ଉଚ୍ଛେଦ
ଉଚ୍ଛେଦ


ମନ୍ଦିର ମାଳିନୀ ଭୁବନେଶ୍ୱର ମହାନଗରର ମଧ୍ୟ ଭାଗରେ ଅବସ୍ଥିତ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର । ସରକାରୀ ହିସାବରେ ପ୍ରାୟ ପଚାଶ ଏକର ପରିମିତ ଏହି ଅଞ୍ଚଳରେ କାହିଁ କେଉଁ କାଳରୁ ଗଢି ଉଠିଛି ଝୁମ୍ପୁଡ଼ି ବସ୍ତିଟିଏ ମେହନତି ଖଟିଖିଆ ମଜୁରିଆ ଲୋକଙ୍କ ଦ୍ୱାରା । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାର କଳେବର । ଜନସଂଖ୍ୟା ବଢୁଛି ଆଉ ତା ସହ ତାଳ ଦେଇ ନାନାଦି ସମସ୍ୟା, ଦୁର୍ବିସହ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଭୁବନେଶ୍ୱର ମହାନଗର ନିଗମ ନିମନ୍ତେ ଏକ ଆହ୍ଵାନ ସୃଷ୍ଟି କରିଛି । ଏହି ଅଞ୍ଚଳର ନାଁ ସିନ୍ଧୁରା ବସ୍ତି! ବସ୍ତି ତ ନୁହେଁ ଛୋଟିଆ ଭାରତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡିଶାର ବିଭିନ୍ନ ଅଞ୍ଚଳର ଲୋକଙ୍କ ସହିତ ବିହାରୀ, ବଙ୍ଗାଳୀ, ଅସମୀୟା, ହରିୟାଣୀ, ତେଲୁଗୁ, ତାମିଲ, କଚ୍ଛୀ, ସିନ୍ଧି, କେରଳୀ, ନେପାଳୀ, ବଙ୍ଗଳାଦେଶୀ ଏମିତି ଅଗଣିତ ଭାଷାଭାଷୀ ଓ ଧର୍ମାବଲମ୍ବୀଙ୍କ ପାଇଁ ଆଶ୍ରୟସ୍ଥଳି ଏହି ବସ୍ତି ।
କଟକ-ଭୁବନେଶ୍ୱର ଦ୍ୱେତ ମହାନଗରୀର ଶ୍ରମଶକ୍ତି ଚାହିଦା ପୂରଣ କରେ ଏହି ସିନ୍ଧୁରା ବସ୍ତି । ଝାଲମୁଢି, ଚାଟ୍, ଗୁପ୍ ଚୁପ୍, ଦହିବରା ଆଳୁଦମ ଦୋକାନୀଙ୍କ ଠାରୁ ଆରମ୍ଭ କରି ମୂଲିଆ ମିସ୍ତ୍ରୀ, ପର ଘରେ ପାଇଟି କରୁଥିବା ଲୋକ, ବୁଲା ବିକାଳୀ, ଫେରିବାଲା, ସମସ୍ତଙ୍କର ଠିକଣା ଏଇ ବସ୍ତି । ଦ୍ୱେତ ମହାନଗରୀରେ ସଭିଙ୍କର ଚାହିଦା ଏହି ବସ୍ତି ମେଣ୍ଟାଉଥିବା ବେଳେ ରାଜନେତା ବା ବାଦ୍ ପଡ଼ିବେ କାହିଁକି? ସେମାନଙ୍କ ପାଇଁ ଭୋଟ୍ ବ୍ୟାଙ୍କ୍ ଇଏ ! ମାଗଣାରେ ବିଜୁଳି ଓ ପାଣି ଯୋଗାଇ ଦେବାକୁ ଚହଟ ଚିକ୍କଣ କଥା କହି କହି ବର୍ଷ ବର୍ଷ ଧରି ସମୂଳ ସୁଧ ଆଦାୟ କରିଚାଲିଛନ୍ତି ନେତାଏଁ । ନିର୍ବାଚନ ବେଳେ ଭୋଜିଭାତର ଆସର ଜମେ ଏଠାରେ, ଜାତୀୟ ସ୍ତରର ତୁଙ୍ଗ ନେତାଙ୍କ ପାଦ ପଡେ, ଧନ୍ୟ ହୋଇଯାଏ ସିନ୍ଧୁରା ବସ୍ତି! ସହଜେ ରାଜଧାନୀର ଉଚ୍ଚ ଶିକ୍ଷିତ ନାଗରିକମାନେ ନିଜ ଘରୁ ବାହାରି