ବାପା
ବାପା
ବାପା ଭାରି ଓଜନିଆ ଦାମିକା ଶବ୍ଦ ନା ମୁଁ ଭୁଲ୍ କହିଲି ଖାଲି ଶବ୍ଦ ନୁହନ୍ତି ବାପା । ବାପା ଆମ ମୁଣ୍ଡ ଉପରେ ଥିବା ଛାତ ଏଇ ଯେମିତି ସୁନ୍ଦର ନୀଳ ଆକାଶ,ବାପା ଆମ ପାଇଁ ତ ଜଣେ ପ୍ରଖ୍ୟାତ ଅଭିଜ୍ଞତା ପୂର୍ଣ୍ଣ ଜୀବନ ରଙ୍ଗମଞ୍ଚର ନିର୍ଦ୍ଦେଶକ ଆଉ ଏହି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ସମସ୍ତ ଚରିତ୍ର ଓ ପୁରା ସଂସାର ନାଟକଟି ସଫଳତା ହାସଲ କରେ । ବୋଧହୁଏ ସେଥିପାଇଁ କୁହାଯାଇଛି ବାପା ଥିବା ପୁଅ ସଭାରେ ହାରେନି । ତେବେ ଆଉ ବିଳମ୍ବ କାହିଁକି ଏବେ ସିଧା ସଳଖ ଆମେ କାହାଣୀ ଆଡ଼କୁ ଅଗ୍ରସର ହେବା ।
ସୁଧୀର ଟିକେ ରହ ମୋ କଥା ଶୁଣ ତୁ ବୋହୁକୁ ନେଇଘରୁ ଚାଲିଗଲେ ତୋ ବାପା ଆଉ ମୁଁ କେମିତି ଚଳିବା? ତୁ ଚାଲିଗଲେ ଆମ ଦୁନିଆ ଟା ଅନ୍ଧାର ହେଇଯିବ । ମୋ ଧନ ତ ପରା ଫେରି ଚାଲ ଘରକୁ । ଆଖିରେ ମେଞ୍ଚାଏ ଲୁହ ଅମାନିଆ ହୋଇ ବହି ଚାଲିଥାଏ ସୁଧୀରର ମାଆଙ୍କ ଆଖିରୁ ଆଉ ନେହୁରା କଣ୍ଠରେ ଏହିସବୁ କଥା ସୁଧୀରକୁ କହୁଥାନ୍ତି ସେ । କିନ୍ତୁ ଏମିତି କଣ ହେଲା ଯେ ସୁଧୀର ସବୁଦିନ ପାଇଁ ନିଜ ସ୍ତ୍ରୀକୁ ନେଇ ଘର ଛାଡ଼ି ଚାଲିଯାଉଛି ? ଗାଆଁ ମଝି ଦାଣ୍ଡରେ କେତେ ଲୋକ ଟାହି ଟାପରା କରୁଛନ୍ତି ହେଇ ଦେଖରେ ବାପା ମାଆ ମିଶି ପୁଅକୁ ଶିକ୍ଷିତ କରେଇ ଥିଲେ ଏବେ ତାର ଫଳ ପାଉଛନ୍ତି ଆଉ ପୁଣି କିଏ କହିଲାଣି ଭାରି ମାଇପ ସୁଆଗ ଦେଖୁନ ବାହା ହେଉ ହେଉ ମାଇପ କଥାରେ ଘର ଛାଡ଼ି ଚାଲିଯାଉଛି । ଏମିତି ଅନେକ ଲୋକ ଅନେକ କଥା କହୁଥାନ୍ତି ।
ଠିକ୍ ସେଇ ସମୟରେ ସୁଧୀରର ବାପା ଆସି ପହଞ୍ଚି ସୁଧୀରକୁ ବହୁତ୍ ବୁଝାଇଲେ କିନ୍ତୁ ସୁଧୀରର ଏକା ଜିଦ୍ ସେ ତା ଶଶୁର ଘର କଟକ ସହର ଯାଇ ବିଜିନେସ କରିବ । ଗାଆଁରେ କଣ ଅଛି ଯେ କଣ କରିବ?