Satyabati Swain

Tragedy

3  

Satyabati Swain

Tragedy

ତୁ ଭଲ କଲୁନି

ତୁ ଭଲ କଲୁନି

7 mins
35



ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ମୁଁ ଗୋଟିଏ ବ୍ୟାଗ୍ ଖୋଲେ । ତାକୁ ଝାଡ଼ି ଝୁଡ଼ି ସଫା କରେ ଓ ତାକୁ ରାକ୍ଷୀଟିଏ ପିନ୍ଧାଏ ।


ପ୍ରଥମେ ଯେଉଁଦିନ ମୁଁ ମୋ ଛୋଟ ଭାଇ "ବଂଶ" ହାତରେ ରାକ୍ଷୀ ବାନ୍ଧିଥିଲି,ମା ମୋତେ ଗୋଟି ଗୋଟି ଶିଖାଉଥିଲା କେମିତି ମୋ ଭାଇ ପାଇଁ ରାକ୍ଷୀ ଥାଳି ସଜାଡିବି । କଂସା ଥାଳିରେ ଦୁବ,ଅରୁଆ ଚାଉଳ,ଫୁଲ

,ସିନ୍ଦୁର,ଚନ୍ଦନ,ରାକ୍ଷୀ ଓ ମିଠା ସଜେଇବି । ନିଜେ ସବୁ କରୁଥିଲା । କେବଳ ମୋତେ ବତାଉଥିଲା । କେମିତି ମୋ କୁନି ଭାଇ "ବଂଶ" ହାତରେ ରାକ୍ଷୀ ପିନ୍ଧାଇବି । ତା ଉପରେ ଦୁବ ଅରୁଆ ଚାଉଳ ଓ ଫୁଲ ପକେଇବି । ଚନ୍ଦନ ସିନ୍ଦୁର ଲଗେଇ ରାକ୍ଷୀ ବାନ୍ଧି ଦେବି । ତାପରେ ବଂଶ ପାଟିରେ ଟିକେ ମିଠା ଲଗାଇ ଦେବି । ମାମା ହସି ହସି କୁହେ ତୋ ଟିକି ଭାଇ ତୋତେ କଣ ଦେବ କହ ମିଷ୍ଟି ।


ମୁଁ କୁହେ ମାମା ତୁମେ ତ ମୋତେ ଗୋଟେ ସୁନ୍ଦରିଆ ଭାଇ ଦେଇଛ । ଆଉ କଣ ମୋର ଦରକାର । ହଁ ବଂଶ ଶୀଘ୍ର ବଡ଼ ହୋଇଯାଉ ଆମେ ସାଙ୍ଗ ହୋଇ ସ୍କୁଲ ଯିବୁ ଓ ଖେଳିବୁ । ଛଅମାସର ବଂଶ ମୋ କଥାରୁ କଣ ବୁଝେ କେଜାଣି ଗୋଡ଼ ହାତ ବାଡେଇ ଖୁସି ଜାହିର କରେ । ତା ହାତର ରାକ୍ଷୀକୁ ଦେଖି ଖାଲି ହୁଁ ହାଁ କରି ହସେ । ମୁଁ ତାକୁ ଜାକି ଜୁକି ଛାତିରେ ଧରେ । ତା କଅଁଳ ଫୁଲକା ଫୁଲକା ଗାଲରେ ଚୁମା ଦିଏ । ସେ ଆହୁରି ହସେ । ମୋତେ ଯେତେବେଳେ ପାଞ୍ଚ ବର୍ଷ ମୋ ଭାଇକୁ ଛଅ ମାସ । ମୋ ଭାଇ ଯେଉଁ ଦିନ ଜନ୍ମ ହେଲା ସବୁଠାରୁ ଖୁସି ମୁଁ ଥିଲି । କଲୋନୀ ସାରା ବୁଲି ବୁଲି କହୁଥିଲି ହେ ବଣ୍ଟି,ପୁକୁ,ନୀଳ୍,ରାଜୁ,ସୋମା,ସୋନା ଶୁଣ ମୋର ଭାଇଟିଏ ହୋଇଛି । ଏ ବର୍ଷ ମୁଁ ବି ମୋ ଭାଇ ହାତରେ ରାକ୍ଷୀ ବାନ୍ଧିବି । ଭାରି ମଜା ହେବ ।


