ତୁ ଭାରି ମନେ ପଡୁ
ତୁ ଭାରି ମନେ ପଡୁ
ମା ବାପା ଉପରେ ରୁଷି ଯାଇଥାଏ ମାମୁଁ ଘର।ଏକା ଜିଦ୍ ଆସିବ ନାହିଁ ଆଉ ବାପାଙ୍କ ପାଖକୁ।ବାପା ବି ଜିଦିଆ ଯାଇଛି ତ ଯାଉ।କିନ୍ତୁ ଏଇ ବାପା ମା ଙ୍କୁ ଜିଦା ଜିଦି ଭିତରେ ଚାପି ହୋଇ ଯାଉ ଆମେ ଛୁଆ ତିନୋଟି।ଖୁ ହଇରାଣ ହରକତ ହେଲା ପରେ ବାପା ମା କୁ ଆଣିବାକୁ ଯାଆନ୍ତି।କାଗଜରେ ଲେଖା ପଢା ହେଲା ଆଉ ବାପା ମା କୁ ମାରିବେ ନାହିଁ।ନିଶା ଖାଇବେ ନାହିଁ। ପର ଝିଅ ବୋହୁଙ୍କ ଉପରେ ଖରାପ ନଜର ରଖିବେ ନାହିଁ।
ତାପରେ ମା କୁ ସାଙ୍ଗରେ ଆଣି ଆସନ୍ତି ବାପା ଅଟୋରେ।ମା କୁ ଲାଗି ବସିଥାଏ ଗୋଟିଏ କରେ ଭାଇ।ଆଉ ଗୋଟେ କଡେ ବାପା।ମୁଁ ଖସୁ ନଥାଏ ମା ଛାତିରୁ।ବାପା ଓ ମା ସମ୍ପୂର୍ଣ୍ଣ ଚୁପ୍ ଥାନ୍ତି।କେହି କାହା ସଂଗେ କଥା ହୁଅନ୍ତି ନାହିଁ ବାଟ ସାରା।ନିଃଶବ୍ଦ ଝଡ଼ଟେ ବୋହୁଥାଏ ବାପା ମା ଙ୍କ ମନରେ।
ଅଟୋ ଆମ ଘର ଆଗେ ଲାଗେ।ଖପ୍କରି ଭାଇ ଅଟୋରୁ ଓହ୍ଲେଇ ପଡି ଏ... ଏ.... ଫେଲୁ ଦେଖ କିଏ ଆସିଲେ।ଦେଖ ଆମ ମା...।ନଅ ବର୍ଷର ମୋ ଭାଇଟି କିଲି ବିଲି ହୋଇ ବିଜୁଳି ବେଗରେ ଦଉଡ଼ି ଆସି କୁହନ୍ତି ମାଆ ଆ ଆ।ଓଃ ସେଇ ଅଟୋ ଭିତରେ ମା ଦେହରେ ସାଆଁବାଳୁଆ ପରି ଲାଗି ଯାଆନ୍ତି ତିନୋଟି ଛୁଆ।ଅଟୋ ଡ୍ରାଇଭର ଏସବୁ ଦେଖି ଅବାକ ହୋଇ କୁହେ ଏଡ଼େ କୁନି କୁନି ପିଲାଙ୍କୁ ଛାଡି କେମିତି ୠଷି ଯାଆନ୍ତି ମା??ଦେଖିଲ କି ଖୁସି ପହଁରୁଛି ସେଇ ନିଃଷ୍ପାପ ଛୁଆ ଗୁଡାଙ୍କ ମୁହଁରେ....!!
ମା ସମସ୍ତଙ୍କୁ ଖାଲି ଚୁଚୁମି ଯାଏ।କାଖେଇ ପକାଏ।ସମସ୍ତଙ୍କୁ କୋଳେଇ କାଖେଇ ଘର ଭିତରକୁ ନେଇ ଯାଏ।ଘର ଚଟାଣରେ ସମସ୍ତେ ଘେରି ପଡନ୍ତି ମାଙ୍କୁ।ମା ସତରେ କି ଚିଜ...!!