ସବୁଦିନ ଭଳି ଆଜି ବି ସୁଧୀର ସେଇ ଅଭିମାନ ଭରା କଥା ଗୁଡ଼ିକ କହିଗଲା ନିଜ ବାପାକୁ । କହିଲା - ବାପା ତମେ ମୋ ପାଇଁ ଏମିତି କଣ ରଖିଚ ଯେ ମୁଁ ଗାଆଁରେ ଚଳି ଯିବି ବାସ୍ ସେଇ କେଇଖଣ୍ଡ ନଦୀ କୂଳ ଜମି ଆଉ ପାଞ୍ଚ ଗୁଣ୍ଠ ଡିହ ବାଡ଼ି । ବାପା ଦେଖିବ ଚାଲ ମୋ ସ୍ତ୍ରୀ ସୋନାଲିର ବାପାର କେତେ ପ୍ରପର୍ଟି । କେତେ ନୌକର ଚାକର ବିଭିନ୍ନ ପ୍ରକାର ଦାମୀ ଗାଡ଼ି ଆଉ କଟକ ସହରରେ ଦୁଇ ଦୁଇଟା ବଙ୍ଗଳା । ତାଙ୍କୁ ହିଁ କୁହାଯିବ ବାପା ଯିଏକି ପିଲା ମାନଙ୍କ ପାଇଁ ସବୁକିଛି ହାତ ପାହାନ୍ତାରେ ରଖିଛନ୍ତି । ଆଉ ତମେ ମୋ ପାଇଁ କଣ କରିଛ କିଛି ନାଇଁ ବାସ୍ ଖାଲି ଦୁଃଖ, ଅଭାବ, ଅବହେଳା । ଯୁଆଡ଼େ ଯାଉଛି ହାର, ଉପାଧି ସାଥିରେ ନେଇ ଆସୁଛି । ତେଣୁ ମୁଁ ନିଷ୍ପତ୍ତି ନେଇଛି ମୁଁ ବିଜିନେସ କରିବି, ବଡ଼ ଲୋକ ହେବି, ଯୁଆଡ଼େ ଯିବି ସେଠୁ ଜିତିକି ଆସିବି । ମୁଁ ଦେଖେଇ ଦେବି ଏ ସମାଜକୁ କି ଟଙ୍କା ବଳରେ ହାରି ଯାଉଥିବା ବାଜି ମଧ୍ୟ ଜିତି ହୁଏ ।
ରଘୁ ବାବୁ ଯେତେ ଯାହା କହିଲେ ବି ସୁଧୀର ମୋଟେ ବୁଝିଲାନି ଆଉ ସ୍ତ୍ରୀକୁ ନେଇ କଟକ ଚାଲିଗଲା । ବିଚରା ରଘୁ ବାବୁ ପ୍ରାପ୍ତ ବୟସରେ ଟିକେ ସେବା ପାଇବା ବଦଳରେ ବଡ଼ ଧୋକାଟେ ପାଇଲେ । ନିଜକୁ ନିଜେ ବୁଝାଇ ଦେଲେ ଛାଡ଼ ମୋ ଭାଗ୍ୟରେ ଏଇୟା ହିଁ ଲେଖା ଥିଲା । ବେଶ୍ କିଛି ଦିନ ବିତିଗଲା ସୁଧୀରର ବାପା ରଘୁ ବାବୁ ଥରେ ସୁଧୀରକୁ ଫୋନ କରି ଭଲ ମନ୍ଦ ପଚାରିଲେ କିନ୍ତୁ ସେତେବେଳେ ସୁଧୀର ପାଖରେ ସମୟ ନଥିଲା ଖାଲି ଏତିକି କୁହେ ବାପା ମୋତେ ସମୟ ଅଭାବ ତମେ ରାତିକି ଫୋନ କରିବ ଏବେ ମୁଁ ଅଫିସରେ ଅଛି ଏମିତି କଥା ସବୁ କହି ସୁଧୀର ଫୋନ କାଟି ପକାଏ । ସତେ ଯେମିତି ରଘୁ ବାବୁ ସୁଧୀରର ଜଣେ ତଳ ପଦସ୍ତ କର୍ମଚାରୀ । ତଥାପି ରଘୁ ବାବୁଙ୍କ ଆତ୍ମବିଶ୍ୱାସ କମି ଯାଏନି ସତେ ଯେମିତି ହିମାଳୟ ପର୍ବତମାଳାର ସେଇ ଉଚ୍ଚ ଶୃଙ୍ଗ ସବୁ । ଏବେ ବି ତାଙ୍କ ପୁଅ ଉପରେ ଭରସା ଅଛି ସେ ଦିନେ ନା ଦିନେ ତାଙ୍କ ପାଖକୁ ଫେରି ଆସିବ । କୁହନ୍ତି ଆଶାର ଅନ୍ତ ନାହିଁ ।
