STORYMIRROR

Jitendra Giri

Inspirational

4  

Jitendra Giri

Inspirational

ତୁମେ ଅଛ ବୋଲି

ତୁମେ ଅଛ ବୋଲି

3 mins
385


ଛୋଟ ବେଳେ ମାଆ କହୁଥିଲା ଯେତେବେଳେ କିଛି ବିପଦ ଆସିବ ସେତେବେଳେ ତୁମ ନାମକୁ ଧରି ସେଇ ବିପଦର ସାମ୍ନା କରିବାପାଇଁ ଆଉ ମୁଁ ବି ମାଆର କଥାକୁ ମାନି ତୁମ ନାମକୁ ମନେ ମନେ ମୁଖସ୍ତ କରି ଦାସ ଅଜାଙ୍କ ବାଡ଼ିରୁ ବରକୋଳି ଚୋରି କରିବା,ମୋ ସହପାଠୀ ନାକଫୁଲେଇ ଟିକିଲି ର ବେଣୀକୁ ଟାଣିବା,ସାଙ୍ଗ ମାନଙ୍କ ସହିତ କାଚଗୋଲି ଖେଳରେ ହାରିଯାଇ ମାରପିଟ କରିବା,ଆମ ବିଦ୍ୟାଳୟର ପିଅନ ଅଭିଭାଇ ର ଝାଡ଼ୁ କୁ ଲୁଚାଇବା ଆଉ ଖରାଦିନେ ଗାଁ ପୋଖରୀରେ ପାଣିକୁଆ ପରି ବୁଡ଼ି ସଞ୍ଜକୁ ଜ୍ବରରେ ଶୋଇବା ଏମିତି ଅନେକ ବିପଦକୁ (ସେ ବୟସର)ସାମ୍ନା କରିଛି ଅବଶ୍ୟ ତୁମ ନାମକୁ ସାଥି କରି ଏଇ ଯେମିତି ମୋ ସାହିତ୍ୟ ବହି ପରି।

   କଲେଜ ଗଲି ନଲେଜ ବଢ଼ିଲା ଆଉ ବଢ଼ିଗଲା ମୋ ମିଛ କହି ବିଳମ୍ବରେ ଘରକୁ ଫେରିବା,ସାଙ୍ଗ ମାନଙ୍କ ସହିତ ସିନେମା ଦେଖିବା,ସମୟ ସମୟରେ ଗାଁ ଛକରେ ଗୁଲି ଖଟି କରିବା ଆଉ ପଧାନ ଘରର ଝିଅର ସାଇକେଲ ଘଣ୍ଟିର ଆବାଜ କୁ କାନେଇବା। ହଁ କିନ୍ତୁ ସେତେବେଳେ ବି ମୋ ମାଆ କହିଥିବା କଥାକୁ ଅକ୍ଷରେ ଅକ୍ଷରେ ପାଳନ ପୂର୍ବକ ମୁଁ ଏସବୁ କର୍ମ କାଣ୍ଡ ସବୁ କରୁଥାଏ ମାନେ ତୁମ ଅମୃତ ତୁଲ୍ୟ ନାମକୁ ସେଇ ମୁଖସ୍ତ ମୁଦ୍ରାରେ ହେଜୁଥାଏ ଏଇ ଯେମିତି ପ୍ରତିଦିନ କଲେଜ ଗଲାବେଳେ ବାପାଙ୍କୁ ପଇସା ମାଗିବା ଭଳି।

  ହୁଁ ଏବେ କିନ୍ତୁ ପୁରା ପରିପକ୍ଵ ମାନେ ପୁରା ଧୁରନ୍ଦର ହେଇଯାଇଛି । ବାହା ସାହା ହେଇ ପିଲା ଛୁଆ ସଂସାର ହେଇଗଲାଣି ମୋର । ତେଲ ଲୁଣର ସଂସାର ଠିକ ଚାଲିଛି ମୋର। ମାଆ ବି ଆଉ ଥରି ଥରି କଥା ହେଉଛି ହେଲେ ଏଥରକ ମୋ ମାଆ କହିଥିବା ସେଇ ଅମୁଲ୍ୟ କଥା ପଦିଏ କୁ ଆଉ ମୁଖସ୍ତ ବଦଳରେ ମୋ ଜୀବନ ସଙ୍ଗୀତର ଧୁନ ସଜେଇ ଦେଇଛି।ସେଦିନ ହଠାତ ମୋ ପୁଅର ଦେହ ଖରାପ ହେଇଗଲା ଆଉ ମୁଁ ଘରଠୁ ଦୂରରେ ଥାଏ ।ମୋତେ ମୋ ଘରଣୀ ଫୋନ କରି କହିଲେ କି ପୁଅ ଦେହ ଭୀଷଣ ଖରାପ ।ମୁଁ ମେଡ଼ିକାଲ ନେଇଯାଉଛି ତୁମେ ଯେତେ ଶୀଘ୍ର ସମ୍ଭବ ଆସ।