ମା କାନ୍ଦୁ କାନ୍ଦୁ ହସି ପକାଏ।ବ୍ୟାଗ ଫିଟେଇ ଆଣିଥିବା ବିସ୍କୁଟ,ମିକ୍ ଶ୍ଚର,ଜିଲାପି କାଢି ସମସ୍ତଙ୍କୁ ଖୁଆଏ।ବାପାଙ୍କ ପାଖକୁ ଥାଳିରେ ଦେଇ କୁହେ ବାପାଙ୍କୁ ଦେଇ ଆସ।ବୁଝି ହୁଏନି ଏ ବାପା ମା ଙ୍କ କଥା।ଏତେ ରାଗ ଭିତରେ ବି ଭଲ ପାଇବା କେମିତି ଥାଏ!!
ମା ଆଗ ଘର ଦୁଆର ସଫା କରେ।ଚୁଲି ଲିପି ଲାପି ରୋଷେଇ ବସାଏ।ବାପା ଚାଉଳ ,ଡାଲି ଆଳୁ ଆଣି ଦିଅନ୍ତି।ଏତେ ଦିନ ପରେ ମା ସମସ୍ତଙ୍କୁ ପେଟେ ପେଟେ ଡାଲି ଭାତ ଗୋଲେଇ ଖୁଆଇ ଦିଏ।ସଞ୍ଜ ପାଣି ଟିକେ ଦେଇ ପିଣ୍ଡି ବଡ଼ ବଡୁଆ ପାଆନ୍ତି।ଆମ ଘର ସ୍ୱର୍ଗ ଠାରୁ ଆହୁରି ସୁନ୍ଦର ଲାଗେ।
ମା ଓ ବାପା ଦୁହେଁ ଦୁହିଁଙ୍କୁ ଲାଜ ଲାଜ କରୁଥାନ୍ତି।ବାପା କୁହନ୍ତି କୁଲୁ ନେ ଏଇଟା ମା କୁ ଦେ।ମା କୁହେ କୁଲୁ ବାପାଙ୍କୁ କହ ଚାଉଲ ଡାଲି,ସୋରିଷ ତେଲ ଆଣିବେ ଛକରୁ।ଏମିତି କୁଲୁ ଭାଇକୁ ମଝିରେ ରଖି ବାପା ମା କଥା ହୁଅନ୍ତି।ସେଦିନ ବାପା ଛକକୁ ନିଶା ଖାଇବାକୁ ଯାଆନ୍ତି ନାହିଁ।ପେଟେ ପେଟେ ଖାଇ ଆମେ ପାଞ୍ଚ ଭାଇ ଭଉଣୀ ଶୋଇ ପଡୁ।ବାପା କିନ୍ତୁ ଶୋଇ ନ ଥାଆନ୍ତି।କୁଲୁ ଭାଇ କୁହେ ବାପା " ଶୋଉନ,ଅନେଇଁଛ କାହିଁକି?ବାପା କୁହନ୍ତି ହଁ ..ଶୋଉଛି କହି ଏପଟ ସେପଟ କଡ଼ ଓଲଟାନ୍ତି ମା ଆସିଲା ପର୍ଯ୍ୟନ୍ତ।ମା ଆସେ ଆଲୁଅ ଲିଭାଏ।ଅନେକ ଦିନ ପରେ ପୁରା ଗାଢ଼ ନିଦରେ ଶୋଇ ପଡୁ ଆମେ ଓ ଆମ ନୂଆଁଣିଆଁ ଚାଲ ଘରଟି।
ତାପରେ କିଛି ଦିନ ଭଲରେ ଚାଲେ।କୁଲୁ,ଫେଲୁ ଭାଇ ସ୍କୁଲ ଯାଆନ୍ତି।ଏମିତି ଦୁଃଖ ସୁଖରେ ଆମ ସଂସାର ଆଗକୁ ବଢେ।ବାପା ଆଠ ଦିନ ଯାଇ ନଥିବ ପୁଣି ତାଙ୍କ ଅଭ୍ୟାସବାହାର କରନ୍ତି।ମା ବହେ ଶୋଧେ।କିନ୍ତୁ ସେବେ ଠାରୁ ମାଡ଼ ,ଗାଳି ଯାହା ଖାଉ ପଛେ ୠଷି କି ମାମୁଁ ଘର ଯାଏନି।ସେତେବେଳେକୁ ମୋତେ ପାଞ୍ଚ ବର୍ଷ ହୋଇଯାଇଥାଏ।କୁଲୁ ଭାଇର ପଞ୍ଚମ,ଫେଲୁ ଭାଇର ପ୍ରଥମ।