ସେପଟେ ସୁଧୀର ଶଶୁରଙ୍କ ବିଜିନେସ କାମରେ ବାଙ୍ଗାଲୋର ଯାଇଥାଏ । ହଠାତ୍ ଖବର ଆସିଲା ସର୍ଟ ସର୍କିଟ ଯୋଗୁଁ ସୁଧୀରର ଗୋଦାମ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ଛାରଖାର ହେଇ ଯାଇଛି । ଏହି ଖବରଟି ଶୁଣି ସୁଧୀର ପାଦ ତଳୁ ମାଟି ଖସିଗଲା । ସେ ଏମର୍ଜେନ୍ସି ସେବା ଫ୍ଲାଇଟରେ ଆସି ପହଞ୍ଚିଲା । ଦେଖିଲା ତାର ଗୋଦାମରେ ଥିବା ସବୁ କଞ୍ଚା ମାଲ ପୋଡ଼ି ନଷ୍ଟ ହେଇ ଯାଇଛି । ତାକୁ ଏହି ମହା କ୍ଷତିର ଚିନ୍ତା ଶାନ୍ତିରେ ରଖେଇ ଦେଲାନି ସେ ସ୍ଥିର କଲା ଶଶୁରଙ୍କୁ କହି କିଛି ଟଙ୍କା ଆଣି ପୁଣି ବିଜିନେସ କରିବ । ହେଲେ ତା ଶଶୁର ସିଧା ସିଧା ମନାକରି କହିଲେ ମଣିଷ ଥରେ ସାହାଯ୍ୟ କରେ ବାରମ୍ବାର ନୁହେଁ ତା ଛଡ଼ା ମୁଁ ଯଦି ସବୁ ଧନ ସମ୍ପତ୍ତି ତୁମକୁ ଦେଇ ଦେବି ତେବେ ମୋ ପୁଅ କଣ କରିବ? ନାଇଁ ସୁଧୀର ତମେ ଆଉ କୋଉଠି ଦେଖ ମୁଁ ଦେଇ ପାରିବିନି । ସେପଟେ ଗୋଦାମରେ କାମ କରୁଥିବା କର୍ମଚାରୀ ମାନେ ବାରମ୍ବାର ସୁଧୀରକୁ ନିଜର ବାକିଆ ଦରମା ମାଗୁଥାନ୍ତି । କଣ କରିବ ସେ କିଛି ବି ଜାଣିପାରୁନଥାଏ । ସବୁବେଳେ ନିଜକୁ ନିଜେ ବିଜେତା ଭାବୁଥିବା ସୁଧୀର ସତେ ଯେମିତି ସବୁ ଦିନ ପାଇଁ ହାରି ଯାଇଛି । ହଠାତ୍ ସୁଧୀରର କୁକୁର ଟମି ଭୁଲିଲା । ଏତେ ରାତିରେ କିଏ ଆସିଲା ଆମ ଘରକୁ କହି ସୁଧୀର ଘର ଭିତରୁ ଆସି ବାହାରେ ଦେଖେତ ତା ବାପା ରଘୁ ବାବୁ ଆଉ ଜାନକୀ ଦେବୀ । କିନ୍ତୁ ଏତେ ରାତିରେ ତମେ କେମିତି ଏଠାକୁ ଆସିଲ ପଚାରିଲା ସୁଧୀର ।
ବାପା କହିଲେ ଆମ ପାଖ ପଡ଼ିଶା ଦେବେନ୍ଦ୍ର ଭାଇ କାଲି ଖବର କାଗଜଟେ ଆଣି ମୋତେ ଦେଲେ ଓ କହିଲେ ହେଇ ଦେଖ ତୁମ ପୁଅ ଗୋଦାମରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଜିନିଷ ସବୁ ନଷ୍ଟ ହେଇ ଯାଇଛି ଦେଖ ଆଜି ଏଥିରେ ଛପା ହେଇଛି । ବାସ୍ ଆମେ ଏହି ଖବର ଦେଖି ଆଉ ଡେରି ନକରି ତ ପାଖକୁ ଆସିଛୁ । ତୁ ଡରନା ତ ବାପା ଅଛି ସବୁ ଠିକ୍ କରିଦେବ ।