ଆସି ବୁଥରେ ଭୋଟ୍ ଦେବାକୁ କୁଣ୍ଠିତ ଆଉ ଅନେକ ନିଜ ଗାଁରେ ତାଲିକାଭୁକ୍ତ । ପ୍ରତିଥର ନିର୍ବାଚନରେ ରାଜଧାନୀ ଭୁବନେଶ୍ଵରର ମତଦାନ ହାର ଏହାର ପ୍ରମାଣ । ଖାସ୍ ଏଥିପାଇଁ କୌଣସି ଦଳ ବସ୍ତି ବାସିନ୍ଦାଙ୍କୁ ହାତଛଡ଼ା କରିବାକୁ ଚାହାଁନ୍ତି ନାହିଁ । ନିର୍ବାଚନ ଜିତିବା ପରେ ହାତୀ ଦେବୁ ଘୋଡ଼ା ଦେବୁ କହି କହି ଆସନ୍ତା ନିର୍ବାଚନ ଯାଏଁ ଦର୍ଶନ ବି ଦିଅନ୍ତି ନାହିଁ।
ଚରମ ଉପଭୋକ୍ତାବାଦର ଯୁଗରେ ଆଉ କିଏ ବା ଚାହୁଁଛି କରିବାକୁ କଠିନ ପରିଶ୍ରମ । ସହଜ ଓ ସୁବିଧାରେ ରାତାରାତି ଧନବାନ ହେବାର ନିଶା ଘାରିଛି ସଭିଙ୍କୁ । ଧିରେ ଧିରେ ବଦଳିବାରେ ଲାଗିଛି ସିନ୍ଧୁରା ବସ୍ତିର ଚରିତ୍ର । ଚରିତ୍ର ବଦଳିବାକୁ ବା କେତେ ସମୟ ଲାଗେ? ଯେଉଁ ଅଞ୍ଚଳ ଦିନେ ଶ୍ରମଶକ୍ତିର ଉତ୍ସ ପାଇଁ ସୁନାମ ଅର୍ଜନ କରିଥିଲା ଆଜି ଅଫିମ ଗଞ୍ଜେଇ ବ୍ରାଉନ୍ ସୁଗାର କୋକେନ୍ କାରବାରର ପେଣ୍ଠସ୍ଥଳୀ । ଯାବତୀୟ କଳା କାରବାର ଓ କାରନାମାର ନାଭି କେନ୍ଦ୍ର । ସିନ୍ଧୁରା ବସ୍ତିକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ରାଜ୍ୟ ସାରା ଲୋକେ ଦୁଇ ଭାଗରେ ବିଭକ୍ତ । ଭୋଟ୍ ବ୍ୟାଙ୍କ୍ ସୁରକ୍ଷିତ ରଖିବା ପାଇଁ ଦଳେ ବସ୍ତିବାସିନ୍ଦାଙ୍କ ପକ୍ଷ ସମର୍ଥନ କରୁଥିବା ବେଳେ ଅଉ ଦଳେ ନିଜକୁ ରାଷ୍ଟ୍ରବାଦୀ ପ୍ରତିପାଦିତ କରି ଏହି ପ୍ରସଙ୍ଗକୁ ଦେଶର ସୁରକ୍ଷା ସହ ଯୋଡ଼ି ଆନ୍ଦୋଳନରେ ଓହ୍ଲାଇଛନ୍ତି ରାଜରାସ୍ତାକୁ । ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଅବିରତ ଘନ ଘନ ସମ୍ବାଦ ପରିବେଷଣ ପରିସ୍ଥିତିକୁ ଜଟିଳ କରିଦେଇଛି । ସମସ୍ତଙ୍କ ନଜରରେ ଏଠିକାର ଲୋକେ ଜଘନ୍ୟ ଅପରାଧୀ । ଏକଥା ଜାତୀୟ ସ୍ତରରେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି ଆଜିକାଲି । ଓଡିଶା ପରି ଶାନ୍ତି ପ୍ରିୟ ପ୍ରଦେଶର କଥା ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିବା ଛୋଟିଆ କଥା ଆଦୌ ନୁହେଁ । କିଛି ତଥାକଥିତ ଉଚ୍ଚଶିକ୍ଷିତ ସଭ୍ୟ ଲୋକ ବିଭିନ୍ନ ସମୟରେ ପ୍ରଶ୍ନ କରିଛନ୍ତି, "ଓରିଶା କେଉଁଠି?" ବୋଲି...