ଆସ୍ତେ ଆସ୍ତେ ବଂଶ ବଢିବା ସହ ମୁଁ ବି ବଢିଲି । ବଂଶ ଏପରି କୌତୁକିଆ ହୋଇଥିଲା ଯେ କେହି ଘଡିଏ ଚାହିଁବ । ସେ ଯେତେବେଳେ ମୋ ସାଙ୍ଗରେ ଦି ଦି କହି ଗୋଡ଼ାଏ ଖୁବ୍ ଆନନ୍ଦ ଲାଗେ ମୋତେ । ମୋ ସବୁ ଖେଳନା ମୋ ଭାଇର । ମୋ ସବୁ ବହି ବି ମୋ ଭାଇର ।

ତାର ମୋର ଲୁକାଛୁପି ବି ଖେଳୁ । ଖାଇବା ପିଇବା ଶୋଇବା ଆମ ଦୁହିଁଙ୍କର ଏକାବେଳେ ହୁଏ । ବଂଶ କୁ ଥରେ ଆଗ ଖୁଆଇ ଦେଲେ ମୁଁ ଯାଇ ଖାଏ । ବାବାଙ୍କ ସହ ସପିଙ୍ଗ୍ କରିବାକୁ ଗଲେ ମୋ ନିଜ ଅପେକ୍ଷା ବେଶୀ ବଂଶ ପାଇଁ ଜିନିଷ ଆଣେ । ମାମା ବିଗିଡେ । ବଂଶ ହେଲା ଦିନୁ ମୋ ଗେହ୍ଲା ଟି କିଛି ନିଜ ପାଇଁ ହିଁ କରୁନି । ଭାଇ ସହ ନିଜ ପାଇଁ ଭଲ ଭଲ ନିଜିଷ ଆଣିବୁ ନା । ଏତେ ଗେହ୍ଲା ଭାଇ କୁ କେଉଁ ଭଉଣୀ କରେ !


ମୁଁ ବଂଶକୁ କୋଳେଇ ନେଇ କୁହେ ମୋ ଗେହ୍ଲା ଭାଇ

,ମୋ କୁନୁ,ମୋ ଗୁଡୁ ମୋ ସୁନା ଭାଇ,ତା ପାଇଁ ଆଣିବି ନାହିଁ ଆଉ କାହା ପାଇଁ ଆଣିବି । ହସ ଖୁସି ରେ ଆମ ସଂସାର ଚାଲୁଥିଲା । ବଂଶ ବି ପ୍ଲେ ସ୍କୁଲ ଗଲା । ତାପରେ ମୋ ସ୍କୁଲ ଚନ୍ଦ୍ର ଶେଖରପୁର ଡିଏଭି ରେ ତା ନାମ ଲେଖା ହେଲା । ଭାଇ ଭଉଣୀଙ୍କୁ ଡ୍ରାଇଭର ଅଙ୍କଲ୍ ଛାଡି ଆସନ୍ତି । ପୁଣି ଆଣିବାକୁ ଯାଆନ୍ତି । ବଂଶ ମୋ ଠାରୁ ଖୁବ୍ ଭଲ ପଢିଲା । ଚିତ୍ର କରିବାରେ ଓସ୍ତାତ୍ ସେ ପାଞ୍ଚ ବର୍ଷ ବେଳକୁ ହୋଇ ସାରିଥିଲା ।


ସବୁ ଠିକ୍ ଠାକ୍ ଥିଲା । ହଠାତ୍ ଦିନେ ବଂଶ କହିଲା ଦି ଦେଖିଲୁ ମୋ ମୁଣ୍ଡ ଦରଜ କାହିଁକି ଲାଗୁଛି । ମୁଁ ହାତ ମାରି ଦେଖିଲି ଦୁକୁ ଦୁକୁ ଘର ଉପରେ ଗୋଟେ କଣ ଗୋଲ୍ ପରି ହାତକୁ ଲାଗିଲା । ଟିକେ ଚିପିବାରୁ ବଂଶ କହିଲା ଦି କାଟୁଛି ।