ହେଲେ ବାପା କର୍ମଚାରୀମାନଙ୍କ ବକେୟା ଟଙ୍କାକୁ ମୁଁ କେମିତି ଦେବି ? ରଘୁ ବାବୁ ସ୍ମିତ ହସି କହିଲେ ତୁ ଜମାରୁ ସେ ବିଷୟରେ ଚିନ୍ତା କରନା । ମୁଁ ନିଲୁଆ ନନା ପାଖରୁ ପାଞ୍ଚ ଲକ୍ଷ ଟଙ୍କା ଆଣିଛି ଆମ ସେ ନଈ କୂଳ ଜମି ଗୁଡିକ ବିକିକି । ସେସବୁ ମୋର କଣ ହେବ । ସେସବୁ ତୋରି ପାଇଁ ରଖିଥିଲି ତୋରି କାମରେ ଆସିବ । ହଁ ଯଦି ଆଉ ଟଙ୍କା ଦରକାର ହେବ ମୁଁ ଆଣିଦେବି ହେଲେ ତୁ ଜମାରୁ ଚିନ୍ତା କରନା । ଚିନ୍ତା କରି କରି ଏଇ କେତେ ଦିନ ଭିତରେ ଶୁଖି ଗଲୁଣି ।
ବାସ୍ ସୁଧୀର ଅସମ୍ଭାଳ ହେଇ ବାପାକୁ ଜାବୁଡ଼ି ଧରି ଭାବ ବିଭୋଳ ହେଇ କାନ୍ଦି ବାକୁ ଲାଗିଲା ଏବଂ କହିଲା ମୁଁ ଆଜି ପର୍ଯ୍ୟନ୍ତ ତୁମକୁ ଅଦରକାରୀ,ଅସହାୟ, ଅଭାବି ବୋଲି ଭାବୁଥିଲି । ଭାବୁଥିଲି ତୁମ ସାଙ୍ଗରେ ରହିଲେ ମୁଁ ସବୁବେଳେ ହାରର ଶିକାର ହେବି ହେଲେ ଆଜି ତୁମ ପାଇଁ ମୁଁ ହାରୁ ହାରୁ ସବୁଦିନ ପାଇଁ ଜିତି ଗଲି ବାପା । ମୋତେ କ୍ଷମା କରିଦିଅନ୍ତୁ ବାପା । ମୁଁ ଜାଣିନଥିଲି ମଣିଷ ଜୀବନରେ ବାପାଙ୍କ ସ୍ଥାନ ଅନେକ ଉଚ୍ଚରେ । ଯାହାର ବାପା ଅଛି ସେ ଦୁନିଆଁ ସବୁ ପରିସ୍ଥିତିକୁ ସାମ୍ନା କରି ପାରିବ । ବାପା ଥିଲେ ସର୍ବତ୍ର ବିଜୟୀ ହେଇ ପାରିବ । ହଉ ତୁ କାନ୍ଦ ବନ୍ଦ କର ଆଉ ଏଇ ପିଠା ବନେଇ ଆଣିଛି ବୋହୂକୁ ନେଇ ଦେ ଆଉ ଶୁଣ ଆମ ପୁରୁଖା ଲୋକ ମାନେ କହିଯାଇଛନ୍ତି ବାପ ଥିବା ପୁଅ ସଭାରେ ହାରେ ନି, ବାପ ଥିବା ପୁଅ ଶତ୍ରୁକୁ ଡରେନି ବୁଝିଲୁ କହିଲେ ସୁଧୀରର ମାଆ ।
ମାଆ ମୋତେ କ୍ଷମା କରିଦେ । ମୁଁ ତତେ ଭାରି ହତାଦର କରିଛି । ହଉ ହେଲା ଏବେ ଚାଲ ଭିତରେ ବୋହୂକୁ ଦେଖା କରିବା ଆଉ ସଭିଏଁ ସାଥୀ ହେଇ ଖାଇବା । ବହୁତ୍ ଦିନ ପରେ ମୋ ପୁଅ ବୋହୁ ସଙ୍ଗେ ବସି ଖାଇବା ଆସ ଆସ । ସଭିଏଁ ଘର ଭିତରକୁ ଚାଲି ଗଲେ ।
