Satyabati Swain

Tragedy

3.6  

Satyabati Swain

Tragedy

ତୁମକୁ ଖୋଜୁଛି

ତୁମକୁ ଖୋଜୁଛି

4 mins
215



ନିଜକୁ ଅପରାଧୀ ମଣୁଛି ମୁଁ। କାହିଁକି ଚାଲି ଆସିଲି!!ଅଟକି ଯାଇଥାନ୍ତି କି ! ଦୁନିଆଁ ର ସବୁଠାରୁ ପ୍ରିୟତମ ମଣିଷଙ୍କୁ ହରାଇ ଆଜି ମୁଁ ନିସ୍ୱ।


ମୋତେ ହସ୍ପିଟାଲ୍ ରେ ସେଦିନ ବିକଳ ହୋଇ ବାବା କହୁଥିଲେ ଯା ନା ମା, ତୁ ଯା ନା। ମୁଁ କଣ ଜାଣିଥିଲି ମୋ ବାବାଙ୍କ ଏହି କଥା ଶେଷ କଥା ମୋ ପାଇଁ ଥିଲା !ଏକୁଟିଆ ଘର ବୋଲି ସେଦିନ ମୁଁ ଚାଲି ଆସିଲି। ଏବେ ନିଜକୁ ଅପରାଧୀ ଭାବୁଛି କାହିଁକି ସେଦିନ ଚାଲି ଆସିଲି !ରହି ଯାଇଥାନ୍ତି ହେଲେ।ଶେଷ ସମୟରେ ହୁଏତ ଆଖି ପୁରାଇ ଦେଖି ପାରିଥାନ୍ତି।କିଛି କଥା ବି ଶୁଣିବାର ସୌଭାଗ୍ୟ ହୋଇଥାନ୍ତା।କିନ୍ତୁ ମୋ କପାଳରେ ଏତକ ହିଁ ବିହି ଲେଖି ନ ଥିଲା ବୋଧେ। ମୁଁ ଚାଲି ଆସିବା ପରେ ବାବାଙ୍କ କୋଭିଡ୍ ପଜିଟିଭ୍ ଆସିଲା।

କରୋନା ମହାମାରୀ ଅକ୍ତିଆର କରିନେଲା ମୋ ବାବାଙ୍କୁ।ଦିନ କେଇଟା ପରେ ବାବାଙ୍କ ନିଃଶ୍ବାସ ସବୁଦିନ ପାଇଁ ବନ୍ଦ ହୋଇଗଲା। ଆମେ ହୋଇଗଲୁ ବାପ ଛେଉଣ୍ଡ ପିଲା।


ବାବା !ଏଗାର ଦିନ ହେବ ତୁମକୁ ଆମେ ହଜାଇ ଦେଇଛୁ ।ନିଷ୍ଠୁର ସମୟ ତୁମକୁ ଆମ ଠାରୁ ଏପରି ଅଫେରା ରାଇଜକୁ ନେଇ ଯାଇଛି ଯେ ଯେଉଁଠାରେ କେବଳ ଯିବାର ପଦ ଚିହ୍ନ ପଡିଥାଏ। ଫେରିବାର ଜାଣିନି କେହି।ଜାଣିନି କେହି ସେଇ ରାଇଜ ଠିକଣା।ଏପାରିରେ ଆମକୁ ଶୋକ ସାଗରରେ ଭସାଇ ତୁମେ ସେପାରିକୁ ଚାଲିଗଲ !କେମିତି ବାବା !


ସେଇ ଘର ଅଛି କିନ୍ତୁ ତୁମେ ନାହଁ।ତୁମ ବେଡ୍ ସତେକି ଏବେ ବି ତୁମ ଅପେକ୍ଷାରେ।ଘରର କାନ୍ଥ,ଛାତ, ଚଟାଣ ବି ଖୋଜୁଛନ୍ତି ତୁମକୁ।ରାଣୀ ହାଟ ବଜାର ଓ ଗୋପାଳ ସାହି ବି ଖୋଜୁଛି।ଖୋଜୁଛନ୍ତି ଓଡିଶା ଯାଦବ ସଂଘ।ଫୁଟ୍ ବଲ୍ ଓ ହକି ଷ୍ଟିକ ବି ତୁମ କଥା ଭାବି ଲୁହ ଝାରୁଛନ୍ତି।ଏବଂ ଖୋଜୁଛୁ ଆମେ।କୁଆଡେ ଗଲ ? କେମିତି ଏକା ଏକା ଅଛ ! ଏବେ ବି ଅବିଶ୍ବାସ ଲାଗୁଛି ତୁମେ ଆମ ଗହଣରେ ନାହଁ ବୋଲି।


