STORYMIRROR

Jitendra Giri

Others

3  

Jitendra Giri

Others

ଏମିତି କାହିଁକି

ଏମିତି କାହିଁକି

3 mins
247


କଟକ ସହର ଲିଙ୍କ ରୋଡ଼ ପାଖ ନିଶାମଣି ସିନେମା ହଲକୁ ଲାଗି ମଙ୍ଗୁ ଭାଇ ଚାହା ଦୋକାନ । ମଙ୍ଗୁ ଭାଇ ଚାହାର ସ୍ଵାଦ ଟିକେ ଭିନ୍ନ ଆଉ ନିଆରା ମଧ୍ୟ ସେଇଥିପାଇଁ ପୁରା ଲିଙ୍କରୋଡ଼ ବାସିଙ୍କ ଅହରହ ଭିଡ଼ ତା ଦୋକାନରେ । ଅନେକ ସମୟରେ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଚାହା ନିଅଣ୍ଟ ପଡ଼େ ଆଉ ସେମାନେ ବିରକ୍ତ ଭାବ ପ୍ରକାଶ କଲେ ମଙ୍ଗୁ ଭାଇ ରକ୍ଷଣଶିଳ ଢଙ୍ଗରେ କହିପକାଏ ଭାଇନା ଟିକିଏ ଅପେକ୍ଷା କରନ୍ତୁ ମୁଁ ଆପଣଙ୍କ ପାଇଁ ମଲାଇ ମାର୍କା ଚାହା କରିଦେଉଛି ଆଉ ଲୋକ ବି ତା କଥାରେ ସନ୍ତୁଷ୍ଟ ହେଇ ଚାହା ହେବା ପର୍ଯ୍ୟନ୍ତ ବସି ରୁହନ୍ତି । 

    ଚାହା ଦୋକାନ ପାଖକୁ ଲାଗି ଗାଡ଼ି ମୋଟର ଇନସୁରାନ୍ସ୍ ଅଫିସଟିଏ ପ୍ରାୟ ସମସ୍ତ ଷ୍ଟାଫ୍ ସେଠାକୁ ଚାହା ପିଇବାକୁ ଯାଆନ୍ତି । କିନ୍ତୁ ସଭିଙ୍କ ମଧ୍ୟରେ ରୁଦ୍ର ବାବୁ ମଙ୍ଗୁ ଭାଇର ନିତି ଦିନିଆ ଗ୍ରାହକ । ଦିନ ତମାମ ଆଠ ଦଶ କପ୍ ଚାହା ପିଇଯାନ୍ତି । ଖବର କାଗଜ ଖଣ୍ଡିଏ ଆଉ ଚାହା କପ୍ ହେଲେ ସେ ଦୁନିଆର ଅନ୍ୟ ସବୁ ସୁଖକୁ ଭୁଲିଯାନ୍ତି । ସେଥିଲାଗି ଅନେକ ସମୟରେ ତାଙ୍କ ଘରଣୀ ତାଙ୍କୁ କଡ଼ା ତାଗିଦ୍ ମଧ୍ୟ କରନ୍ତି । ମଙ୍ଗୁ ଭାଇ ବି କିଛି କମ୍ କି । ସେ ବି ମଝିରେ ମଝିରେ ଭାରି ବିଗିଡି ଯାଇ - ବାବୁ ଆଜ୍ଞା ସବୁବେଳେ କଣ ଚାହା ପିଇବା ଭଲ କି ଆପଣଙ୍କୁ ପରା ଡାଇବେଟିସ ? ହେଲେ ସେ ଏସବୁ ଶୁଣିବେ ବା କାହିଁକି । ସେ ତାଙ୍କ ଧୂନରେ ମସଗୁଲ୍ । ଖାଲି ଏତିକି କୁହନ୍ତି ଆରେ ଭାଇ ଚାହା ପିଇଲେ ଡାଇବେଟିସ ହୁଏନି ଡାଇବେଟିସ ତ କ୍ରୋଧ,ହିଂସା,ଅହଂକାର ଦ୍ଵାରା ହୋଇଥାଏ । ବୁଝିଲ ମଙ୍ଗୁ ଭାଇ । ଏମିତି ଆମ ରୁଦ୍ର ବାବୁଙ୍କ ଦିନଚର୍ଯ୍ୟା ହେଲେ କଣ ହେବ ସେ ଭାରି ଭଦ୍ର ଆଉ ମେଳାପି ଲୋକ । ସବୁ ବର୍ଗର ଲୋକେ ତାଙ୍କୁ ଭଲ ପାଆନ୍ତି ପୁରା ଲିଙ୍କ୍ ରୋଡ଼ ବାସିଙ୍କର ସେ ପ୍ରିୟ ମଣିଷ । 

