛନ୍ତି," ଉନ୍ମାଦନାରେ ପ୍ରଥମେ ପ୍ରଥମେ ଏମିତି ହୁଏ। ପରେ ସବୁ ସାମାନ୍ୟ ହୋଇଯିବ। ଗୋଡ଼ ଥକିଗଲେ ସେ ସ୍ୱୟଂ ବସି ପଡ଼ିବ।"
କିନ୍ତୁ ସୌରଭ ଜାଣେ ଅନୀମାକୁ।ସେ ଅନନ୍ତ କାଳ ପର୍ଯ୍ୟନ୍ତ ଠିଆ ହୋଇ ରହିବ ତାର ପ୍ରତୀକ୍ଷାରେ। ଏହି ବିଚିତ୍ର ପ୍ରତୀକ୍ଷାଳୟରେ କୁଲି ଧରି ସୌରଭ କେବେ ପହଞ୍ଚିବ- କେବେ ?