ମୋ କାନ୍ଦ ପରା ତୁମର ଭାରି ଅସହ୍ୟ।ଦେଖନା ବାବା ମୁଁ କେତେ କାନ୍ଦୁଛି, କେମିତି ସହିଛ!! ମୋ ଲୁହ ପୋଛି ଦେବାକୁ ତୁମ ହାତ ତ ଲମ୍ବି ଆସୁନାହିଁ ! ବାବା ସାତ ଭାଇ ଭଉଣୀ ମଧ୍ୟରେ ମୁଁ ସବା ବଡ଼; କିନ୍ତୁ ଓଲା।ମୁଁ ଓଲା ବୋଲି ଆପଣ ମୋତେ କଣ ଡାକନ୍ତି ; ଭାଲୁ ନା ?ସେଇ ଡାକରେ ଥରେ ଡାକନା ବାବା। କାନ ତରସି ଯାଉଛି ଭାଲୁ ଡାକଟି ଶୁଣିବାକୁ।


ଦିନକୁ ଦୁଇଥର ଭିଡିଓ କଲ୍ କରୁଥିଲ ମୋତେ।ସକାଳେ କରିଥିଲେ ବି ଭୁଲି ଯାଇଛ ବାହାନା କରି ପୁଣି ମୋ ସହ କଥା ହେଉଥିଲ ବାବା। ମୁଁ ବି ଚାତକ ପରି ଅନାଇଁ ଥାଏ କେତେବେଳେ ତୁମେ ଫୋନ୍ କରିବ।କାମରେ ସିନା ମନ କିନ୍ତୁ ଫୋନ୍ ପାଖେରେ ଥାଏ କାନ। ତୁମକୁ ଫୋନ୍ ରେ ଦେଖିବା ଆଉ ତୁମ ମହୁ ଗୋଳା କଥା ଶୁଣିବାକୁ ମୋ କାନ, ମନ ଓ ହୃଦୟ ଭାରି ଲୋଭ କରନ୍ତି । ତୁମ ସହ କଥା ହେଲା ପରେ ମୋ ଦିନଟି ଭଲ ଲାଗେ।ଏଇ ସୁଖ ଆଉ ମୋ କପାଳରେ ନାହିଁ।ନିୟତି ଅପହଞ୍ଚ ଇଲାକାକୁ ନେଇ ଯାଇଛି ତୁମକୁ।


ସବୁ ମନେ ପଡି ଯାଉଛି।ରଜ, ଦଶହରା ,କୁମାର ପୂର୍ଣ୍ଣିମା ଆଦି ପ୍ରତ୍ୟେକ ପର୍ବରେ ତୁମେ ଡ୍ରେସ୍ ସହ ମ୍ୟାଚ କରି ଟିକିଲି,ନେଲପୋଲିସ୍ , ପରି ସମସ୍ତ ସଜବାଜ ଜିନିଷ ଆଣୁଥିଲ। ଆମ ପାଞ୍ଚ ଭଉଣୀଙ୍କୁ ନିଜ ହାତରେ ସଜ ବାଜ କରୁଥିଲ। କୁକୁମ ଚନ୍ଦନରେ ଅତି ସୁନ୍ଦର ଚିତ୍ର କରି ଆମ ମଥା ଭରି ଦେଉଥିଲ।ମୋର ଅଳ୍ପ ଦାମର ଜିନିଷ ପସନ୍ଦ ନୁହେଁ ବୋଲି ଦୁଇ ଟଙ୍କା ଜାଗାରେ ସଭିଙ୍କ ଅଲକ୍ଷ୍ୟରେ ମୋତେ କୋଡିଏ ଟଙ୍କା ଦେଉଥିଲ।ମୋ ଦେଉ ପାଠ ଭଲ ହେଉ ନଥିଲା।ସେଥିପାଇଁ ମୁଁ ଖୁବ୍ ଡରୁଥିଲି ତୁମକୁ।କିନ୍ତୁ ଦିନଟିଏ କେବେ କହିଁନ କାହିଁକି ଏତେ କମ୍ ନମ୍ବର ରଖିଛୁ?କାହିଁକି ମନ ଲଗାଇ ପଢୁନୁ। ବରଂ କହିଛ ଈଶ୍ୱର କଣ ସମସ୍ତଙ୍କୁ ଏକା ପରି ଗଢିଛନ୍ତି !