  ସେତେବେଳେ ମୁଁ ମୋ କାର୍ଯ୍ୟସ୍ଥଳ ରେ ଅତି ଜରୁରୀ କାର୍ଯ୍ୟରେ ନିୟୋଜିତ ଥାଏ ଯାହାକି ହଠାତ ଘରକୁ ଯିବା ସମ୍ଭବ ହେଇ ପାରେନି। କଣ କରିବି କେମିତି ଯିବି ଏମିତି ଭାବୁ ଭାବୁ ତୁମ ନାମକୁ ମୁଁ ମୋ ଭାବନାରେ ସାମିଲ କରିଦେଲି ଆଉ ପୁଣି ଭାବିଲି କି ଛୋଟ ବେଳୁ ତ ତୁମେ ମୋ ସାଥିରେ ଅଛ ମୋ ସାହିତ୍ୟ ବହି ଭଳି,ମୋ ବାପା ଦେଉଥିବା ପକେଟ ମନି ଭଳି ମୁଁ ଜାଣିଛି ଆଜିବି ମୋ ଅନୁପସ୍ଥିତିରେ ତୁମେ ଉପସ୍ଥିତ ଥିବ ଠିକ ଆମ ଘରର ଛାତ ଭଳି।ସବୁକିଛିକୁ ଧୀରେ ଧୀରେ ଭୁଲିଯାଇ ନିର୍ଭୟରେ ତୁମ ନାମର ଧୁନ ରେ ନିଜକୁ ନଚେଇବାକୁ ଚେଷ୍ଟାକଲି। ହଁ ନାଚିଲି ହେଲେ ଟିକିଏ ବିଳମ୍ବ ହେଲା କାରଣ ବିଶ୍ୱାସ ଚିଜ ଟା ମୋର ପତଳା ଥିଲା ସେତେଟା ବହଳ ନଥିଲା। ତା ପରଦିନ ସକାଳୁ ସକାଳୁ ଘରୁ ଫୋନ କଲ ଟେ ଆସିଲା ଆଉ ଫୋନ ରେ ମୋ ପୁଅ ଥିଲା ତା ତୁତୁଲା ପାଟିରେ କହିଲା ହାଲୋ ବାପା ଦୟ ଦଗନ୍ନାଥ ମୋ ଦେହ ପୁଲା ଥିକ ଅଛି ତୁମେ ତିନ୍ତା କଲିବନି।

   ପରେ ଖବର ପାଇଲି ଗତକାଲି ମେଡିକାଲରେ ମୋ ଘରଣୀ ତୁମ ନାମ କୁ ପୁଅର ମୁଣ୍ଡ ଆଉଁସି ଆଉଁସି ଜପୁଥିଲା ଏବଂ ପୁଅକୁ କହୁଥିଲା କି ଧନରେ ଜୟ ଜଗନ୍ନାଥ କହ ଦେଖିବୁ ତ ଦେହ ଭଲ ହେଇଯିବ ସେଥିପାଇଁ ସକାଳୁ ସକାଳୁ ଅଝଟ ଧରି କହିଛି ମୁଁ ମୋ ବାପାଙ୍କ ସହିତ କଥା ହେବି ଆଉ ଦୟ ଦଗନ୍ନାଥ କହିବି।

    ସେଦିନ ମୋ ମାଆ କହିଥିଲା ବିପଦ ଆସିଲେ ତୁମେ ସାହା ହୁଅ ବୋଲି ସତରେ ଆଜି ପ୍ରମାଣିତ ହେଲା ତାର ପ୍ରତ୍ୟେକ ଶବ୍ଦ ଶତ ପ୍ରତିଶତ ସତ ବୋଲି।ସତରେ ମୋ ଜୀବନ ସଙ୍ଗୀତର ର ଅସଜଡ଼ା ସ୍ୱରକୁ ପ୍ରତ୍ୟେକ ଥର ସଜାଡ଼ି ଦେଉଛ ତୁମେ ।ତୁମେ ଅଛ ବୋଲି ମୁଁ ନିର୍ଭୟରେ ନିର୍ଦ୍ୱନ୍ଦରେ ଜୀବନ ଜିଇଁ ଚାଲିଛି ମୁଁ।ତୁମେ ଅଛ ବୋଲି ପରିବାର ମୋର ସୁରକ୍ଷିତ।ତୁମେ ଅଛ ବୋଲି ମୋ ବିପଦପୁର୍ଣ୍ଣ କଣ୍ଟକିତ ଜୀବନପଥ ଧୀରେ ଧୀରେ ଗତିଶୀଳ ହେଉଛି ଏକ ସୁବାସିତ ରଙ୍ଗବେରଙ୍ଗର ପୁଷ୍ପ ଉଦ୍ୟାନ ଆଡ଼କୁ ଆଉ ତୁମେ ଅଛ ବୋଲି ଆଜି  ବି ମୋ ମାଆ ତା ଥରଥରିଆ କଣ୍ଠରେ କହୁଛି ତୁମେ ବିପଦ ବେଳର ବନ୍ଧୁ।


Rate this content
Log in

Similar oriya story from Inspirational