ତୁ କେଉଁଠି ପଡିଥିଲୁ କି?ତୋ ମୁଣ୍ଡରେ କଣ ବାଡେଇ ହୋଇ ଯାଇଥିଲା କି ବଂଶ,ମନେ ପକା ।


ବଂଶ କହିଲା ନା ଦି । ମୁଣ୍ଡ କୁଣ୍ଡେଇଲା ବେଳେ କାଟି

ବାରୁ ଆଜି ଜାଣିଲି । ଆମେ ଦୁହେଁ ମାମାଙ୍କୁ ଯାଇ କହିଲୁ । ମାମା ଓ ବାବା ବ୍ୟସ୍ତ ହୋଇ ପଡିଲେ । ଡାକ୍ତରଙ୍କ ପାଖକୁ ଦେଖେଇବାକୁ ନେଲେ । ଔଷଧ ଆଣି ଯେତେ ଖାଇଲେ ବି ସେ ଗୋଟାଳିଆ ଜାଗାଟା ଦିନକୁ ଦିନ ବଢ଼ୁଥିଲା । ଦିନେ ପ୍ରାର୍ଥନା କ୍ଲାସରେ ବଂଶ ହଠାତ୍ ପଡି ବେହୋସ୍ ହୋଇଗଲା । ଆପୋଲୋ ହସ୍ପିଟାଲରେ ଆଡ଼ମିଟ୍ ହେଲା ବଂଶ । କାହା ମନରେ ସୁଖ ରହିଲା ନାହିଁ । ମୋ ଭାଇଟିକୁ ଛାଡି ରହିବା ମୋ ଦ୍ୱାରା ମୁସ୍କିଲ ହେଲା । ସ୍କୁଲ ସାରି ପ୍ରତିଦିନ ମୁଁ ତାକୁ ଦେଖା କରିବାକୁ ଯାଏ । ସେ ଖୁବ୍ କାନ୍ଦେ । "ମୁଁ ଏଠି ରହିବିନି । ଘରକୁ ଯିବି । ତୋ ସହ ସ୍କୁଲ ଯିବି ଅଳି କରେ । "ମାମା ବୁଝାଏ,ସୁନା ପୁଅ ମୋର,କାନ୍ଦନ୍ତି କି! ଆମେ ଆଉ କିଛି ଦିନ ରହି ଘରକୁ ଯିବା । ଦି, ତୋତେ ତୋ ପଛୁଆ ପାଠ ସବୁ ପଢ଼ାଇ ଦେବ । ଆଦୌ ବ୍ୟସ୍ତ ହଅନା ଧନ । ତା ଆଖି ତଳ ସିଝିଲା ପରି ଦିଶୁଥିଲା । ତାକୁ ଲଣ୍ଡା କରି ସେ ଗୋଟାଳିଆ ମାଂସ ଟିକୁ ଅପରେସନ କରାଯାଇଥିଲା । ନଖ,ଜିଭ କଳା ଦିଶୁଥିଲା । ମୋ ଜହ୍ନ ଭଳିଆ ହଳଦିଆ ରଙ୍ଗର ରାଜା ଛୁଆ ପରି ଭାଇଟା ତମ୍ବାଳିଆ ହୋଇ ଯାଇଥିଲା । ଖାଦ୍ୟ ଖାଇବା ସ୍ପୃହା ତାର ନଥିଲା । ନିଃଶ୍ଵାସ

ବେଳେବେଳେ ଜୋର ହେଉଥିଲା । ବାବା ମାମା କୁ କହୁଥିଲେ ଫୁସ୍ ଫୁସ୍ କୁ ଆଟାକ୍ କଲାଣି । ମା ରୋଷେଇ କରୁ କରୁ ଗୁମୁରି କାନ୍ଦୁଥିଲା ।


ମାମା ବଂଶ ଅପେକ୍ଷା ଅଧିକ ରୋଗିଣା ଦିଶୁଥିଲା । ବାବା ମାମା ବଂଶ କୁ ପଲକ ନ ପକାଇ ସ୍ଥିର ଆଖିରେ ଚାହିଁ ରହୁଥିଲେ ଯେତେବେଳେ ସେ ଶୋଇ ପଡୁଥିଲା । କିନ୍ତୁ ଉଠି ପଢିଲେ ମାମା ବାବା ଖୁବ୍ ହସିବାର ଯଥେଷ୍ଟ ଅଭିନୟ କରୁଥିଲେ । ତା ପାଇଁ ସୁନ୍ଦର ଡ୍ରେସ୍ ଆଣି ଦେଉଥିଲେ । ତା ପ୍ରିୟ ଖାଦ୍ୟ ପ୍ରସ୍ତୁତ କରୁଥିଲେ । ବିଭିନ୍ନ ଜାଗା ବି ବୁଲେଇବାକୁ ନେଉଥିଲେ । ଦି ଖୋଜ ଚାଲିଲେ ସେ ଧଇଁ ସଇଁ ହୋଇ ଯାଉଥିଲା ।