ବିଧାନସଭାରେ ବିରୋଧୀ ଦଳ ନଛୋଡ଼ବନ୍ଧା ସିନ୍ଧୁରା ବସ୍ତିକୁ ନେଇ । ଶାସକ ଦଳର ନିଷ୍କ୍ରିୟତାକୁ ନେଇ ସବୁ ଆଡୁ ଷଣ୍ଢୁଆସୀ ଆକ୍ରମଣ । ସିଭିଲ୍ ସୋସାଇଟିର ସଦସ୍ୟମାନେ ମଧ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି । ରାତି ପାହିଲେ ଯେଉଁ ଲୋକଙ୍କ ଉପରେ ସେମାନେ ନିର୍ଭରଶୀଳ, ତାହାଙ୍କୁ ଆଜି ମହାନଗରରୁ ତଡିପାର କରିବା ପାଇଁ ଅଡି ବସିଛନ୍ତି । ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧ ପ୍ରବଣତାର ମୂଳ କାରଣ ଏଇ ସିନ୍ଧୁରା ବସ୍ତି । ଅକଳରେ ସରକାର, ଏଣୁ ମାରିଲେ ଗୋହତ୍ୟା ସେଣୁ ମାରିଲେ ବ୍ରହ୍ମହତ୍ୟା ! ସମାଧାନର ବାଟ ଦୂର ଦୂର ଯାଏ ଦେଖାଯାଉ ନାହିଁ । ଏତିକି ବେଳେ ଶାସକ ଦଳର ଜନୈକ ପ୍ରଭାବଶାଳୀ ଯୁବ ନେତା କିଛି ପ୍ରସ୍ତାବ ବାଢ଼ିଲେ, "ସିନ୍ଧୁରା ବସ୍ତି ଉଚ୍ଛେଦ କରି ସେହି ସ୍ଥାନରେ ଜନସାଧାରଣଙ୍କ ଉପଯୋଗୀ ପ୍ରକଳ୍ପ କରାଯାଉ । ଯାହା ଦ୍ୱାରା ରାଜଧାନୀର ଅଯଥା ଆବର୍ଜନା ହଟିବା ସହିତ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ । ଏହି ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଯାଉ।"
କଥାଟି ସଭିଙ୍କ ମନକୁ ଛୁଇଁଲା, କେବଳ ଛୁଇଁଲା ନାହିଁ ବରଂ ବେଶ୍ ଲୋଭନୀୟ ପ୍ରସ୍ତାବ ଭଳି ପ୍ରତୀୟମାନ ହେଲା । ତେବେ ଆଉ ଡେରି କାହିଁକି ? ପ୍ରସ୍ତୁତ ହୋଇଗଲା ବହୁମୁଖୀ ବିକାଶର ନୀଳନକ୍ସା, ରାଜଧାନୀର ସ୍ୱରୂପ ପରିବର୍ତ୍ତନ କରିବା ପାଇଁ । ଅଳିଆ ଆବର୍ଜନା ପୂର୍ଣ୍ଣ ସିନ୍ଧୁରା ବସ୍ତିକୁ ହଟାଇ ସେହି ସ୍ଥାନରେ ସୁରମ୍ୟ ବିପଣୀ, ମଲ୍, ହୋଟେଲ୍, ପାର୍କ୍, କନ୍ଭେନ୍ସନ୍ ସେଣ୍ଟର ଆଦି ପ୍ରକଳ୍ପ ଗଢିବା ପାଇଁ । ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଠିକାଦାରମାନେ ଟାକି ବସିଥିଲେ ଅନେକ ଦିନରୁ ରାଜଧାନୀ ଭୁବନେଶ୍ଵରର ବକ୍ଷସ୍ଥଳୀରେ ରହିଥିବା ଏହି ପ୍ରକାଣ୍ଡ ସ୍ଥାନଟିକୁ ଅଧିଗ୍ରହଣ କରିବା ପାଇଁ । ସେମାନଙ୍କର ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ନିଶା କାରବାର ଅଭିଯୋଗ ନ ଆସେ ନା ବସ୍ତି ଉଚ୍ଛେଦ ନ ହୁଏ।