ସେତେବେଳେକୁ ଇନ୍ଦିରା ଆବାସ ଯୋଜନାରେ ଆମର ଦୁଇ ବଖୁରିଆ ଘର ହୋଇ ସାରିଥିଲା।ମାମୁଁ କିଛି ସାହାଯ୍ୟ କରି କବାଟ ଝରକା ଲଗେଇ ଦେଇଥିଲେ।ମା ବି ରାତିଦିନ ପରିଶ୍ରମ କରି ମଜୁରୀ ଲାଗୁଥିଲା। ଗାଈ ଗୋଟିଏରୁ ତିନୋଟି ହୋଇ ଯାଇଥିଲେ।କ୍ଷୀର ବାବଦରେ କିଛି ପଇସା ବି ହାତକୁ ଆସିଥିଲା।ତିନୋଟି ଛୁଆ ତାର।ଅତି କମ୍ ରେ ତିନି ବଖୁରା ଘର ତ ନିହାତି ଲୋଡ଼ା।ପିଲା ବଡ଼ ହେଲେ ରହିବେ କେମିତି।ମା ଆଖିରେ ତା ଛୁଆଙ୍କ ଭବିଷ୍ୟତ ଝଲସୁଥିଲା ବେଳେ ବାପାର ଲମ୍ପଟ ପ୍ରବୃତ୍ତୀ ପହଞ୍ଚିଥିଲା ଶେଷ ସୀମାରେ।ନିଶା ପାଣି ଓ କାମୁକ ଢଙ୍ଗ ଛାଡୁ ନଥିଲା ବାପା।
ସବୁ ଯାହା ଯେମିତି ଚଳି ଯାଉଥିଲା।ମାତ୍ର ଯେଉଁ ଦିନ ବିଧବା ସୁନେଇ ଖୁଡି ଙ୍କୁ ନେଇ ବାପା ପଳେଇଲେ ଓ ଗାଁ ସାରା ହାଲ୍ଲା ପଡିଗଲା ବୋଉ ଏ ନିନ୍ଦାକୁ ହଜମ କରି ଅଣ୍ଟାରେ ଲୁଗା ଭିଡି ବାହାରି ପଡିଲା ଆମକୁ ମଣିଷ କରେଇବାକୁ।ଖରା ବର୍ଷାକୁ ଖାତିରି ନାହିଁ।ଗୋଟିଏ ନିଶାରେ ଚାଲୁଥିଲା ମା।ଗୁହାଳ ଗୋବର କରିବା ସହ ମୂଲ ବି ଲାଗୁଥିଲା।ଧାନ ରୁଆଁ,ବଛା,କଟା ଠାରୁ ଆରମ୍ବ କରି ଗୋଡି ବାଲି ସିମେଣ୍ଟ ବି ଫେଣ୍ଟୁ ଥିଲା।
ଫେଲୁ ଭାଇ ଟା ହୁଣ୍ଡା ଟାଏ।ସୁନେଇ ପୁଅ ସାଙ୍ଗରେ ମାଡ଼ ଗୋଳ କରି ଆସିଥାଏ ଯେ ତା ବୋଉ ଆମ ବାପାକୁ ଶିଖେଇ ନେଇ ପଳାଇଛି ବୋଲି।।ଟିକେ ଟିକେ କଥାରେ ହାତ ଉଠାଇ ମାଡ଼ ଗୋଳ କରେ।ପ୍ରତି ଦିନ କେସ୍।ମା ଘରକୁ ଆସିବା କ୍ଷଣି ଫେଲୁ ଭାଇ ନାଁ ରେ ଲୋକେ ଅଭିଯୋଗ ବାଢ଼ନ୍ତି।ମା ଅଵିଶ୍ରାନ୍ତ ଖଟି ଖଟି ଡାଙ୍ଗ ଦେଖା ଯାଉଥାଏ।ଘରକୁ ଆସିବା କ୍ଷଣି ଫେଲୁ ଭାଇର କାଣ୍ଡ କାରନାମା ଶୁଣି କାନ୍ଦି ପକାଏ।ବାପା ନାହିଁ ତୁମର ସାହା ହେବାକୁ।ଥୁକ ବାଟରେ ଯାଇ ମଣିଷ ନ୍ ହୋଇ ଏମିତି କାହିଁକି ହେଉଛ ବୋଲି ଖାଲି କାନ୍ଦେ।ଦିନେ ଦିନେ କାମ କରୁ କରୁ ମା ମୁଣ୍ଡ ବୁଲେଇ ଦିଏ।ମୁହଁରେ ପାଣି ଛଟା ଛଟି କଲାରୁ ଚେତା ଆସେ।
