ନାନାରି ନାରେ ନାରେ ନାରେ
ନାନାରି ନାରେ ନାରେ ନାରେ
ବାଲକୋନି ର ଇଣ୍ଡର ପ୍ଲାଣ୍ଟ ସବୁ ଏବେ ମୋର ସାଥି ଏଡ଼େ ବଡ଼ ଘର ଆମେ କରିଥିଲୁ କଣ ଏକୁଟିଆ ମୁକ ହେଇ ବଞ୍ଚିବା ପାଇଁ ? ଆଜି ସୁବ୍ରତ ଆସୁ ମୁଁ ତାକୁ ପଚାରିବି ଯେତେବେଳେ ତ ବାପା ଭୁବନେଶ୍ୱରରେ ରହୁଥିଲେ ମୁଁ ତ ସେତେବେଳେ ମାଆ ଚରିତ୍ରକୁ ନିଖୁଣ ଭାବେ ତୁଲାଇଥିଲି ତ ଜୀବନରେ ହେଲେ ଆଜି ମମତା କାହିଁକି ମୋ ମାଆ ହେବାକୁ ନାରାଜ? କଣ ମୋର ବି ଅଧିକାର ନାହିଁ ଟିକିଏ ସ୍ନେହ ପାଇବାକୁ? ସେତେବେଳେ ତ ବାପା ଘରୁ ଗୋଡ଼ କାଢ଼ିଲା ମାତ୍ରେକେ ମୋତେ କହୁଥିଲେ ମୋ ପିଲାଙ୍କ ଦାୟିତ୍ୱ ତୁମକୁ ଲାଗିଲା କେବେ ଅବହେଳା କରିବନି ମୋ ପିଲାଙ୍କୁ ହେଲେ ତୁ କଣ କେବେ ବାହାରକୁ ଗଲାବେଳେ ମମତାକୁ କହିଛୁକି ମୋ ପିଲାଙ୍କ ଦାୟିତ୍ବ ତମକୁ ଲାଗିଲା ମମତା ?କଣ ଆମେ ବାପା ମାଆ ତୋର ପିଲା ନୁହଁକି? ଆଜି ଶିଶୁ ଦିବସ ବୋଲି ମୋ ନାତି ଚାନ୍ଦର ଟୁକୁଡ଼ା ଓମ କୁ ନେଇ ତମ ତମ ହେଇ ଘରୁ ବାହାରି ଗଲା ମମତା ଯିବାବେଳେ କହିଗଲା ଓମ କୁ ବୁଲାଇବାକୁ ନେଉଛି ଆମେ ମାଆ ପୁଅ ବାହାରେ ଖାଇବୁ କିଚେନରେ ସବୁ ରେଡି କରିଦେଇଛି ତମେ ଖାଇନବ । ଥରୁଟିଏ କହିଲାନି କି ବଉ ଏକୁଟିଆ ତମକୁ ବୋର ଲାଗିବ ଚାଲ ଆଜି ଓମ ସହିତ ଟିକିଏ ବୁଲି ଆସିବ । ଓମ ଯେମିତି ମୋ ପୁଅ ସେମିତି ତମେ ବି ମୋ ଝିଅ ଆଉ ଆଜି ଶିଶୁ ଦିବସରେ ତୁମେ ମୋର ଦୁଇ ଶିଶୁ ବୁଲିବାକୁ ଯିବ।
ତୋର ମନେଥିବ ଯେବେ ତ ବାପାଙ୍କ ଟ୍ରାନ୍ସଫର ସମ୍ବଲପୁର କୁ ହେଇଥିଲା ଆଉ ତ ବାପା ଜଏନ ପାଇଁ ଯେତେବେଳେ ଘରୁ ବାହାରିଲେ ତୁ ଅଝଟ ହେଉ ବାପାଙ୍କ ସହିତ ଯିବାପାଇଁ ଆଉ ଅଝଟପଣ କୁ ଶାନ୍ତ କରିବାପାଇଁ ସେଦିନ ରାତିଯାକ ଅନିଦ୍ରା ହେଇ ଅନେକ ଗୀତ ଗାଇ ତତେ ଶୁଆଇ ଦେଉଥାଏ ହେଲେ ତୁ ସେମିତି ବଲବଲ କରି ମୋ ମୁହଁକୁ ଅନେଇଥାଉ କେତେବେଳେ ମୁଁ ସେଇ " ନାନାରି ନାରେ ନାରେ ନାରେ ନାନାରି ନାରେ ନା,ନାନାରି ନାରେ ନାରେ ନାରେ ନାନାରି ନାରେ ନା" ଗୀତଟି ଗାଇବି ଆଉ ଯେତେବେଳେ ମୁଁ ଗାଇ ଦିଏ ସେତେବେଳେ ତୁ ମୂଲମୂଲ କରି ହସିଦେଉ ସେତେବେଳେ ଲାଗେ ଯେମିତି ଦୁନିଆଁର ସବୁଠୁ ବଡ଼ ଖୁସି ମୋ କୋଳରେ ଅଛି ହେଲେ ଆଜି ମୋ ଅଝଟ କାହିଁକି ମମତାକୁ ଅଡ଼ୁଆ ଲାଗୁଛି ? ମୋତେ ହସିବାକୁ କାହିଁକି ସେ ସୁଯୋଗ ଦେଉନି? ଜାଣିଛୁ ଆଜି ଭାରି ଇଚ୍ଛା ହେଉଛି ମମତା କୋଳରେ ସୋଇ ସେଇ ନାନାରି ନାରେ ନାରେ ନାରେ ନାନାରି ନାରେ ନା ଗୀତଟିକୁ ଶୁଣିବା ପାଇଁ ।