ସରକାରୀ ଜାଗାରେ ଜବରଦଖଲ କରି ଘରଦ୍ୱାର କରି ରହିଥିବାରୁ ଉଚ୍ଛେଦ କରିବା ପାଇଁ ଭୁବନେଶ୍ଵର ମହାନଗର ନିଗମ ତରଫରୁ ଜାରି କରାଯାଇଛି ଆଦେଶ । ବିଭିନ୍ନ ସ୍ଥାନରେ ସୂଚନା ଫଳକରେ ଶୋଭା ପାଉଛି ନିର୍ଦ୍ଦେଶନାମା । ଧନ ଜୀବନ ରକ୍ଷା କରି ପଳାୟନ କରିବା ପାଇଁ ତୁହାକୁତୁହା ନିବେଦନ କରାଯାଉଛି ଡାକବାଜି ଯନ୍ତ୍ର ବ୍ୟବହାର କରି । କିଛି ସଂଗଠନ ହାଇକୋର୍ଟକୁ ଯାଇଛନ୍ତି ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ଉଚ୍ଛେଦ ପୂର୍ବରୁ ଥଇଥାନ ଓ କ୍ଷତି ପୂରଣ ଦାବୀ କରି । ସେଠାରେ ପ୍ରାରମ୍ଭିକ ଶୁଣାଣୀ ସରିଛି, ରାୟ ବିଳମ୍ବିତ ରହିଛି । କିନ୍ତୁ ଏଇ ବିଳମ୍ବକୁ ଆଉ ଧୈର୍ଯ୍ୟଧରି ସହ୍ୟ କରିବାକୁ ଶକ୍ତି ନାହିଁ ଠିକାଦାର ଲବିର । ପୋଥିଗତ ବିଦ୍ୟା ପରହସ୍ତ ଧନ କେଉଁ କାମର? ଯେଣତେଣ ପ୍ରକାରେଣ ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ଜାଗାଟିରୁ ନିଜ ନିଜର ସିଂହଭାଗ ହାସଲ କରି ନେବା ହିଁ ବୁଦ୍ଧିମାନର କାମ।
ଏମିତି ଦିନେ ସକାଳୁ ସକାଳୁ ଭୁବନେଶ୍ୱର ମହାନଗର ନିଗମର ନିର୍ବାହୀ ଅଧିକାରୀ ସଦଳବଳେ ଅତ୍ୟାଧୁନିକ ଯନ୍ତ୍ରପାତି ଧରି ହାଜର ସିନ୍ଧୁରା ବସ୍ତିରେ । ପୂର୍ବରୁ ଆରକ୍ଷୀ ବାହିନୀ ପ୍ରସ୍ତୁତ, ଜାଗତିଆର ସମସ୍ତ ଅପ୍ରତ୍ୟାଶିତ ଘଟଣା ନିମନ୍ତେ । କେହି କିଛି ବୁଝିବା ପୂର୍ବରୁ ଚାଲିଲା ବୁଲ୍ଡୋଜର୍, ଭାଙ୍ଗି ପକାଇଲା ନିମିଷକ ମଧ୍ୟରେ କାଳକାଳ ଧରି ଖଟିଖିଆ ମେହନତି ମଣିଷମାନଙ୍କୁ ଆଶ୍ରୟ ଦେଇଥିବା ନୁଆଁଣିଆ ଚାଳଛପର ଆଜବେଷ୍ଟସ୍ ଛାଉଣି ଘରସବୁକୁ । କାନ୍ଦ ବୋବାଳି ଛାଡ଼ି ପିଲାଛୁଆଙ୍କୁ ସାଥିରେ ଧରି ଯିଏ ଯୁଆଡେ ପାରିଲା