ମା ଶୁଣେ ବାପା କାଳେ ସୁନେଇ ଖୁଡି ପୁଅ ପାଖକୁ ଟଙ୍କା ପଠାନ୍ତି।ସେ କଲିକତାରେ ଗୋଟିଏ କମ୍ପାନୀରେ କାମ କରନ୍ତି।ମା ଭାରି ଭାଙ୍ଗି ପଡେ।ନିଜ ଜନ୍ମିତ ଛୁଆ ମୁହଁକୁ ନ ଚାହିଁ ପର ଛୁଆ ପାଇଁ ଏତେ ଦରଦ!ସୁନେଇ ଖୁଡି ଓ ବାପା ସୁଖରେ ରହିଛନ୍ତି ବି ଶୁଣେ।ମା ଉପରେ ଲୋକଙ୍କୁ କୁହେ ରହୁ ସୁଖରେ।ମୁଁ କଣ ତା ବିନା ମରି ଯାଉଛି।ବିଧବା ଟା ତାକୁ ଯଦି ବାସିଲା ଏଥିରେ ମୋର କଣ ଅଛି।ଲାଜ ସିନା ତାକୁ ଲାଗନ୍ତା ଯେ ନିଜ ବାହା ହେବା ସ୍ତ୍ରୀ ପିଲାଙ୍କୁ ଛାଡି ବିଧବା ସାଙ୍ଗରେ ନାଚୁଛି।ଭିତରେ କିନ୍ତୁ ମା ଭାରି କଷ୍ଟ ପାଏ।ସ୍ୱାମୀଟା ପର ମାଇକିନିଆ କରୁଛି ଅଥଚ ନିଜ ମାଇକିନିଆଁ ଟା ୟାର ତାର ମୂଳ ଲାଗୁଛି ପେଟ ଛୁଆଙ୍କୁ ନେଇ।
ଦୁଃଖ କଷ୍ଟକୁ ଗଣ୍ଠିଲି କରି ମା ଚାଲୁ ନଥାଏ ତ ଖାଲି ଦୌଡୁଥାଏ।କୁଲୁ ଭାଇର ନବମ ହୋଇଥାଏ।ଫେଲୁ ଭାଇର ପଞ୍ଚମ ଓ ମୋର ତୃତୀୟ।ବାପା ନାହଁ ବୋଲି ମା ଆମକୁ ତା ପାରୁ ପର୍ଯ୍ୟନ୍ତ ଖୁସିରେ ରଖିବାକୁ ଚେଷ୍ଟାରେ ଥାଏ।କାମ ଧନ୍ଦାରୁ ଆସି ଦିନେ ଦିନେ ଅଖିଆ ଅପିଆ ଶୋଇ ପଡେ।କୁଲୁ ଭାଇ ମା ସଙ୍ଗେ ହାତ ପତେଇଲାଣି।ଯଥା ସମ୍ଭବ ମା କୁ କାମରେ ସାହାଯ୍ୟ କରେ।ଫେଲୁ ଭାଇଟା ବହାପିଆ ଗୁଣ୍ଡା ହୁଣ୍ଡଟା।ମାର୍ ପିଟ୍ ରେ ଓସ୍ତାତ୍।ମୁଁ ମୋ ମା ଗୋଡ଼ ମୋଡି ଦିଏ।ଏତେ ବଡ଼ ହେଲେ ବି ମା ଛାତି ଦାରାଣ୍ଡେ ରାତିରେ।ମା କୋଳ ମୋତେ ସବୁଠୁ ନିରାପଦ ଆଶ୍ରୟ ସ୍ଥଳ ଲାଗେ।ଦି ଭାଇ ମା ଓ ମୁଁ ଗୋଡ଼ ନଦା ନଦି ହୋଇ ଶୋଇ ପଡୁ।ବାପା ନଥିଲେ ବି ମା ସହ ଆମେ ଖୁସିରେ ଥାଉ।ମା କୁ ଅଭାବ ଅନାଟନ ଯେତିକି ବାଧେ ନାହିଁ ବାପାଙ୍କ କଥା ତାଠାରୁ ଅଧିକ ବାଧେ।