   ଦିନକର ଘଟଣା ରୁଦ୍ର ବାବୁ ମଙ୍ଗୁ ଭାଇ ଚାହା ଦୋକାନରେ ବସି ଥାନ୍ତି । ତାଙ୍କ ପାଖରେ ଆଉ ଜଣେ ଭଦ୍ର ବ୍ୟକ୍ତି ବସି ନିଜ ମୋବାଇଲରେ କାହାକୁ ଜଣକୁ କହୁ ଥାନ୍ତି ତୁ ଗାଡ଼ି ମୋ ପାଖରେ ରଖି ତ ଘରକୁ ଯିବୁ । ବାବୁଙ୍କର କଥା ସରିଲା ପରେ ରୁଦ୍ର ବାବୁ ପଚାରିଲେ ଆଜ୍ଞା କଣ ଆପଣଙ୍କ ଗାଡ଼ିର କିଛି ଅସୁବିଧା ଅଛି କି ? ନାଇଁ ଆଜ୍ଞା ମୁଁ ମୋ ଡ୍ରାଇଭରକୁ ଫୋନ କରିଥିଲି ସେ ମୋ ସ୍ତ୍ରୀକୁ ନେଇ ମାର୍କେଟ ଯାଇଥିଲା । ତେଣୁ ତାକୁ କହିଲି କି କାମ ସରିଲେ ଗାଡ଼ି ମୋ ପାଖରେ ରଖିଦେଇ ଯିବ । ଆଚ୍ଛା ତାହେଲେ ଆପଣଙ୍କ ଡ୍ରାଇଭରର ଘର ବୋଧହୁଏ ଏଇ ପାଖରେ ହେଇ ଥିବ ରୁଦ୍ରବାବୁ ପଚାରିଲେ । ଭଦ୍ର ବ୍ୟକ୍ତି ଜଣକ କହିଲେ ହଁ ଭାଇ ତା ଘର ଏଇ ମାଲ୍ ଗୋଦାମ ପାଖରେ । ରୁଦ୍ର ବାବୁ କହିଲେ ତେବେ ଆପଣ ତାକୁ ତା ଘରେ ଛାଡ଼ି ଦେଇ ଯିବେ ବୋଧହୁଏ । ନାଇଁ ଆଜ୍ଞା ସେ ମୋ ଡ୍ରାଇଭର । ମୁଁ କଣ ପାଇଁ ତାକୁ ଛାଡ଼ିବାକୁ ଯିବି । ତା ଛଡ଼ା ତା ଘର ତ ଏଇ ପାଖରେ । କେତେ ସମୟ ଲାଗିବକି । ସେ ନିଜ ପାଦରେ ଚାଲି କି ଚାଲିଯିବ । ଡ୍ରାଇଭର ଡ୍ରାଇଭର ହିସାବରେ ରହିବା ଦରକାର । 

   ହଠାତ୍ ନିରବି ଗଲେ ରୁଦ୍ର ବାବୁ ଏଇ କେଇ ପଦ କଥା ଶୁଣି । ମେଳାପୀ, ସ୍ନେହୀ ମଣିଷଟା ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଜର ମିଠା ମିଠା ଶବ୍ଦ ଗୁଡ଼ିକୁ ଅନିଚ୍ଛା ସତ୍ତ୍ୱେ ଜିଭ ତଳେ ଚାପି ରଖିଲେ । ହେଲେ ମନ ତାଙ୍କର ଅମାନିଆ ଅନେକ ଗୁଡ଼ିଏ ପ୍ରଶ୍ନବାଚୀ ସୃଷ୍ଟି କରିଚାଲିଥାଏ ଆଉ ହୃଦୟରେ ତାଙ୍କର ଦୟା ଭାବର ଉଦ୍ରେକ ହୁଏ ସେଇ ଡ୍ରାଇଭର ଉଦ୍ଦେଶ୍ୟରେ । ମନର ପ୍ରଶ୍ନ ବାଣରେ କ୍ଷତାକ୍ତ ହେଇ ମଲମ ସଦୃଶ ଉତ୍ତର ଖୋଜୁଥାନ୍ତି ଏବଂ ନିଜକୁ ନିଜେ ପ୍ରଶ୍ନ ବାରମ୍ବାର ପ୍ରଶ୍ନ କରୁଥାନ୍ତି - ଏମିତି କାହିଁକି ? ଦୁନିଆର ସବୁଠୁ ଦାମିକା ଗାଡ଼ି ଚଳାଉଥିବା ଲୋକ କାହିଁକି ପାଦରେ ଚାଲି ଘରକୁ ଯାଏ? ଖରା ବର୍ଷା ବାତ୍ୟା ମରୁଡ଼ି ସବୁକୁ ସହି ପୁରା ଦୁନିଆକୁ ଖାଦ୍ୟ ଯୋଗାଉଥିବା ଲୋକଟା ଆଜି ବି କାହିଁକି ଉପାସରେ ଶୁଏ?ଦୁନିଆ ଯାକର ବଡ଼ ବଡ଼ କୋଠା ତିଆରି କରୁଥିବା ଲୋକଟା ଆଜିବି କାହିଁକି ଚାଳ ଘରେ ରୁହେ? ନିଜ କଲମ ବଳରେ ଏକ ସୁସ୍ଥ ସମାଜ ଗଠନ ଦିଗରେ ପ୍ରୟାସ କରୁଥିବା ଲୋକଟା କାହିଁକି ଦରିଦ୍ର ସୀମାରେଖା ତଳେ ରହିଯାଏ? ଏମିତି ଅନେକ କାହିଁକିର ଉତ୍ତର ଖୋଜୁଥାନ୍ତି ରୁଦ୍ରଵାବୁ ଆଉ ପୁଣି ଏମିତି କାହିଁକି ପାଖରେ ଅଟକି ଯାଆନ୍ତି । କିଏ ଦେବ ଏହାର ଉତ୍ତର କାହା ପାଖରେ ଅଛି? ଏତିକି ବେଳେ ଫୋନଟି ବାଜି ଉଠିଲା ରୁଦ୍ର ବାବୁଙ୍କର ଅଫିସ୍ ଆସନ୍ତୁ ନୂଆ କଷ୍ଟମର୍ ଆସିଛନ୍ତି ଇନସୁରାନ୍ସ୍ କରିବେ ଅପେକ୍ଷା କରିବାକୁ କୁହନ୍ତୁ ମୁଁ ଏଇନା ଆସୁଛି କହି ରୁଦ୍ର ବାବୁ ଚାଲିଗଲେ । 

 



Rate this content
Log in