ମା ବଂଶର କଣ ହୋଇଛି?ଯେତେ ପଚାରିଲେ ବି ମାମା କି ବାବା କିଛି କୁହନ୍ତି ନାହିଁ । ଖାଲି କାନ୍ଦନ୍ତି ବଂଶକୁ ଲୁଚେଇ । ତାଙ୍କ ଅବସ୍ଥା ଦେଖି ମୁଁ ଅନୁମାନ କରିନିଏ କିଛି ଗୋଟେ ବଡ଼ ଧରଣର ରୋଗ ହୋଇଛି ମୋ ଗେହ୍ଲା ଭାଇକୁ ।


ଦୁଇ ମାସ ହସ୍ପିଟାଲରେ ରହି ସେ ଘରକୁ ଆସିଲା । ଯିଏ ଘରକୁ ଆସିଲା ସେ ବଂଶ ପରି ଆଦୌ ଦେଖାଯାଉ ନଥିଲା । ପୁରା ଝଡି ଯାଇଥିଲା । ସବୁବେଳେ ଶୋଇ ରହୁଥିଲା । ଖେଳ କୁଦ କରିବାକୁ ତାର ବଳ ପାଉ

ନଥିଲା । ତାପରେ ତାକୁ ମୁମ୍ବାଇ ନିଆଗଲା । ସେଠି ବି ମାସେ ରହି ଆସିଲା । ପ୍ରତି ତିନି ମାସରେ ଥରେ ଚେକ୍ ଅପ୍ ପାଇଁ ସେ ଯାଉଥିଲା । ଏହିପରି ପାଖାପାଖି ବର୍ଷେ ଯାଏ ଚାଲିଲା । ସ୍କୁଲ ଯିବା ତାର ବନ୍ଦ ହୋଇଗଲା । ମୁଁ ତାରି ବେଡ୍ ପାଖେ ବସି ପଢେ । ତା ପାଠ ବି ପଢ଼ାଇ ଦିଏ । ପଢିଲା ବେଳେ ତା ମୁହଁ ଉଜ୍ଜ୍ଵଳ ଦିଶେ । ସେ ମୋତେ ପଚାରେ ଦି ମୁଁ କେବେ ସ୍କୁଲ ଯିବି?ମୁଁ ତା ଦେହ ଆଉଁସି କୁହେ ତୁ ବ୍ୟସ୍ତ କାଇଁ ହେଉଛୁ? ଦେହ ଭଲ ହୋଇଗଲେ ଯିବୁ ତ ନିଶ୍ଚୟ । ସେ ପୁଣି ପଚାରେ କେବେ ମୋ ଦେହ ଭଲ ହେବ? ହୋଇଯିବ ଶୀଘ୍ର । ଏହା କହି ପାଣି ପିଇବା ନାଁ ରେ ମୁଁ ଉଠି ଆସି ୱାସ୍ ରୁମରେ ବହେ କାନ୍ଦେ । କାହିଁକି ନା ମୁଁ କଣ ଜାଣିଛି ସେ କେବେ ଭଲ ହେବ?


ସେ ପୁଣି କୁହେ ମୁଁ ସ୍କୁଲ ଯାଉ ନାହିଁ । ମୋ ସାଙ୍ଗ ଗୁଗୁ ଏବେ କ୍ଲାସରେ ଫାଷ୍ଟ ହେଉଥିବ । ମୋତେ ସବୁବେଳେ ରାଗୁଥିଲା,କହୁଥିଲା, "ବଂଶ ତୁ କାଇଁ ସବୁବେଳେ ଫାଷ୍ଟ ହେଉଛୁ?" ଦି ଏବେ ତା ସଂଗେ କମ୍ପିଟେସନ୍ କରିବାକୁ କେହି ନାହିଁ । ସେ ଖୁସି ହେଉଥିବ ।


ଆରେ ନା ନା ବଂଶ ସେ ତ ସବୁଦିନେ ମୋତେ ପଚାରେ ମିଷ୍ଟି ଦି ଵଂଶ ଆଜି ବି ଆସି ନାହିଁ?କେବେ ଆସିବ ସେ?ତା ବିନା ଆମକୁ ଭଲ ଲାଗୁନାହିଁ" ।


ସତ ! ମୋ ସାଙ୍ଗ ମାନେ ମୋତେ ଖୋଜନ୍ତି!!