ଆଖି ପିଛୁଳାକେ ଦୌଡ଼ି ପଳାଇଲା ଜୀବନ ବଞ୍ଚାଇ । ଓଃ କି ବିକଟାଳ ଦୃଶ୍ୟ! କିଛି ଲୋକଙ୍କ ଅପରାଧ ଆଉ କିଛି ଲୋକଙ୍କ ଲୋଭ ପାଇଁ ବଳି ପଡ଼ିଗଲା ବର୍ଷ ବର୍ଷର ଠିକଣା ସିନ୍ଧୁରା ବସ୍ତି । ପ୍ରତିବାଦ କରିବାକୁ କାହାରିକୁ ତର ସହିଲା ନାହିଁ । ସାହସ ବି ନାହିଁ, ସାମ୍ନାରେ ଗୁଳିଗୋଳା ବର୍ଷଣ କରିବାକୁ ତୟାର ପୁଲିସ୍ ବାହିନୀ । ମୁହଁ ଖୋଲି କିଛି କହିଲେ, ମୃତ୍ୟୁ ସୁନିଶ୍ଚିତ । ଜୀବନମରଣର ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ବସ୍ତିବାସିନ୍ଦାଙ୍କର ଏକମାତ୍ର ସାହାରା ଜୀବନ ଧରି ପଳାୟନ କରିବା । ଯଃ ପଳାୟତି ସଃ ଜୀବତି । କୋର୍ଟ କଚେରୀ ଯୁକ୍ତି ତର୍କ ମାଡ଼ ଫୌଜଦାରୀର ଅର୍ଥ ଆଉ କିଛି ନାହିଁ । ପଳାୟନ ହିଁ ଜୀବିତ ରହିବାର ଏକମାତ୍ର ଉପାୟ । ଜୀଇଁ ରହିଥିଲେ କେତେ କଥା ଦେଖି ହେବ ଏଇ ସଂସାରରେ!
ମାତ୍ର କେଇ ଘଣ୍ଟାର ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିନ୍ଧୁରା ବସ୍ତି ଏକ ସମତଳ ଭୂମିରେ ପରିଣତ ହୋଇଗଲା । ସୂର୍ଯ୍ୟ ଦେବ ମଥା ଉପରକୁ ଆସିବା ବେଳକୁ ସମଗ୍ର ଅଞ୍ଚଳକୁ ତାରବାଡ଼ ଦ୍ୱାରା ଆବଦ୍ଧ କରାଯାଇ ସରକାରୀ ଫଳକ ସ୍ଥାପନ କରାଯାଇ ସାରିଥିଲା । ଗଡ଼ ଜିତିବା ପରେ ମହାନଗର ନିଗମର କର୍ମଚାରୀ ଫେରି ଯାଉଥିଲେ ହରଷ ମନରେ । ଖଟିଖିଆ ମଜୁରିଆ ମଣିଷମାନେ ବେସାହାରା ହୋଇ ପଡି ରହିଥିଲେ ରାସ୍ତା କଡ଼ରେ ଭବିଷ୍ୟତ କାର୍ଯ୍ୟପନ୍ଥାର ସନ୍ଧାନରେ । ଦୀର୍ଘ ଦିନର ଅଭିଷ୍ଟ ପୂର୍ଣ୍ଣ ହେବାର ଖୁସିରେ ନୈଶ୍ୟ ଭୋଜନର ଆୟୋଜନ କରିଯାଇଛି ତାରକା ହୋଟେଲରେ ଠିକାଦାର ଲବି ଦ୍ୱାରା । ସୁରା ସାକୀର ଆସରରେ ମସଗୁଲ୍ ଶାସକ ଓ ବିରୋଧୀ ଦଳର ଛାମୁଆ ନେତାଗଣଙ୍କ ସହ ଗଣମାଧ୍ୟମର ପ୍ରତିନିଧି ସମୂହ । ମାମଲାର ରାୟ ହାଇକୋର୍ଟରୁ ଆସିବାକୁ ଆହୁରି ସମୟ ବାକି ଥାଏ । ବସ୍ତିବାସିନ୍ଦାଙ୍କର ଦୁଃଖ କଷ୍ଟ କଥା ବା ବୁଝୁଛି କିଏ?
ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ କୌଣସି ଚର୍ଚ୍ଚା ଗଣମାଧ୍ୟମରେ ହେଲା ନାହିଁ । କୌଣସି ସଂଗଠନ ପକ୍ଷରୁ ପ୍ରତିବାଦ ଅବା ପ୍ରତିରୋଧ କରାଗଲା ନାହିଁ । ମାନବାଧିକାର କମିସନରେ ମାମଲା ରୁଜୁ ହେଲା ନାହିଁ । କାହାରି ବି କିଛି ପ୍ରତିକ୍ରିୟା ନାହିଁ । ସଭିଏଁ ନିଶ୍ଚୁପ ଆପଣା ଆପଣା ସ୍ୱାର୍ଥକୁ ଜାବୁଡ଼ି ଧରି ରଖିବା ପାଇଁ । ସମତଳ ସିନ୍ଧୁରା ବସ୍ତିରେ ଆରମ୍ଭ ହୋଇଗଲା ନବ ନିର୍ମାଣର କାର୍ଯ୍ୟ । ଏଥି ମଧ୍ୟରେ ସଠିକ୍ ଭାବେ କ୍ଷତି ପୂରଣ ପ୍ରଦାନ କରି ସମୁଚିତ ଭାବେ ବସ୍ତିବାସିନ୍ଦାଙ୍କ ଥଇଥାନ କରିବା ପାଇଁ ହାଇକୋର୍ଟ ନିଦ୍ଦେର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କୁ ଆପଣା ରାୟରେ । ଆଉ କିଏ ଅଛି ଯେ' ସରକାର ଦେବେ ତାକୁ କ୍ଷତି ପୂରଣ? ମାସ କେଇଟାର ବ୍ୟବଧାନରେ ସିନ୍ଧୁରା ବସ୍ତି ପାଲୋଟି ଗଲା ସୁରମ୍ୟ ସିନ୍ଧୁ ବିହାର! ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବା ଏକ ଆଭିଜାତ୍ୟପୂର୍ଣ୍ଣ ଆମୋଦ ପ୍ରମୋଦର ସ୍ଥଳୀ । ପୂର୍ବ ଭାରତରେ ଜଗତୀକରଣର ପ୍ରବେଶ ଦ୍ୱାର । ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାର ପ୍ରକୃଷ୍ଟ ମାଧ୍ୟମ ସିନ୍ଧୁ ବିହାର!
ଆଜି ସେଇ ସିନ୍ଧୁ ବିହାର ଅବାଧ ନିଶା କାରବାର ସହ ଅବୈଧ ଅନୈତିକ କାର୍ଯ୍ୟକଳାପର ପାଲଟିଛି ଚରାଭୂଇଁ । ଧଳା ଜହରର ଜ୍ୱାଳାରେ ଜୀବନ ଥରହର । ସୁରା ସାକୀର ସୁରମ୍ୟ ବିପଣି ଖୋଲିଛି ସଭିଙ୍କ ଜାଣତରେ । ଅପରାଧର ଏହି ଚେର ଲମ୍ବିଛି ମଧ୍ୟ ପ୍ରାଚ୍ୟରୁ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡ଼ିକ ପର୍ଯ୍ୟନ୍ତ, ଯହିଁରେ ଭୁବନେଶ୍ୱର ତ ପାଲଟିଛି ଏକ ସୁରକ୍ଷିତ କରିଡର । ମାତ୍ର ସଭିଏଁ ନିଶ୍ଚୁପ, ମୁହଁ ଖୋଲୁନି କାହାର, ମନ୍ଦିରମାଳିନୀ ରହିଛି ଅପେକ୍ଷାରେ ଆଉ ଏକ ଉଚ୍ଛେଦର...