ଯେବେ ଯେବେ ତୁମ ପାଇଁ ନୂଆ ଗାଡି କିଣା ହୋଇଛି ମୋତେ ସେଥିରେ ପ୍ରଥମେ ବସାଇ ବୁଲାଉଥିଲ।ଘରର ସବୁ କଥାରେ ମୁଁ ଆଗ ଲୋଡ଼ା। ମୋ ଅଧିକାର ଜାହିର୍ କରିବା କି ଛଡେଇ ଆଣିବା ଆସୁ ନଥିଲା ମୋତେ। ତେଣୁ କିଛି ଖୋଜିବା ପୂର୍ବରୁ ତୁମେ ମୋ ମନ କଥା ପଢି ଯୋଗାଇ ଦେଉଥିଲ।କେବେ କାହା ସଙ୍ଗେ ତୁମେ କିଛି ଗପୁଥିଲେ ସେ ଗପରେ ମୁଁ ହିଁ ରହୁଥିଲି ବେଶୀ।ତୁମ ଜ୍ବାଇଁ ଅଭୟ ବି ତୁମର ଅଧିକ ପସନ୍ଦ।ବେବି ଓ ଅଭୟ କଥା ସଭିଙ୍କ ଆଗରେ କହୁଥିଲ। ମୋ ଝିଅକୁ ସବୁବେଳେ ତୁମେ ପାଖରେ ରଖିବାକୁ କେତେ ଅସୁସ୍ଥ ହେବାର ନାଟକ କରୁଥିଲ ,ମନେ ପଡୁଛି !


ସେଦିନ ପୋରୁହାଁ ଅଷ୍ଟମୀ ହୋଇଥାଏ।ଯେତେ ଭଲ ଚିଜ ହେଲେ ବି ମୁଁ ଟିକେ ଗୁଉଁ ପୁଉଁ ହୁଏ।ସେଥରକ ବି ଅଷ୍ଟମୀ ଡ୍ରେସ୍ ପାଇଁ ଟିକେ ମୁହଁ ଫୁଲେଇଲି।ମା ରାଗିକି କଣ କହିଦେଲା ବୋଲି ,ତୁମ ପ୍ରିୟ ପକେଟ ରେଡ଼ିଓ ଯିଏ ତୁମଠୁ କେବେ ଅଲଗା ହେଉ ନଥିଲା, ତାକୁ ଫିଙ୍ଗି ଭାଙ୍ଗିଦେଲ।ନିଜ ଚଷମା ବି ଭାଙ୍ଗିଦେଲ ସେଦିନ ଅଫିସ୍ ଗଲାବେଳେ। ମୋତେ କେହି କିଛି ଏପରିକି ମା କହିଲେ ବି ତୁମେ ସହି ପାରୁ ନଥିଲ। ଆମର ସାତ ଭାଇ ଭଉଣୀ ତୁମ ଜୀବନ ଥିଲୁ। ବେଶୀ ଗେହ୍ଲା ବେଶୀ ଭଲ ପାଇବା ମୋ ଭାଗରେ ଥିଲା।ମୋର ଛୋଟ ଛୋଟ

ଆବଶ୍ୟକତାର ବି ହିସାବ ରଖୁଥିଲ ତୁମେ।


ବାବା! ତୁମେ ଆମ ମାନଙ୍କର ସୁରକ୍ଷାର,ସ୍ନେହ ମମତାର ଓ ସମସ୍ତ ଖୁସିର ନିର୍ଭର ଯୋଗ୍ୟ ,ଭୟଶୁନ୍ୟ ନିଶ୍ଚିନ୍ତ ଠିକଣା। ଏବେ ଘର ଭିତର ବାହାରେ ଶୁନ୍ୟତା ରାଜୁତି। ମା ର ଲଙ୍ଗଳା ହାତ,ଶୁନ୍ୟ ମଥା ହୃଦୟ କୋରି ଦେଉଛନ୍ତି। ମା ଆଖିରେ କେବଳ ସମୁଦ୍ର ଲହଡି। କେତେ ଚୁପ୍ ଚାପ୍ ହୋଇ ଭାଙ୍ଗି ପଡିଛି ସେ।ତାକୁ ଅନେଇଁ ହେଉନି।ଛାତି ଫାଟି ଯାଉଛି ତା ଶୁଖିଲା ଆଖି ଓ ବାଷ୍ପ ରୁଦ୍ଧ ସ୍ୱର ଶୁଣି।