ଖାଲି ସାଙ୍ଗ ମାନେ ନୁହଁ ତୋ ମିସ୍ ଓ ଟିଚର୍ ମାନେ ବି ସବୁଦିନ ପଚାରନ୍ତି । ସେ ଏହା ଶୁଣି କାନ୍ଦ କାନ୍ଦ ହୋଇ ପଚାରେ ମୋତେ କାଇଁ ରୋଗ ହେଲା? ମୁଁ କଣ ତାର କରିଥିଲି କି?


ଏକଥା ଶୁଣି ବାବା ମାମା ଓ ମୁଁ ପୁରା ଶ୍ୱେତା ପଡିଯାଉ । ଏ ପ୍ରଶ୍ନ ଉତ୍ତର ଆମେବି ପଚାରୁଛୁ ଠାକୁରଙ୍କୁ । ମୁଁ ତ ପ୍ରତିଦିନ ପାର୍ଥନା ସମୟରେ ଠାକୁରଙ୍କୁ ଏକଥା ପଚାରେ । ମୋ ଭାଇକୁ କାହିଁକି ରୋଗ ହେଲା । ଏ କି ରୋଗ ଯେ ମୋ ଭାଇ ଚଲାବୁଲା କରିବାକୁ ଅକ୍ଷମ ହୋଇ ଯାଉଛି!!


ଟଙ୍କା ଯୋଗାଡ଼ କରି ବାବା ମାମା ତାକୁ ନେଇ ମୁମ୍ବେଇ ଗଲେ । ତା ବ୍ରେନ୍ ଅପରେସନ ହେବ ଓ ସେ ଏଥରକ ପୁରା ଭଲ ହୋଇଯିବ । ମୋତେ ମାଉସୀ ପାଖରେ ଛାଡି ସେମାନେ ଗଲେ । ଗଲା ବେଳେ ବଂଶ କହିଲା ଦି ମୋ ବ୍ୟାଗ୍,ବଟଲ୍ ,ଟିଫିନ୍,ଜୋତା ସବୁ ଭଲ ଭାବେ ସଫା କରି ଦେଇଥିବୁ । ଆସିଲେ ସ୍କୁଲ ଯିବି । ଏବର୍ଷ ରାକ୍ଷୀ ବି ରଖିଥିବୁ ମୁଁ ଆସିଲେ ପିନ୍ଧିବି । ଆଉ ହଁ ମୁଁ ମୁମ୍ବଇରୁ ଫେରିଲା ବେଳେ ଗୋଟେ ଭଲ କଲର୍ ବକ୍ସ ପେଣ୍ଟିଙ୍ଗ ପାଇଁ ଆଣିବି । ଆସିଲେ ଆମ ଫାମିଲି ଫୋଟୋ ଆଙ୍କିବି । ବଂଶ ଗଲା ବେଳେ ମୋ ଗାଲରେ ଦିଟା ଚୁମା ଦେଇଥିଲା । ମୁଁ ବି ତା ମୁହଁ ଦେହ ସାରା ଚୁମାରେ ଭରି କହିଲି ତୁ ଶୀଘ୍ର ଭଲ ହୋଇ ଫେରି ଆସେ ବଂଶ । ତୋ ବିନା ମୋତେ ଏକା ଆଦୌ ଭଲ ଲାଗିବ ନାହିଁ । ସେ ଦିନ କେଜାଣି ମୋ ମନ ଭିତର କଣ ହୋଇଯାଉଥିଲା । ବହୁତ କାନ୍ଦ ଲାଗୁ ଥିଲା । କିନ୍ତୁ କାନ୍ଦ ଲୁଚାଇ ମୁଁ ତାକୁ ହାତ ହଲାଇ ବାଏ କହିଲି ।


ମଉସା କହିଲେ ଦେଖ୍ ମିଷ୍ଟି ଏଇ ପ୍ଲେନ ରେ ବଂଶ ଯାଉଛି । ମୋ ଆଖିରୁ ଉହାଡ଼ ହେବା ଯାଏ ସେଇ ପ୍ଲେନକୁ ଚାହିଁ ବାଏ କରୁଥିଲି ।