ବାରମ୍ବାର ତା ମୁଣ୍ଡ ରୋଗଟି ବାହାରେ।ହୋମିଓ ପାଥିକି ଔଷଧ ଆଣି ଖାଏ।ଅତି ଦିବ୍ୟ ସୁନ୍ଦରୀ ମା ଆମର ତମ୍ବାଳିଆ ଦେଖା ଗଲା ଦିନୁ ଦିନ।କାମକୁ ଯାଇ ପାରିଲା ନାହିଁ।ଗାଈଙ୍କ କାମ କରି ଦେଇ କଣ ଦିଟା ଫୁଟେଇ ଦେଇ ଶୋଇବ।ଖିଆ ପିଆ ବି ସେମିତି କଲା ନାହିଁ।କୁଲୁ ଭାଇ ଘରର ପ୍ରାୟତଃ କସମ କଲା।
ରବିବାର ବାର ହୋଇଥାଏ।ଆମେ ସମସ୍ତେ ଘରେ ଖେଳୁଥାଉ।ହଠାତ୍ ମା ଶୋଇବା ଘରୁ ଗଁ ଗଁ ଶୁଭିଲା।ଭାଇ ଦଉଡ଼ି ଯାଇ ଦେଖେ ତ ମା ଛାଟି ପିଟି ହେଉଛି।ତା ମୁହଁରୁ ବାହାରୁଛି ଖାଲି ରକ୍ତ।
ମା ର କଣ ହେଲା!!ଆମେ କେହି କିଛି ଜାଣି ପାରିଲୁ ନାହିଁ।ଭାଇ ଦୌଡ଼ିଲା ପଡିଶା ଘର ସୁକି ଜେଜେମା ପାଖକୁ।ସୁକି ଜେଜେମା ଆସିଲା ବେଳକୁ ମା ଡଙ୍କ ମୋଡି ଆଖି ତରାଟୀ ପଡ଼ିଥାଏ ଲମ୍ବ ଜାଲି ଦେଇ।ସୁକି ଜେଜେମା ବୋଉ ନାକରେ ହାତ ଦେଇ କହିଲା ତୁମ ମା ଆଉ ଏ ଦୁନିଆଁରେ ନାହିଁରେ ପିଲେ।ତୁମେକୁ ଅନାଥ କରି ମା ତୁମର ସେପାରିକୁ ଚାଲିଗଲା।
ଭାଇ ବିଲେ ବିଲେ ଦୌଡ଼ିଲା ମାମୁଁ ଘରକୁ।ମାମୁଁ ଆସିଲେ।ଆମ ମାକୁ ହେଁସ ରେ ଗୁଡେଇ କୁଆଡେ ନେଇ ଗଲେ।ମୁଁ ଆଉ ଫେଲୁ ଭାଇ କୁଣ୍ଢା କୁଣ୍ଢି ହୋଇ ଖାଲି କାନ୍ଦୁଥାଉ।ମକୁଲୁ ଭାଇ ଆଖିରୁ ଝରୁଥାଏ ପାଣି।
ବାସ୍!ଏଇଠୁ ସରି ଗଲା ଆମ ଜୀବନ।ଯାହା ଆରମ୍ଭ ହେଲା ସେଇ ଟା କେବଳ ଜୀଇଁବା ଥିଲା।କୁଲୁ ଭାଇ ସ୍କୁଲ ଯିବା ବନ୍ଦ କରି ଗାଈଙ୍କ ହେପାଜତ କଲା।କୁଲୁ ଭାଇ ହୋଇଗଲା ଆମ ବାପା ମା,ଭାଇ।ଆମ ଘରର ମୁରବୀ।
ମୁଁ ମା କୁ ଖୋଜି କାନ୍ଦିଲେ କୁଲୁ ଭାଇ କୁହେ ମାମୁଁ ଘର ଯାଇଛି ଆସିବ।କିନ୍ତୁ କେବେ....... ମା ର ଅପେକ୍ଷା ମୋର ସରେ ନାହିଁ କି ମା ଆସିବା ବାଟକୁ ଚାହିଁବା ମୋହ ମୋର ମରେ ନାହିଁ।କେବଳ ଅପେକ୍ଷା ହିଁ କରେ।ମାକୁ କିନ୍ତୁ ଭାରି ଝୁରେ।ଝୁରେ ତା କୋଳ ଛାତି, ଓ ପଣତ।
ଭୋକ କଲେ,ରାତି ହେଲେ ,ଲାଇନ ପଳେଇଲେ, ଝଡ଼ ତୋଫାନ ହେଲେ ତୁ ଭାରି ମନ ପଡୁ ଲୋ ମା।ମାଆ ମାଆ ହୋଇ ତିନି ଭାଇ ଭଉଣୀ ଆମେ ଜାଵ ପଡିଯାଉ।