କୁହନ୍ତି ଜନ୍ମ ଥିଲେ ମୃତ୍ୟୁ ଅଵଶ୍ୟମ୍ଭାବୀ। ଜନ୍ମ ଓ ମୃତ୍ୟୁ ନିୟତିର ଖେଳ।କିନ୍ତୁ ପ୍ରକୃତିର ଏ ଚରମ ଖେଳକୁ ଆମେ ଗ୍ରହଣ କରି ପାରୁନାହୁଁ।ଯେମିତି ଲାଗୁଛି କେଉଁ କାମରେ ଯାଇଛ ଫେରି ଆସିବ। ଅପ୍ରିୟ ସତ୍ୟ ଏହାଯେ ଆମେ ଆଉ ସଶରୀରରେ ତୁମକୁ ଦେଖି ପାରିବୁ ନାହିଁ କି ଛୁଇଁ ପାରିବୁ ନାହିଁ। ଆଉ ତୁମ ସ୍ନେହ ବୋଳା ବେବି ଡାକ ମୋ କାନ କେବେ ଶୁଣିବ ନାହିଁ।ତଥାପି କୋହମୋହ ହୃଦୟ ଅପେକ୍ଷା ରଖୁଛି ତୁମକୁ।


ବାବା! ତୁମେ ନାହଁ ଏବେ ବାହାରେ,ଶରୀରରେ; କିନ୍ତୁ ଅଛ ମୋ ଭିତରେ,ପ୍ରତି ନିଃଶ୍ବାସରେ ମୋ ଭାବନାରେ।ଆଖି ବୁଜି ତୁମକୁ ମୁଁ ଅନୁଭବ କରି ପାରୁଛି।ଏଇତ ଶୁଭି ଯାଉଛି ବବି, ବବି।ତୁମ ହ୍ୟାଙ୍ଗର ଟଙ୍ଗା ସାର୍ଟ ,ପ୍ୟାଣ୍ଟ ଯେମିତି ତୁମେ ଠିଆ ହେବାର ସୂଚନା ଦେଉଛନ୍ତି। ପ୍ରତ୍ୟେକ ବ୍ୟବହୃତ ଜିନିଷ ତୁମ ଉପସ୍ଥିତି ଜାହିର କରି ଅଥୟ କରୁଛନ୍ତି ଘର ପରିବେଶ। 


ପଞ୍ଚଭୂତ ଆତ୍ମା ତୁମ ପବନରେ ମିଳାଇଗଲା ଓ ମାଟି ପିଣ୍ଡ ମାଟିରେ ମିଶିଗଲା।ତୁମେ କିନ୍ତୁ ମୋ ଭିତରେ ସବୁଦିନ ରହିବ। ପ୍ରତି ମୁହୂର୍ତ୍ତରେ ତୁମର ଏ ବବି ତୁମକୁ ଅନୁଭବ କରୁଥିବ।ତୁମେ ମୋ ହୃଦୟ ଆତ୍ମାରେ ସେମିତି ବସିଥିବ ମୁଁ ତୁମ ପରି ମହା ଯାତ୍ରାର ଯାତ୍ରୀ ହେବା ପର୍ଯ୍ୟନ୍ତ।ବାବା !ଆଉ ଏକ ଲୋଭନୀୟ ଇଚ୍ଛା ଟିଏ ମୋର ଅଛି।ଯଦି ମୃତ୍ୟୁ ପରେ ଜନ୍ମ ଥାଏ,ତେବେ ପ୍ରତି ଜନ୍ମରେ ତୁମେ ମୋର ବାବା ଓ ମୁଁ ତୁମର ଝିଅ ହେବା ପାଇଁ ମୋତେ ଆଶୀର୍ବାଦ କରନ୍ତୁ।କର୍ମଠ ମଣିଷ ;ଯାଦବ କୁଳର ଗର୍ଵ ଓ ଗୌରବ ତୁମେ ଯେଉଁଠାରେ ଥାଅ ଭଲରେ ଥାଅ।ତୁମ ଅମର ଦିବ୍ୟଙ୍ଗତ ଆତ୍ମା ସଦ୍ଗତି ଲଭୁ ବାବା।ବାବା ଓ ଝିଅର କଥା ଲେଖିବା ପାଇଁ କେଉଁ ଶବ୍ଦ କୋଷ ଅଛି ନା ଅଛି ଏମିତି କଲମ ; ଯାହା ଭୋ ଭୋ ପ୍ରାଣକୁ ଦେଖେଇ ପାରିବ ! କେବଳ କଲବଲ ହେବ।ଝୁରିବ ତୁମକୁ ଝାରିବ ଲୁହ ଖାଲି କିଂ କର୍ତ୍ତବ୍ୟ ବିମୁଢ ହୋଇ।ଯେମିତି ଆଜି ଆମେ।


ବାବା! ଆଇ ଲଭ ୟୁ।ପ୍ରତି ଜନ୍ମରେ ମୁଁ ତୁମ ଝିଅ ହେବି ଏତିକି ଆଶିଷ ନିଶ୍ଚୟ ଦେବେ।






Rate this content
Log in

Similar oriya story from Tragedy