ରାକ୍ଷୀ ପୂର୍ଣ୍ଣିମା ଆଠ ଦିନ ଥାଇ ସେମାନେ ଓଡିଶା ଛାଡିଲେ ମୁମ୍ବେଇ ଅଭିମୁଖେ । ମାଉସୀ ଘରେ ମୁଁ ଏକା ରହିଗଲି । ମୋ ଭାଇ ସହ ଯେମିତି ମୋ ଆତ୍ମା ଗଲା,ଶରୀର କେବଳ ମାଉସୀ ଘରେ ପଡି ରହିଲା । ସେମାନେ ପହଞ୍ଚିବାର ଦୁଇଦିନ ପରେ ତାର ଅପରେସନ୍ ହେଲା । ମୁଁ ଖୁବ୍ ସୁନ୍ଦର ରାକ୍ଷୀଟିଏ ବଂଶ ପାଇଁ କିଣି ରଖିଲି । ମୋ ଭାଇ ଆସିବ ଓ ତା ହାତରେ ମୁଁ ରାକ୍ଷୀ ବାନ୍ଧିବି ।


ଠିକ୍ ରାକ୍ଷୀ ପୂର୍ଣ୍ଣିମା ଦିନ ଖବର ଆସିଲା ବଂଶ ଇଜ୍ ନୋ ମୋର ।


ମାମା ଓ ବାବାଙ୍କୁ ଯାଇ ମଉସା ମୁମ୍ବେଇରୁ ଆଣିଲେ । ସେମାନେ ଦିଟା ଜୀଵ ନୁହେଁ ଶବ ଲାଗୁଥିଲେ । ମାମା ଆଜିଯାଏ ବି ସ୍ୱାଭାବିକ ହୋଇ ନାହିଁ ସେଇଦିନୁ ।


ଆଉ ମୁଁ ମୋ ଭାଇକୁ ସେଇଦିନୁ ଦେଖିବାକୁ ପାଇଲି ନାହିଁ । ଖୁବ୍ ଚୁପ୍ ହୋଇଗଲି ସେଉଦିନ ଠାରୁ । ନିଦରେ ବାଉଳି ହୋଇ ବଂଶ ବଂଶ କୁହେ । ବାଦଲ ତାରା ଭିତରେ ବଂଶକୁ ଖୋଜେ । ଆକାଶରେ ବଂଶ ମୁହଁ ଦେଖାଯାଏ । ମୋ ବଂଶ ଯେମିତି ହସି ହସି ଡାକି କୁହେ; ଦି, ଦି ମୁଁ ତୋ ସହ ସ୍କୁଲ ଯିବି । ମୋତେ ଏଠୁ ନେଇଯା । ଭାରି ଏକା ଲାଗୁଛି । ମୁଁ ବଂଶ କହି ନିଦରୁ ଉଠିପଡ଼େ । ମାମା କୁହନ୍ତି କାଇଁ ,କାଇଁ ମୋ ବଂଶ ! ବଂଶ, ବଂଶ ରେ । ବାବା ମୋତେ ଓ ମାମା ଜାବୁଡି ଧରି ଖାଲି ଲୁହ ଝାରନ୍ତି ।


ମୁଁ ବେଶୀ ବେଶୀ ତା ବ୍ୟାଗ୍,ବଟଲ୍ ,ଟିଫିନ୍, ଜୋତାକୁ ଛାଟିରେ ଜାକି ବଂଶକୁ ଅନୁଭବ କରେ । ଏବେ ମଧ୍ୟ ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ବାହାର କରି ଏଗୁଡିକ ପୋଛେ ଓ ସେଥିରେ ରାକ୍ଷୀ ଟିଏ ପୁରେଇ କୁହେ ବଂଶ "ତୁ ଭଲ କଲୁନି" । ଠକି ଦେଲୁ ମୋତେ । କହି ଯାଇଥିଲୁ ଫେରିଆସି ରାକ୍ଷୀ ବାନ୍ଧିବୁ । କିନ୍ତୁ.... । ମୋ ସହିତ ମୋ ରାକ୍ଷୀ ବି ଭୋ ଭୋ ହୁଏ ।


ଆଜି ରାକ୍ଷୀ ପୂର୍ଣ୍ଣିମା । ବଂଶ ବ୍ୟାଗରୁ ରାକ୍ଷୀ ତକ ଗଣି ଦେଖିଲି ଏବର୍ଷ ରାକ୍ଷୀକୁ ମିଶାଇ ଆଠଟି ରାକ୍ଷୀ ହେଲା ।



Rate this content
Log in

Similar oriya story from Tragedy